ଶକ୍ତ ଶାଗୱାନ (ଶାଗୁଆନ) ଗଛ ଡାଳରେ ଗୁଡ଼ାଇ ହୋଇ ରହିଛି ନାଗ ସାପ । ରତ୍ତି ଟୋଲା ଗାଁ ଲୋକଙ୍କର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ସାପଟି ନିଜ ସ୍ଥାନରୁ ଚଙ୍କୁ ନାହିଁ ।
ପାଞ୍ଚ ଘଣ୍ଟା ପରେ, ଶେଷରେ ମୁନ୍ଦ୍ରିକା ଯାଦବଙ୍କୁ ଡାକି ଆଣିଲେ ଅସହାୟ ଗ୍ରାମବାସୀମାନେ। ଏକଦା ନିକଟସ୍ଥ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନରକ୍ଷୀ ଥିଲେ ମୁନ୍ଦ୍ରିକା । ବାଘ, ଚିତାବାଘ, ଗଣ୍ଡା ଏବଂ ସାପ ସମେତ ୨୦୦ରୁ ଅଧିକ ବନ୍ୟଜୀବଙ୍କୁ ଉଦ୍ଧାର କରିସାରିଛନ୍ତି ସେ ।
ମୁନ୍ଦ୍ରିକା ସେଠାରେ ପହଞ୍ଚି ପ୍ରଥମେ ନାଗ ସାପକୁ ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କଲେ । ସାପଟି ତାହା ହିଁ କଲା । “ମୁଁ ତା ପାଟିରେ ବାଉଁଶ କାଠି ପୂରାଇ ଦଉଡ଼ିକୁ କଷି କରି ବାନ୍ଧି ଦେଲି । ତା’ପରେ ମୁଁ ତାକୁ ବସ୍ତାରେ ଭର୍ତ୍ତି କରି ନେଇ ପୁଣି ଜଙ୍ଗଲରେ ଛାଡ଼ି ଦେଲି,” ୪୨ ବର୍ଷୀୟ ମୁନ୍ଦ୍ରିକା କହନ୍ତି । “ଏଥିପାଇଁ ମୋତେ ମାତ୍ର ୨୦-୨୫ ମିନିଟ୍ ଲାଗିଲା ।”






