ପ୍ରାୟ ୧୯୯୦ ଦଶକ ପର୍ଯ୍ୟନ୍ତ, ଏହି କ୍ଷେତ୍ରରେ କ୍ୱଚିତ୍ କେହି ଥିଲେ ଯିଏ ଦଶମ ଶ୍ରେଣୀ ପରେ ଅଧ୍ୟୟନ କରିଥିଲେ । ନୂଆ ପିଢ଼ି ଧୀରେ ଧୀରେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଧରାଯାଉ ଯଦି ୨୫ ଜଣ ୱାର୍ଲି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ତେବେ ମାତ୍ର ଆଠ ଜଣ ଛାତ୍ରଛାତ୍ରୀ ପ୍ରାୟ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି। ଏଠାରେ ବିଦ୍ୟାଳୟ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ଖୁବ୍ ଅଧିକ। ଏହି ଆଠ ଜଣଙ୍କ ମଧ୍ୟରୁ ମାତ୍ର ୫-୬ ଜଣ ପରୀକ୍ଷାରେ ପାସ କରନ୍ତି। ଏପରିକି ଦ୍ୱାଦଶ ଶ୍ରେଣୀରେ ପହଞ୍ଚିବା ପର୍ଯ୍ୟନ୍ତ ଆହୁରି ଅଧିକ ପିଲା ସ୍କୁଲ୍ ଛାଡ଼ି ଦେଇଥା’ନ୍ତି। ତେଣୁ ଶେଷରେ ୩-୪ ଜଣ ପିଲା ହିଁ ସ୍କୁଲ୍ ପାଠପଢ଼ା ଶେଷ କରିପାରନ୍ତି।
ସ୍ନାତକ ଡିଗ୍ରୀ ପାଇଁ ପାଠ ପଢ଼ିବା ତାଲୁକା ସ୍ତରରେ ସମ୍ଭବ ହୋଇଥାଏ ଯାହା ଏଠାରୁ ପ୍ରାୟ ୧୦ କିଲୋମିଟର ଦୂର ହେବ। କିନ୍ତୁ ଏଠାରେ ଅଧିକ କିଛି ନାହିଁ ଏବଂ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଠାଣେ, ନାଶିକ କିମ୍ବା ପାଲଘର ସହରକୁ ଯାଆନ୍ତି। ଯାହାର ଫଳସ୍ୱରୂପ ଏହି ତାଲୁକାର ମାତ୍ର ତିନି ପ୍ରତିଶତ ଲୋକଙ୍କ ପାଖରେ ସ୍ନାତକ ଡିଗ୍ରୀ ରହିଛି ।
ୱାର୍ଲି ସମ୍ପ୍ରଦାୟରେ, ଶିକ୍ଷାର ହାର ବିଶେଷ ଭାବରେ କମ୍, ଏବଂ ଏଥିରେ ସୁଧାର ପାଇଁ ପ୍ରୟାସ ଜାରି ରହିଛି। ଆମେ ଗାଁ ଗାଁ ବୁଲି, ଲୋକମାନଙ୍କ ସହ ସେମାନଙ୍କ ନିଜ ଭାଷାରେ କଥାବାର୍ତ୍ତା କରି, ସମ୍ପର୍କ ସ୍ଥାପନ କରିବା ସହ ବିଶ୍ୱାସ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟାପକ ପ୍ରୟାସ କରୁଛୁ।
ପରୀ ଏହି ପ୍ରାମାଣିକ ତଥ୍ୟ ପ୍ରସ୍ତୁତିରେ ସହାୟତା ପାଇଁ ଆରୋହଣର ହେମନ୍ତ ସିଂଘଡେଙ୍କ ନିକଟରେ କୃତଜ୍ଞ।
ସାକ୍ଷାତକାର : ମେଧା କାଲେ
ଏହି କାହାଣୀ ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପର ଏକ ଅଂଶବିଶେଷ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଭାଷାର ଦସ୍ତାବିଜ ପ୍ରସ୍ତୁତ କରିବା
ୱାର୍ଲି ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଏବଂ ଗୁଜରାଟ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାଭେଳୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆରେ ରହୁଥିବା ୱାର୍ଲି ବା ଭାର୍ଲି ଆଦିବାସୀମାନେ ଏହି ଭାଷାରେ କଥା ହୁଅନ୍ତି। ୟୁନେସ୍କୋର ‘ଆଟ୍ଲାସ୍ ଅଫ୍ ଲାଙ୍ଗୁଏଜ'’ ୱାର୍ଲି ଭାଷାକୁ ଭାରତର ସମ୍ଭାବ୍ୟ ଅସୁରକ୍ଷିତ ଭାଷା ମଧ୍ୟରୁ ଅନ୍ୟତମ ଭାଷାଭାବେ ତାଲିକାଭୁକ୍ତ କରିଛି।
ମହାରାଷ୍ଟ୍ରରେ କଥିତ ୱାର୍ଲି ଭାଷାର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ।
ଅନୁବାଦ: ଓଡ଼ିଶାଲାଇଭ୍