ଭାରତର ଗ୍ରାମାଞ୍ଚଳରେ ମହିଳାମାନଙ୍କର ଏକ ଚିରପରିଚିତ ରୂପ ରହିଛି। ଯୁବ ହୁଅନ୍ତୁ ଅବା ବୟସ୍କ, ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି, ଅଣ୍ଟାରେ ଏକ ମାଠିଆ ଧରି ଏବଂ ଆଉ ଗୋଟିଏ ଦୁଇଟି ମାଠିଆ ନିଜ ମୁଣ୍ଡ ଉପରେ ରଖି ଚାଲୁଥିବାର ଏକ ଦୃଶ୍ୟ ସମସ୍ତଙ୍କ ମନକୁ ଆସିଥାଏ। ଭାରତୀୟ ଗ୍ରାମାଞ୍ଚଳରେ କୂଅର ଦୃଶ୍ୟ କେବେ ସୂରମ୍ୟ, ପୁଣି ଆଉ କେବେ ବର୍ଣ୍ଣନାତୀତ ହୋଇଥାଏ। କୂଅଗୁଡ଼ିକ କେବଳ ପାଣି ସଂଗ୍ରହର କେନ୍ଦ୍ର ନୁହେଁ, ବରଂ ଏଠାରେ କେବେ ଶ୍ରେଷ୍ଠ ବନ୍ଧୁତା ଜନ୍ମ ନିଏ ଏବଂ ଆଉ କେବେ ଗାଁର ରୋମାଞ୍ଚକର ଘଟଣାକୁ ନେଇ ଚର୍ଚ୍ଚା ହୁଏ। ପୁଣି କେବେ କୂଅ ଚାରିପାଖରେ ଜାତିଗତ ବୈଷମ୍ୟର ପ୍ରଭାବ ଦେଖିବାକୁ ମିଳିଥାଏ, ଯାହାକି କିଏ ଆଗ ପାଣି ଭରିବ ତାହା ନିର୍ଦ୍ଧାରଣ କରିଥାଏ।
ବିଡ଼ମ୍ବନାର ବିଷୟ ହେଉଛି, ଏହି କୂଅ, ଯାହା ଦୈନନ୍ଦିନ ଜୀବନକୁ ପରିଚାଳିତ କରିଥାଏ, ତାହା ହିଁ ଶାଶୂ ଘରେ ଦୁଃଖ ସହୁଥିବା ବହୁସଂଖ୍ୟକ ମହିଳାଙ୍କୁ କିଛି କ୍ଷଣ ପାଇଁ ଆଶ୍ରୟ ଦେଇଥାଏ। ତଳେ ଦିଆଯାଇଥିବା ଗୀତରେ, ନିଜ ଇଚ୍ଛା ବିରୋଧରେ ଏକ ପରିବାରରେ ବିବାହ କରିଥିବା ଜଣେ ମହିଳାଙ୍କର ଏକମାତ୍ର ସାଥୀ କୂଅ ମଧ୍ୟ ତାଙ୍କର ଶତ୍ରୁ ପାଲଟିଯାଇଛି। ଏବେ ସେହି ମହିଳାଙ୍କ ପାଖରେ ନିଜର ପରିବାରର ପୁରୁଷମାନଙ୍କ ବିରୋଧରେ ଅଭିଯୋଗ କରିବା ଲାଗି କେହି ଜଣେ ହେଲେ ସାଥୀ ନାହାନ୍ତି। ସେହି ପୁରୁଷମାନେ ତାଙ୍କୁ ଏପରି ଏକ ଘରେ ବିବାହ କରାଇ ଦେଇଛନ୍ତି ଯାହା ତାଙ୍କୁ ନିଜ ଶତ୍ରୁର ଘର ଭଳି ପ୍ରତୀୟମାନ ହେଉଛି।
ଅଞ୍ଜାରର ଶଙ୍କର ବରୋଟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗୀତରେ, ଜଣେ ମହିଳା ନିଜ ପରିବାରର ପୁରୁଷମାନଙ୍କ ଦ୍ୱାରା ଆଚରଣ କରାଯାଇଥିବା ଶତ୍ରୁତା ସମ୍ପର୍କରେ ଅଭିଯୋଗ କରୁଛନ୍ତି। ବିବାହର ଭିନ୍ନ ଭିନ୍ନ ସମାରୋହ ସମୟରେ ବୋଲା ଯାଉଥିବା ଏକାଧିକ ଗୀତ ମଧ୍ୟରୁ ଏହା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି।



