୨୦ ଡିସେମ୍ବର, ୨୦୧୪ରେ ‘ପରୀ’ର ଆନୁଷ୍ଠାନିକ ଶୁଭାରମ୍ଭ ପରେ ଦଶ ବର୍ଷ ବିତିଗଲାଣି ।

ଆମର ସବୁଠାରୁ ବଡ଼ ସଫଳତା ? ଏ ପର୍ଯ୍ୟନ୍ତ ଆମେ ଏଇଠି ରହିଛୁ । ସ୍ୱାବଲମ୍ବୀ ସାମ୍ବାଦିକତାର ଏକ ୱେବସାଇଟ୍, ଯେ କି ବଞ୍ଚି ରହିଛି, ଏବଂ ଏମିତି ଏକ ପରିବେଶରେ ତିଷ୍ଠି ରହିଛି, ଯେଉଁଠି କର୍ପୋରେଟ୍ ଶକ୍ତି ହିଁ ଗଣମାଧ୍ୟମର ସର୍ବେସର୍ବା । ଏବେ ‘ପରୀ’ ଦୈନିକ ୧୫ଟି ଭାଷାରେ ପ୍ରକାଶିତ ହେଉଛି । ଏହା ହିଁ ହାତପାଣ୍ଠିରେ ଶୂନ ଜମା ନେଇ- ଲୋଡ଼ା ଯାଇ ନଥିବା କି ଦିଆଯାଇ ନଥିବା- ସରକାରୀ ପାଣ୍ଠି ବିନା ଗଠିତ ଗୋଟିଏ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟଧାରା । କୌଣସି ପ୍ରକାର ପ୍ରତ୍ୟକ୍ଷ କର୍ପୋରେଟ ଅନୁଦାନ କି ନିବେଶ ନାହିଁ, ବିଜ୍ଞାପନ ବାବଦ ରାଜସ୍ୱ (ଇଚ୍ଛାକୃତ ଭାବରେ) ନାହିଁ ଏବଂ ଏମିତି କୌଣସି ସଦସ୍ୟତା ଦେୟ ନାହିଁ ଯାହା କି ଅଧିକ ସଂଖ୍ୟକ ସେହି ବ୍ୟକ୍ତିମାନଙ୍କ ପାଖରୁ ଆଦାୟ କରାଯାଇଥାଆନ୍ତା, ଯେଉଁମାନେ ‘ପରୀ’କୁ ପଢ଼ନ୍ତୁ, ଦେଖନ୍ତୁ ଏବଂ ଶୁଣନ୍ତୁ ବୋଲି ଆମେ ଚାହୁଁଛୁ । କିନ୍ତୁ, ସାମ୍ବାଦିକ, ବୈଷୟିକ ବିଶେଷଜ୍ଞ, କଳାକାର, ଶିକ୍ଷାବିତ୍, ଏବଂ ଆହୁରି ଅନେକ ଅଙ୍ଗୀକାରବଦ୍ଧ ସ୍ୱେଚ୍ଛାସେବୀ ଏବଂ ସେମାନଙ୍କର ସ୍ୱେଚ୍ଛାକୃତ ତଥା ଦେୟମୁକ୍ତ ପରିଶ୍ରମ ବଳରେ ଗଠିତ ଏକ ବିଶାଳ ନେଟୱର୍କ । ଏବଂ ‘ପରୀ’ର ସ୍ୱାଧୀନତାକୁ ହ୍ରାସ କରିବାକୁ ଆଦୌ ଚାହୁଁ ନଥିବା ସାଧାରଣ ଲୋକ, ବିଭିନ୍ନ ଟ୍ରଷ୍ଟି ଏବଂ ସଂସ୍ଥାର ଉଦାରତାପୂର୍ଣ୍ଣ ଅବଦାନରେ ଏହା ଗଠିତ ।

ନିଷ୍ଠାପର ଏବଂ ବହୁ ପରିଶ୍ରମୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ପିପୁଲ୍’ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ ଏବେ ଏକମାତ୍ର ୱେବସାଇଟ୍, ଯାହା ଭାରତର ପ୍ରାକୃତିକ-ଭୌଗୋଳିକ କିମ୍ବା ଐତିହାସିକ ଭାବେ ବିବର୍ତ୍ତିତ ପ୍ରାୟ ୯୫ଟି କ୍ଷେତ୍ରରୁ ସୁବ୍ୟବସ୍ଥିତ ଢଙ୍ଗରେ ଖବର ସଂଗ୍ରହ କରିବାରେ ଅହରହ ଉଦ୍ୟମରତ । ସାମ୍ବାଦିକତାର ଏଭଳି ଏକ ସାଇଟ୍, ଯାହା ଗ୍ରାମୀଣ ଭାରତର ପାଖାପାଖି ୯୦ କୋଟି ଲୋକ, ସେମାନଙ୍କ ଜୀବନ ଏବଂ ଜୀବିକା, ସେମାନଙ୍କ ସଂସ୍କୃତି, ସେମାନଙ୍କର ପ୍ରାୟ ୮୦୦ଟି ଭିନ୍ନ ଭିନ୍ନ ଭାଷା ପ୍ରତି ସଂପୂର୍ଣ୍ଣ ଉତ୍ସର୍ଗୀକୃତ । ସାଧାରଣ ଲୋକଙ୍କର ନିତିଦିନିଆ ଜୀବନ ସଂପର୍କିତ ଖବର ପରିବେଷଣ ଲାଗି ଅଙ୍ଗୀକାରବଦ୍ଧ । ଏହା ହେଉଛି ପାଖାପାଖି ଶହେ କୋଟି ମଣିଷଙ୍କର କାହାଣୀ ଶୁଣାଇବାର ଉପକ୍ରମ - ଯେହେତୁ ଆମେ ସଶକ୍ତ ଢଙ୍ଗରେ ଶୁଣାଇ ଥାଉ ସହରୀ ଭାରତର ବହୁସଂଖ୍ୟକ ଗ୍ରାମୀଣ ପ୍ରବାସୀଙ୍କ ଜୀବନ ବୃତ୍ତାନ୍ତ ।

ଆରମ୍ଭରୁ ହିଁ ଏହାର ପ୍ରତିଷ୍ଠାତାମାନଙ୍କର ଚିନ୍ତାଧାରା ବେଶ୍ ସ୍ପଷ୍ଟ ଥିଲା ଯେ, ଆମେ ଏଭଳି ଏକ ‘ପରୀ’ ଗଢ଼ି ତୋଳିବାକୁ ଚାହିଁଥିଲୁ, ଯାହା ଉଭୟ ସାମ୍ବାଦିକତାର ଏକ ସାଇଟ୍ ଏବଂ ଜୀବନ ଓ ଜୀବନଧାରାର ଏକ ଅଭିଲେଖାଗାର ରୂପେ ଉଭା ହେବ । ଏବଂ ଆମେ ଏଭଳି ଏକ ସାଇଟ୍ ଚାହିଁଥିଲୁ, ଯେଉଁଥିରେ କେବଳ ଏକ କର୍ପୋରେଟ୍-ପରିଭାଷିତ ‘ପେସାଦାର’ ଗଣମାଧ୍ୟମର ଗତାନୁଗତିକ ସିଦ୍ଧାନ୍ତ ଭିତ୍ତିକ ତଥ୍ୟ ହାସଲକାରୀ ସାମ୍ବାଦିକତା ସ୍ଥାନ ପାଇବ ନାହିଁ । କିନ୍ତୁ ଏହା ମାନବିକତା, ବିଜ୍ଞାନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବିଜ୍ଞାନର ନିଷ୍ଠାପର ଉଗ୍ରତା, ଜ୍ଞାନ ଓ ଶକ୍ତିରେ ସମୃଦ୍ଧ ଏକ ସାମ୍ବାଦିକତା । ପ୍ରଥମ ଦିନରୁ ହିଁ ଆମେ ଯେ କେବଳ ଅତି ଅନୁଭୂତି ସଂପନ୍ନ ସାମ୍ବାଦିକମାନଙ୍କୁ ଏକତ୍ର କଲୁ ତାହା ନୁହେଁ, ବରଂ ବିଭିନ୍ନ ଅନ୍ୟାନ୍ୟ କ୍ଷେତ୍ରରେ ଅଭିଜ୍ଞ ଅଣ-ସାମ୍ବାଦିକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଇଲୁ ।

ତାହା ଥିଲା ଭ୍ରାନ୍ତି, ବିବାଦ, ଭୁଲ ବୁଝାମଣା, ଯୁକ୍ତିତର୍କ (ବେଳେବେଳେ ତିକ୍ତ), ଏବଂ ପରିଶେଷରେ ଅସାଧାରଣ ସଫଳତାର ଏକ ଅବତାରଣା ଏବଂ ଏବେ ବି ରହିଛି । ଯେଉଁ ଗୋଟିଏ ନୀତି ଭିତ୍ତିରେ ସମଗ୍ର ସମ୍ମିଳିତ ଭାବଧାରାକୁ ହୃଦୟଙ୍ଗମ କରାଯାଇଥିଲା ଏବଂ ଯେଉଁଥିରେ ସମ୍ମତି ପ୍ରକାଶ ପାଇଥିଲା ତାହା ହେଉଛି: ବିଷୟବସ୍ତୁ ଉପରେ ଆମ ନିଜ ମତାମତର ପତିଆରା ଆଦୌ ରହିବ ନାହିଁ । ଏହା ହେବ ସେହି ସାଧାରଣ, ନିତିଦିନିଆ ଭାରତୀୟମାନଙ୍କର ସ୍ୱର । ବିଭିନ୍ନ କ୍ଷେତ୍ରରେ ଖବର ସଂଗ୍ରହ କରୁଥିବା ଆମ ଖବରଦାତାମାନଙ୍କୁ ଆଚରଣ ବିଧି ସଂପର୍କିତ ଗୋଟିଏ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନଙ୍କ ଲେଖାରେ, ନିଜର ନୁହେଁ, ବରଂ ଲୋକମାନଙ୍କର କଣ୍ଠସ୍ୱର ପ୍ରତିଧ୍ୱନିତ ହେବା ଆବଶ୍ୟକ । ଆମେ ଲୋକଙ୍କ ଖବର ପ୍ରକାଶ କରୁ, ବୁଲେଟିନ୍ ପ୍ରକାଶ କରୁନାହିଁ, ଶିକ୍ଷାମୂଳକ କିମ୍ବା ଅମଲାତାନ୍ତ୍ରିକ ରିପୋର୍ଟ ପ୍ରସାରଣ କରୁନାହିଁ । ଯେତେଦୂର ଯାଏଁ ସମ୍ଭବ ଆମେ ଚାଷୀ, ବନବାସୀ, ଶ୍ରମିକ, ବୁଣାକାର, ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଅନେକ ଜୀବିକାର ଲୋକଙ୍କ ଜୀବନ କାହାଣୀ ଶୁଣାଇବାକୁ, ଏମିତି କି ସେମାନେ ନିଜେ ନିଜର କାହାଣୀ ଲେଖିବା ଲାଗି ଉଦ୍ୟମ କରୁ । ଏପରି କି ବୋଧହୁଏ ସେମାନଙ୍କ ଗାଇବା ପାଇଁ ବି ।

PHOTO • Jayamma Belliah
PHOTO • Jayamma Belliah

ସାମ୍ବାଦିକତା କ୍ଷେତ୍ରରେ ‘ପରୀ’ ଏକମାତ୍ର ସାଇଟ୍, ଯାହା ଗ୍ରାମୀଣ ଭାରତ ଏବଂ ଏହାର ଲୋକମାନଙ୍କ ପ୍ରତି ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ସର୍ବଦା ସେମାନଙ୍କର କାହାଣୀ କହିଥାଏ । ଏହି ଫଟୋଟି ବାନ୍ଦିପୁର ଜାତୀୟ ଉଦ୍ୟାନ ସଂଲଗ୍ନ ଅନାଜିହୁଣ୍ଡି ଗାଁରେ ରହୁଥିବା ଜଣେ ଜେନୁ କୁରୁବା ଆଦିବାସୀ ମହିଳା, ଜୟାମ୍ମା ବେଲିଆଙ୍କର, ଯେ କି ନିଜେ ନିଜର ଏବଂ ନିଜ ଦୃଷ୍ଟିରେ ନିଜ ଦିନଚର୍ଯ୍ୟାର ଫଟୋଗୁଡ଼ିକ ଉଠାଇଛନ୍ତି, ଯେଉଁଥିରେ ସାମିଲ ହୋଇଛି ଗୋଟିଏ ବିଶ୍ରାମରତ ଚିତାବାଘ

PHOTO • P. Indra
PHOTO • Suganthi Manickavel

‘ପରୀ’ର ଖବର ସଂଗ୍ରହ ପରିସରରେ ସ୍ଥାନ ପାଇଥାଏ ସଫେଇ କର୍ମୀ ଏବଂ ମତ୍ସ୍ୟଜୀବୀଙ୍କ ଭଳି ଗ୍ରାମୀଣ ଭାରତରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଜୀବିକା । ବାମ: ତାଙ୍କ ବାପାଙ୍କର ଫଟୋ ଉଠାଉଛନ୍ତି ପି. ଇନ୍ଦ୍ର, ତାଙ୍କ ବାପା ମଦୁରାଇର ଜଣେ ସଫେଇ କର୍ମୀ ଯେ କି କୌଣସି ସୁରକ୍ଷା ଉପକରଣ ବିନା ଅଳିଆ ଆବର୍ଜନା ସଫା କରିଥାଆନ୍ତି । ଡାହାଣ: ତାମିଲନାଡୁର ନାଗପଟ୍ଟିନମରେ ଚିଙ୍ଗୁଡ଼ି ଧରିବା ପାଇଁ ବସିଥିବା ଜାଲ ଟାଣୁଥିବା ଅବସ୍ଥାରେ ମତ୍ସ୍ୟଜୀବୀ ସଂପ୍ରଦାୟର ଶକ୍ତିବେଲ ଓ ବିଜୟଙ୍କର ଫଟୋ ଉଠାଉଛନ୍ତି ସେହି ସଂପ୍ରଦାୟର ସୁଗନ୍ଥି ମାନିକାବେଲ

ଏବଂ ଏ ସାଇଟରେ ଆଜି ଆମ ପାଖରେ କ’ଣ ରହିଛି – କେବଳ ପାଠ୍ୟ ନିବନ୍ଧ ହିସାବରେ ୨,୦୦୦ରୁ ଅଧିକ ପୂର୍ଣ୍ଣାଙ୍ଗ ଆଲେଖ୍ୟ, ସେଥିରୁ ବେଶ୍ କେତୋଟି ପୁରସ୍କୃତ ବିଜୟୀ ଶୃଙ୍ଖଳା ଅନ୍ତର୍ଭୁକ୍ତ, ଯାହାକୁ ଆମେ ୧୫ଟି ଭାଷାରେ ଆମ ପାଠକଙ୍କ ପାଖରେ ପହଞ୍ଚାଇ ଥାଉ । ଶହ ଶହ ଜୀବିକା ସମ୍ବଳିତ କାହାଣୀ (ସେଥିରୁ କେତେକ ବିଲୁପ୍ତପ୍ରାୟ ସ୍ଥିତିରେ), ଚାଷୀ ଆନ୍ଦୋଳନ, ଜଳବାୟୁ ପରିବର୍ତ୍ତନ, ଲିଙ୍ଗଭିତ୍ତିକ ଏବଂ ଜାତିଆଣ ଅନ୍ୟାୟ ଏବଂ ହିଂସା, ସଙ୍ଗୀତ ଏବଂ ଗୀତର ସଂଗ୍ରହାଗାର, ପ୍ରତିରୋଧର କବିତା, ପ୍ରତିବାଦର ଚିତ୍ର ।

ଆମ ପାଖରେ ଅଛି ଏକ ‘ପରୀ’ ଶିକ୍ଷା ବିଭାଗ, ଯେଉଁଥିରେ ରହିଛି ଶିକ୍ଷାର୍ଥୀ ରିପୋର୍ଟରମାନଙ୍କର ପ୍ରାୟ ୨୩୦ଟି ଲେଖା । ‘ପରୀ’ର ଶିକ୍ଷା ବିଭାଗ ଖୁବ୍ ଆଦୃତି ହାସଲ କରିଛି ଏବଂ ଶହ ଶହ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଖରେ ଏହାର ଚାହିଦା ବେଶ୍ ଅଧିକ । ମୋ ଗଣନାଠାରୁ ବହୁ ଅଧିକ ସଂଖ୍ୟକ ଶିକ୍ଷାନୁଷ୍ଠାନରେ ଏହା କର୍ମଶାଳା, ପ୍ରଶିକ୍ଷଣ ଅଧିବେଶନ ଏବଂ ଅଧ୍ୟାପନା ଆୟୋଜନ କରିସାରିଛି । ଏହା ସହିତ, ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ‘ପରୀ’ର ପ୍ରୟାସ ନୂତନ ପିଢ଼ି ପାଖରେ ଉପନୀତ ହୋଇଛି । ଆମ ଇନଷ୍ଟାଗ୍ରାମ ପେଜ୍ ଚିତ୍ତାକର୍ଷକ ସଫଳତା ହାସଲ କରିଛି, ଏହାର ଅଛନ୍ତି ୧୨୦,୦୦୦ ଫଲୋଅର ।

ଆମର ଏକ ସୃଜନଶୀଳ ଲେଖା ଓ କଳା ବିଭାଗ ରହିଛି, ଯାହା କି ଅତ୍ୟନ୍ତ ସମ୍ମାନ ଅର୍ଜନ କରିପାରିଛି । ସୃଜନଶୀଳ ବିଭାଗରେ ସ୍ଥାନ ପାଇଛନ୍ତି କେତେକ ଅସାଧାରଣ ପ୍ରତିଭା । ଲୋକଗୀତ କଳାକାର ଓ ଗାୟକଙ୍କଠାରୁ ଆରମ୍ଭ କରି ପ୍ରତିଭାଦୀପ୍ତ ଚିତ୍ରକର, ଏବଂ ଏକ ଅନନ୍ୟ (ଏବଂ ସର୍ବପ୍ରଥମ) ଆଦିବାସୀ ଶିଶୁମାନଙ୍କର କଳାକୃତୀ ସଂଗ୍ରହାଗାର ପର୍ଯ୍ୟନ୍ତ ।

‘ପରୀ’ ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରଚଳିତ ଲୋକଗୀତ ପରିବେଷଣ କରିଥାଏ – ଯେଉଁଥିରେ ସ୍ଥାନ ପାଇଥିବା ‘ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟ’ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି । ସମ୍ଭବତଃ କୌଣସି ଭାରତୀୟ ୱେବସାଇଟ୍ ତୁଳନାରେ ଆମର ଲୋକଗୀତ ସଂଗ୍ରହ ସର୍ବାଧିକ ।

ଏହି ଦଶ ବର୍ଷ ଭିତରେ, ‘ପରୀ’ ପ୍ରକାଶ କରିଛି ବିଭିନ୍ନ ଲେଖା ଓ ଭିଡିଓର ଏକ ବିସ୍ମୟକର ବିନ୍ୟାସ, ଯେଉଁଥିରେ ରହିଛି, କୋଭିଡ୍- ୧୯ ସମୟ, ସ୍ୱାସ୍ଥ୍ୟସେବା, ପ୍ରବାସନ, ଲୁପ୍ତପ୍ରାୟ କୌଶଳ ଓ ଜୀବିକା । ଅସରନ୍ତି ଏହି ତାଲିକା ।

ଏହି ଦଶ ବର୍ଷରେ, ‘ପରୀ’ ୮୦ଟି ପୁରସ୍କାର, ସ୍ୱୀକୃତି ଓ ସମ୍ମାନ ଲାଭ କରିଛି । ସେଥିରେ ରହିଛି ୨୨ଟି ଅନ୍ତର୍ଜାତୀୟ ପୁରସ୍କାର । ହଁ, ଏହି ୮୦ଟିରୁ ବର୍ତ୍ତମାନ କେବଳ ୭୭ଟି ସଂପର୍କରେ ଆମ ୱେବସାଇଟରେ ଉଲ୍ଲେଖ କରାଯାଇଛି – କାରଣ ସଂଗଠକ ସଂସ୍ଥାମାନଙ୍କର ଅନୁମତି ପାଇବା ପରେ ହିଁ ବାକି ତିନିଟି ସଂପର୍କରେ ଘୋଷଣା କରାଯାଇପାରିବ । ଏହାର ଅର୍ଥ ଯେ ଏହି ଦଶନ୍ଧିରେ ଆମେ ହାରାହାରି ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ପୁରସ୍କାର ହାସଲ କରିଛୁ । ପ୍ରମୁଖ ‘ମୁଖ୍ୟଧାରା’ର କୌଣସି ପ୍ରକାଶନ ସଂସ୍ଥା ଆମର ଏହି ସଫଳତା ସ୍ତରର ନିକଟବର୍ତ୍ତୀ ହୋଇ ପାରିନାହାନ୍ତି ।

PHOTO • Shrirang Swarge
PHOTO • Rahul M.

ଚାଷୀ ଆନ୍ଦୋଳନ ଓ କୃଷି କ୍ଷେତ୍ରରେ ସଂକଟ ସଂପର୍କିତ ଖବରକୁ ବ୍ୟାପକ ଭାବରେ ପ୍ରସାରିତ କରିଛି ଏହି ୱେବସାଇଟ୍ । ବାମ : ବୈଧାନିକ ସର୍ବନିମ୍ନ କିଣାମୂଲ୍ୟ (ଏମଏସପି) ନିର୍ଦ୍ଧାରଣ ଏବଂ ଦେଶରେ ଉପୁଜୁଥିବା କୃଷି ସଂକଟ ସଂପର୍କରେ ଆଲୋଚନା ନିମନ୍ତେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି ନେଇ ୨୦୧୮ ରେ ଦିଲ୍ଲୀର ରାମଲୀଲା ମଇଦାନ ଅଭିମୁଖେ ପଦଯାତ୍ରା କରୁଥିବା ମଧ୍ୟ ପ୍ରଦେଶର କୃଷକମାନେ। ଡାହାଣ : କୋଡ଼ିଏ ବର୍ଷ ତଳେ, ଆନ୍ଧ୍ର ପ୍ରଦେଶର ରୟଲସୀମା ଅଞ୍ଚଳର ପୂଜାରୀ ଲିଙ୍ଗାନ୍ନାଙ୍କୁ ସିନେମା ସୁଟିଂ ପାଇଁ ଜମିରୁ ଗଛ ଉପାଡ଼ିବାକୁ ପଡ଼ିଥିଲା । ଆଜି, ସମୟ ଓ ମାନବୀୟ କାର୍ଯ୍ୟକଳାପ କାରଣରୁ ସେ ଅଞ୍ଚଳରେ ସେହି ସମାନ ମରୁ ଅଞ୍ଚଳ ସଦୃଶ  ସ୍ଥିତି ସୃଷ୍ଟି ହୋଇଛି

PHOTO • Labani Jangi

ଆମର ସୃଜନଶୀଳ ଲେଖା ଓ କଳା ବିଭାଗର ଆର୍କାଇଭ ଅଫ ଆଦିବାସୀ ଚିଲଡ୍ରେନ୍ ସ ଆର୍ଟ ରେ ଓଡ଼ିଶାର ଛୋଟ ଛୋଟ ଆଦିବାସୀ ପିଲାମାନଙ୍କର କୃତି ମଧ୍ୟ ସ୍ଥାନ ପାଇଛି । ବାମ : ତାଙ୍କ ଚିତ୍ରକଳା ସଂପର୍କରେ କହନ୍ତି ଷ୍ଠ ଶ୍ରେଣୀରେ ପଢୁଥିବା ଚିତ୍ରକର ଅଙ୍କୁର ନାୟକ : ଥରେ ଆମ ଗାଁକୁ କେତେକ ହାତୀ ଓ ମାଙ୍କଡ଼ଙ୍କୁ ଅଣାଯାଇଥିଲା । ସେମାନଙ୍କୁ ଦେଖି ମୁଁ ଏହି ଚିତ୍ର ଆଙ୍କିଛି। ଡାହାଣ : ଅନେକ ଚିତ୍ରକରଙ୍କର ଦକ୍ଷତା ଆମ ପୃଷ୍ଠାଗୁଡ଼ିକରେ ସ୍ଥାନ ପାଇଥାଏ । ଲବଣୀ ଜାଙ୍ଗିଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର : ଲକଡାଉନ୍ ସମୟର ରାଜପଥ ଉପରେ ଜଣେ ବୃଦ୍ଧା ଓ ତାଙ୍କ ପୁତୁରା

କାହିଁକି ଏକ ‘ପିପୁଲ୍’ସ ଆର୍କାଇଭ୍’ ?’

ଐତିହାସିକ ଦୃଷ୍ଟିକୋଣରୁ – ଶିକ୍ଷିତ ବର୍ଗର ଏକ କଳ୍ପନାବିଳାସୀ ପ୍ରତ୍ୟକ୍ଷାନୁଭୂତିର ବିରୋଧାଭାସ ରୂପରେ- ଅଭିଲେଖାଗାର ଏବଂ ପୁରାତନ ପାଠାଗାରଗୁଡ଼ିକ ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଜ୍ଞାନର ଏକ ଭଣ୍ଡାର ନୁହେଁ । ସେଗୁଡ଼ିକ ଥିଲେ (ଏବଂ ଏବେ ବି ଅଧିକାଂଶ ସେହିଭଳି ଅଛନ୍ତି ) ଆଭିଜାତ୍ୟସଂପନ୍ନ ଏବଂ ବହିଷ୍କରଣବାଦୀଙ୍କର । (ଅତ୍ୟନ୍ତ ରୋଚକ ଭାବରେ, ଏହା କିଛିଟା ଏହିଭଳି ଥିଲା ଯାହାକୁ ‘ ଦ ଗେମ ଅଫ୍ ଥ୍ରୋନସ ’ ଠିକ୍ ଭାବିଥିଲେ । ଏକ ଅପହଞ୍ଚ କୋଠରି ଭିତରେ ଲୁଚାଇ ରଖାଯାଇଥିବା କେତେକ ନିଷିଦ୍ଧ ପାଠ୍ୟପୁସ୍ତକକୁ ପାଇବା ଲାଗି ସାମୱେଲ ଟାର୍ଲି ସଂଘର୍ଷ କରନ୍ତି । ବାସ୍ତବରେ, ସେହି ବହିଗୁଡ଼ିକ ‘ ଆର୍ମି ଅଫ୍ ଦ ଡେଡ୍ ’ ବିରୋଧରେ ଯୁଦ୍ଧକୁ ଏଡ଼ାଇ ଯିବାରେ ସକ୍ଷମ ହୁଅନ୍ତି) ।

ଆଲେକଜାଣ୍ଡ୍ରିଆ, ନାଳନ୍ଦା ଭଳି ପୁରାତନ ପାଠାଗାର ଏବଂ ଜ୍ଞାନର ଅନ୍ୟାନ୍ୟ ବିଶାଳ ଭଣ୍ଡାର କେବେହେଲେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁ ନଥିଲା ।

ଅନ୍ୟ ଭାଷାରେ, ପ୍ରାୟ ସବୁ ସମୟରେ ଅଭିଲେଖାଗାରଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଉପରେ ସରକାରୀ ନିୟନ୍ତ୍ରଣ ଏବଂ ଦୋଷଗୁଣ ସମୀକ୍ଷାକାରୀ ସଂସ୍ଥା ଭଳି ରହୁଥିଲା ଏବଂ ସାଧାରଣ ଲୋକଙ୍କୁ ଏଥିରୁ ଦୂରେଇ ରଖାଯାଉଥିଲା । ୬୨ ବର୍ଷ ତଳେ- ୧୯୬୨ରେ ଭାରତ ଓ ଚୀନ ମଧ୍ୟରେ ସୀମା ପାଇଁ ଯୁଦ୍ଧ ହୋଇଥିଲା । ଆଜି ପର୍ଯ୍ୟନ୍ତ ଆମେ ସେହି ବିବାଦ ସଂପର୍କିତ ନଥିପତ୍ର ପାଇବାରେ ଅସମର୍ଥ । ନାଗାସାକିରେ ବୋମାମାଡ଼ ପରବର୍ତ୍ତୀ ସ୍ଥିତିର ଦୃଶ୍ୟ ଉତ୍ତୋଳନ କରିଥିବା ସାମ୍ବାଦିକମାନଙ୍କୁ ଆମେରିକାର ସାମରିକ ବାହିନୀ ପାଖରେ ଥିବା ସେହି ଦୃଶ୍ୟାବଳୀ ହାସଲ କରିବା ଲାଗି ଅନେକ ଦଶନ୍ଧି ଧରି ସଂଗ୍ରାମ କରିବାକୁ ପଡ଼ିଥିଲା । ଭବିଷ୍ୟତର ଆଣବିକ ଯୁଦ୍ଧରେ ଲଢ଼ିବା ଲାଗି ଆମେରିକୀୟ ସୈନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ସକାଶେ ଆମେରିକା ସାମରିକ ବାହିନୀର ମୁଖ୍ୟାଳୟ ପେଣ୍ଟାଗନ ସେହି ସବୁ ଦୃଶ୍ୟାବଳୀକୁ ନିଜ ଅକ୍ତିଆରରେ ଏବଂ ଅନ୍ୟମାନଙ୍କଠାରୁ ଦୂରରେ ରଖିଥିଲା ।

ଅଧିକନ୍ତୁ, ‘ବ୍ୟକ୍ତିଗତ ସଂଗ୍ରହ’ ନାମରେ ଅଭିହିତ ଏଭଳି ଅନେକ ଅଭିଲେଖାଗାର ଏବଂ ଅନଲାଇନ୍ ଲାଇବ୍ରେରୀ/ବ୍ୟକ୍ତିଗତ ମାଲିକାନାରେ ରହିଥିବା ଅଭିଲେଖାଗାର ରହିଛି, ଯେଉଁଗୁଡ଼ିକରେ ଗଚ୍ଛିତ ବିଷୟବସ୍ତୁ ସାଧାରଣ ଲୋକଙ୍କ ପାଇଁ ବେଶ୍ ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ସେଗୁଡ଼ିକୁ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ କରାଯାଇଛି ।

ତେଣୁ, ‘ପିପୁଲ୍’ସ ଆର୍କାଇଭ୍’ ବା ସାଧାରଣ ଲୋକଙ୍କ ପାଇଁ ଏକ ଅଭିଲେଖାଗାରର ଆବଶ୍ୟକତା ରହିଛି । ଏମିତି ଏକ ଅଭିଲେଖାଗାର, ଯାହା କୌଣସି ସରକାର କିମ୍ବା ନିଗମ ନିୟନ୍ତ୍ରଣରେ ନଥିବ କିମ୍ବା ସେମାନଙ୍କ ପ୍ରତି ଉତ୍ତରଦାୟୀ ହେଉ ନଥିବ । ଯାହା କେବଳ, ଆମେ ଯେଉଁମାନଙ୍କୁ ଖବର ପରିସରରେ ରଖୁଛୁ, ସେହି ଲୋକମାନଙ୍କ ପାଖରେ ଉତ୍ତରଦାୟୀ ହେଉଥିବ । ସମାଜରେ ଓ ଗଣମାଧ୍ୟମରେ ନିଷ୍ପେଷିତ ଲୋକମାନଙ୍କ ପାଖରେ ।

ଦେଖନ୍ତୁ: ‘ମାଇଁ ହଜବ୍ୟାଣ୍ଡ ହାଜ ଗନ୍ ଟୁ ଏ ଫାରଆୱେ ପ୍ଲେସ୍ ଇନ୍ ସର୍ଚ୍ଚ ଅଫ୍ ୱାର୍କ...’

ବର୍ତ୍ତମାନର ଗଣମାଧ୍ୟମ ଜଗତରେ ତିଷ୍ଠି ରହିବା, ଆପଣଙ୍କ ବିଶ୍ୱାସ ତୁଳନାରେ ବହୁ ଅଧିକ କଷ୍ଟକର । ଆମ ନିକଟରେ ‘ପରୀ’ର ଏମିତି ଏକ ସମାଜ ରହିଛି, ଯାହା ସର୍ବଦା ନୂଆ, ଅନନ୍ୟ ପରିକଳ୍ପନାକୁ ରୂପରେଖ ଦିଏ ଏବଂ ଆମକୁ ଠିକ୍ ଏହା ହିଁ କରିବାକୁ ପଡ଼ିଥାଏ । ଏବଂ ଆମେ, ପ୍ରାୟତଃ ସ୍ୱଳ୍ପ ପ୍ରସ୍ତୁତି ସହିତ ଏମିତିକା ଗୋଟିଏ କିମ୍ବା ଆଉ ଗୋଟିଏ ପରିକଳ୍ପନାର ଅନୁସରଣ କରିଥାଉ । ଆସନ୍ତୁ, ଆଉ ଏକ ଭାଷାକୁ ସାମିଲ କରିବା । ଆସନ୍ତୁ, ଭାରତର ପରିଚୟ ବହନକାରୀ ବିବିଧତାର ଆକଳନ କରିବା – ଦେଶର ପ୍ରତ୍ୟେକ ଜିଲ୍ଲାରୁ (ଏବେ ପ୍ରାୟ ୮୦୦) ସାଧାରଣ ଭାରତୀୟଙ୍କ ଫଟୋଚିତ୍ର ସଂଗ୍ରହ କରିବା । ଧେତ୍, କେବଳ ପ୍ରତ୍ୟେକ ଜିଲ୍ଲା କାହିଁକି, ପ୍ରତି ଜିଲ୍ଲାର ପ୍ରତିଟି ବ୍ଲକରେ ଆମେ ଏହା କରିବା

ଏବେ ଆମେ ଶହ ଶହ ଜିଲ୍ଲା ଓ ବ୍ଲକରୁ ସଂଗୃହୀତ ୩,୨୩୫ ‘ଫେସେସ୍’ ବା ଚେହେରାକୁ ଆମ ସାଇଟରେ ରଖିଛୁ ଏବଂ ଏଥିରେ ଆମେ ନିୟମିତ ଭାବେ ସାମିଲ କରି ଚାଲିଛୁ । ଆମ ପାଖରେ, ‘ପରୀ’ର ୱେବସାଇଟରେ ପ୍ରାୟ ୫୨୬ଟି ଭିଡିଓ ମଧ୍ୟ ରହିଛି ।

ସେହି ସବୁ ସୁନ୍ଦର ‘ଫେସେସ୍’ ବା ଚେହେରା ବ୍ୟତୀତ, ‘ପରୀ’ ୨୦,୦୦୦ରୁ ଅଧିକ ଚମତ୍କାର ଫଟୋଗ୍ରାଫ (ଏ ପର୍ଯ୍ୟନ୍ତ ଆମେ ଠିକ୍ ସଂଖ୍ୟା ନିର୍ଦ୍ଧାରଣକୁ ଅପେକ୍ଷା କରିଛୁ) ପ୍ରକାଶ କରିଛି । ଆମେ ଏକ ଦୃଶ୍ୟ ସମ୍ବଳିତ ୱେବସାଇଟ୍ ହିସାବରେ ନିଜକୁ ନେଇ ଗର୍ବ ଅନୁଭବ କରୁ। ଏବଂ ଭାରତର କେତେକ ସର୍ବୋତ୍ତମ ଫଟୋଗ୍ରାଫର ଓ ଚିତ୍ରକରଙ୍କୁ ଏହି ମଞ୍ଚରେ ସ୍ଥାନ ଦେଇଛୁ ବୋଲି ସଗର୍ବେ ଦାବି କରିଥାଉ।

ଆସନ୍ତୁ ଆମେ ‘ପରୀ’ର ଲାଇବ୍ରେରୀକୁ ସଂପ୍ରସାରିତ କରିବା – ଯାହା କି କେବଳ ବହି ଉଧାର ଦେଇ ନଥାଏ, ବରଂ ମାଗଣାରେ ଦେଇଥାଏ । ଆମ ପାଠାଗାରରେ ଥିବା ଯେ କୌଣସି ବିଷୟକୁ ଆପଣ ଡାଉନଲୋଡ୍ କରି ପାରିବେ ଏବଂ ପ୍ରିଣ୍ଟଆଉଟ୍ ନେଇପାରିବେ ।

ଆସନ୍ତୁ, ଆମେ ଦେଶର ବିଭିନ୍ନ ଭାଗରେ ରହୁଥିବା ବୁଣାକାରମାନଙ୍କ ଉପରେ ସର୍ବୋତ୍ତମ ରିପୋର୍ଟ ସମୂହର ସଂକଳନ ସୃଷ୍ଟି କରିବା । ଆସନ୍ତୁ, ଆମେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ସେହି ରିପୋର୍ଟ ପ୍ରସ୍ତୁତ କରିବା ଯାହା ବାସ୍ତବରେ ରିପୋର୍ଟ । ଯାହା ଏହାର ପ୍ରଭାବକୁ ଅଙ୍ଗେ ନିଭାଉଥିବା ବ୍ୟକ୍ତିଙ୍କ ନିଜସ୍ୱ ଅନୁଭୂତିକୁ ଅଗ୍ରାଧିକାର ପ୍ରଦାନ ପ୍ରକ୍ରିୟାକୁ କ୍ରିୟାଶୀଳ କରାଇବ । କେବଳ ଅବୋଧ୍ୟ ବୈଜ୍ଞାନିକ ଓ ବୈଷୟିକ ତଥ୍ୟ ସମ୍ବଳିତ ରିପୋର୍ଟ ନୁହେଁ, ଯାହାକୁ ଦେଖି ପାଠକମାନଙ୍କର ମନେ ହେଉଥିବ ଯେ ଏହା ସେମାନଙ୍କର ଆୟତ୍ତାଧୀନ ବିଷୟ ନୁହେଁ । ଆମେ ଏଭଳି ବୈଜ୍ଞାନିକ-ବୈଷୟିକ ରିପୋର୍ଟକୁ ‘ପରୀ’ ଲାଇବ୍ରେରୀରେ ସ୍ଥାନ ଦେଇଥାଉ ସତ- କିନ୍ତୁ ଏ ବିଷୟର ସାରକଥା ଏବଂ ଘଟଣାକ୍ରମ ସଂପର୍କିତ ସୂଚନା ମଧ୍ୟ ପ୍ରଦାନ କରିଥାଉ, ଯାହା ଯୋଗୁଁ ରିପୋର୍ଟରେ କ’ଣ କହିବାକୁ ଚେଷ୍ଟା କରାଯାଇଛି ବୋଲି ଯେ କେହି ବୁଝିବାରେ ସମର୍ଥ ହେବେ । ଏହି ଲାଇବ୍ରେରୀରେ ୯୦୦ ଏଭଳି ରିପୋର୍ଟ ରହିଛି, ଯାହା ସହିତ ସାରକଥା ଏବଂ ଘଟଣା ସଂପର୍କିତ ସୂଚନା ଦିଆଯାଇଛି । ଏଥିପାଇଁ ଯେଉଁ ଧରଣର ପ୍ରୟାସ ଆବଶ୍ୟକ ହୋଇଥାଏ, ତାହା ବିଶାଳ ଆକାରର ।

ବାମ : ‘ ପରୀ ଲାଇବ୍ରେରୀ ସବୁ ପାଠକଙ୍କୁ ଏହାର ସବୁ ବହିପତ୍ର ପଢ଼ିବାର ସୁଯୋଗ ଦିଏ । ଡାହାଣ : ‘ ଫେସେସ୍ ରେ ଭାରତରେ ମୁଖମଣ୍ଡଳର ବୈଚିତ୍ର୍ୟ ଆକଳନ କରେ ପରୀ

ଦଶ ବର୍ଷ କାଳ ତିଷ୍ଠି ରହିବା କଥାକୁ ବାଦ୍ ଦେଲେ, ବୋଧହୁଏ ଆମର ସବୁଠାରୁ ବଡ଼ ସଫଳତା ଆମର ଭାଷାଗତ ବିବିଧତାରେ ନିହିତ । ଆମେ ଜାଣୁ ଯେ ବିଶ୍ୱର କୌଣସି ସାମ୍ବାଦିକତା ୱେବସାଇଟ୍ ଏହାର ସମୁଦାୟ ବିଷୟବସ୍ତୁକୁ ୧୫ଟି ଭାଷାରେ ଉପସ୍ଥାପନ କରି ନଥାଏ । ଅବଶ୍ୟ ବିବିସି ଭଳି କେତେକ ସଂସ୍ଥା ରହିଛନ୍ତି, ଯେଉଁମାନେ ସେମାନଙ୍କର ବିଷୟବସ୍ତୁକୁ ୪୦ଟି ପର୍ଯ୍ୟନ୍ତ ଭାଷାରେ ପ୍ରଦାନ କରିଥାଆନ୍ତି । କିନ୍ତୁ ବିଭିନ୍ନ ଭାଷାର ବିଷୟବସ୍ତୁ ମଧ୍ୟରେ ସମାନତା ରହି ନଥାଏ। ଉଦାହରଣତଃ ସେମାନେ ଇଂରାଜୀ ଭାଷାରେ ଯାହା ପ୍ରସାରଣ କରିଥାଆନ୍ତି, ତାହାର କେବଳ କିଛି ଅଂଶ ତାମିଲ ଭାଷାରେ ପ୍ରସାରଣ କରିଥାଆନ୍ତି । ‘ପରୀ’ରେ ଯଦି କୌଣସି ଲେଖା ନିର୍ଦ୍ଦିଷ୍ଟ ଏକ ଭାଷାରେ ପ୍ରକାଶିତ ହୁଏ, ତାହା ନିଶ୍ଚିତ ଭାବରେ ୧୫ଟି ଭାଷାରେ ପ୍ରକାଶିତ ହୋଇଥାଏ । ଏବଂ ଆମେ ଅଧିକରୁ ଅଧିକ ରିପୋର୍ଟରଙ୍କୁ ସେମାନଙ୍କ ମାତୃଭାଷାରେ ଲେଖିବାକୁ ଆମନ୍ତ୍ରଣ ଦେଇଥାଉ ଏବଂ ଆମର ବହୁଭାଷୀ ସଂପାଦକମାନେ ସେହି ଲେଖାକୁ ପ୍ରଥମେ ସେହି ଭାଷାରେ ସଂପାଦନ କରି ସେମାନଙ୍କ କାର୍ଯ୍ୟ ପ୍ରକ୍ରିୟା ଜାରି ରଖନ୍ତି ।

ଆମର ବିଶାଳ ଅନୁବାଦକ ଦଳ, ଭାରତୀୟ ଭାଷାର ସହକର୍ମୀ, ଆମ ‘ପରୀ’ ଭାଷା ଗୋଷ୍ଠୀକୁ ନେଇ ଆମେ ବାସ୍ତବରେ ଗର୍ବିତ । ସେମାନେ ଯେଉଁ କାମ କରନ୍ତି ତାହା ଅକଳ୍ପନୀୟ ଜଟିଳତା ସମ୍ବଳିତ ଏବଂ ମନକୁ ଦୋହଲାଇ ଦେବା ଭଳି ଅତିଶୟ ପରିମାଣର କାମ । ଏବଂ ବିଗତ ବର୍ଷଗୁଡ଼ିକରେ ଏହି ଗୋଷ୍ଠୀ ଆମକୁ ପାଖାପାଖି ୧୬,୦୦୦ ଲେଖାର ଅନୁବାଦ ପ୍ରଦାନ କରିଛନ୍ତି ।

ଏ ସବୁ ବ୍ୟତୀତ, ବିଲୁପ୍ତପ୍ରାୟ ଭାଷା ନିମନ୍ତେ ‘ପରୀ’ ଏକ ଆୟାସସାଧ୍ୟ ପ୍ରକଳ୍ପର ଅଗ୍ରଦୂତ ସାଜିଛି । ବିଗତ ୫୦ ବର୍ଷ ମଧ୍ୟରେ ପ୍ରାୟ ୨୨୫ଟି ଭାରତୀୟ ଭାଷା ଲୋପ ପାଇଯିବାକୁ ବସିଥିବା ବେଳେ, ସେଗୁଡ଼ିକୁ ନଥିଭୁକ୍ତ କରାଇବା ସହିତ ବିଲୁପ୍ତପ୍ରାୟ ଅବସ୍ଥାରେ ଥିବା ଅନ୍ୟ ଅନେକ ଭାଷାର ସଂରକ୍ଷଣ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।

ବିଗତ ଦଶ ବର୍ଷରେ ଆମେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୮୧ଟି ଜିଲ୍ଲାରୁ ରିପୋର୍ଟ ସଂଗ୍ରହ କରିଛୁ । ଏବଂ ଏହି ଧରଣର ବିଶାଳ କାର୍ଯ୍ୟ ସଂପାଦନରେ ବିଭିନ୍ନ ଭାଷାର ରିପୋର୍ଟର, ଲେଖକ, କବି, ଫଟୋଗ୍ରାଫର, ଫିଲ୍ମ ନିର୍ମାତା, ଅନୁବାଦକ, ଚିତ୍ରକର, ସଂପାଦକ ଏବଂ ‘ପରୀ’ର ଶହ ଶହ ପ୍ରଶିକ୍ଷାର୍ଥୀଙ୍କ ସମେତ ୧,୪୦୦ରୁ ଅଧିକ ବ୍ୟକ୍ତିଙ୍କର ଯୋଗଦାନ ରହିଛି ।

PHOTO • Labani Jangi

ବାମ : ଅଧିକ ସଂଖ୍ୟକ ପାଠକଙ୍କ ନିକଟରେ ପହଞ୍ଚିବା ସହିତ ଭାରତର ଭାଷାଗତ ବିବିଧତାକୁ ବଜାୟ ରଖିବା ଲାଗି ପରୀ ୧୫ ଟି ଭାଷାରେ ପ୍ରକାଶ କରିଥାଏ । ଡାହାଣ : ଆମେ ଏକ ଦୃଶ୍ୟ କୈନ୍ଦ୍ରିକ ୱେବସାଇଟ୍ ଏବଂ ୨୦ , ୦୦୦ ରୁ ଅଧିକ ଫଟୋଚିତ୍ର ପ୍ରକାଶ କରିଛୁ

ଦୁଃଖର କଥା, ଉତ୍ସୁକତାବଶତଃ ମୁଁ ଉଲ୍ଲେଖ କରିଥିବା ଏହି ସବୁ କାର୍ଯ୍ୟକଳାପ ବାବଦ ଖର୍ଚ୍ଚ, ନିର୍ଦ୍ଦିଷ୍ଟ ଗୋଟିଏ ସମୟରେ ଆମ ପାଖରେ ଥିବା ଅର୍ଥର ବହୁଗୁଣ । କିନ୍ତୁ ଏସବୁକୁ ଖାତିର ନ କରି ଆମେ ଆଗେଇବାରେ ଲାଗୁ । ଏହି ବିଶ୍ୱାସରେ ଯେ, ଯଦି ଆମେ ଭଲ କାମ କରିଛୁ- ଏବଂ ଆମେ ଜାଣୁ ଯେ ଏହା ଭଲକାମ- ତେବେ ଆମ ପ୍ରୟାସର ପ୍ରତିବଦଳରେ ଅନ୍ୟୂନ କିଛି ଆବଶ୍ୟକ ଆର୍ଥିକ ସହଯୋଗ ମିଳିବ । ସଂସ୍ଥାପନର ପ୍ରଥମ ବର୍ଷରେ ‘ପରୀ’ର ବାର୍ଷିକ ବ୍ୟୟ ଥିଲା ୧୨ ଲକ୍ଷ ଟଙ୍କା । ଏବେ ଏହା ୩ କୋଟି ଟଙ୍କାରୁ କିଛି କମ୍ ରହିଛି । କିନ୍ତୁ, ସେତିକି ବଳରେ ଆମେ ଏହି ଆର୍ଥିକ ପରିମାଣ ତୁଳନାରେ ବହୁଗୁଣ ମୂଲ୍ୟର ଉତ୍ପାଦିତ ବିଷୟବସ୍ତୁ ଦେଇଥାଉ । ଏଭଳି ଏକ ଫଳାଫଳ, ଯାହା ଦେଶ ପାଇଁ ଅତୁଳନୀୟ ଅଭିଲେଖ ସଂକ୍ରାନ୍ତ ଗୁରୁତ୍ୱ ବହନ କରେ ।

ହଁ, ଏହି ଦଶ ବର୍ଷ ତିଷ୍ଠି ରହିବା ଏକ ବିରାଟ ସଫଳତା । କିନ୍ତୁ ଯଦି ଆମେ ବିଗତ ଦଶନ୍ଧିରେ ଯେଉଁ ଗତିରେ ଆଗେଇଛୁ, ନିଶ୍ଚିତ ଭାବରେ ସେହି ଗତି ଅବ୍ୟାହତ ରଖିବାକୁ ଚାହୁଁ, ତେବେ ଆମେ ପ୍ରକୃତରେ, ପ୍ରକୃତରେ ଆପଣଙ୍କ ସହଯୋଗ ଆବଶ୍ୟକ କରୁ । ଆମ ମତାମତ ଏବଂ ନିର୍ଦ୍ଦେଶାବଳୀ ସହିତ ଏକମତ ଯେ କେହି ବ୍ୟକ୍ତି ‘ପରୀ’ ପାଇଁ ଲେଖିପାରିବେ, ଚଳଚ୍ଚିତ୍ର ନିର୍ମାଣ କରିପାରିବେ, ଫଟୋ ନେଇପାରିବେ ଏବଂ ସଙ୍ଗୀତ ରେକର୍ଡ କରିପାରିବେ ।

ଆଜିଠାରୁ ୨୫ ବର୍ଷ ପରେ,  ନିଶ୍ଚିତ ଭାବରେ ଆଗାମୀ ୫୦ ବର୍ଷ ମଧ୍ୟରେ ଯଦି କେହି ଏହା ଜାଣିବାକୁ ଚାହାଁନ୍ତି ଯେ ଅତୀତରେ କେମିତି ସାଧାରଣ ଭାରତୀୟମାନେ ରହୁଥିଲେ, କାମ କରୁଥିଲେ, ଗଢୁଥିଲେ, ଉତ୍ପାଦନ କରୁଥିଲେ, ଖାଉଥିଲେ, ଗୀତ ଗାଉଥିଲେ, ନାଚୁଥିଲେ ଏବଂ ଆହୁରି କେତେ କ’ଣ .... ତେବେ ତାଙ୍କୁ ଯେଉଁ ଗୋଟିଏ ସ୍ଥାନକୁ ଯିବାକୁ ହେବ ତାହା ହେଉଛି ‘ପରୀ’ । ୨୦୨୧ରେ ଯୁକ୍ତରାଷ୍ଟ୍ର ଆମେରିକାର ଲାଇବ୍ରେରୀ ଅଫ୍ କଂଗ୍ରେସ ‘ପରୀ’କୁ ସମ୍ବଳର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ରୂପେ ସ୍ୱୀକୃତି ପ୍ରଦାନ ସହିତ ଆମ କାର୍ଯ୍ୟାବଳୀକୁ ଅଭିଲେଖାଗାରରେ ସଂରକ୍ଷିତ କରିବା ଲାଗି ଅନୁମତି ଲୋଡ଼ିଲେ- ଆମେ ଆନନ୍ଦରେ ତାହା ପ୍ରଦାନ କରିଥିଲୁ ।

‘ପରୀ’ କୌଣସି ପ୍ରକାର ଦେୟ ଆଦାୟ କରେ ନାହିଁ, ଯାହା ମାଗଣାରେ ସାଧାରଣ ଲୋକଙ୍କ ପାଇଁ ଉପଲବଧ ଏକ ମଲଟିମିଡିଆ ଡିଜିଟାଲ୍ ମଞ୍ଚ, ଏବଂ ଯାହା ଆମ ସମୟର ସାମାଜିକ ପ୍ରକ୍ରିୟା ସମ୍ବଳିତ ବିଭିନ୍ନ ଲେଖାକୁ ତୋଳି ଧରିବାରେ ଆତ୍ମ ନିୟୋଜନ କରିଥାଏ, ତାହା ଆଜି ଏକ ଜାତୀୟ ସମ୍ବଳ। ଏହାକୁ ଜାତୀୟ ସଂପତ୍ତିରେ ପରିଣତ କରିବା ଦିଗରେ ଆମକୁ ସାହାଯ୍ୟ କରନ୍ତୁ।

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath
psainath@gmail.com

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE