ରାୟପୁର ଉପକଣ୍ଠରେ ଥିବା ଏହି ଇଟା ଭାଟିରେ ମଧ୍ୟାହ୍ନ ଭୋଜନ ସମୟ ହୋଇଯାଇଛି । ଶ୍ରମିକମାନେ ତରବର ହୋଇ ଭୋଜନ କରୁଛନ୍ତି କିମ୍ବା ନିଜର ଅସ୍ଥାୟୀ ଆବାସରେ ବିଶ୍ରାମ ନେଉଛନ୍ତି ।

‘‘ଆମ ଘର ସତନାରେ,’’ ଜଣେ ମହିଳା ନିଜର ମାଟି କୁଡ଼ିଆରୁ ବାହାରି କୁହନ୍ତି। ଏଠାରେ କାମ କରୁଥିବା ଅଧିକାଂଶ ଶ୍ରମିକ ମଧ୍ୟପ୍ରଦେଶର ପ୍ରବାସୀ ଅଟନ୍ତି। ସେମାନେ ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଫସଲ ଋତୁ ଶେଷ ହେବା ପରେ ଛତିଶଗଡ଼ର ରାଜଧାନୀକୁ ଆସନ୍ତି ଏବଂ ମଇ କିମ୍ବା ଜୁନ୍‌ ମାସ ପର୍ଯ୍ୟନ୍ତ ଛଅ ମାସ ଧରି ଏଠାରେ ରୁହନ୍ତି। ଭାରତର ବିଶାଳ ଇଟା-ଭାଟି ଉଦ୍ୟୋଗ ଆନୁମାନିକ ୧୦-୨୩ ନିୟୁତ ଶ୍ରମିକଙ୍କୁ ରୋଜଗାର ଦେଇଥାଏ (ଭାରତର ଇଟାଭାଟିରେ ଦାସତ୍ୱ, ୨୦୧୭ )।

ଚଳିତ ବର୍ଷ ସେମାନେ ଘରକୁ ଫେରିବା ବେଳକୁ କେନ୍ଦ୍ରରେ ନୂଆ ସରକାର ଗଠନ ହୋଇସାରିଥିବ। କିନ୍ତୁ ନେତାମାନଙ୍କୁ ଚୟନ କରିବାରେ ଏଠାକାର ପ୍ରବାସୀ ଶ୍ରମିକଙ୍କର କୌଣସି ଭୂମିକା ରହିବ କି ନାହିଁ ତାହା ଅନିଶ୍ଚିତ ।

ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ମହିଳା ପରୀକୁ କହିଥିଲେ, ‘‘ଭୋଟ୍‌ ଦେବାର ସମୟ ଆସିଲେ ଆମକୁ ସୂଚନା ଦିଆଯିବ।’’

ସେମାନଙ୍କର ଶ୍ରମିକ ଠିକାଦାର ସଞ୍ଜୟ ପ୍ରଜାପତି ବୋଧହୁଏ ଏହି ସୂଚନା ଦେବେ । କୁଡ଼ିଆ ଗୁଡ଼ିକଠାରୁ କିଛି ଦୂରରେ ଛିଡ଼ା ହୋଇ ସେ ଆମକୁ କୁହନ୍ତି, ‘‘ସତନାରେ ମତଦାନ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନାହିଁ। ଯଦି ଆସିବ ତା’ହେଲେ ଆମେ ସେମାନଙ୍କୁ ସୂଚୀତ କରିବୁ।’’ ସଞ୍ଜୟ ଏବଂ ଏଠାକାର ଅଧିକାଂଶ ଶ୍ରମିକ ପ୍ରଜାପତି ସମ୍ପ୍ରଦାୟର (ମଧ୍ୟପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ) ଅଟନ୍ତି ।

PHOTO • Prajjwal Thakur
PHOTO • Prajjwal Thakur

ବାମ : ଶୀତ ଦିନେ ଫସଲ ଅମଳ ଋତୁ ଶେଷ ହେବା ପରେ ମଧ୍ୟପ୍ରଦେଶର ପ୍ରବାସୀ ଶ୍ରମିକମାନେ ଛତିଶଗଡ଼ର ଇଟାଭାଟିରେ କାମ କରିବାକୁ ଚାଲି ଆସନ୍ତି । ସେମାନେ ବର୍ଷା ଋତୁ ପର୍ଯ୍ୟନ୍ତ ଛଅ ମାସ ଧରି ଏଠାକାର ଅସ୍ଥାୟୀ ବାସସ୍ଥାନରେ ରୁହନ୍ତି। ଡାହାଣ : ରାମଜସ ମଧ୍ୟପ୍ରଦେଶର ଜଣେ ଯୁବ ଶ୍ରମିକ ଏବଂ ସେ ତାଙ୍କ ପତ୍ନୀ ପ୍ରୀତିଙ୍କ ସହିତ ଏଠାକୁ ଆସିଛନ୍ତି । ଦମ୍ପତି ଭାଟିରେ ଏକାଠି କାମ କରନ୍ତି

PHOTO • Prajjwal Thakur
PHOTO • Prajjwal Thakur

ବାମ : ଶ୍ରମିକମାନେ ସକାଳେ ଓ ରାତିରେ ଭାଟିରେ କାମ କରନ୍ତି, ଖରାବେଳେ ତାପମାତ୍ରା ଅଧିକ ଥିବା ସମୟରେ ସେମାନେ ବିଶ୍ରାମ ନିଅନ୍ତି। ଡାହାଣ : ଶ୍ରମିକ ଠିକାଦାର ସଞ୍ଜୟ ପ୍ରଜାପତି (ଗୋଲାପୀ ସାର୍ଟ ସହିତ ରାମଜସ୍‌)

ଏପ୍ରିଲ ମାସର ଟାଣ ଖରାରେ, ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ରହିଥିବା ବେଳେ ଶ୍ରମିକମାନେ ଭାଟିରେ ଇଟା ଗଢ଼ିବା, ପୋଡ଼ିବା, ବୋହିବା ଏବଂ ସେଗୁଡ଼ିକୁ ଲଦିବା ଭଳି ଶ୍ରମସାଧ୍ୟ କାର୍ଯ୍ୟ କରିଥାନ୍ତି। ଜାତୀୟ ମାନବାଧିକାର ଆୟୋଗ ( ୨୦୧୯ )ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଇଟା ତିଆରି କରୁଥିବା ଶ୍ରମିକମାନେ ଦୈନିକ ୪୦୦ ଟଙ୍କା ମଜୁରି ପାଆନ୍ତି। ଯଦି ଗୋଟିଏ ଦମ୍ପତି ଏକାଠି ୟୁନିଟ୍‌ କାମ କରନ୍ତି ତା’ହେଲେ ସେମାନଙ୍କୁ ୬୦୦-୭୦୦ ଟଙ୍କା ଦିଆଯାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଗୋଟିଏ ୟୁନିଟ୍‌ ଭାବେ କାମ କରିବା ଏଠାରେ ସାଧାରଣ କଥା।

ଉଦାହରଣ ସ୍ୱରୂପ, ରାମଜସ୍‌ ଏଠାକୁ ନିଜ ପତ୍ନୀ ପ୍ରୀତିଙ୍କ ସହିତ ଆସିଛନ୍ତି । ଗୋଟିଏ ଛୋଟ ଶେଡ୍‌ ତଳେ ବସିଥିବା ପ୍ରାୟ ୨୦ ବର୍ଷ ବୟସ୍କ ଯୁବକ ନିଜ ମୋବାଇଲ୍‌ ଫୋନ୍‌ ଚେକ୍‌ କରିବାରେ ବ୍ୟସ୍ତ ଅଛନ୍ତି।

‘‘ମତଦାନ ତାରିଖ ମଇ ୧୯,’’ ସେ କୁହନ୍ତି ଏବଂ ଆହୁରି କହିଥାନ୍ତି, ‘‘ସତନାକୁ ଯାଇ ଭୋଟ୍‌ ଦେବାକୁ ଆମେ ୧୫୦୦ (ଟଙ୍କା) ଖର୍ଚ୍ଚ କରୁଥିଲୁ। ଏହା ଆମ ଅଧିକାର।’’ ସବୁ ଶ୍ରମିକ ଯାଆନ୍ତି କି ବୋଲି ଆମେ ତାଙ୍କୁ ପଚାରିଲୁ। ରାମଜସ୍‌ ସାମାନ୍ୟ ନିରବି ଗଲେ ଏବଂ ସଞ୍ଜୟ ହସ୍ତକ୍ଷେପ କରି କହିଲେ, ‘‘ ସବ୍‌ ଜାତେ ହେ (ସେମାନେ ସମସ୍ତେ ଯାଆନ୍ତି),’’ ସେ କହିଥାନ୍ତି।

ଏପ୍ରିଲ ୨୬ ତାରିଖରେ ସତନାରେ ମତଦାନ ହୋଇଥିଲା ଏବଂ ଏହି ରିପୋର୍ଟର ଏପ୍ରିଲ ୨୩ ତାରିଖରେ ଶ୍ରମିକଙ୍କ ସହିତ କଥା ହୋଇଥିଲେ। ସେତେବେଳକୁ କେହି ଜଣେ ହେଲେ ଶ୍ରମିକଙ୍କ ପାଖରେ ଟ୍ରେନ୍‌ ଟିକେଟ୍‌ ନଥିଲା।

ରାମଜସ ପ୍ରବାସୀ ଶ୍ରମିକ ପରିବାରରୁ ଆସିଛନ୍ତି। ତାଙ୍କ ପିତା ମଧ୍ୟ ଛତିଶଗଡ଼ର ଇଟାଭାଟିରେ କାମ କରୁଥିଲେ। ରାମଜସ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ପରଲୋକ ହୋଇଥିଲା। ତିନି ଭାଇ ଓ ଭଉଣୀଙ୍କ ମଧ୍ୟରୁ ସବା ସାନ ରାମଜସ ସ୍କୁଲ୍‌ ପାଠ ପଢ଼ା ଶେଷ କରିବା ପରେ କାମ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ବଡ଼ ଭାଇ ମଧ୍ୟ ସତନା ଜିଲ୍ଲାରେ ଥିବା ନିଜ ଗାଁରେ ମଜୁରି ଖଟୁଥିଲେ। ରାମଜସ ପାଞ୍ଚ ବର୍ଷ ହେବ ପ୍ରବାସୀ ଶ୍ରମିକଙ୍କ ରୂପେ କାମ କରୁଛନ୍ତି ଏବଂ ପର୍ବପର୍ବାଣୀ ସମୟରେ କିମ୍ବା ଜରୁରି କାମ ଥିଲେ ଘରକୁ ଯାଆନ୍ତି। ଭାଟିରେ କାମ ଶେଷ କରିବା ପରେ ମଧ୍ୟ ସେ ଏଠାରେ ରହିଥାନ୍ତି ଏବଂ ଛୋଟ-ମୋଟ କାମ କରନ୍ତି। ଜନଗଣନା ତଥ୍ୟ (୨୦୧୧) ଅନୁସାରେ, ମଧ୍ୟପ୍ରଦେଶରେ ୨୪,୧୫, ୬୩୫ ଜଣ ପ୍ରବାସୀ ଶ୍ରମିକ ରୋଜଗାର ଉଦ୍ଦେଶ୍ୟରେ ଅନ୍ୟତ୍ର ଚାଲି ଯାଇଥିଲେ।

PHOTO • Prajjwal Thakur
PHOTO • Prajjwal Thakur

ବାମ : ପୋଡ଼ା ହେବା ପରେ ଇଟାଗୁଡ଼ିକ ଥାକ କରି ରଖାଯାଇଛି। ଡାହାଣ : ଗ୍ରାହକଙ୍କୁ ଯୋଗାଣ ପାଇଁ ଇଟା ନେଇ ଶ୍ରମିକମାନେ ଟ୍ରକରେ ଯାଉଛନ୍ତି

PHOTO • Prajjwal Thakur

ରାମଜସ ତାଙ୍କର ଭୋଟ୍‌ ଦେବାକୁ ଚାହାନ୍ତି, କିନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ମତଦାନ କେବେ ହେବ ସେ ଜାଣନ୍ତି ନାହିଁ

କିନ୍ତୁ କେବଳ ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଶ୍ରମିକମାନେ ନିଜର ଗଣତାନ୍ତ୍ରିକ ଅଧିକାର ପ୍ରୟୋଗ କରିବାରୁ ବିରତ ହେବେ ନାହିଁ ।

ରାୟପୁରରେ ନିର୍ବାଚନ ପ୍ରଚାର ଧିମେଇ ଯାଇଛି, ବିରୋଧୀଙ୍କ ଉପସ୍ଥିତି ନାହିଁ ବୋଲି କହିଲେ ଚଳେ। ସହର ଉପକଣ୍ଠ ଇଲାକାରେ ଥିବା ଇଟାଭାଟି ଆଖପାଖରେ କେଉଁଠି ପୋଷ୍ଟର କିମ୍ବା ବ୍ୟାନର ଦେଖିବାକୁ ମିଳୁନାହିଁ। ପ୍ରାର୍ଥୀଙ୍କ ଆଗମନର ଘୋଷଣା କରୁଥିବା ମାଇକ୍‌ ଶବ୍ଦ ଆଉ ଶୁଭୁ ନାହିଁ।

ଛତିଶଗଡ଼ର ବଲୌଦାବାଜାର୍‌ ଜିଲ୍ଲାର ଜଣେ ମହିଳା କାମରୁ ସାମାନ୍ୟ ବିଶ୍ରାମ ନେଇ ଗଛ ତଳେ ବସିଛନ୍ତି । ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ଏଠାରେ ଅଛନ୍ତି। ନଭେମ୍ବର ୨୦୨୩ରେ ଅନୁଷ୍ଠିତ ଛତିଶଗଡ଼ ବିଧାନସଭା ନିର୍ବାଚନ ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ‘‘ମୁଁ ତିନି ଚାରି ମାସ ପୂର୍ବରୁ ମତଦାନ କରିଥିଲି।’’ କିନ୍ତୁ ମତଦାନ ସମୟ ଆସିଲେ ସେ ଭୋଟ୍‌ ଦେବାକୁ ଯିବେ ବୋଲି କହିଥିଲେ। ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଗାଁର ସରପଞ୍ଚ ଖବର ପଠାଇଥିଲେ ଏବଂ ଯିବାଆସିବା ଓ ଖାଇବା ବାବଦରେ ୧୫୦୦ ଟଙ୍କା ପଠାଇ ଥିଲେ ।

‘‘ଆମକୁ ଡାକୁଥିବା ଲୋକ ଆମ ପାଇଁ ଖର୍ଚ୍ଚ ମଧ୍ୟ ଦେଇଥା’ନ୍ତି,’’ ସେ କୁହନ୍ତି । ରାୟପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ, ବଲୌଦାବାଜାର୍‌ ଜିଲ୍ଲାରେ ଆସନ୍ତା ୭ ତାରିଖରେ ମତଦାନ ହେବ।

ଅନୁବାଦ : ଓଡ଼ିଶାଲାଇଭ୍‍

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE