“ପଶ୍ଚିମ ବଙ୍ଗର ଲୋକେ ଡୁଲି ତିଆରି କରିପାରନ୍ତି ନାହିଁ।”
ତାଙ୍କ ହାତ ତିଆରି ବିଶାଳକାୟ “ଧାନ ଧୋରାର ଡୁଲି” ସଂପର୍କରେ ସ୍ପଷ୍ଟ ସ୍ୱରରେ ଏହା କହନ୍ତି ବାବନ ମହତୋ। ଧାନ ସାଇତି ରଖିବାରେ ବ୍ୟବହୃତ ଏହି ଡୁଲିଗୁଡ଼ିକର ଉଚ୍ଚତା ଛଅ ଫୁଟ ଏବଂ ଓସାର ଚାରି ଫୁଟ ପର୍ଯ୍ୟନ୍ତ ହୋଇଥାଏ।
କାଳେ ପ୍ରଥମ ଥର ଶୁଣି ଆମେ ଏହି କାମକୁ ବୁଝି ନ ପାରିବୁ, ସେଭଳି ସମ୍ଭାବନାକୁ ପ୍ରତିହତ କରିବାକୁ ଯାଇ ପଡ଼ୋଶୀ ରାଜ୍ୟ ବିହାରର ଏହି କାରିଗର ଜଣକ ତାଙ୍କ କଥା ଆଗକୁ ବଢ଼ାନ୍ତି, “ଡୁଲି ତିଆରି କରିବା ଏତେ ସହଜ ନୁହେଁ।” ଏହି କାମର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ସେ କହି ଚାଲନ୍ତି: “ଏଥିରେ କାନ୍ଦା ସାଧନା, କାମ୍ ସାଧନା, ତଲ୍ଲି ବିଠାନା, ଖଡ଼ା କରନା, ବୁନାଇ କରନା, ଟେରି ଚଢ଼ାନା (ଠିଆ ବାଗରେ ଏବଂ ଆଡ଼ ବାଗରେ ବାଉଁଶ ପାତିଆ ରଖିବା, ଗୋଲାକାର ଆଧାର ବିଛାଇବା, ଝୁଡ଼ିକୁ ଠିଆ କରାଇବା, ପୂରା ହେଲା ଯାଏଁ ବୁଣିବା ଏବଂ ଶେଷ ପର୍ଯ୍ୟାୟରେ ଛନ୍ଦ ଦେଇ ବୁଣିବା) ଭଳି କାମରୁ ଆରମ୍ଭ କରି ଅନେକ କାମ ରହିଛି।”





















