ଶୀତ ଋତୁରେ ଫସଲ କାଟିବା ସମୟ ଆସିଲେ କୃଷ୍ଣ ଅମ୍ବୁଲକର ପ୍ରତ୍ୟେକ ଦିନ ସକାଳ ୭ଟାରେ ଘରକୁ ଘର ଯାଇ ସମ୍ପତ୍ତି ଏବଂ ଜଳ କର ଅସୁଲି ଅଭିଯାନ ଆରମ୍ଭ କରି ଦିଅନ୍ତି।
‘‘ଏଠାକାର ଚାଷୀମାନେ ଏତେ ଗରିବ ଯେ ୬୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ବହୁତ ବଡ଼ କଥା,’’ ଜାମକୋଲିର ଏହି ଏକମାତ୍ର ପଞ୍ଚାୟତ କର୍ମଚାରୀ ଜଣଙ୍କ କୁହନ୍ତି।
ନାଗପୁରଠାରୁ ୭୫ କିଲୋମିଟର ଦୂରରେ ଜାମକୋଲି ଗ୍ରାମ ଅବସ୍ଥିତ ଏବଂ ଏଠାରେ ପ୍ରାୟତଃ ମାନା ଓ ଗୋୱାରୀ (ଅନୁସୂଚୀତ ଜନଜାତି) ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି ଯେଉଁମାନେ ଶୁଷ୍କ ଜମିରେ ଚାଷ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ। କୂଅ କିମ୍ବା ନଳକୂଅ ଥିଲେ ସେମାନେ କପା, ସୋୟାବିନ, ହରଡ଼ ଏବଂ ଗହମ ଚାଷ କରିଥା’ନ୍ତି। ଚାଳିଷ ବର୍ଷ ବୟସ୍କ କୃଷ୍ଣ ଗାଁରେ ଏକମାତ୍ର ଓବିସି ଅଟନ୍ତି ଯିଏକି ଜାତିରେ ଜଣେ ନାଈ (ଭଣ୍ଡାରୀ) ଅଟନ୍ତି।
ଚଳିତ ବର୍ଷର ବଜେଟରେ କୃଷି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ଏବଂ ମଧ୍ୟବିତ୍ତଙ୍କୁ ଟିକସ ଛାଡ଼ କରାଯାଇଥିବାକୁ ନେଇ କେନ୍ଦ୍ର ସରକାର ଦାବି କରୁଛନ୍ତି। ଏସବୁଠାରୁ ଦୂରରେ ଅମ୍ବୁଲକର ପଞ୍ଚାୟତର ଚାଷୀମାନେ ଟିକସ ଅସୁଲି ଏବଂ ଫସଲର ଦାମ୍ ହ୍ରାସ ପାଇବାକୁ ନେଇ ଚିନ୍ତିତ ଅଛନ୍ତି।
କୃଷ୍ଣଙ୍କ ଚିନ୍ତାକୁ ସହଜରେ ବ୍ୟାଖ୍ୟା କରାଯାଇପାରେ: ସମସ୍ୟା ହେଉଛି ଯଦି ସେ ବିଫଳ ହେବେ ତା’ହେଲେ ତାଙ୍କୁ ୧୧,୫୦୦ ଟଙ୍କାର ବେତନ ମିଳିବ ନାହିଁ, ଯାହା ପଞ୍ଚାୟତର ୫.୫ ଲକ୍ଷ ଟଙ୍କାର ଟିକସ ରାଜସ୍ୱରୁ ଆସିଥାଏ।




