“ଏଥେ ରୋଟି କାଥ ମିଲଦି ହୈ, ଚିତ୍ତା ସାରେ ଆମ ମିଲଦା ହୈ (ଏଠାରେ ଖାଇବାକୁ ମିଳେନି, କିନ୍ତୁ ହେରୋଇନ ସହଜରେ ମିଳିଯାଉଛି)”।
ହରବଂଶ କୌରଙ୍କ ଏକମାତ୍ର ପୁଅ ହେଉଛି ଜଣେ ଡ୍ରଗଖିଆ ନିଶାଡି। “ଆମେ ତାକୁ ଅଟକଉଛୁ, କିନ୍ତୁ ସେ ଝଗଡ଼ା କରୁଛି ଓ ସବୁ ଟଙ୍କା ନେଇ ଡ୍ରଗରେ ଉଡ଼ଉଛି”, କହନ୍ତି ୨୫ ବର୍ଷ ବୟସ୍କ ସେହି ବାହା ହୋଇ ବାପା ହେଇସାରିଥିବା ପୁଅର ଅସହାୟ ମା’। ସେ କହନ୍ତି କି ଚିତ୍ତା (ହେରୋଇନ), ଇଂଜେକସନ ଓ କ୍ୟାପସୁଲ ଆଦି ସବୁ ପ୍ରକାର ଉପାୟରେ ନିଶାକରା ଡ୍ରଗ ସେମାନଙ୍କ ଗାଁରେ ଅତି ସହଜରେ ମିଳି ଯାଉଛି।
“ଯଦି ସରକାର ଚାହିଁବେ ତେବେ ଡ୍ରଗ ଅପବ୍ୟବହାର ରୋକିପାରିବେ। ଯଦି ନ ଚାହିଁବେ, ଆମର ଅଧିକରୁ ଅଧିକ ପିଲା ମରିବେ”। ରାଓକେ କଲାନ ଗାଁରେ ଥିବା ଗୋଟିଏ ଆଳୁ ଗୋଦାମରେ ହରବଂଶ କୌର ଦିନ ମଜୁରିଆ ଭାବେ କାମ କରନ୍ତି। ଗୋଟିଏ ବସ୍ତା ଆଳୁ ଭର୍ତ୍ତି କଲେ ତାଙ୍କୁ ୧୫ ଟଙ୍କା ମଜୁରି ମିଳେ, ଓ ସେ ଦିନକୁ ୧୨ ବସ୍ତା ଆଳୁ ଭର୍ତ୍ତି କରି ପାଖାପାଖି ୧୮୦ ଟଙ୍କା ରୋଜଗାର କରନ୍ତି। ହରବଂଶଙ୍କ ସ୍ଵାମୀ ୪୫ ବର୍ଷୀୟ ସୁଖଦେବ ସିଂ ତାଙ୍କ ଗାଁ ନଙ୍ଗଲଠାରୁ ପ୍ରାୟ ୪ କିମି ଦୂର ନିହାଲ ସିଂ ୱାଲାଠାରେ ଥିବା ଆଉ ଏକ ଗୋଦାମରେ ଗହମ ଓ ଚାଉଳ ବସ୍ତାରେ ଭର୍ତ୍ତି କରି ଦିନକୁ ପ୍ରାୟ ୩୦୦ ଟଙ୍କା ଆୟ କରନ୍ତି। ଏହି ଆୟ ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳେ।
ପଞ୍ଜାବର ମୋଗା ଜିଲ୍ଲାର ସେହି ଗାଁରେ ହରବଂଶଙ୍କ ପଡୋଶୀ କିରଣ କୌର ସିଧା ପ୍ରସଙ୍ଗକୁ ଆସି କହନ୍ତି, “ଯିଏ ଆମ ଗାଁକୁ ଡ୍ରଗ-ମୁକ୍ତ କରିବ ସେ ଆମର ସବୁ ଭୋଟ ପାଇବ”।
କିରଣଙ୍କର ଏଭଳି ସ୍ପଷ୍ଟ ମତ ସହ ତାଙ୍କ ସ୍ଵାମୀ ଜଣେ ଡ୍ରଗ ସେବନକାରୀ ହୋଇଥିବା କଥାଟି ନିଃସନ୍ଦେହରେ ସମ୍ପର୍କିତ। ଗୋଟିଏ ତିନି ବର୍ଷର ଝିଅ ଓ ଆଉ ଗୋଟିଏ ଛ’ମାସର ପୁଅ ଭଳି ଦୁଇଟି ପିଲାଙ୍କ ମା’ କିରଣ କହନ୍ତି, “ମୋ ସ୍ଵାମୀ ଜଣେ ଅନିୟମିତ ଶ୍ରମିକ ଓ ଡ୍ରଗ ନିଶାଡ଼ି। ସେ ଯାହା ରୋଜଗାର କରେ ନିଶା କରିବାରେ ଉଡ଼େଇ ଦିଏ”।
ଆଠଜଣିଆ ପରିବାର ରହୁଥିବା ଘରର କାନ୍ଥରେ ଥିବା ବିରାଟ ଫାଟକୁ ଚାହିଁ କିରଣ କହନ୍ତି, “ମରାମତି କରିବାକୁ ଟଙ୍କା କୋଉଠୁ ଆସିବ?”









