“ପିଲାଟି ଦିନରୁ ମୁଁ ଚିତ୍ର ଆଙ୍କିବାକୁ ଭଲ ପାଉଥିଲି। ମୁଁ ଯେତେବେଳେ ସ୍କୁଲରେ କୋ ଶ୍ରେଣୀ (ଶ୍ରେଣୀ- ୧)ରେ ପଢୁଥିଲି, ଶିକ୍ଷକ ଆମକୁ କମଳା କି କଖାରୁର ଚିତ୍ର ଆଙ୍କିବାକୁ କହନ୍ତି ଏବଂ ମୁଁ ସାଙ୍ଗେ ସାଙ୍ଗେ ଏହା କରିପାରୁଥିଲି,” ହସହସ ମୁହଁରେ କହନ୍ତି ରମେଶ ଦତ୍ତ। “ଏସବୁ ଏମିତି ଭାବରେ ଆରମ୍ଭ ହୋଇଥିଲା।”
ଆଜି ସେ, ଆସାମର ଅନେକ ବୈଷ୍ଣବପନ୍ଥୀ ମଠ ମଧ୍ୟରୁ ଗୋଟିଏ- ମାଜୁଲିସ୍ଥିତ ଗଡ଼ମୁର ସରୁ ସତ୍ର ପକ୍ଷରୁ ଆୟୋଜିତ ସମସ୍ତ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ମୁଖ୍ୟ ମଞ୍ଚସଜ୍ଜା ଶିଳ୍ପୀ ଏବଂ ମୁଖା କାରିଗର। ସଂପ୍ରଦାୟରେ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ରମେଶ ଦା ବୋଲି ଡାକନ୍ତି। ୫୨ ବର୍ଷୀୟ ରମେଶ ଦା ସ୍ୱଳ୍ପଭାଷୀ, କିନ୍ତୁ ଏମିତି ଅନେକ ପ୍ରତିଭାର ଅଧିକାରୀ, ଯାହାକି ବ୍ରହ୍ମପୁତ୍ର ନଦୀର ସର୍ବବୃହତ୍ ଦ୍ୱୀପ ମାଜୁଲିରେ ରଙ୍ଗମଞ୍ଚ, କଳା ଏବଂ ସଙ୍ଗୀତର ଧାରା ବଜାୟ ରଖିଛି।
ପୁରୁଣା ଦିନର କଥା ମନେ ପକାଇ ସେ କହନ୍ତି, “ପିଲାଦିନେ କଣ୍ଢେଇ ନାଚ ପ୍ରଦର୍ଶନ ମୋତେ ପ୍ରଭାବିତ କରିଥିଲା। ଅନ୍ୟମାନେ କଣ୍ଢେଇ ତିଆରି କରୁଥିବା ମୁଁ ଦେଖିଲି ଏବଂ ସେହିଠାରୁ ହିଁ ସେହି କଳାକୁ ଆଦରି ନେଲି। ସମ୍ଭବତଃ ସେ ସମୟରେ ମୁଁ ୨ୟ ଶ୍ରେଣୀରେ ପଢୁଥିଲି। ମୁଁ କଣ୍ଢେଇ ତିଆରି କରି ସ୍କୁଲରେ ସାଙ୍ଗମାନଙ୍କୁ ଦେଖାଉଥିଲି।”
ଆଜିକାଲି ସେ ଯେଉଁ ସବୁ ଚିତ୍ରକଳା ପ୍ରସ୍ତୁତ କରୁଛନ୍ତି, ସେସବୁ ମାଜୁଲି କିମ୍ବା ଆଖପାଖ ଅଞ୍ଚଳର ରଙ୍ଗମଞ୍ଚରେ ପ୍ରଦର୍ଶିତ ହୁଏ ଏବଂ ଅନ୍ୟ ସମୟରେ ତାଙ୍କ ଘର କଡ଼ରେ ଥିବା ଏକ ଖୋଲା ଛାମୁଣ୍ଡିଆ ତଳେ ରହିଥାଏ। ଆମେ ତାଙ୍କ ପାଖକୁ ଯାଇଥିବା ସମୟରେ ତା ଭିତରର ଗୋଟିଏ ଛୋଟ ମଞ୍ଚ ଉପରେ ହାତଚଲା ଡଙ୍ଗାଟିଏ ଓଲଟା ରଖାଯାଇଥିବାର ଦେଖିଲୁ। ରମେଶ ଦା ତିଆରି କରିଥିବା ଅନେକ ମୁଖା ପାଖରେ କେତେକ ତୂଳି ଏବଂ ରଙ୍ଗ ଡବା ସବୁ ରଖାଯାଇଥିଲା। ତା ସହିତ ରାସ ମହୋତ୍ସବ ପାଇଁ ତିଆରି ହୋଇଥିବା ଗୋଟିଏ ବଗ ଆକୃତିର ଚଳମାନ ମୁଖା ରଖାଯାଇଥିଲା। (ପଢ଼ନ୍ତୁ: ମାଜୁଲିର ଅନେକ ମୁଖା)






















