ତାଙ୍କ ଘରର ଝରକା ଦେଇ ଆଖି ଦେଖି ପାରିବା ପର୍ଯ୍ୟନ୍ତ ଚାରିଆଡ଼େ ଖାଲି ପାଣି – ଏ ବର୍ଷର ବନ୍ୟା ପାଣି ଆହୁରି ଛାଡ଼ି ନାହିଁ। ରୂପାଲି ପେଗୁ ରହନ୍ତି ସୁବାନସିରି ନଦୀଠାରୁ ମାତ୍ର ଏକ କି.ମି. ଦୂରରେ – ଏହି ନଦୀ ବ୍ରହ୍ମପୁତ୍ରର ଗୋଟିଏ ବଡ଼ ଉପନଦୀ ଯାହା ଦ୍ଵାରା ପ୍ରତି ବର୍ଷ ଆସାମର ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଥାଏ।

ସେ କହନ୍ତି, “ଚାରିପଟେ ପାଣି ଘେରି ରହିଥିବ, କିନ୍ତୁ ବିଡମ୍ବନାର କଥା ହେଲା ଯେ ପିଇବା ପାଣି ମୁନ୍ଦେ ମିଳିବା ଭାରି କଷ୍ଟ”। ଆସାମର ଲକ୍ଷ୍ମୀପୁର ଜିଲ୍ଲାସ୍ଥିତ ତାଙ୍କ ଗାଁ ବୋରଦୁବି ମଲୁୱାଲରେ ପିଇବା ପାଣି ଅତି ଦୂଷିତ। “ଆମ ଗାଁ ଓ ଆଖପାଖ ଗାଁଗୁଡ଼ିକରେ ଥିବା ଅଧିକାଂଶ ହାତ-ପମ୍ପ ନଳକୂଅ ପାଣିରେ ବୁଡ଼ି ରହୁଛି”, ସେ ବୁଝାଇ କହନ୍ତି।

ରାସ୍ତା ପାଖରେ ଥିବା ହାତ-ପମ୍ପ ନଳକୂଅରୁ ପାଣି ଆଣିବାକୁ ସେ ଗୋଟିଏ ହୁଲିଡଙ୍ଗା ଉପରେ ନିର୍ଭର କରନ୍ତି। ତିନିଟି ପାଣି ରଖିବା ଷ୍ଟିଲ ପାତ୍ର ସାଙ୍ଗରେ ନେଇ ରୂପାଲି ପ୍ରାୟ ଅଧାଅଧି ପାଣିରେ ବୁଡ଼ି ଡଙ୍ଗା ବାହି ରାସ୍ତା ପାଖକୁ ଯାଆନ୍ତି। ବନ୍ୟା-ପ୍ଳାବିତ ଗାଁ ଭିତର ଦେଇ ଗୋଟିଏ ବାଉଁଶ କାତ ସାହାଯ୍ୟରେ ସେ ଡଙ୍ଗା ବାହି ନିଅନ୍ତି। “ମୋନି, ଆସ... ଯିବା”, ସେ ଡାକନ୍ତି ତାଙ୍କ ପଡ଼ୋଶୀଙ୍କୁ ଯିଏ ପ୍ରାୟତଃ ତାଙ୍କ ସହ ଯାଆନ୍ତି। ଦୁଇ ସାଙ୍ଗ ପାଣି ପାତ୍ରଗୁଡ଼ିକୁ ଭର୍ତ୍ତି କରିବାରେ ପରସ୍ପରଙ୍କୁ ସାହାଯ୍ୟ କରନ୍ତି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ରୂପାଲି ହେଉଛନ୍ତି ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଅଧିବାସୀ ଯେଉଁଠାରେ ପ୍ରତି ବର୍ଷ ବନ୍ୟା ଯୋଗୁଁ ଏକାଧିକ ସମସ୍ୟା ସୃଷ୍ଟି ହୁଏ। ଡାହାଣରେ: ଗାଁର ଅନ୍ୟମାନଙ୍କ ପରି ସେ ‘ଚାଙ୍ଗ ଘର’ ବା ଭୂଇଁଠାରୁ ଉଚ୍ଚରେ ତିଆରି ଗୋଟିଏ ବାଉଁଶ ତିଆରି ଘରେ ରହନ୍ତି – ଏହାକୁ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ନହେବା ଭଳି ତିଆରି କରାଯାଇଥାଏ

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ରୂପାଲିର ଗାଁ ବ୍ରହ୍ମପୁତ୍ରର ଗୋଟିଏ ବଡ଼ ଉପନଦୀ ସୁବାନସିରି ନଦୀର ଅତି ନିକଟରେ ଅବସ୍ଥିତ। ଯେତେବେଳେ ଗାଁ ପାଣିରେ ବୁଡ଼ିଯାଏ, ସେ ସେତେବେଳେ ଗୋଟିଏ ହୁଲି ଡଙ୍ଗାରେ ଯିବାଆସିବା କରନ୍ତି। ଡାହାଣରେ: ସ୍ଵଚ୍ଛ ଜଳ ପାଇବା ଆଶାରେ ଡଙ୍ଗା ବାହି ସେ ହାତପମ୍ପ ନଳକୂପ ପାଖକୁ ଯାଆନ୍ତି

ନଳକୂପରେ କେତେ ମିନିଟ ପର୍ପ୍ୟନ୍ତ ପମ୍ପ ମାରିଲା ପରେ ଯାଇ ସ୍ଵଚ୍ଛ ଜଳ ବାହାରିବା ଆରମ୍ଭ ହୁଏ। “ତିନି ଦିନ ହେଲା ବର୍ଷା ହେଇନି, ତେଣୁ ଆମକୁ ପାଣି ମିଳି ଯାଉଛି”, ଆଶ୍ଵସ୍ତିର ଫିକା ହସଟିଏ ସହ କହନ୍ତି ରୂପାଲି। ପାଣି ଆଣିବାକୁ ସ୍ତ୍ରୀଲୋକଙ୍କ କାମ ବୋଲି ଧରି ନିଆଯାଇଛି, ଓ ତେଣୁ ନଈ ବଢିଲେ ସ୍ତ୍ରୀଲୋକମାନେ ଅଧିକ ହନ୍ତସନ୍ତ ହୁଅନ୍ତି।

ଯେତେବେଳେ ନଳକୂଅରୁ ପାଣି ମିଳେନି, “ଆମକୁ ଏଇ ପାଣିକୁ ଫୁଟେଇକି ପିଇବାକୁ ପଡ଼େ”, ଘର ଚାରିପଟେ ଚବକା ମାରି ଅଟକି ରହିଥିବା ପଙ୍କୁଆ ପାଣିକୁ ଦେଖେଇ କହନ୍ତି ୩୬-ବର୍ଷୀୟା ରୂପାଲି।

ଏହି ଅଞ୍ଚଳର ଅନ୍ୟମାନଙ୍କ ଘର ଭଳି ରୂପାଲିଙ୍କ ବାଉଁଶ ତିଆରି ଘରକୁ ବନ୍ୟା ଦାଉ ସମ୍ଭାଳିବା ଭଳି ସ୍ଵତନ୍ତ୍ର ଭାବେ ତିଆରି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଚାଙ୍ଗ ଘର ଭାବେ ପରିଚିତ ଏହି ଘରଗୁଡ଼ିକୁ ବନ୍ୟାରୁ ସୁରକ୍ଷିତ ରଖିବା ପାଇଁ ବାଉଁଶ ଖୁଣ୍ଟି ଉପରେ ତିଆରି କରାଯାଇଥାଏ। ରୂପାଲିଙ୍କର ବତକଗୁଡ଼ିକ ତାଙ୍କ ବାରଣ୍ଡାରେ ରହୁଛନ୍ତି, ଓ ସେମାନଙ୍କର ୱାକ୍ ୱାକ୍ ଶବ୍ଦ ଚାରିପଟର ନିରବତାରେ ସଞ୍ଚରି ଯାଉଛି।

ରୂପାଲି ଯେତେବେଳେ ଶୌଚ ହେବା ପାଇଁ ଚାହାନ୍ତି ସେ ସେତେବେଳେ ହୁଲିଡଙ୍ଗା ବ୍ୟବହାର କରନ୍ତି। ପୂର୍ବରୁ ତାଙ୍କ ଘରେ ଗୋଟିଏ ପାଇଖାନା ଥିଲା, କିନ୍ତୁ ଏବେ ତାହା ପାଣିରେ ବୁଡ଼ି ଯାଇଛି। “ଆମକୁ ବହୁତ ଦୂରକୁ ଯିବାକୁ ପଡୁଛି, ନଦୀ ଆଡ଼କୁ”, ସେ କହନ୍ତି। ରୂପାଲି ସେଥି ପାଇଁ ଅନ୍ଧାରରେ ଯାଆନ୍ତି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ ଓ ଡାହାଣରେ: ଚାରିଆଡ଼େ ହୁଏତ ଜଳ ଥାଇପାରେ, କିନ୍ତୁ ବିଡମ୍ବନା ହେଲା କି ପିଇବା ପାଣି ଖୋଜି ପାଇବା ଭାରି କଷ୍ଟକର

ଖାଲି ଦୈନନ୍ଦିନ ଜୀବନ ନୁହେଁ, ବରଂ ଜୀବିକା ମଧ୍ୟ, ବିଶେଷ କରି ଏହି ଅଞ୍ଚଳରେ ରହୁଥିବା ମାଇଜିଙ୍ଗ ସମୁଦାୟର ଅଧିକାଂଶ ଲୋକଙ୍କ ଜୀବିକା ପ୍ରଭାବିତ ହୁଏ। “ଆମର ୧୨ ବିଘା ଜମି ଅଛି ଯେଉଁଥିରେ ଆମେ ଧାନ ଚାଷ କରୁ। କିନ୍ତୁ, ଏ ବର୍ଷ ଆମର ସବୁ ଫସଲ ପାଣିରେ ବୁଡ଼ିଗଲା ଏବଂ ଆମେ ସବୁକିଛି ହରେଇଲୁ”, କହନ୍ତି ରୂପାଲି। ତାଙ୍କ ଜମିରୁ ଗୋଟିଏ ଅଂଶ ନଦୀ ଖାଇ ଦେଇଛି। ବନ୍ୟା ଛାଡ଼ିଲା ପରେ ହିଁ ଏବର୍ଷ କେତେ ଜମି ନଦୀରେ ଯାଇଛି ବୋଲି ଆମେ ଜାଣି ପାରିବୁ”, ସେ କହନ୍ତି।

ମାଇଜିଙ୍ଗ ଲୋକଙ୍କର ଚାଷ ହିଁ ହେଉଛି ମୁଖ୍ୟ କାମ (ରାଜ୍ୟରେ ମାଇଜିଙ୍ଗମାନେ ଅନୁସୂଚିତ ଜନଜାତି ରୂପେ ପରିଗଣିତ ହୁଅନ୍ତି)। ଚାଷ କରିପାରୁ ନଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକା ଅର୍ଜନ କରିବା ପାଇଁ ବାଧ୍ୟ ହୋଇ ଗାଁ ଛାଡ଼ି ଯାଉଛନ୍ତି। ୨୦୨୦ର ଅଧ୍ୟୟନ ଅନୁଯାୟୀ ଲକ୍ଷ୍ମୀପୁର ଗାଁ ଛାଡ଼ି ଯାଇଥିବା ଲୋକଙ୍କ ସଂଖ୍ୟା ୨୯ ପ୍ରତିଶତ, ଯାହାକି ଜାତୀୟ ହାରଠାରୁ ତିନି ଗୁଣ ଅଧିକ। ରୂପାଲିଙ୍କ ସ୍ଵାମୀ ମାନୁସ ତାଙ୍କର ଦୁଇ ପିଲା, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କର ତଥା ଘର ଦାୟିତ୍ଵ ରୂପାଲିଙ୍କ ଉପରେ ଛାଡ଼ି ଯାଇ ହାଇଦ୍ରାବାଦରେ ଜଣେ ୱାଚମ୍ୟାନ ଭାବେ କାମ କରୁଛନ୍ତି। ମାନୁସ ମାସକୁ ୧୫,୦୦୦ ଟଙ୍କା ଆୟ କରୁଛନ୍ତି, ଓ ସେଥିରୁ ମାସକୁ ୮,୦୦୦ରୁ ୧୦,୦୦୦ ଟଙ୍କା ଘରକୁ ପଠାଉଛନ୍ତି।

ରୂପାଲି କହନ୍ତି କି ବର୍ଷକୁ ଛ’ମାସ ପର୍ଯ୍ୟନ୍ତ ଯେତେବେଳେ ସେମାନଙ୍କ ଘର ପାଣି ଭିତରେ ରହିଥାଏ ସେତେବେଳେ କାମ ଖୋଜି ପାଇବା ଅତି କଷ୍ଟକର ହୁଏ। “ଗତ ବର୍ଷ ଆମେ ଜରି ପାଲ ଓ ଚାଉଳ, ଗହମ ପରି କିଛି ସରକାରୀ ସହାୟତା ପାଇଥିଲୁ। କିନ୍ତୁ ଏ ବର୍ଷ କିଛି ମିଳି ନାହିଁ। ଆମ ପାଖରେ ଯଦି ପଇସା ଥାଆନ୍ତା, ଆମେ ଏଠା ଛାଡ଼ି ଚାଲି ଯାଆନ୍ତୁଣି”, ଅତି ଦରଦୀ ସ୍ଵରରେ ସେ ଯୋଗ କରି କହନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Ashwini Kumar Shukla

ଅଶ୍ୱିନୀ କୁମାର ଶୁକ୍ଳା ଝାଡ଼ଖଣ୍ଡରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ ନୂଆଦିଲ୍ଲୀର ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (୨୦୧୮-୧୯)ରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ସେ ୨୦୨୩ର ପରୀ ଏମଏମ୍ଏଫ୍ ଫେଲୋ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ashwini Kumar Shukla
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE