୨୦୨୩ ନଭେମ୍ବର ୧୫ ତାରିଖ ଦିନ, ଶେଷ ନିଃଶ୍ୱାସ ତ୍ୟାଗ କଲେ ଏନ୍. ଶଙ୍କରୈୟା । ତାଙ୍କୁ ୧୦୨ ବର୍ଷ ହୋଇଥିଲା; ଏବଂ ତାଙ୍କ ପଛରେ ସେ ପୁଅ ଚନ୍ଦ୍ରଶେଖର ଓ ନରସିହ୍ମା ଏବଂ ଝିଅ ଚିତ୍ରାଙ୍କୁ ଛାଡ଼ି ଚାଲିଯାଇଛନ୍ତି।
୨୦୧୯ ଡିସେମ୍ବରରେ ପି.ସାଇନାଥ ଏବଂ ‘ପରୀ’ ସହ ଏକ ସାକ୍ଷାତକାରରେ ସେ ତାଙ୍କ କର୍ମମୟ ଜୀବନ ସଂପର୍କରେ ବିସ୍ତୃତ ଭାବରେ କହିଥିଲେ – ଯାହାର ଅଧିକାଂଶ ଭାଗ ଆନ୍ଦୋଳନରେ ହିଁ କଟିଥିଲା । ପଢ଼ନ୍ତୁ: ଶଙ୍କରୈୟା: ୯୦ ବର୍ଷର ଜଣେ ସ୍ୱାଧୀନତା ସଂଗ୍ରାମୀ
ତାଙ୍କ ସହ ସାକ୍ଷାତକାର ସମୟରେ ତାଙ୍କୁ ୯୯ ବର୍ଷ ହୋଇଥିଲା ସତ, ହେଲେ ତାଙ୍କ ପାଇଁ ବୟସ ବାଧକ ସାଜିପାରି ନଥିଲା। ତାଙ୍କ କଣ୍ଠସ୍ୱରରେ ଥିଲା ସଂକଳ୍ପବଦ୍ଧତା ଏବଂ ତାଙ୍କ ସ୍ମୃତି ଥିଲା ଅମଳିନ । ତାଙ୍କ ମନରେ ଭରି ରହିଥିଲା ଜୀବନ । ଭରି ରହିଥିଲା ଆଶା ।
ସ୍ୱାଧୀନତା ସଂଗ୍ରାମ କାଳରେ ଶଙ୍କରୈୟା ଆଠ ବର୍ଷ ଜେଲରେ ବିତାଇଥିଲେ – ଥରେ ୧୯୪୧ରେ, ଯେତେବେଳେ ସେ ମଦୁରାଇର ଆମେରିକାନ କଲେଜର ଛାତ୍ର ଥିଲେ ଏବଂ ତା’ପରେ, ୧୯୪୬ରେ, ‘ମଦୁରାଇ ଷଡ଼ଯନ୍ତ୍ର’ ମାମଲାର ଜଣେ ଅଭିଯୁକ୍ତ ଭାବରେ । ଭାରତ ସରକାର ‘ମଦୁରାଇ ଷଡ଼ଯନ୍ତ୍ର’କୁ ସ୍ୱାଧୀନତା ଆନ୍ଦୋଳନର ଅଂଶବିଶେଷ ଭାବରେ ଗ୍ରହଣ କରିନେଇଥିଲେ ।
ଜଣେ ଭଲ ଛାତ୍ର ହୋଇଥିଲେ ହେଁ ଶଙ୍କରୈୟା ତାଙ୍କ ସ୍ନାତକ ଶିକ୍ଷା ସଂପୂର୍ଣ୍ଣ କରିପାରି ନଥିଲେ । କାରଣ, ବ୍ରିଟିଶ ଶାସନ ବିରୋଧରେ ପ୍ରତିବାଦ କରି ୧୯୪୧ରେ, ତାଙ୍କ ବିଏ ପରୀକ୍ଷାର ଠିକ୍ ୧୫ ଦିନ ପୂର୍ବରୁ, ସେ ଗିରଫ ହୋଇଥିଲେ ।
ଭାରତ ସ୍ୱାଧୀନତା ହାସଲ କରିବାର ଦିନକ ପୂର୍ବରୁ - ୧୯୪୭ ଅଗଷ୍ଟ ୧୪ ତାରିଖ ଦିନ ସେ ଜେଲରୁ ମୁକୁଳି ଥିଲେ । ୧୯୪୮ରେ କମ୍ୟୁନିଷ୍ଟ ପାର୍ଟି ଉପରେ ନିଷେଧାଦେଶ ଲାଗୁ ହେବା ପରେ ସେ ତିନି ବର୍ଷ କାଳ ଆତ୍ମଗୋପନ କରିଥିଲେ । ତାଙ୍କ ଅଜା ଜଣେ ‘ପେରିୟାର’ ମତବାଦୀ ହୋଇଥିବାରୁ ରାଜନୈତିକ ଦୃଷ୍ଟିରୁ ଏକ ସରଗରମ ବାତାବରଣରେ ସେ ବଢ଼ିଥିଲେ ଏବଂ କଲେଜ ଜୀବନରେ ସେ ବାମପନ୍ଥୀ ଆନ୍ଦୋଳନ ସହ ଜଡ଼ିତ ହୋଇପଡ଼ିଥିଲେ । ସେ ଜେଲରୁ ମୁକୁଳିବା ପରେ ଏବଂ ଭାରତ ସ୍ୱାଧୀନ ହେବା ପରେ, ଶଙ୍କରୈୟା କମ୍ୟୁନିଷ୍ଟ ଆନ୍ଦୋଳନରେ ସକ୍ରିୟ ହୋଇଉଠିଥିଲେ । ତାମିଲ ନାଡୁରେ କୃଷକ ଆନ୍ଦୋଳନରେ ସେ ଏକ ପ୍ରମୁଖ ଭୂମିକା ନେଇଥିଲେ ଏବଂ ସେହିଭଳି ଅନ୍ୟ ଅନେକ ସଂଗ୍ରାମର ଅଗ୍ରଭାଗରେ ରହିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ସମୟରେ ବି ଶଙ୍କରୈୟା, ଅନ୍ୟ କମ୍ୟୁନିଷ୍ଟ ନେତାମାନଙ୍କ ସଦୃଶ, ଅନ୍ୟାନ୍ୟ ପ୍ରସଙ୍ଗରେ ବି ସଂଗ୍ରାମ କରୁଥିଲେ । ‘ପରୀ’ ସହ ଏକ ସାକ୍ଷାତକାରରେ ସେ କହିଥିଲେ, “ଆମେ ସମାନ ମଜୁରି, ଅସ୍ପୃଶ୍ୟତା ପ୍ରସଙ୍ଗ ଏବଂ ମନ୍ଦିର ପ୍ରବେଶ ଲାଗି ଆନ୍ଦୋଳନରେ ବି ଲଢ଼େଇ କରିଥିଲୁ । ଜମିଦାରୀ ପ୍ରଥା ଉଚ୍ଛେଦ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ । କମ୍ୟୁନିଷ୍ଟ କର୍ମୀମାନେ ଏଥିପାଇଁ ଲଢ଼େଇ କରିଥିଲେ।”
ତାଙ୍କ ସହିତ ପି.ସାଇନାଥଙ୍କ ସାକ୍ଷାତକାର ପଢ଼ନ୍ତୁ, ଶଙ୍କରୈୟା : ୯୦ ବର୍ଷର ଜଣେ ସ୍ୱା ଧୀନତା ସଂଗ୍ରାମୀ ଏବଂ ଭିଡିଓ ଦେଖନ୍ତୁ
ଅନୁବାଦ : ଓଡ଼ିଶାଲାଇଭ୍