“ପ୍ରଥମ ଦିନ ମଜିଦାନ୍ ମୋ ହାତକୁ ଏମିତି ଚଟକଣିଟିଏ ବାଡ଼େଇ ଦେଲେ,” ମଜାଳିଆ ଢଙ୍ଗରେ ସେଦିନର ସେହି ମୁହୂର୍ତ୍ତକୁ ପୁଣି ଜୀବନ୍ତ କରି ତୋଳିବା ଉଦ୍ଦେଶ୍ୟରେ କହନ୍ତି ୬୫ ବର୍ଷୀୟା କରସେଦ ବେଗମ । ପୁରୁଣା ଦିନର କଥାରେ ଉତ୍ଫୁଲ୍ଲ ହୋଇ ଉଠନ୍ତି ତାଙ୍କ ପାଖରେ ବସିଥିବା ମଜିଦାନ ବେଗମ ଏବଂ ସେହି ଏକା ଢଙ୍ଗରେ କରସେଦଙ୍କ ଆଗକୁ ବଢ଼ିଥିବା ହାତରୁ ନିଜକୁ ଦୂରେଇ ନିଅନ୍ତି । “ପ୍ରଥମରୁ ସୂତାରେ କେମିତି କାମ କରିବାକୁ ହେବ, ସେ କଥା କରସେଦ ଜାଣି ନଥିଲେ । ମୁଁ ତାଙ୍କ ହାତକୁ ଥରଟିଏ ଯାହା ବାଡ଼େଇଛି,” ସେ କହନ୍ତି ଏବଂ ସାଙ୍ଗେ ସାଙ୍ଗେ କଥା ଯୋଡ଼ନ୍ତି, “ତା’ପରେ ସେ ଅତି ଶୀଘ୍ର ଶିଖିଗଲେ ଯେ ।”
ପଞ୍ଜାବର ଭଟିଣ୍ଡା ଜିଲ୍ଲା ଅନ୍ତର୍ଗତ ଏହି ଗାଁର ନାଁ ଘଣ୍ଡା ବନା । ଏଠାରେ ରହନ୍ତି ଏହି ଦୁଇ ବୟସ୍କା ମହିଳା, ମଜିଦାନ୍ ଏବଂ କରସେଦ । ସୂତା, ଝୋଟ ଏବଂ ଏମିତି କି ପୁରୁଣା କପଡ଼ାରୁ ସୂକ୍ଷ୍ମ ବୁଣାକାମ ବିଶିଷ୍ଟ ଆକର୍ଷଣୀୟ ଦରି (ଦରି) ବୁଣି ଦୁହେଁ ଖ୍ୟାତି ଅର୍ଜିଛନ୍ତି ।
କରସେଦ୍ କହନ୍ତି, “କେମିତି ଦରି ବୁଣିବାକୁ ହୁଏ, ସେ କଥା ମୁଁ ୩୫ ବର୍ଷ ବୟସରେ ମଜିଦାନ୍ଙ୍କ ପାଖରୁ ଶିଖିଲି । “ସେବେଠାରୁ, ଆମେ ଏକାଠି ଦରି ବୁଣି ଆସୁଛୁ,” ୭୧ ବର୍ଷୀୟା ମଜିଦାନ୍ କହନ୍ତି । ଏହା କେବଳ ଜଣେ ଲୋକର କାମ ନୁହେଁ, କିନ୍ତୁ ଦୁଇ ଜଣଙ୍କ ପାଇଁ କାମ ।”
ଦୁଇ ଭାଇଙ୍କୁ ବିବାହ କରିଥିବାରୁ ଦୁହେଁ ଦୁହିଁଙ୍କର ସଂପର୍କୀୟ ଏବଂ ପ୍ରସଙ୍ଗକ୍ରମେ ସେମାନେ ପରସ୍ପରକୁ ଭଉଣୀ ଏବଂ ପରିବାର ସଦସ୍ୟା ବୋଲି ଅଭିହିତ କରିଥାଆନ୍ତି । “ନିଜ ଭଉଣୀ ତୁଳନାରେ କୌଣସି ତଫାତ୍ ଆମେ ଅନୁଭବ କରୁନାହିଁ,” କରସେଦ କହନ୍ତି । ତୁରନ୍ତ କଥା ଯୋଡ଼ନ୍ତି ମଜିଦାନ୍, “ଯଦିଓ ଆମ ଦୁହିଁଙ୍କର ପ୍ରକୃତି ପୂରା ଓଲଟା ।” କଥା ଶେଷ ନହେଉଣୁ ତୁରନ୍ତ କହି ଉଠନ୍ତି କରସେଦ, “ସେ ସିଧାସଳଖ ମୁହଁ ଉପରେ କହିଦିଅନ୍ତି । ହେଲେ, ମୁଁ ଚୁପ୍ ରହେ ।”
ମଜିଦାନ୍ ଓ କରସେଦ, ଦୁହେଁ କିଛି ଘଣ୍ଟା ମାତ୍ର ଦରି ବୁଣିବାରେ ବିତାନ୍ତି ଏବଂ ଅନ୍ୟ ସମୟରେ, ନିଜ ନିଜର ପରିବାର ଚଳାଇବାରେ ସାହାଯ୍ୟ କରିବା ଲାଗି ଘରୋଇ ସହାୟକ ରୂପେ କାମ କରି ଅଳ୍ପ କେଇ ହଜାର ଟଙ୍କା ରୋଜଗାର କରନ୍ତି । ସେମାନଙ୍କ ବୟସର ମହିଳାମାନଙ୍କ କଥା ବିଚାର କଲେ, ଉଭୟ ପ୍ରକାର କାମରେ ଖୁବ୍ ଶାରୀରିକ ପରିଶ୍ରମ ଲୋଡ଼ା ହୁଏ ।


















