ଧୀରେ ଧୀରେ ତାଙ୍କ ଦେଶିଆ ବିହନକୁ ଫେରି ପାଉଛନ୍ତି ତେଜଲିବାଇ ଧେଡ଼ିୟା ।
ପାଖାପାଖି ୧୫ ବର୍ଷ ତଳେ, ମଧ୍ୟ ପ୍ରଦେଶର ଅଲିରାଜପୁର ଓ ଦେୱାସ ଜିଲ୍ଲାରେ ଚାଷବାସ କରୁଥିବା ତେଜଲିବାଇଙ୍କ ଭଳି ଭିଲ ଆଦିବାସୀମାନେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଦେଶୀ ବିହନ ବଦଳରେ ରାସାୟନିକ ପଦାର୍ଥ ପ୍ରୟୋଗ କରି ସଙ୍କର ଜାତୀୟ ବିହନ ଚାଷକୁ ଆପଣେଇ ନେଇଥିଲେ । ଏହା ଫଳରେ ପାରମ୍ପରିକ ବିହନ ଉଭେଇ ଯିବାରେ ଲାଗିଲା ବୋଲି କହନ୍ତି ତେଜଲିବାଇ ଏବଂ ଚାଷ ପ୍ରଣାଳୀରେ ସେହି ପରିବର୍ତ୍ତନ ସଂପର୍କରେ ବୁଝାଇ ଦିଅନ୍ତି “ଆମର ପାରମ୍ପରିକ ଚାଷରେ ଖୁବ୍ ଅଧିକ ପରିଶ୍ରମ କରିବା ଦରକାର ହୁଏ ଏବଂ ବଜାରରେ ଏହାର ଉଚିତ ମୂଲ୍ୟ ମିଳେ ନାହିଁ ।” ଏହି ୭୧ ବର୍ଷୀୟା ମହିଳା ଜଣକ ଆହୁରି କହନ୍ତି, “ଅଳ୍ପ ପରିଶ୍ରମ ଯୋଗୁଁ ଯେଉଁ ସମୟ ବଞ୍ଚିଯାଏ, ସେହି ସମୟରେ ପ୍ରବାସୀ ଶ୍ରମିକ ଭାବରେ ଦିନ ମଜୁରିଆ କାମରୁ ଅଧିକ ରୋଜଗାର କରିବା ଲାଗି ଆମେ ଗୁଜରାଟକୁ ଚାଲିଯାଉଥିଲୁ ।”
କିନ୍ତୁ ଏବେ, ଏହି ଜିଲ୍ଲାଗୁଡ଼ିକର ୨୦ଟି ଗାଁରେ ରହୁଥିବା ପ୍ରାୟ ୫୦୦ ମହିଳା ସେମାନଙ୍କର ପାରମ୍ପରିକ ବିହନକୁ ସଂରକ୍ଷଣ କରିବା ସହିତ ‘କନସାରି ନୁ ବଡ଼ାୱନୁ’ (କେଏନ୍ଭି)ଙ୍କ ମାର୍ଗଦର୍ଶନରେ ପୁଣି ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଛନ୍ତି । ଭିଲ୍ ଭାଷାରେ (ସ୍ଥାନୀୟ ଅଞ୍ଚଳରେ ଭିଲାଲି ନାଁରେ ପରିଚିତ) ‘କନସାରି ନୁ ବଡ଼ାୱନୁ’ ଅର୍ଥ ‘ଦେବୀ କନ୍ସାରିଙ୍କୁ ଅଭିନନ୍ଦନ’ । ମହିଳାମାନଙ୍କ ଅଧିକାର ଲାଗି ସଂଘର୍ଷ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ୧୯୯୭ରେ ଗଠିତ ହୋଇଥିଲା ଭିଲ ମହିଳାମାନଙ୍କର ସାମୂହିକ ସଂଗଠନ ‘କେଏନ୍ଭି’ । ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ, ‘କେଏନ୍ଭି’ ଗଠନରେ ସାମିଲ ହୋଇଥିବା ଆଦିବାସୀ ମହିଳାମାନଙ୍କର ହୃଦ୍ବୋଧ ହେଲା ଯେ, ନିଜର ପାରମ୍ପରିକ ଚାଷ ପଦ୍ଧତିକୁ ପ୍ରତ୍ୟାବର୍ତ୍ତନ ହିଁ ସେମାନଙ୍କର ଖାଦ୍ୟ ସଂପର୍କିତ ସମସ୍ୟା ସମାଧାନରେ ସହାୟକ ହେବ ।
ସାରା ଦେଶରେ ଜୈବ ବିବିଧତା ଦୃଷ୍ଟିରୁ ଜୈବିକ ଚାଷ ପଦ୍ଧତିର ପ୍ରସାର ନିମନ୍ତେ, ଅନ୍ୟ ଚାଷୀମାନଙ୍କୁ ବିକ୍ରି ଓ ବିତରଣ ପାଇଁ ‘କେଏନ୍ଭି’ରେ ବଛାବଛା ବିହନକୁ ପୃଥକ୍ ପୃଥକ୍ ଭାବରେ ସଂରକ୍ଷଣ କରାଗଲା ଏବଂ ଅବଶିଷ୍ଟ ଫସଲକୁ ଖାଇବା ପାଇଁ ରଖାଗଲା ବୋଲି କହନ୍ତି କାୱଡ଼ା ଗାଁର ରିଙ୍କୁ ଅଲାୱା । “ଅମଳ ପରେ, ଆମକୁ ସବୁଠାରୁ ଭଲ ବିହନ ବାଛିବାକୁ ପଡ଼େ,” ୩୯ ବର୍ଷୀୟା ରିଙ୍କୁ କହନ୍ତି ।
ତାଙ୍କ କଥାରେ ସମ୍ମତ ହୁଅନ୍ତି କକରାନା ଗାଁର ଚାଷୀ ଓ ‘କେଏନ୍ଭି’ ସଦସ୍ୟା ରାୟତିବାଇ ସୋଲାଙ୍କି: “ବିହନର ଗୁଣବତ୍ତା ଏବଂ ସେଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ବିହନ ଚୟନ ହେଉଛି ସର୍ବୋତ୍ତମ ଉପାୟ ।”
ତାଙ୍କ କଥା ଆଗକୁ ବଢ଼ାଇ ୪୦ ବର୍ଷୀୟା ରାୟତିବାଇ କହନ୍ତି, “ବାଜରା ଏବଂ ସୋରଘମ (ଯଅ) ଭଳି ଶସ୍ୟ ଆମ ଭିଲ ଆଦିବାସୀମାନଙ୍କର ପ୍ରଧାନ ଖାଦ୍ୟ । ସବୁ ଶସ୍ୟ ମଧ୍ୟରେ ବାଜରାଜାତୀୟ ଶସ୍ୟ ଲାଗି ସ୍ୱଳ୍ପ ପାଣି ଦରକାର ହୁଏ ଏବଂ ଏଗୁଡ଼ିକ ପୁଷ୍ଟିକାରକ । ଧାନ ଓ ଗହମ ଭଳି ଅନ୍ୟ ଶସ୍ୟ ତୁଳନାରେ ଏହା ଚାଷ କରିବା ସହଜ ।” ସେ ବିଭିନ୍ନ ବାଜରା ଜାତୀୟ ଶସ୍ୟଗୁଡ଼ିକର ତାଲିକା ଦେବା ଆରମ୍ଭ କରନ୍ତି: ବଟ୍ଟି (ସୁଆଁ), ଭାଦି, ରାଲା (କାଙ୍ଗୁ, ଟାଙ୍ଗଣା) ରାଗି (ମାଣ୍ଡିଆ), ବାଜ୍ରା (ବାଜରା), କୋଦୋ, କୁଟ୍କି, ସାଙ୍ଗରି (ସୁଆଁ, କୋଶଲା, କୁଇରି) । “ଜୈବ ବିବିଧତା ସଂପନ୍ନ ଚାଷ କ୍ଷେତ୍ରରେ ମାଟିର ଉର୍ବରତା ଏବଂ ପ୍ରାକୃତିକ ଗୁଣ ବଜାୟ ରଖିବା ଲାଗି ବିନ୍ସ, ଡାଲି ଏବଂ ତୈଳବୀଜ ଭଳି ଶିମ୍ବ ବା ଛୁଇଁ ଜାତୀୟ ଫସଲ ସହିତ ଅଦଳବଦଳ କରି ଏଗୁଡ଼ିକୁ ଚାଷ କରାଯାଏ,” ସେ କହନ୍ତି ।
କେବଳ ଦେଶୀ ବିହନରେ ଅଟକି ନ ରହି, ଜୈବିକ ପଦ୍ଧତିରେ ଚାଷବାସକୁ ପୁଣି ଫେରାଇ ଆଣିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି ଆଦିବାସୀ ମହିଳାମାନଙ୍କର ଏହି ସମିତି ‘କେଏନ୍ଭି’ ।
ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଖୋଡ଼ଆମ୍ବା ଗାଁର ତେଜଲିବାଇ କହନ୍ତି, ଖତ ଓ ସାର ପ୍ରସ୍ତୁତିରେ ବହୁତ ସମୟ ଲାଗୁଥିବାରୁ ଧୀର ଗତିରେ ଏହା ସମ୍ଭବ ହେଉଛି । “ନିଜେ ଖାଇବା ଲାଗି ମୁଁ ମୋ ଜମିର କେବଳ ଏକ ଛୋଟ ଅଂଶରେ ଦେଶିଆ ବିହନ ବୁଣୁଛି । ସଂପୂର୍ଣ୍ଣ ଭାବରେ ଜୈବିକ ଚାଷକୁ ମୁଁ ଆପଣେଇ ନେଇପାରିବିନି ।” ତାଙ୍କ ପରିବାରର ତିନି ଏକର ଚାଷଜମିରେ ସେ ବର୍ଷା ପାଣି ଉପରେ ନିର୍ଭର କରୁଥିବା ଜୋୱାର , ମକ୍କା (ମକା), ଧାନ, ଡାଲିଜାତୀୟ ଶସ୍ୟ ଓ ପନିପରିବା ଚାଷ କରୁଛନ୍ତି ।
ଦେୱାସ ଜିଲ୍ଲାର ଜମାସିନ୍ଧ ଗାଁ ବାସିନ୍ଦା ବିକ୍ରମ ଭାର୍ଗବ କହନ୍ତି ଯେ, ଏହା ସହିତ ଜୈବିକ ପଦ୍ଧତିର ଚାଷରେ ବ୍ୟବହୃତ ପଚାଖତ ଓ ଜୈବ-ସାର ମଧ୍ୟ ଫେରିବାରେ ଲାଗିଛି । ଗୁଡ଼, ଚଣାଚୂନା, ଗୋବର ଏବଂ ଗୋ-ମୂତ୍ରକୁ ମିଶାଇ ଏବଂ ଏହାକୁ ପଚାଇ ଜୈବ ସାର ପ୍ରସ୍ତୁତ କରାଯାଏ ।
ଏହି ୨୫ ବର୍ଷୀୟ ବାରେଲା ଆଦିବାସୀ ଜଣକ କହନ୍ତି, “କମ୍ପୋଷ୍ଟ ବା ପଚାଖତ ତିଆରି କରିବା ଲାଗି, କ୍ଷେତରୁ ବାହାରୁଥିବା ଜୈବିକ ପଦାର୍ଥଗୁଡ଼ିକୁ ଗୋବର ସହିତ ମିଶାଇ ଗୋଟିଏ ଖାତରେ ବିଭିନ୍ନ ସ୍ତରରେ ରଖାଯାଇ ସେଥିରେ ନିୟମିତ ଭାବେ ପାଣି ଦେବାକୁ ହୁଏ’’ । ତା’ପରେ ଏହାକୁ ଜମିରେ ପକାଇ ମାଟି ସହିତ ଭଲ ଭାବରେ ମିଶାଇ ଦେଲେ ଏହା ଫସଲ ପାଇଁ ଲାଭଦାୟକ ହୋଇଥାଏ ।
*****
ବେସ୍ତି ପଡ଼ିୟାର କହନ୍ତି, ବଜାର ଯୋଗ୍ୟ ଫସଲ ଚାପରେ ଦେଶୀ ବିହନ ଭଳି ସେମାନଙ୍କର ପାରମ୍ପରିକ ବ୍ୟଞ୍ଜନ ବି ଉଭେଇ ଗଲା ଏବଂ ଏହା ସହିତ ବାଜରାକୁ ଝାଡ଼ିବା ଓ ହାତରେ କୁଟିବା ଭଳି ପାରମ୍ପରିକ ଉପାୟ ବି ଲୋପ ପାଇଗଲା । ଥରେ କୁଟା ହୋଇଗଲେ ବାଜରାକୁ ବେଶି ଦିନ ସାଇତି ରଖିବା ସମ୍ଭବ ହୋଇ ନଥିବାରୁ ରାନ୍ଧିବା ପାଇଁ ଦରକାର ସମୟରେ ହିଁ ମହିଳାମାନେ ଏହାକୁ କୁଟିଥାଆନ୍ତି ।
“ଆମ ପିଲାଦିନେ ଆମେ ରାଲା , ଭାଦି ଏବଂ ବଟ୍ଟି ଭଳି ବାଜରାରେ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧୁଥିଲୁ,” ବିଭିନ୍ନ ପ୍ରକାର ବାଜରାର ତାଲିକା ପ୍ରସ୍ତୁତ କରି ବେସ୍ତି କହନ୍ତି । ଏ ଅଞ୍ଚଳରେ ଚାଷ କରାଯାଉଥିବା ବାଜରା ସଂପର୍କରେ ସେ କହନ୍ତି, “ଭଗବାନ ମଣିଷକୁ ସୃଷ୍ଟି କଲେ ଏବଂ ଦେବୀ କନ୍ସାରିଙ୍କ ସ୍ତନ୍ୟପାନ କରି ଜୀବନ ଲାଭ କରିବାକୁ ସେମାନଙ୍କୁ କହିଲେ । ଭିଲ ଆଦିବାସୀମାନେ ଜୋୱାର (ଦେବୀ କନ୍ସାରିଙ୍କ ପ୍ରତୀକ ରୂପେ ଗୃହୀତ)କୁ ଜୀବନଦାତା ରୂପେ ଗ୍ରହଣ କରିଥାଆନ୍ତି ।” ଭିଲାଲା ସଂପ୍ରଦାୟର (ରାଜ୍ୟରେ ଅଧିସୂଚିତ ଜନଜାତି ରୂପେ ତାଲିକାଭୁକ୍ତ) ଏହି ୬୨ ବର୍ଷୀୟା ଚାଷୀ ଜଣକ ଚାରି ଏକର ଜମିରେ ଚାଷ କରନ୍ତି ଏବଂ ସେଥିରୁ ଅଧା ଏକର ଜମିରେ ନିଜ ଘରେ ବ୍ୟବହାର ଲାଗି ଜୈବିକ ପଦ୍ଧତିରେ ଖାଦ୍ୟ ଶସ୍ୟ ଚାଷ କରନ୍ତି ।
ବିଛିବାଇ ମଧ୍ୟ ବାଜରାରେ ସେମାନେ ରାନ୍ଧୁଥିବା କେତେକ ବ୍ୟଞ୍ଜନ କଥା ମନେ ପକାନ୍ତି । ଦେୱାସ ଜିଲ୍ଲାର ପାଣ୍ଡୁତାଲାବ ଗାଁ ବାସିନ୍ଦା ବିଛିବାଇ କହନ୍ତି ଯେ, ତାଙ୍କର ଅତି ପ୍ରିୟ ଖାଦ୍ୟ ଥିଲା ମାହ କୁଦ୍ରି – କୁକୁଡ଼ା ମାଂସ ତରକାରୀ ମିଶି ରନ୍ଧା ହୋଇଥିବା ବାଜରା ଭାତ । ଏବେ, ବୟସର ଷାଠିଏ ଦଶକରେ, କ୍ଷୀର ଓ ଗୁଡ଼ ମିଶିଥିବା ଜୋୱାର ଖୀର୍ କଥା ବି ସେ ମନେ ପକାନ୍ତି ।
ହାତରେ ଶସ୍ୟ କୁଟିବା ପ୍ରଣାଳୀ ଥିଲା ସେମାନଙ୍କ ସମାଜର ମହିଳାମାନଙ୍କୁ ଏକତ୍ର କରୁଥିବା ଏକ ସାମୂହିକ ବ୍ୟାପାର । ଏହି ୬୩ ବର୍ଷୀୟା ମହିଳା କହନ୍ତି, “ଆମେ ଆମର ଲୋକଗୀତ ଗାଉଥିଲୁ ଏବଂ ଏହା ଯୋଗୁଁ ଆମ କାମ ବେଶ୍ ସହଜ ହୋଇଯାଉଥିଲା । ହେଲେ ଏବେ, ପ୍ରବାସନ ଏବଂ ଛୋଟ ଛୋଟ ପରିବାର କାରଣରୁ, ମହିଳାମାନେ ଘରୁ ଆସି ଏକାଠି ହୋଇ କୌଣସି କାମ କରିବାର ସୁଯୋଗ ପାଉନାହାନ୍ତି ।”
ଯୁବା ବୟସରେ କାର୍ଲିବାଇ ଭାବସିଂ ହାତରେ ବାଜରା କୁଟୁଥିଲେ, ଏହା ଏକ ଶ୍ରମସାଧ୍ୟ ପ୍ରକ୍ରିୟା ବୋଲି ସେ ମନେ ପକାନ୍ତି । “ଆଜିକାଲିର ଝିଅମାନେ ବାଜରା, ଯଅ ଓ ଗହମକୁ ଯାନ୍ତ୍ରିକ କଳରେ ପେଷି ଆଣିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ବାଜରା ଖାଇବା କମିଗଲାଣି,” ବୋଲି କହନ୍ତି କାଟକୁଟ ଗାଁର ଏହି ୬୦ ବର୍ଷୀୟା ବରେଲା ଆଦିବାସୀ ମହିଳା ।
ବିହନ ମହଜୁଦ କରିବାରେ ବି ସମସ୍ୟା ରହିଛି । “ଝାଡ଼ିବା ପରେ ଶସ୍ୟକୁ ଖରାରେ ଗୋଟିଏ ସପ୍ତାହ ଶୁଖାଇ ମୁହତି (ବାଉଁଶ ଝୁଡ଼ି)ଗୁଡ଼ିକରେ ରଖିବାକୁ ହୁଏ । ଏଗୁଡ଼ିକୁ ଭିତର ପଟେ ଧାଡ଼ିରେ ରଖି, ପବନ ନ ପଶିବା ପାଇଁ ସେସବୁ ଉପରେ ଗୋବର ମିଶ୍ରଣର ଲେପ ଦିଆଯାଇଥାଏ । ଏମିତି କରିବା ପରେ ବି, ପ୍ରାୟ ଚାରି ମାସ ପରେ ଗଚ୍ଛିତ ଶସ୍ୟରେ ପୋକ ଲାଗିବା ଆରମ୍ଭ ହୋଇଯାଏ ଏବଂ ଏହାକୁ ପୁଣି ଖରାରେ ଶୁଖାଇବାକୁ ହୁଏ,” ରାୟତିବାଇ ବୁଝାଇ ଦିଅନ୍ତି ।
ତା ସାଙ୍ଗକୁ ପକ୍ଷୀମାନେ ବି ଅଛନ୍ତି । ସେମାନେ ବି ବାଜରାକୁ ଭଲ ପାଆନ୍ତି । ଭିନ୍ନ ଭିନ୍ନ ଧରଣର ବାଜରା ବୁଣାଯିବା ପରେ ସେସବୁ ଭିନ୍ନ ଭିନ୍ନ ସମୟରେ ପାଚିଥାଏ ଏବଂ ସବୁ ସମୟରେ ମହିଳାମାନଙ୍କୁ ଫସଲ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼େ । ବିଛିବାଇ କହନ୍ତି, “ଆମ ପାଇଁ କିଛି ହେଲେ ନ ଛାଡ଼ି ପକ୍ଷୀମାନେ ଯେପରି ସବୁ ଫସଲ ଖାଇ ନ ଦିଅନ୍ତି ତାହା ଆମକୁ ସୁନିଶ୍ଚିତ କରିବାକୁ ହୋଇଥାଏ !”
ଅନୁବାଦ : ଓଡ଼ିଶାଲାଇଭ୍