“ପୂର୍ବରୁ ପାଟନାରେ ସପ୍ତାହବ୍ୟାପୀ ତିଲଙ୍ଗି (ଗୁଡ଼ି) ପ୍ରତିଯୋଗିତା ଆୟୋଜିତ ହେଉଥିଲା। ଲକ୍ଷ୍ମୌ, ଦିଲ୍ଲୀ ଓ ହାଇଦ୍ରାବାଦର ଗୁଡ଼ି ଉଡ଼ାଳିମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଏହାକୁ ଏକ ପର୍ବ ଭଳି ପାଳନ କରାଯାଉଥିଲା,” ଫୈଜାନ ରଜା କହନ୍ତି। ଗଙ୍ଗା ନଦୀ କଡ଼େ କଡ଼େ ଚାଲି ଚାଲି ଯିବା ବାଟରେ ସେ କହୁଥାଆନ୍ତି ଏବଂ ନଈର ପାଣିରେ ପ୍ରତିଫଳିତ ହେଉଥାଏ ସେହି ଖୋଲା ଆକାଶ, ଯେଉଁଥିରେ କି, ତାଙ୍କ କହିବା ଅନୁସାରେ, ଦିନେ ଏକକାଳୀନ ହଜାର ହଜାର ଗୁଡ଼ି ଉଡୁଥିଲେ।
ପାଟନାରେ ପ୍ରବାହିତ ଏହି ନଦୀକୂଳରେ ଅବସ୍ଥିତ ଦୁଲିଘାଟର ଜଣେ ପୁରୁଣା ବାସିନ୍ଦା ରଜା କହନ୍ତି ଯେ, ସମ୍ଭ୍ରାନ୍ତ ବର୍ଗର ଲୋକଙ୍କଠାରୁ ଆରମ୍ଭ କରି ତୱାଇଫଙ୍କ ପର୍ଯ୍ୟନ୍ତ, ସମାଜର ସବୁ ବର୍ଗର ଲୋକେ ଏହି କ୍ରୀଡ଼ାର ପୃଷ୍ଠପୋଷକତା କରୁଥିଲେ। ଆପେ ଆପେ ତାଙ୍କ ମୁହଁରୁ ବାହାରି ଆସେ କେତେକ ନାଁ- “ବିସ୍ମିଲା ଜାନ୍ (ତୱାଇଫ) ଆର୍ଥିକ ସହାୟତା ପ୍ରଦାନ କରୁଥିଲେ, ଏବଂ ମୀର ଅଲି ଜମିନ ଓ ମିର କିଫାୟତ ଅଲିଙ୍କ ଭଳି କେତେଜଣ ପତଙ୍ଗ-ସାଜି (ଗୁଡ଼ି ତିଆରି କରିବା) ଏବଂ ପତଙ୍ଗ-ବାଜି (ଗୁଡ଼ିଉଡ଼ା ପ୍ରତିଯୋଗିତା)ର ଉସ୍ତାଦ (ପ୍ରବୀଣ) ଥିଲେ।
ଏହି କ୍ରୀଡ଼ାର ସ୍ଥିତି ଏଭଳି ଥିଲା ଯେ, ପାଟନାର ଅଶୋକ ରାଜପଥରେ ଅବସ୍ଥିତ ଗୁଡ଼ହତା ଓ ଖ୍ୱାଜାକଲାନ ମଧ୍ୟବର୍ତ୍ତୀ ରାସ୍ତାଟି (ପ୍ରାୟ ୭୦୦-୮୦୦ ମିଟର ) କେବଳ ଗୁଡ଼ି ବ୍ୟବସାୟୀ, ସେମାନଙ୍କ ଦୋକାନ ବାହାରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫରଫର ହୋଇ ଉଡୁଥିବା ରଙ୍ଗିନ ଗୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀରେ ଭରି ଯାଉଥିଲା। ରଜା ଆହୁରି କହନ୍ତି, “ସାଧାରଣତଃ ଗୁଡ଼ି ଉଡ଼ାଇବା ଲାଗି ବ୍ୟବହୃତ ସୂତା ତୁଳନାରେ ପାଟନାର ସୂତା କିଛିଟା ମୋଟା ଥିଲା ଏବଂ କପାସୂତା ଓ ରେଶମ ମିଶି କରି ରହିଥିବା ଏହି ସୂତା ନଖ ନାଁରେ ପରିଚିତ ଥିଲା’’।
୧୮୬୮ ମସିହାରେ ପ୍ରକାଶିତ ବଲ୍ଲୁଙ୍କ ମାସିକ ପତ୍ରିକାର ଗୋଟିଏ ସଂଖ୍ୟାରେ ଗୁଡ଼ି ପାଇଁ ପାଟନାର ପ୍ରସିଦ୍ଧି ରହିଥିବା କଥା ଉଲ୍ଲେଖ କରାଯାଇଛି। “ଯଦି କେହି ତୁରନ୍ତ ନିଜ ଭାଗ୍ୟ ବଦଳାଇବାକୁ ଇଚ୍ଛୁକ, ତେବେ ସେ ଏଠାକୁ ଆସି ପାଟନାଗୁଡ଼ିକୁ ଆପଣେଇ ନେବା ଉଚିତ। ବଜାରରେ ପ୍ରତି ଦଶଟି ଦୋକାନରେ ଗୋଟିଏ ଗୁଡ଼ି ଦୋକାନ ଏବଂ ଆପଣଙ୍କୁ ଲାଗିବ ସତେ ଯେମିତି ଏଠାକାର ସବୁ ଲୋକ ଗୁଡ଼ି ଉଡ଼ାନ୍ତି। ଏଠାକାର ଗୁଡ଼ି ହୀରା ଆକାରର, ପକ୍ଷୀର ପର ଭଳି ହାଲୁକା ଏବଂ ଲାଞ୍ଜ ନଥାଏ ଏବଂ ସବୁଠାରୁ ହାଲୁକା ରେଶମ ସୂତାରେ ବି ପବନରେ ଉଡ଼ିପାରେ।”
ଶତାଧିକ ବର୍ଷ ପରେ ଅନେକ କିଛି ବଦଳି ଯାଇଛି, କିନ୍ତୁ ପାଟନାର ତିଲଙ୍ଗି ଏହାର ଅସାଧାରଣ ବିଶେଷତାକୁ ବଜାୟ ରଖିଛି- ସେଗୁଡ଼ିକ ଲାଞ୍ଜ ବିହୀନ ଗୁଡ଼ି। “ଦୁମ୍ ତୋ କୁତ୍ତେ କା ନା ହୋତା ହୈ ଜୀ, ତିଲଙ୍ଗି କା ଥୋଡ଼େ (ଲାଞ୍ଜ ତ କୁକୁରର ଥାଏ, ଗୁଡ଼ିରେ କାହିଁକି ରହିବ),” ହସି ହସି କହନ୍ତି ଗୁଡ଼ି କାରିଗର ଶାବିନା। ତାଙ୍କ ବୟସ ଏବେ ସତୁରୀରୁ ଅଧିକ ଏବଂ ଦିନକୁ ଦିନ ଆଖି ଦୁର୍ବଳ ହୋଇଯିବା କାରଣରୁ ସେ କିଛି ଦିନ ହେଲା ତିଲଙ୍ଗି ତିଆରି ବନ୍ଦ କରିଦେଇଛନ୍ତି।




















