‘‘ଏସବୁ ଗୋଟିଏ ସୂତାରୁ ଆରମ୍ଭ ହୋଇ ପୁଣି ଗୋଟିଏ ସୂତାରେ ଶେଷ ହୋଇଥାଏ,’’ ରେଖା ବେନ୍ ୱାଗେଲା ସ୍ମିତ ହସି କୁହନ୍ତି। ସେ ଗୁଜରାଟର ମୋଟା ଟିମ୍ବଲା ଗାଁରେ ଥିବା ତାଙ୍କର ହସ୍ତତନ୍ତ ପାଖରେ ବସି ଗୋଟିଏ ସିଙ୍ଗଲ ଇକତ ପଟୋଲୁ ବୁଣୁଛନ୍ତି । ‘‘ଆରମ୍ଭରେ ଆମେ ଗୋଟିଏ ସୂତା ବବିନ୍ରେ ଗୁଡ଼ାଇଥାଉ ଏବଂ ଶେଷରେ ଆମେ ରଙ୍ଗ ହୋଇଥିବା ସୂତାକୁ ବବିନକୁ ସ୍ଥାନାନ୍ତରିତ କରିଥାଉ,’’ ରେଖା ବେନ୍ ପଟୋଲା ତିଆରି କରିବାର ଏକାଧିକ ପ୍ରକ୍ରିୟା ବିଷୟରେ କୁହନ୍ତି। ଭରଣି ସୂତା ପାଇଁ ବବିନ୍ ତିଆରି ହେବା ଏବଂ ଆଧାର ସୂତାକୁ ତନ୍ତରେ ସେଟ୍ କରିବାର ପ୍ରକ୍ରିୟା ପୂର୍ବରୁ ଏହା କରାଯାଇଥାଏ।
ସୁରେନ୍ଦ୍ର ନଗର ଜିଲ୍ଲାର ଏହି ଗାଁରେ ସେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ୱଣକରୱା ସମ୍ପ୍ରଦାୟର ଅନେକ ଲୋକ ପଟୋଲୁ ନାମରେ ପ୍ରସିଦ୍ଧ ରେଶମ ଶାଢ଼ି ତିଆରି ସହ ଜଡ଼ିତ କୌଣସି ନା କୌଣସି କାମରେ ଲାଗି ରହିଛନ୍ତି। କିନ୍ତୁ ୪୦ ବର୍ଷରୁ ଅଧିକ ବୟସ ଟପିସାରିଥିବା ରେଖା ବେନ୍ ଲିମ୍ବଡ଼ି ତାଲୁକାରେ ଏକମାତ୍ର ଦଳିତ ମହିଳା ପଟୋଲା ନିର୍ମାତା, ଯିଏକି ଉଭୟ ସିଙ୍ଗଲ ଓ ଡବଲ ଇକତ ପଟୋଲା ବୁଣନ୍ତି। (ପଢ଼ନ୍ତୁ : ଜଞ୍ଜାଳରେ ବୁଣା ରେଖା ବେନ୍ଙ୍କ ଜୀବନ )
ସୁରେନ୍ଦ୍ର ନଗରର ପଟୋଲାକୁ ‘ଜଲୱାଡ଼ି’ ପଟୋଲା ମଧ୍ୟ କୁହାଯାଏ, ଯାହାକି ପ୍ରାୟତଃ ପାଟନ୍ରେ ତିଆରି ହେଉଥିବା ପଟୋଲା ଠାରୁ ଶସ୍ତା ହୋଇଥାଏ। ମୂଳତଃ ନିଜର ସିଙ୍ଗଲ୍ ଇକତ୍ ପଟୋଲା ପାଇଁ ପ୍ରସିଦ୍ଧ ଜଲୱାଡ଼ର ୱଣକର୍ (ବୁଣାକାର) ଏବେ ଡବଲ୍ ଇକତ୍ ପଟୋଲା ବୁଣୁଛନ୍ତି। ରେଖା ବେନ୍ ଦୁଇ ପ୍ରକାର ପଟୋଲା ମଧ୍ୟରେ ଫରକକୁ ବୁଝାଇ କୁହନ୍ତି, ‘‘ସିଙ୍ଗଲ୍ ଇକତ୍ରେ ଡିଜାଇନ୍ କେବଳ ଭରଣି ଉପରେ ହୋଇଥାଏ। ଡବଲ ଇକତରେ ଆଧାର ସୂତା ଓ ଭରଣିର ଗୋଟିଏ ଡିଜାଇନ ଥାଏ।’’
ଡିଜାଇନ କାରଣରୁ ପ୍ରକ୍ରିୟା ଜଟିଳ ହୋଇଯାଏ। ରେଖା ବେନ୍ ଆଉଥରେ ଏହାକୁ ବିସ୍ତୃତ ଭାବେ କହିବାକୁ ଚେଷ୍ଟା କରୁଛନ୍ତି । ‘‘ଗୋଟିଏ ସିଙ୍ଗଲ୍ ଇକତ୍ ପଟୋଲୁରେ ୩୫୦୦ ଆଧାର ସୂତା ଥାଏ ଏବଂ ୧୩୭୫୦ ଭରଣି ସୂତା ଥାଏ। ଅନ୍ୟପଟେ ଡବଲ ଇକତରେ ୨୨୨୦ଟି ଭରଣୀ ସୂତା ଓ ୯୮୭୦ ଆଧାର ସୂତା ଥାଏ,’’ ସେ ଏକ ସଟଲ୍ ଭିତରେ ଭରଣୀ ସୂତା ସହିତ ବବିନ୍କୁ ଖସାଇ କୁହନ୍ତି।
ବବିନକୁ ଦେଖିଲେ ମୋ ଆଖି ଆଗରେ ୫୫ ବର୍ଷ ବୟସ୍କା ଗଙ୍ଗା ବେନ୍ ପରମାର୍ଙ୍କ ଛବି ଚାଲି ଆସିଥାଏ। ଲିମ୍ବଡ଼ିର ଘାଘରେଟିୟା ଗାଁରେ ନିଜ ଘରେ ବବିନରେ କାମ କରୁଥିବା ସମୟରେ ସେ କହିଥିଲେ, ‘‘ଆମେ ପ୍ରଥମେ ଏକ କାଠ ରିଲ୍ରେ ବୁଣା ସୂତା ଗୁଚ୍ଛ ନେଇଥାଉ ଏବଂ ତା’ପରେ ତା’କୁ ଚରଖା ସହାୟତାରେ ବବିନରେ ଗୁଡ଼ାଇଥାଉ। ଆପଣ ଚରଖା ବିନା ବବିନ୍କୁ ଘୂରାଇପାରିବେ ନାହିଁ।’’
‘‘କୁଆଡ଼େ ହଜିଗଲ?’’ ରେଖା ବେନଙ୍କ ସ୍ୱର ମୋତେ ପଟୋଲା ସୂତା ଉପରେ ଆମ ଆଲୋଚନାକୁ ଫେରାଇ ଆଣିଲା। ତାହା ଏକ ଜଟିଳ ପ୍ରକ୍ରିୟା ଥିଲା ଏବଂ ସେ ମୋତେ ବାରମ୍ବାର ବୁଝାଉଥାନ୍ତି। ‘‘ଲେଖ’’, ସେ ମୋ ନୋଟ୍ ବୁକ୍କୁ ଚାହିଁ ଆଦେଶ ଦେବା ଛଳରେ କୁହନ୍ତି । ପ୍ରକ୍ରିୟା ବିଷୟରେ ମୋତେ ଭଲ ଭାବେ ବୁଝାଇବା ଲାଗି ସେ କିଛି ସମୟ ପାଇଁ ବୁଣିବା କାମ ବନ୍ଦ କରି ଦିଅନ୍ତି।
ମୁଁ ପର୍ଯ୍ୟାୟକ୍ରମେ ପ୍ରକ୍ରିୟା ବିଷୟରେ ଲେଖୁଥାଏ, ଯାହାକି ୧୨ରୁ ଅଧିକ ପର୍ଯ୍ୟାୟ ବିଶିଷ୍ଟ ଅତି ଜଟିଳ ପ୍ରକ୍ରିୟା ଅଟେ ଏବଂ ଏଥିପାଇଁ ଅନେକ ସପ୍ତାହ ଲାଗିପାରେ। ଏଥିରେ ବୁଣାକାରଙ୍କ ବ୍ୟତୀତ ଅନ୍ୟ କାରୀଗରମାନେ ମଧ୍ୟ ସାମିଲ ହୋଇଥାନ୍ତି। ଏହି ପ୍ରକ୍ରିୟା ରେଶମ ବୁଣା ସୂତା ଗୁଚ୍ଛରୁ ଆରମ୍ଭ ହୋଇଥାଏ ଏବଂ ୨୫୨ ଇଞ୍ଚ ଲମ୍ବା ପଟୋ ଶାଢ଼ିରେ ଶେଷ ସୂତା ବୁଣିବା ସହିତ ଶେଷ ହୋଇଥାଏ, ଏଥିରେ ଛଅ ମାସର ପରିଶ୍ରମ ଲାଗିପାରେ।
ସେ କୁହନ୍ତି, ‘‘କୌଣସି ପର୍ଯ୍ୟାୟରେ ଗୋଟିଏ ଛୋଟ ଭୁଲ ହେଲେ ପଟୋଲୁ ନଷ୍ଟ ହୋଇଯାଏ।’’
ଅନୁବାଦ : ଓଡ଼ିଶାଲାଇଭ୍