ସମୟ ଭୋର ୩ଟା, ପୂର୍ବ ଭାରତର ଏକ ସମୁଦ୍ର ତଟ। ଗୋଟିଏ ଫ୍ଲାସ୍ ଲାଇଟ୍ ପକାଇ ଅଲିଭ୍ ରିଡଲେ କଇଁଚର ଅଣ୍ଡା ଖୋଜିବାରେ ଲାଗିଛନ୍ତି ରାମୋଲୁ ଲକ୍ଷ୍ମାୟା। ହାତରେ ଗୋଟିଏ କାଠ ବାଡ଼ି ଏବଂ ବାଲ୍ଟିଟିଏ ଧରି, ଜାଲାରିପେଟର ତାଙ୍କ ଘର ଏବଂ ଆର୍କେ ବେଳାଭୂମି ମଧ୍ୟରେ ଥିବା ବାଲୁକା ଶଯ୍ୟାରେ ସେ ଧୀରେ ଧୀରେ ଚାଲି ଚାଲି ପଇଁତରା ମାରୁଛନ୍ତି।
ବିଶାଖାପାଟଣାର ଗଡ଼ାଣିଆ ବାଲୁକା ଉପକୂଳରେ ଅଣ୍ଡା ଦେବାକୁ ଆସନ୍ତି ଅନେକ ମାଈ ଅଲିଭ ରିଡ୍ଲେ କଇଁଚ। ସେମାନେ ଅଣ୍ଡା ଦେବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ଏବଂ ୧୯୮୦ ଦଶକର ପ୍ରାରମ୍ଭରୁ ଏହି କଇଁଚମାନଙ୍କୁ ଏଠାରେ ଚିହ୍ନଟ କରାଯାଇଛି। ହେଲେ, ଉତ୍ତରରେ ଆଉ କିଛି କିଲୋମିଟର ଦୂରରେ, ଓଡ଼ିଶା ଉପକୂଳ ହିଁ ଦେଶରେ ସେମାନଙ୍କ ଅଣ୍ଡାଦାନ ପାଇଁ ସବୁଠାରୁ ବଡ଼ ସ୍ଥାନ। ସେଠାରେ ସେମାନେ ଦଳଦଳ ହୋଇ ଆସି ଅଣ୍ଡା ଦେଇଥାଆନ୍ତି। ଗୋଟିଏ ମାଈ ଅଲିଭ ରିଡ୍ଲେ କଇଁଚ ଥରକରେ ୧୦୦ରୁ ୧୫୦ ଯାଏ ଅଣ୍ଡା ଦେଇଥାଏ ଏବଂ ସେମାନେ ବାଲିରେ ଖୋଳିଥିବା ଗାତ ଭିତରେ ଅଣ୍ଡାଗୁଡ଼ିକୁ ପୋତି ଦିଅନ୍ତି।
“ବାଲି ଫସଫସିଆ ଲାଗିଲେ ଜାଣିବାକୁ ହେବ ଯେ ଏଠାରେ ମାଆ କଇଁଚଟିଏ ଅଣ୍ଡା ଦେଇଛି,” ଓଦା ବାଲିକୁ ସାବଧାନତାର ସହ ବାଡ଼ିରେ କେଞ୍ଚିବା ସହିତ ବୁଝାଇ ଦିଅନ୍ତି ଲକ୍ଷ୍ମାୟା। ଲକ୍ଷ୍ମାୟାଙ୍କ ସହିତ ଅଛନ୍ତି କାରାଇ ଜଲ୍ଲିବାବୁ, ପୁଟ୍ଟିୟାପାନ୍ନା ୟେରାନ୍ନା ଏବଂ ପୁଲ୍ଲା ପୋଲାରାଓ, ସମସ୍ତେ ମତ୍ସ୍ୟଜୀବୀ ଜଲାରି ସଂପ୍ରଦାୟର (ଆନ୍ଧ୍ର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ)। ଅଲିଭ୍ ରିଡଲେ କଇଁଚ ଅଣ୍ଡା ସଂରକ୍ଷଣ ନିମନ୍ତେ ଆନ୍ଧ୍ର ପ୍ରଦେଶ ବନ ବିଭାଗ (ଏପିଏଫ୍ଡି) ପକ୍ଷରୁ ଆରମ୍ଭ ହୋଇଥିବା ସାମୁଦ୍ରିକ କଇଁଚ ସଂରକ୍ଷଣ ପ୍ରକଳ୍ପରେ ସେମାନେ ୨୦୨୩ରୁ ସାମୟିକ ଜଗୁଆଳି ଭାବରେ କାମ କରୁଛନ୍ତି।
ପ୍ରକୃତିର ସଂରକ୍ଷଣ ନିମନ୍ତେ ଅନ୍ତର୍ଜାତୀୟ ସଂଗଠନ (ଆଇୟୁସିଏନ୍)ର ରେଡ୍ ଲିଷ୍ଟରେ ଅଲିଭ୍ ରିଡଲେ କଇଁଚକୁ ‘ବିଲୁପ୍ତପ୍ରାୟ ପ୍ରଜାତି’ ରୂପରେ ବର୍ଗୀକରଣ କରାଯାଇଛି। ଏବଂ ଏହାକୁ ଭାରତୀୟ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ (୧୯୯୧ରେ ସଂଶୋଧିତ)ର ଅନୁଚ୍ଛେଦ-I ଅନୁସାରେ ସୁରକ୍ଷିତ ରଖାଯାଇଛି।
ଅନେକ କାରଣରୁ କଇଁଚମାନଙ୍କ ପ୍ରତି ବିପଦ ରହିଛି। ଯେମିତି କି ଉପକୂଳ ଅବକ୍ଷୟ, “ନିର୍ଦ୍ଦିଷ୍ଟ ଭାବରେ, ବିକାଶ ନାଁରେ ସେମାନଙ୍କ ଅଣ୍ଡାଦାନ ସ୍ଥଳ ନଷ୍ଟ କରିଦେବା ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ସାମୁଦ୍ରିକ ବାସସ୍ଥଳୀ ଲୋପ ପାଇଯିବା।” ଏହା କହନ୍ତି ବିଶାଖାପାଟଣାର କମ୍ବାଲକୋଣ୍ଡା ବନ୍ୟପ୍ରାଣୀ ଅଭୟାରଣ୍ୟର ଜଣେ ପ୍ରକଳ୍ପ ବିଜ୍ଞାନୀ ୟାଗନାପାଟି ଅଡ଼ାରି। ସେମାନଙ୍କ ମାଂସ ଓ ଅଣ୍ଡା ପାଇଁ ମଧ୍ୟ ସାମୁଦ୍ରିକ କଇଁଚର ଶିକାର କରାଯାଏ।















