‘‘ଅନ୍ୟମାନଙ୍କ ଭଳି ଆମେ ବି ଏ ଦେଶର ନାଗରିକ। ଏହା ପ୍ରମାଣିତ କରିବା ଲାଗି ସରକାର ଓ ଅନ୍ୟ ନାଗରିକଙ୍କୁ କାଗଜପତ୍ର ଦେଖାଇବାରେ ଆମର ସାରା ଜୀବନ ବିତିଯାଇଛି।’’
ବହରୁଲ୍ ଇସଲାମ୍ ବର୍ଜ୍ୟରୁ କବାଡ଼ିଆ ସାମଗ୍ରୀ ଅଲଗା କରିବାରେ ବ୍ୟସ୍ତ ରହିଛନ୍ତି । ସେ ପ୍ଲାଷ୍ଟିକ ବୋତଲ, ଓଦା ବର୍ଜ୍ୟ, କାର୍ଡବୋର୍ଡ ଏବଂ ଥର୍ମୋକୋଲକୁ ଅଲଗା ଅଲଗା ଗଦା କରୁଛନ୍ତି, ସେଗୁଡ଼ିକୁ ଭିନ୍ନ ଭିନ୍ନ ଜରି ଅଖାରେ ଭର୍ତ୍ତି କରୁଛନ୍ତି । ପ୍ରାୟ ୩୫ ବର୍ଷ ବୟସ୍କ ବହୁରୁଲ୍ ସେହି ୧୩ ପ୍ରବାସୀ ପରିବାରର ସଦସ୍ୟ ଯେଉଁମାନେ ଆସାମର ବରପେଟା, ବୋଙ୍ଗଇଗାଓଁ ଏବଂ ଗୋଲପାଡ଼ାରୁ ଏଠାକୁ ଆସି ରହୁଛନ୍ତି। ହରିୟାଣାର ଅସାୱରପୁର ସହରରେ ଥିବା ଖାଲି ଜାଗାରେ ସେମାନେ ସାଥୀ ହୋଇ ରହୁଛନ୍ତି ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ବାଛିବା କାମ କରୁଛନ୍ତି ।
‘‘ଏଠି ଏବଂ ଆସାମରେ, ଉଭୟ ସ୍ଥାନରେ ଲୋକମାନେ ସବୁବେଳେ ଆମ ପରିଚୟକୁ ନେଇ ସନ୍ଦେହ କରିଥାନ୍ତି।’’ ବହରୁଲ୍ କୁହନ୍ତି, ସରକାରୀ କର୍ମଚାରୀ ପ୍ରାୟତଃ ସେମାନଙ୍କ ବସ୍ତିକୁ ଆସି ପରିଚୟ କାଗଜପତ୍ର ଦେଖାଇବାକୁ ଧମକ ଦିଅନ୍ତି। ‘‘ଆମେ ଯେତେବେଳେ କବାଡ଼ିଆ ସାମଗ୍ରୀ ସଂଗ୍ରହ କରିବାକୁ ବାହାରୁ, ଆମେ କେଉଁଠୁ ଆସିଛୁ ବୋଲି ଲୋକମାନେ ଆମକୁ ପଚାରନ୍ତି । ଆସାମରୁ ଆସିଛୁ ବୋଲି ଶୁଣିବା ପରେ ସେମାନେ ଆମକୁ ବାଂଲାଦେଶୀ ବୋଲି ଭାବନ୍ତି।’’ ସେ ଆହୁରି କୁହନ୍ତି, ପୁଲିସ ସେମାନଙ୍କୁ ପ୍ରାୟତଃ ଆସାମରୁ ପୁଲିସ ଯାଞ୍ଚ କରାଇ ନେବା ପାଇଁ କହିଥାଏ, ଯାହାଫଳରେ ସେମାନଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ରହିଛି କି ନାହିଁ ବୋଲି ଜଣାପଡ଼ିବ । ‘‘ଆମେ ଯାହା କହୁ ତାହା ସେମାନେ ବିଶ୍ୱାସ କରନ୍ତି ନାହିଁ,’’ ବହରୁଲ୍ କୁହନ୍ତି। ଆସାମରେ ଜାରି ରହିଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି) ଅଭିଯାନ ସମ୍ପର୍କରେ ସେ ଜାଣିଛନ୍ତି । କିନ୍ତୁ ତାଙ୍କ ପାଖରେ ଜମି ମାଲିକାନା ଅଧିକାର କାଗଜପତ୍ର ଥିବାରୁ, ସେ ଏଥିପାଇଁ ଚିନ୍ତିତ ହୋଇନଥା’ନ୍ତି।
ସେହି ଜାଗାରେ ରହୁଥିବା ଦୁଇ ଭାଇ ରିୟାଜ୍ ଏବଂ ନୁର୍ ଇସଲାମ କୁହନ୍ତି ଯେ ସେମାନେ ଏଥିପାଇଁ ଆସାମ ଛାଡ଼ିଦେଲେ କାରଣ ବ୍ରହ୍ମପୁତ୍ର ନଦୀ ପାଖରେ ଥିବାରୁ ସେମାନଙ୍କ ଚାଷ ଜମି ସବୁବେଳେ ବନ୍ୟା କବଳକୁ ଚାଲି ଆସୁଥିଲା। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଚାଷ ଉପରେ ନିର୍ଭର କରିବା ସମ୍ଭବ ନଥିଲା। ଅନ୍ୟପଟେ ବରପେଟରେ ସେମାନଙ୍କର ୮୦୦ ବର୍ଗଫୁଟ୍ ଜମି ଉପରେ ସେମାନଙ୍କ ବାପାମା’ କଞ୍ଚା ଲଙ୍କା, ବିଲାତି ବାଇଗଣ ଏବଂ ଅନ୍ୟାନ୍ୟ ପରିବା ଚାଷ କରୁଛନ୍ତି। ‘‘ଅଧିକ ବର୍ଷା ହେବା ସ୍ଥିତିରେ ନଦୀ ପାଣି ଆମ ଘରେ ପ୍ରବେଶ କରିଥାଏ, ଏବଂ ଆମକୁ ନିଜ ଜାଗା ଛାଡ଼ିବାକୁ ପଡ଼ିଥାଏ। ଆମେ ଗୋଟିଏ ଜାଗାରୁ ଅନ୍ୟତ୍ର ଯିବାକୁ କଦଳୀ ଗଛର ଗଣ୍ଡିକୁ ବ୍ୟବହାର କରିଥାଉ,’’ ତାଙ୍କର ଭାଇ କୁହନ୍ତି। ନେସନାଲ ରିମୋଟ୍ ସେନ୍ସିଂ ସେଣ୍ଟର୍ (ଏନଆରଏସସି) ର ତଥ୍ୟ ମୁତାବକ ୧୯୯୮ରୁ ୨୦୧୫ ମଧ୍ୟରେ ଆସାମର ପାଖାପାଖି ୨୮.୭୫ ପ୍ରତିଶତ ଭୂଖଣ୍ଡ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ବହରୁଲ୍, ରିୟାଜ୍ ଏବଂ ନୂର୍ ଏବେ ଆସାମରେ ଥିବା ସେମାନଙ୍କ ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ ୧୧ ବିସ୍ଥାପିତ ପରିବାର ମଧ୍ୟ ରୁହନ୍ତି। ଏମାନେ ସମସ୍ତେ ବାରପେଟା, ବୋଙ୍ଗଇଗାଓଁ ଏବଂ ଗୋଲାପଡ଼ା ଜିଲ୍ଲାରୁ ଏଠାକୁ ଆସିଛନ୍ତି। ସେମାନେ ସାଥୀ ହୋଇ କାମ କରନ୍ତି ଏବଂ ସାଥୀ ହୋଇ ରୁହନ୍ତି ତଥା ଏହି ଅପରିଚିତ ସ୍ଥାନରେ ପରସ୍ପରର ସହାୟତା କରନ୍ତି। ଦୈନନ୍ଦିନ ଭେଦଭାବ ଏବଂ ବିସ୍ଥାପନର ଯନ୍ତ୍ରଣା ଓ ସମସ୍ୟାର ସାମ୍ନା କରିବାରେ ମଧ୍ୟ ସେମାନେ ପରସ୍ପରକୁ ସାହାଯ୍ୟ କରିଥା’ନ୍ତି ।
ବହରୁଲ୍ କୁହନ୍ତି, ‘‘ଆମ ଭିତରୁ କାହାର ଟଙ୍କା ଦରକାର ହେଲେ, ଆମେ ପରସ୍ପରକୁ ସହାୟତା କରିଥାଉ। ଆମ ଭିତରୁ ଅଳ୍ପ କିଛି ଲୋକ ଆସାମକୁ ଫେରିଯିବା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସେଠାକୁ ପଠାଇବାର ଖର୍ଚ୍ଚ ଉଠାଇପାରିବେ। ତେଣୁ ଆମେ ମିଠି ଇଦ୍ ଏବଂ ବକରୀଦ୍ ଭଳି ପର୍ବପର୍ବାଣୀ ପରସ୍ପର ସହିତ ହିଁ ପାଳନ କରିଥାଉ। ରମଜାନ ମାସରେ ଆମେ ବେଳେବେଳେ ମିଳିମିଶି ସହରୀ ମଧ୍ୟ କରି ନେଇଥାଉ।’’
ଆମ ଭିତରୁ ଅଧିକାଂଶ ପରିବାର ଏଠାକୁ ମହାମାରୀ ପୂର୍ବରୁ ୨୦୧୭ରେ ହିଁ ଚାଲି ଆସିଥିଲେ। ଯେଉଁମାନେ ରହି ଯାଇଥିଲେ ସେମାନେ ମଧ୍ୟ ୨୦୨୧ରେ ଏଠାକୁ ଆସିଲେ। ସେମାନେ ମିଳିମିଶି ଏହି ଜାଗାକୁ ମାସିକ ୧୭,୦୦୦ ଟଙ୍କା ଭଡ଼ାରେ ନେଲେ। ତେଣୁ ପ୍ରତ୍ୟେକ ପରିବାର ଉପରେ ମାସିକ ଏକ ହଜାର ଟଙ୍କାରୁ ସାମାନ୍ୟ ଅଧିକ ଅର୍ଥରାଶି ଭଡ଼ା ବାବଦରେ ସୁଝିବାର ବୋଝ ରହିଥାଏ। ବହରୁଲଙ୍କ ପତ୍ନୀ ମୋଫିଦାଙ୍କ ଭଳି କିଛି ମହିଳା ମଧ୍ୟ ପୁରୁଷଙ୍କୁ ସହଯୋଗ କରିଥା’ନ୍ତି। ମୋଫିଦା ଦଶମ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେ ମଧ୍ୟ ବୋଙ୍ଗଇଗାଓଁରୁ ଆସିଛନ୍ତି। ସେ ଅହମୀୟା ସହିତ ଇଂରାଜୀ ପଢ଼ି ଓ ଲେଖିପାରିବେ। ସେ ପ୍ରତ୍ୟେକ ପରିବାର ଦ୍ୱାରା ସଂଗୃହିତ କବାଡ଼ିଆ ସାମଗ୍ରୀ ଓଜନ କରିବା ପରେ ଏକ ଛୋଟ ଖାତାରେ ସେଗୁଡ଼ିକର ଓଜନ ଲେଖି ଦିଅନ୍ତି।
ଏସବୁ ପରିବାରର ସମ୍ପୂର୍ଣ୍ଣ କାମକାର୍ଯ୍ୟ ବର୍ଜ୍ୟବସ୍ତୁ ସହ ଜଡ଼ିତ। କିଛି ଲୋକ ଜନବସତି ଅଞ୍ଚଳରେ କବାଡ଼ିଆ ସାମଗ୍ରୀ ସଂଗ୍ରହ କରିଥା’ନ୍ତି, ଅନ୍ୟପଟେ ବହରୁଲ୍ଙ୍କ ଭଳି ଲୋକମାନେ ନିକଟସ୍ଥ କାରଖାନା ଏବଂ ଶିଳ୍ପାଞ୍ଚଳରେ ବର୍ଜ୍ୟ ସଂଗ୍ରହ କାମ କରିଥା’ନ୍ତି। ଛୋଟ ପିଲା କବାଡ଼ିଆ ସାମଗ୍ରୀ ଅଲଗା କରିବା ଏବଂ ଅନେକ ସମୟରେ ସାଥୀ ହୋଇ କବାଡ଼ିଆ ସାମଗ୍ରୀ ସଂଗ୍ରହ କରିବା ଭଳି କାମ କରନ୍ତି ।
‘‘ସକାଳ ସାତଟାରୁ ଆମର କାମ ଆରମ୍ଭ ହୋଇଯାଏ। ଆମେ ସହରର ଗଳିକନ୍ଦି ବୁଲି କବାଡ଼ିଆ ସାମଗ୍ରୀ ସଂଗ୍ରହ କରିଥାଉ ଏବଂ ଅପରାହ୍ଣ ୩ଟା ସୁଦ୍ଧା ଫେରି ଆସୁ,’’ ନୁର୍ ଇସଲାମ କୁହନ୍ତି, କିନ୍ତୁ ସେ ଆହୁରି କହିଥାନ୍ତି ଯେ କାମ ଅଧିକ ରହିବା ସ୍ଥିତିରେ ତାଙ୍କର ଫେରୁ ଫେରୁ ରାତି ୯:୦୦ ମଧ୍ୟ ବାଜି ପାରେ। ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପରେ ସେଗୁଡ଼ିକୁ ପ୍ରାୟ ୩୦-୩୫ଟି ପ୍ରକାରରେ ଅଲଗା କରାଯାଇଥାଏ ଯଥା : ବୋତଲ, ପ୍ଲାଷ୍ଟିକ ବସ୍ତା, ଚପଟି, ଥର୍ମୋକୋଲ, କାଚ ଜିନିଷ ଏବଂ ଅନ୍ୟାନ୍ୟ କବାଡ଼ିଆ ସାମଗ୍ରୀ। ‘‘ଆମେ ସେସବୁ କବାଡ଼ି ସାମଗ୍ରୀକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଥାଉ,’’ ବହରୁଲ୍ କୁହନ୍ତି । ବ୍ୟବସାୟୀ ହିଁ ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତି ଯାହା ସାଧାରଣତଃ ଚାହିଦା ଉପରେ ଆଧାରିତ ହୋଇଥାଏ, ଏବଂ ବର୍ଜ୍ୟ ସଂଗ୍ରହ କରୁଥିବା ଲୋକଙ୍କୁ ଏହି ଦର ମାନିବାକୁ ପଡ଼ିଥାଏ। ‘‘ଗୋଟିଏ କିଲୋଗ୍ରାମ ଥର୍ମୋକୋଲ୍ର ମୂଲ୍ୟ ୧୫ରୁ ୩୦ ଟଙ୍କା ମଧ୍ୟରେ କିଛି ବି ହୋଇପାରେ,’’ ବହରୁଲ୍ କୁହନ୍ତି।
ଗୋଟିଏ ପରିବାର ମାସିକ ୭,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ରୋଜଗାର କରିଥାଏ। ଖରାଦିନେ ଅଧିକ ରୋଜଗାର ହୋଇଥାଏ କାରଣ ଏହି ସମୟରେ ପ୍ଲାଷ୍ଟିକ ବୋତଲରେ ବିକ୍ରି ହେଉଥିବା ପାଣି ବ୍ୟବହାର ବୃଦ୍ଧି ପାଏ।
‘‘ଆମର ଅଧା ରୋଜଗାର ଭଡ଼ା ଦେବା ଏବଂ ବିଦ୍ୟୁତ୍-ପାଣି ବିଲ୍ ଭରିବାରେ ଖର୍ଚ୍ଚ ହୋଇଯାଏ। ବିଦ୍ୟୁତ ଓ ପାଣି ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିଥାଏ। ବିଦ୍ୟୁତ ଖର୍ଚ୍ଚ ପ୍ରାୟ ୧,୦୦୦ ଟଙ୍କା ଆସିଥାଏ,’’ ବହରୁଲ୍ କୁହନ୍ତି। ଏସବୁ ପରିବାରକୁ ପିଇବା ପାଣି ଏକ ଅଲଗା ସପ୍ଲାୟରଠାରୁ କିଣିବାକୁ ପଡ଼ିଥାଏ, କାରଣ ପ୍ଲଟ୍ରେ ଲାଗିଥିବା ନଳରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ହୋଇନଥାଏ।
ବହରୁଲ୍ କୁହନ୍ତି ଯେ ଖାଇବାରେ ହେଉଥିବା ଖର୍ଚ୍ଚରୁ ମଧ୍ୟ ତାଙ୍କ ଉପରେ ଅଲଗା ଆର୍ଥିକ ବୋଝ ବଢ଼ିଯାଇଥାଏ। ‘‘ଆସାମରେ ଆମକୁ ରାସନ ମିଳେ,’’ ପିଡିଏସ (ସାଧାରଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ମିଳୁଥିବା ଖାଦ୍ୟଶସ୍ୟର ଉଦାହରଣ ଦେଇ ସେ କୁହନ୍ତି। ‘‘କିନ୍ତୁ ଏଠାରେ ଏହି ସୁବିଧା ପାଇବା ଲାଗି ଆମ ପାଖରେ ହରିୟାଣାର ପରିଚୟପତ୍ର ରହିବା ଜରୁରୀ ଏବଂ ଆମ ପାଖରେ ଏପରି କୌଣସି ପରିଚୟପତ୍ର ନାହିଁ।’’
ବହରୁଲ ଓଏନଓଆରସି (ଏକ ରାଷ୍ଟ୍ର ଏକ ରାସନ କାର୍ଡ) ବିଷୟରେ କିଛି ଜାଣନ୍ତି ନାହିଁ, ଯାହା ୨୦୧୯ରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ରବ୍ୟାପୀ ପୋର୍ଟେବଲିଟି ଯୋଜନା ଅଟେ। ଏହାର ଲକ୍ଷ୍ୟ ହେଉଛି ଭାରତ ଭିତରେ ବିଭିନ୍ନ ସ୍ଥାନକୁ ପ୍ରବାସ କରୁଥିବା ସବୁ ନାଗରିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା। ‘‘ମୁଁ ଏ ବିଷୟରେ କିଛି ଜାଣେ ନାହିଁ,’’ ସେ ଏହି ରିପୋର୍ଟରଙ୍କୁ କହିଥାନ୍ତି।
ସେମାନଙ୍କ କୁଡ଼ିଆ ଘର ବାଉଁଶ ଉପରେ ତାରପଲିନ୍ ଛପର ପକାଇ ତିଆରି କରାଯାଇଛି। ସେମାନଙ୍କ ଘର ଏବଂ ସେମାନେ ସଂଗ୍ରହ କରିଥିବା କବାଡ଼ି ସାମଗ୍ରୀ ମଧ୍ୟରେ କୌଣସି ସୀମାରେଖା ନଥାଏ, ଉଭୟ ପରସ୍ପର ଉପରେ ମାଡ଼ି ହୋଇ ରହିଥାନ୍ତି। ସେମାନଙ୍କ ପିଲାମାନେ ମଧ୍ୟ ସେହି କବାଡ଼ି ସାମଗ୍ରୀ ଉପରେ ଡିଆଁକୁଦା କରିଥା’ନ୍ତି। ଗୋଟିଏ ରିପୋର୍ଟ ଅନୁସାରେ, ନିଜର ବିସ୍ଥାପିତ ମାତାପିତାଙ୍କ ସହିତ ସହରକୁ ଆସିଥିବା ମାତ୍ର ୫୫ ପ୍ରତିଶତ ପିଲା ସ୍କୁଲକୁ ଯାଇପାରିଥା’ନ୍ତି। ଏହି ଅଞ୍ଚଳରେ ରହୁଥିବା ଅଧିକାଂଶ ପିଲା ନିଜର ପାଠପଢ଼ା ଜାରି ରଖିବା ପରିବର୍ତ୍ତେ କାମ କରିବାକୁ ଅଧିକ ପସନ୍ଦ କରିଥା’ନ୍ତି। ରିୟାଜଙ୍କ ୧୨ ବର୍ଷର ପୁଅ ଅନୱର ତୃତୀୟ ଶ୍ରେଣୀ ପାଠ ପଢ଼ା ଶେଷ କରିବା ପରେ ସ୍କୁଲ୍ ଯିବା ବନ୍ଦ କରି ଦେଇଛି ଏବଂ ଏବେ ସେ କବାଡ଼ି ସାମଗ୍ରୀ ବାଛିବା ଓ ଅଲଗା କରିବା କାମରେ ରିୟାଜଙ୍କ ସହଯୋଗ କରିଥା’ନ୍ତି। ‘‘ କବାଡ଼ିବାଲା ର ପୁଅ ପାଖକୁ କେହି ଆସିବାକୁ ଚାହାନ୍ତି ନାହିଁ। ମୋର କେହି ସାଙ୍ଗ ନାହାନ୍ତି। ମୁଁ ମୋ ପିତାଙ୍କୁ ସହାୟତା କରିବା ଲାଗି ସ୍କୁଲ୍ ଯିବା ବନ୍ଦ କରିଦେଇଛି,’’ ଅନୱର କହିଥାଏ।
ସୋନିପତ ଆସିବା ପୂର୍ବରୁ ବହରୁଲ୍ ଚେନ୍ନାଇର ଏକ କଲେଜରେ ସିକ୍ୟୁରିଟୀ ଗାର୍ଡ ଭାବେ ତିନି ବର୍ଷ କାମ କରିଥିଲେ। ‘‘ଗାଁର ଜଣେ ଲୋକ କଥାରେ ପଡ଼ି ମୁଁ ଏଠାକୁ ଆସିଥିଲି,’’ ସେ କୁହନ୍ତି।
‘‘ଯଦି ମୁଁ ମୋ ବାପା-ମା’ ଏବଂ ଗାଁ ଲୋକଙ୍କୁ ଏହି କାମ କରୁଛି ବୋଲି କହିବି, ତା’ହେଲେ ମୁଁ ଅତ୍ୟନ୍ତ ଲଜ୍ଜିତ ଅନୁଭବ କରିବି,’’ ବହରୁଲ କୁହନ୍ତି। ‘‘ସ୍କୁଲରେ ଛୋଟମୋଟ କାମ କରୁଛି ବୋଲି ମୁଁ ସେମାନଙ୍କୁ କହିଥାଏ।’’ ସେ କୁହନ୍ତି ଯେ ବିସ୍ଥାପନର ଆଉ କେତେକ ସମସ୍ୟା ମଧ୍ୟ ରହିଛି: ‘‘ଆସାମରେ ମାଛ ଆମ ଭୋଜନର ଏକ ପ୍ରମୁଖ ଅଂଶବିଶେଷ ଅଟେ। ହେଲେ ଏଠାରେ ଯଦି ଆମେ ମାଛ ଖାଉଛୁ ତା’ହେଲେ ଆମର କେତେଜଣ ପଡ଼ୋଶୀ ଆମକୁ ନିମ୍ନ ଦୃଷ୍ଟିରେ ଦେଖନ୍ତି, ଆମେ ଗୋପନୀୟ ଭାବେ ଏହାକୁ ରାନ୍ଧି ଖାଇଥାଉ।’’
ଆସାମରେ ନିଜ ପାଇଁ ଛୋଟିଆ ଜମି ଖଣ୍ଡେ କିଣି ସେଠାରେ ପରିବାର ଲୋକଙ୍କ ସହିତ ରହିବା ଲାଗି ଆବଶ୍ୟକ ଯଥେଷ୍ଟ ଟଙ୍କା ରୋଜଗାର କରିବା ତାଙ୍କର ସ୍ୱପ୍ନ। ‘‘ନିଜ ଘର ଲୋକଙ୍କୁ ମିଛ କହିବାକୁ କେହି ପସନ୍ଦ କରନ୍ତି ନାହିଁ। ଆମେ ବି ଏକ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହୁଁଛୁ।’’
ଅନୁବାଦ : ଓଡ଼ିଶାଲାଇଭ୍