“ପଢ଼ି ବସିଲେ ଆମ ବହି ଓ ଖାତା ଉପରେ ଟପ୍ଟପ୍ କରି ପାଣି ପଡ଼େ। ଗତ ବର୍ଷ (୨୦୨୨) ଘର ଭୁଶୁଡ଼ି ପଡ଼ିଥିଲା। ସବୁ ବର୍ଷ ଏମିତି ହୁଏ,” ଓଜନିଆ ପଥର ଓ ବାଉଁଶରେ ତିଆରି ତାଙ୍କ ଘର ବିଷୟରେ କହେ ଆଠ ବର୍ଷର ବିଶାଲ ଚଭନ।
ଆଲେଗାଓଁ ଜିଲ୍ଲା ପରିଷଦ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ବିଶାଲଙ୍କ ପରିବାର ବେଲଦାର ସଂପ୍ରଦାୟର- ଯାହା କି ମହାରାଷ୍ଟ୍ରରେ ଏକ ଯାଯାବର ଜନଜାତି ରୂପେ ତାଲିକାଭୁକ୍ତ।
ପୁଣି ସେ କହେ, “ଖାସ୍ କରି ବର୍ଷାଦିନେ ଏହି କୁଡ଼ିଆ ଘର ଭିତରେ ରହିବା ଖୁବ୍ କଷ୍ଟକର.. ଅନେକ ଜାଗାରୁ ପାଣି ଗଳେ।” ତେଣୁ ସେ ଓ ତା’ର ନଅ ବର୍ଷୀୟା ଭଉଣୀ ବୈଶାଳୀ ମିଶି ଘର ଭିତରେ କେଉଁ ସ୍ଥାନରେ ଛାତରୁ ପାଣି ଗଳୁ ନାହିଁ ଖୋଜି ସେଇଠି ପଢ଼ି ବସନ୍ତି। ଶିରୁର ତାଲୁକା ଅନ୍ତର୍ଗତ ଆଲେଗାଓଁ ପାଗା ଗାଁରେ ତାଙ୍କ ଘର।
ପାଠପଢ଼ା ପ୍ରତି ଦୁଇ ଭାଇଭଉଣୀଙ୍କ ଆଗ୍ରହ ଦେଖି ଗର୍ବ କରନ୍ତି ସେମାନଙ୍କ ଜେଜେମାଆ ଶାନ୍ତାବାଇ ଚଭନ। “ଆମ ଖାନଦାନରେ (ପରିବାରରେ) କେହି ହେଲେ ସ୍କୁଲ ଯାଇ ନଥିଲେ,” ବୋଲି କହନ୍ତି ଏହି ୮୦ ବର୍ଷୀୟା ବୃଦ୍ଧା ଜଣକ। “ପ୍ରଥମେ ମୋ ନାତିନାତୁଣୀମାନେ ହିଁ ଲେଖାପଢ଼ା ଶିଖିଲେ।”
କିନ୍ତୁ, ନିଜ ନାତିନାତୁଣୀଙ୍କ ସଂପର୍କରେ କହିବା ସମୟରେ ତାଙ୍କ କୁଞ୍ଚିତ ମୁହଁରେ ଗର୍ବ ମିଶ୍ରିତ ଦୁଃଖର ଛାପ ସ୍ପଷ୍ଟ ବାରି ହେଉଥିଲା। ଆଲେଗାଓଁ ପାଗା ବସ୍ତିରେ ସେମାନଙ୍କର ତାରପୁଲିନ ତିଆରି କୁଡ଼ିଆ ଘରେ ରହି ଶାନ୍ତାବାଇ କହନ୍ତି, “ଆମର ପକ୍କା ଘରଟିଏ ନାହିଁ, ଯେଉଁଠି କି ସେମାନେ ଆରାମରେ ପଢ଼ିପାରିବେ। ଏଠି ଲାଇଟ୍ ବି ନାହିଁ।”












