କୋଲ୍ଲିଡ଼ମ ନଦୀର ବାଲୁକାମୟ କୂଳରେ ଅନ୍ଧକାର ଘନୀଭୂତ ହୋଇ ଆସୁଥିବା ବେଳେ, ଶ୍ରୀରଙ୍ଗମ ନିକଟ ତାଙ୍କ ରାଶି କ୍ଷେତଠାରୁ ପ୍ରାୟ ୧୦ ମିନିଟ୍ର ବାଟ ଦୂରରେ ଥିବା ଏହି ନଦୀକୂଳରେ ମୋତେ ତାଙ୍କ ଜୀବନର ଅନେକ କାହାଣୀ ଶୁଣାନ୍ତି ଚାଷୀ ବାଡିବେଲନ୍।୧୯୭୮ରେ ସେ ଜନ୍ମ ନେବାର ୧୨ ଦିନ ପରେ ବନ୍ୟାରେ ଫୁଲି ଉଠିଥିବା ଏହି ନଦୀର କାହାଣୀ। ତାଙ୍କ ଗାଁର କାହାଣୀ, ଯେଉଁଠି ସମସ୍ତେ ୟେଲ୍ଲୁ (ରାଶି ମଞ୍ଜି) ଚାଷ କରନ୍ତି, ଯାହାକୁ ପେଡ଼ି ମହୁ ରଙ୍ଗର ସୁଗନ୍ଧଯୁକ୍ତ ତେଲ ବାହାର କରାଯାଏ। କେମିତି ସେ ନଈରେ ଭାସୁଥିବା ଦୁଇଟି କଦଳୀ ଗଛକୁ ଧରି ପହଁରି ଶିଖିଲେ ଏବଂ କେମିତି ସେ ଆଉ ଏକ ବଡ଼ ନଦୀ- କାବେରୀ କୂଳରେ ରହୁଥିବା ପ୍ରିୟାଙ୍କ ପ୍ରେମରେ ପଡ଼ିଗଲେ, ଆଉ କେମିତି ତାଙ୍କ ବାପାଙ୍କ ଆପତ୍ତି ସତ୍ତ୍ୱେ ତାଙ୍କୁ ବାହା ହେଲେ। ଆଉ କେମିତି ତାଙ୍କ ଦେଢ଼ ଏକର ଜମିରେ ସେ ଚାଷ କରନ୍ତି ଧାନ, ଆଖୁ, ବିରି ଏବଂ ରାଶି...
ପ୍ରଥମ ତିନିଟି ଫସଲରୁ କିଛି ଟଙ୍କା ରୋଜଗାର ହୁଏ। “ଆମେ ସେହି ରୋଜଗାର ଅର୍ଥକୁ ଧାନ ଓ ଆଖୁ ଚାଷରେ ବିନିଯୋଗ କରୁ ଏବଂ ଅନ୍ୟ ଅର୍ଥରେଆମେ ପୁଣି ସେହି ଟଙ୍କା ଦେଇ ଜମିରେ ହଳ କରିଦେଉ,” ବାଡ଼ିବେଲନ୍ କହନ୍ତି। ତେଲ ପାଇବା ପାଇଁ ରାଶି ବା ତାମିଲ ଭାଷାରେ ୟେଲ୍ଲୁ ଚାଷ କରାଯାଏ। ରାଶି ମଞ୍ଜିଗୁଡ଼ିକୁ କାଠ ଘଣାରେ ଚାପି ସେଥିରୁ ନଲ୍ଲେନାଇ (ରାଶି ବା ତିଳ ତେଲ) ବାହାର କରାଯାଏ ଏବଂ ଏକ ବଡ଼ ପାତ୍ରରେ ରଖାଯାଏ। “ଆମେ ଏହାକୁ ରାନ୍ଧିବା ଏବଂ ଆଚାର କରିବା ଲାଗି ବ୍ୟବହାର କରୁ, ପ୍ରିୟା କହନ୍ତି, “ଆଉ ହଁ ସେ (ବାଡ଼ିବେଲନ) ଏଥିରେ ସବୁଦିନ କୁଳୁକୁଞ୍ଚା କରନ୍ତି।” ବାଡ଼ିବେଲନ୍ ହସି ଦିଅନ୍ତି। ସେ କହନ୍ତି, “ଆଉ ତେଲ ଲଗାଇ ଗାଧୋଇବାକୁ ମୁଁ ଭଲ ପାଏ!”
ଏମିତି ଅନେକ କଥାକୁ ବାଡ଼ିବେଲନ ଭଲ ପାଆନ୍ତି। ସେ ସବୁଗୁଡ଼ିକ ଛୋଟମୋଟ ଖୁସିର କଥା। ଯେମିତି କି ପିଲାବେଳେ ନଈରେ ମାଛ ଧରିବା; ସାଙ୍ଗମାନଙ୍କ ସହ ମିଶି ସେହି ତାଜା ମାଛକୁ ପୋଡ଼ି ଖାଇବା; ଗାଁ ସରପଞ୍ଚଙ୍କ ଘରେ ଥିବା ଗାଁର ଏକମାତ୍ର ଟେଲିଭିଜନ ଦେଖିବା। “କାହିଁ, ମୁଁ ଟିଭି ଦେଖିବାକୁ ଖୁବ୍ ଭଲ ପାଉଥିଲି। ଏମିତି କି ମୁଁ ଏହା ଠିକ୍ରେ କାମ କରୁ ନଥିବା ବେଳେ ଏଥିରୁ ବାହାରୁଥିବା ‘ଅଇଁଇଁ’ ସ୍ୱରକୁ ବି ଶୁଣୁଥିଲି !”
କିନ୍ତୁ, ଦିନର ଆଲୁଅ ଭଳି ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଇଛି ସେହି ଗୋଲାପୀ ଅତୀତର ସ୍ମୃତି। “ଏବେ ଆଉ କେବଳ ସେହି ଜମି ଉପରେ ନିର୍ଭର କରିହେବ ନାହିଁ,” ବାଡ଼ିବେଲନ୍ କହନ୍ତି, “ମୁଁ ଟ୍ୟାକ୍ସି ଚଲାଉଛି ବୋଲି ଆମେ ଚଳାଇ ନେଉଛୁ।” ସେ ଆମକୁ ତାଙ୍କ ‘ଟୋୟୋଟା ଇଟିଅସ୍’କାର୍ରେ ଶ୍ରୀରଙ୍ଗମ୍ ତାଲୁକ ଅନ୍ତର୍ଗତ ତିରୁବାଲାରସୋଲାଇର ତାଙ୍କ ଘରୁ ଏହି ନଈକୂଳକୁ ଆଣିଥିଲେ। ଏହି କାର୍କୁ ସେ ଏକ ଘରୋଇ ସଂସ୍ଥାରୁ ଋଣ ନେଇ କିଣିଥିଲେ। ଏ ବାବଦରେ ମାସକୁ ୨୫,୦୦୦ ଟଙ୍କାର ମୋଟା ଅର୍ଥ ପରିଶୋଧ କରିବାକୁ ପଡୁଛି। ଏହି ଦମ୍ପତିଙ୍କ କହିବା ଅନୁସାରେ ଅର୍ଥ ପାଇଁ ସବୁବେଳେ ସଂଘର୍ଷ କରିବାକୁ ପଡ଼େ।କେବେକେବେ, ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ସୁନା ବି ବନ୍ଧା ପକାଇବାକୁ ପଡୁଛି। ଦୀର୍ଘଶ୍ୱାସ ଛାଡ଼ି ବାଡିବେଲନ୍ କହନ୍ତି, “ଦେଖନ୍ତୁ, ଆମ ଭଳି ଲୋକ ଯଦି ବ୍ୟାଙ୍କରୁ ଋଣ ନେଇ ଘର କରିବାକୁ ଚାହିଁବେ, ଆମର ୧୦ହଳ ଚପଲ ଘୋରି ନଷ୍ଟ ହୋଇଯିବ। ସେମାନେ ଆମକୁ ସେତିକି ଥର ଦୌଡ଼ାଇବେ!”
ଆକାଶ ଏବେ ଏକ ତୈଳଚିତ୍ର ଭଳି ଦିଶୁଥିଲା: ଗୋଲାପୀ ଏବଂ ନୀଳ ଏବଂ କଳା ରଙ୍ଗରେ। କାହିଁ କେଉଁଠୁ ମୟୂରର ଡାକ ଶୁଭିଲା। ବାଡ଼ିବେଲନ କହନ୍ତି, “ନଈରେ ଜଳଓଧ ଅଛନ୍ତି।” ଅନତି ଦୂରରେ ଛୋଟ ପିଲାମାନେ ପାଣି ଭିତରକୁ ଲମ୍ଫ ମାରି ଓଧ ଭଳି ଫୁର୍ତ୍ତି ଦେଖାଇଖେଳୁଥାଆନ୍ତି। “ଦିନେ ମୁଁ ବି ଏମିତି କରୁଥିଲି, ଆମର ଏଠାରେ ଅଲଗା କିଛି ମନୋରଞ୍ଜନର ବାଟ ନାହିଁ !”






































