‘‘ମୋର ସବୁବେଳେ ଟଙ୍କାର ଅଭାବ ଥାଏ,’’ ପରିବାର ବଜେଟ୍ ଯୋଜନା କରିବା ସମୟରେ ତାଙ୍କ ସଂଘର୍ଷ ବିଷୟରେ ବବିତା ମିତ୍ର କୁହନ୍ତି। "ମୁଁ ଖାଦ୍ୟ ପାଇଁ ଅଲଗା ଟଙ୍କା ରଖେ ଏବଂ ଶେଷରେ ସେହି ଟଙ୍କା ଔଷଧ କିଣିବାରେ ସରିଯାଏ। ମୋ ପୁଅମାନଙ୍କ ପାଇଁ ପାଠପଢ଼ା ଟଙ୍କା ରାସନ୍ କିଣିବାରେ ଖର୍ଚ୍ଚ ହୁଏ। ଆଉ ପ୍ରତି ମାସରେ, ମୋତେ ମୋର ନିଯୁକ୍ତିଦାତାଙ୍କଠାରୁ ଋଣ ନେବାକୁ ପଡ଼େ...’’
୩୭ ବର୍ଷୀୟା ଏହି ଘରୋଇ ସହାୟିକା ବାର୍ଷିକ ମାତ୍ର ୧ ଲକ୍ଷ ଟଙ୍କା ରୋଜଗାର କରନ୍ତି, କୋଲକାତାର କାଳିକାପୁର ଅଞ୍ଚଳରେ ଦୁଇଟି ଘରେ କାମ କରି ସେ ଏହି ଟଙ୍କା ଆୟ କରନ୍ତି। ସେ ମାତ୍ର ୧୦ ବର୍ଷ ବୟସରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଆସାନନଗରରୁ ଏହି ସହରକୁ ଚାଲି ଆସିଥିଲେ। ‘‘ମୋର ବାପାମା’ ତିନି ପିଲାଙ୍କ ଲାଳନପାଳନ କରିପାରିନଥିଲେ। ତେଣୁ, ମୋତେ ମୂଳତଃ ଆମ ଗାଁରୁ ଆସିଥିବା ଗୋଟିଏ ପରିବାରର ଘରେ କାମ କରିବାକୁ କୋଲକାତା ପଠାଯାଇଥିଲା।’’
ସେବେଠାରୁ ବବିତା, ଅନେକ ପରିବାର ପାଖରେ ଜଣେ ଘରୋଇ ସହାୟିକା ଭାବେ କାମ କରି ଆସୁଛନ୍ତି। କୋଲକାତାରେ ସେ ରହିବା ସମୟରେ ଆଗ ହୋଇଥିବା ୨୭ଟି କେନ୍ଦ୍ର ବଜେଟ୍ ତାଙ୍କ ଜୀବନରେ କିମ୍ବା ଭାରତର ୪.୨ ନିୟୁତ ଘରୋଇ ସହାୟିକା (ସରକାରୀ ଆକଳନ ଅନୁଯାୟୀ)ଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆଣିପାରିନାହିଁ। ନିରପେକ୍ଷ ଆକଳନ ମୁତାବକ ସେମାନଙ୍କର ସଂଖ୍ୟା ୫୦ ନିୟୁତରୁ ଅଧିକ ହେବ।
୨୦୧୭ ମସିହାରେ ବବିତା ଦକ୍ଷିଣ ୨୪ ପରଗଣାର ଉଛେପୋଟା ପଞ୍ଚାୟତର ଭଗବାନପୁର ଅଞ୍ଚଳରେ ରହୁଥିବା ୪୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି ଅମଲ ମିତ୍ରଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଗୋଟିଏ କାରଖାନାରେ ମଜୁରିଆ ଭାବେ କାମ କରନ୍ତି, କିନ୍ତୁ ଘର ଚଳେଇବାରେ କମ୍ ଯୋଗଦାନ ଦେବା କାରଣରୁ ତାଙ୍କର ଦାୟିତ୍ୱ ବୃଦ୍ଧି ପାଇଥିଲା। ବବିତାଙ୍କ ଆୟ ହିଁ ସେ ଦୁଇ ଜଣଙ୍କ ବ୍ୟତୀତ ୫ ଓ ୬ ବର୍ଷର ଦୁଇ ପୁଅ, ୨୦ ବର୍ଷର ଜଣେ ସାବତ ଝିଅ ଏବଂ ତାଙ୍କ ଶାଶୁଙ୍କୁ ନେଇ ଛଅ ଜଣିଆ ପରିବାରକୁ ଚଳେଇବାରେ ଖର୍ଚ୍ଚ ହୁଏ।
ବବିତା ଭାରତରେ ଦୁଇ ଦଶନ୍ଧିର ‘ଲିଙ୍ଗଗତ ବଜେଟ୍’ ବିଷୟରେ ବହୁତ କମ୍ ଜାଣନ୍ତି। ଅଥବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୫-୨୬ ବଜେଟରେ ମହିଳା ନେତୃତ୍ୱାଧୀନ ଅଭିବୃଦ୍ଧି ବିଷୟରେ ମଧ୍ୟ ତାଙ୍କର ଧାରଣା ନାହିଁ। କିନ୍ତୁ ଦୈନନ୍ଦିନ ଜୀବନକୁ ନେଇ ବବିତାଙ୍କ ସାଧାରଣ ଜ୍ଞାନ ତାଙ୍କ ଉତ୍ତରରେ ପ୍ରତିଫଳିତ ହୋଇଥାଏ: ‘‘ଏହି ବଜେଟ୍ର ଲାଭ କ’ଣ ଯାହା ମହିଳାଙ୍କ ପାଇଁ ଏତେ କାମ କରିବାର ଦାବି କରିଥାଏ। କଷ୍ଟ ସମୟରେ ତ’ ସେମାନଙ୍କ ପାଖରେ ଟଙ୍କା ରହୁନାହିଁ?’’ କୋଭିଡ-୧୯ ମହାମାରୀ ସମୟରେ ସେ ସହିଥିବା କଷ୍ଟ ଏବେ ବି ତାଙ୍କ ମନରେ ତାଜା ଅଛି ଯାହା ତାଙ୍କୁ ବେଶ କଷ୍ଟ ଦିଏ।






