ଯଦି ଆପଣ ୬ରୁ ୧୪ ବର୍ଷ ବୟସ୍କ ପିଲା, ତା’ହେଲେ ନିକଟସ୍ଥ ବିଦ୍ୟାଳୟରେ ‘‘ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା’’ ପାଇଁ ଆପଣଙ୍କର ମୌଳିକ ଅଧିକାର ରହିଛି । ଏହାକୁ ନିର୍ଦ୍ଧାରଣ କରୁଥିବା ଆଇନ - ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାର ଅଧିକାର (ଆରଟିଇ) ଭାରତ ସରକାରଙ୍କ ଦ୍ୱାରା ୨୦୦୯ରେ ପ୍ରଣୟନ କରାଯାଇଥିଲା।
କିନ୍ତୁ ଓଡ଼ିଶାର ଯାଜପୁର ଜିଲ୍ଲାରେ ରହୁଥିବା ୯ ବର୍ଷର ଝିଅ ଚନ୍ଦ୍ରିକା ବେହେରା ଆଜକୁ ପ୍ରାୟ ଦୁଇ ବର୍ଷ ହେଲାଣି ବିଦ୍ୟାଳୟଠାରୁ ବଞ୍ଚିତ ରହିଛନ୍ତି କାରଣ ତାଙ୍କର ନିକଟସ୍ଥ ବିଦ୍ୟାଳୟ - ତାଙ୍କ ଘରଠାରୁ ପ୍ରାୟ ୩.୫ କିଲୋମିଟର ଦୂର।
ଗ୍ରାମୀଣ ଭାରତରେ ଶିକ୍ଷା ଓ ଅଧ୍ୟୟନ ଅଭ୍ୟାସରେ ସ୍ଥିରତା ନାହିଁ ଏବଂ ଆଇନ ଓ ନୀତିଗୁଡ଼ିକ କେବଳ କାଗଜକଲମରେ କାର୍ଯ୍ୟକାରୀ ହୋଇଥାଏ। ଅତି କମ୍ରେ କିଛି ମାମଲାରେ, ଶିକ୍ଷକଙ୍କ ବ୍ୟକ୍ତିଗତ ଅଭିନବ ପ୍ରୟାସ ଓ ପ୍ରତିବଦ୍ଧତା କାରଣରୁ କିଛିମାତ୍ରାରେ ବ୍ୟବସ୍ଥାଗତ ସମସ୍ୟାର ସମାଧାନ ହୋଇଥାଏ, ଯାହାକି ପ୍ରାୟତଃ ବାସ୍ତବିକ ପରିବର୍ତ୍ତନ ଆଣିଥାଏ।
ଉଦାହରଣ ସ୍ୱରୂପ, କାଶ୍ମୀର ଅନନ୍ତନାଗ ଜିଲ୍ଲାର ଭ୍ରମଣଶୀଳ ଶିକ୍ଷକ ନିଜେ ଯାଯାବର ସମୁଦାୟର ହୋଇଥିବା ବେଳେ ଛୋଟ ପିଲାଙ୍କୁ ପଢ଼ାଇବା ଲାଗି ଲିଦ୍ଦର ଘାଟୀରେ ଏକ ଗୁଜ୍ଜର ବସ୍ତିରେ ଚାରି ମାସ ପାଇଁ ଯାତ୍ରା କରିଥାନ୍ତି । ଶିକ୍ଷକମାନେ ମଧ୍ୟ ନିଜ ସୀମିତ ସମ୍ବଳର ସର୍ବୋତ୍ତମ ଉପଯୋଗ କରିବା ପାଇଁ ଅଭିନବ ପଦ୍ଧତିର ପ୍ରୟୋଗ କରୁଛନ୍ତି । ଯେମିତି କୋଏମ୍ବାଟୁରର ବିଦ୍ୟା ବନମ୍ ସ୍କୁଲ୍ର ଶିକ୍ଷକଙ୍କ ଭଳି, ଯେଉଁମାନେ ନିଜ ଛାତ୍ରଛାତ୍ରୀଙ୍କୁ ଆନୁବଂଶିକ ରୂପରେ ପରିବର୍ତ୍ତିତ ଫସଲ ଉପରେ ବିତର୍କ କରିବା ଲାଗି ଅନୁପ୍ରାଣିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପିଲା ନିଜ ପରିବାରର ପ୍ରଥମ ପିଢ଼ି ଭାବେ ଇଂରାଜୀ କହୁଛନ୍ତି। କେବଳ ସେତିକି ନୁହେଁ ସେମାନେ ଇଂରାଜୀରେ ବିତର୍କ ମଧ୍ୟ କରୁଛନ୍ତି । ଜୈବିକ ଚାଉଳର ମହତ୍ୱ ଏବଂ ଆହୁରି ଅନେକ କଥା ଉପରେ ନିଜର ପକ୍ଷ ରଖୁଛନ୍ତି।
ଶ୍ରେଣୀଗୃହ ମଧ୍ୟକୁ ପ୍ରବେଶ କରନ୍ତୁ, ପରୀ ଲାଇବ୍ରେରୀ ପରିଦର୍ଶନ କରି ଅଧ୍ୟୟନର ପରିଣାମ ଉପରେ ବ୍ୟାପକ ଦୃଶ୍ୟ ଏବଂ ଭାରତରେ ଶିକ୍ଷାର ସ୍ଥିତିକୁ ନେଇ ଭଲ ଭାବେ ପରିଚିତ ହୁଅନ୍ତୁ । ଗ୍ରାମୀଣ ଶିକ୍ଷାର ଉପଲବ୍ଧତା, ଗୁଣବତ୍ତା ଓ ଶୂନ୍ୟସ୍ଥାନ ଉପରେ ଆମେ ରିପୋର୍ଟ ପ୍ରକାଶ କରୁଛୁ। ଲାଇବ୍ରେରୀରେ ଥିବା ପ୍ରତ୍ୟେକ ଦସ୍ତାବିଜରେ ଏକ ସଂକ୍ଷିପ୍ତ ସାରାଂଶ ରହିଛି ଯାହା ପ୍ରମୁଖ ନିଷ୍କର୍ଷଗୁଡ଼ିକ ଉପରେ ଆଲୋକପାତ କରିଥାଏ।







