ନିଷ୍ପେଷିତ ସମାଜ ପାଖରେ ଏକ ସର୍ବକାଳୀନ ଅପହଞ୍ଚ ବିଷୟ ଭାବରେ ରହିଆସିଛି ଫଟୋଗ୍ରାଫି। କାରଣ ଏତିକି ନୁହେଁ ଯେ ସେମାନେ କ୍ୟାମେରାଟିଏ କିଣିବାକୁ ସକ୍ଷମ ନୁହଁନ୍ତି। ସେମାନଙ୍କର ଏହି ଅସହାୟବୋଧକୁ ହୃଦୟଙ୍ଗମ କରିବା ସହିତ ଏ କ୍ଷେତ୍ରରେ ବିଦ୍ୟମାନ ଶୂନ୍ୟସ୍ଥାନ ପୂରଣ କରିବା ଲକ୍ଷ୍ୟରେ ଫଟୋଗ୍ରାଫିକୁ ନିଷ୍ପେଷିତ ସମାଜର ଯୁବ ପିଢ଼ି ପାଖରେ, ବିଶେଷତଃ ପିଢ଼ି ପରେ ପିଢ଼ି ଧରି ଉତ୍ପୀଡ଼ନର ସମ୍ମୁଖୀନ ହୋଇଆସୁଥିବା ଦଳିତ ବର୍ଗ, ମତ୍ସ୍ୟଜୀବୀ, ସମଲିଙ୍ଗୀ ସମାଜ, ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ଏବଂ ଅନ୍ୟମାନଙ୍କ ପାଖରେ, ପହଞ୍ଚାଇବାକୁ ମୁଁ ମନସ୍ଥ କଲି।
ମୋ ଛାତ୍ରଛାତ୍ରୀମାନେ ନିଜ ନିଜ ଜୀବନର ଜଣାଅଜଣା କାହାଣୀ କହନ୍ତୁ ବୋଲି ମୁଁ ଚାହୁଁଥିଲି। ଏହି ସବୁ କର୍ମଶାଳାରେ ସେମାନେ ସେମାନଙ୍କ ନିତିଦିନିଆ ଜୀବନର ବିଭିନ୍ନ ବିଷୟକୁ ଫଟୋରେ ତୋଳି ଧରୁଛନ୍ତି। ଏ ସବୁ ସେମାନଙ୍କ ନିଜର କାହାଣୀ, ଅନ୍ତରର ନିଭୃତ କକ୍ଷର କାହାଣୀ। ହାତରେ କ୍ୟାମେରାଟିଏ ପାଇ ସେଥିରେ ଫଟୋ ଉଠାଇବାକୁ ସେମାନେ ଖୁବ୍ ଭଲ ପାଆନ୍ତି। ମୁଁ ଚାହେଁ ସେମାନେ ତାହା ହିଁ କରନ୍ତୁ ଏବଂ କ୍ୟାମେରାରେ ଫଟୋର ଫ୍ରେମ୍ ଗଠନ ଏବଂ ଆଙ୍ଗଲ କଥା ପରେ ଭାବନ୍ତୁ।
ସେମାନେ ନିଜ ନିଜ ଜୀବନର ଯେଉଁ ସବୁ ଫଟୋ ଉଠାନ୍ତି, ସେଗୁଡ଼ିକ ଭିନ୍ନ ଧରଣର।
ସେମାନେ ଯେତେବେଳେ ମୋତେ ସେହି ଫଟୋଗୁଡ଼ିକ ଦେଖାନ୍ତି, ମୁଁ ବି ଫଟୋର ରାଜନୀତି ଏବଂ ଏଥିରେ ଫୁଟି ଉଠୁଥିବା ପରିସ୍ଥିତି ସଂପର୍କରେ ଆଲୋଚନା କରେ। କର୍ମଶାଳା ଶେଷରେ, ସେମାନେ ଆହୁରି ବଡ଼ ବଡ଼ ସାମାଜିକ-ରାଜନୈତିକ ପ୍ରସଙ୍ଗ ସଂପର୍କରେ ସଚେତନ ହୋଇ ଉଠନ୍ତି।





































