ଶକ୍ତ ଶାଗୱାନ (ଶାଗୁଆନ) ଗଛ ଡାଳରେ ଗୁଡ଼ାଇ ହୋଇ ରହିଛି ନାଗ ସାପ । ରତ୍ତି ଟୋଲା ଗାଁ ଲୋକଙ୍କର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ସାପଟି ନିଜ ସ୍ଥାନରୁ ଚଙ୍କୁ ନାହିଁ ।

ପାଞ୍ଚ ଘଣ୍ଟା ପରେ, ଶେଷରେ ମୁନ୍ଦ୍ରିକା ଯାଦବଙ୍କୁ ଡାକି ଆଣିଲେ ଅସହାୟ ଗ୍ରାମବାସୀମାନେ। ଏକଦା ନିକଟସ୍ଥ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନରକ୍ଷୀ ଥିଲେ ମୁନ୍ଦ୍ରିକା । ବାଘ, ଚିତାବାଘ, ଗଣ୍ଡା ଏବଂ ସାପ ସମେତ ୨୦୦ରୁ ଅଧିକ ବନ୍ୟଜୀବଙ୍କୁ ଉଦ୍ଧାର କରିସାରିଛନ୍ତି ସେ ।

ମୁନ୍ଦ୍ରିକା ସେଠାରେ ପହଞ୍ଚି ପ୍ରଥମେ ନାଗ ସାପକୁ ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କଲେ । ସାପଟି ତାହା ହିଁ କଲା । “ମୁଁ ତା ପାଟିରେ ବାଉଁଶ କାଠି ପୂରାଇ ଦଉଡ଼ିକୁ କଷି କରି ବାନ୍ଧି ଦେଲି । ତା’ପରେ ମୁଁ ତାକୁ ବସ୍ତାରେ ଭର୍ତ୍ତି କରି ନେଇ ପୁଣି ଜଙ୍ଗଲରେ ଛାଡ଼ି ଦେଲି,” ୪୨ ବର୍ଷୀୟ ମୁନ୍ଦ୍ରିକା କହନ୍ତି । “ଏଥିପାଇଁ ମୋତେ ମାତ୍ର ୨୦-୨୫ ମିନିଟ୍ ଲାଗିଲା ।”

PHOTO • Umesh Kumar Ray
PHOTO • Umesh Kumar Ray

ବାମ : ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଆଠ ବର୍ଷ କାଳ ବନରକ୍ଷୀ ଭାବରେ କାମ କରିଥିଲେ ମୁନ୍ଦ୍ରିକା ଯାଦବ । ଡାହାଣ : ସେ ଉଦ୍ଧାର କରିଥିବା ଗୋଟିଏ ନାଗ ସାପର ଭିଡିଓ ଦେଖାଉଛନ୍ତି

ବିହାରର ପଶ୍ଚିମ ଚମ୍ପାରନ ଜିଲ୍ଲାରେ ୯୦୦ ବର୍ଗ କିଲୋମିଟର ବ୍ୟାପୀ ରହିଥିବା ଏହି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳ ରେ ଅନେକ ପ୍ରକାରର ବନ୍ୟପ୍ରାଣୀଙ୍କ ସହିତ ୫୪ଟି ବାଘ ରହନ୍ତି । “ ହମ୍ ସ୍ପଟ୍ ପର ହି ତୁରନ୍ତ ଯୁଗାଡ଼ ବନା ଲେତେ ହୈଁ (ମୁଁ ଘଟଣାସ୍ଥଳରେ ହିଁ କୌଣସି ଏକ ନୂଆ ଉପାୟ ବାହାର କରିନିଏ),” ତାଙ୍କ ଉଦ୍ଧାର କୌଶଳ ସଂପର୍କରେ ମୁନ୍ଦ୍ରିକା କହନ୍ତି ।

ମୁନ୍ଦ୍ରିକା, ଯାଦବ ସଂପ୍ରଦାୟ (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ଅନ୍ତର୍ଭୁକ୍ତ ଏବଂ ଏହି ଜଙ୍ଗଲ ଓ ଏଥିରେ ବସବାସ କରୁଥିବା ପ୍ରାଣୀମାନଙ୍କ ପାଖରେ ରହି ବଢ଼ିଛନ୍ତି । “ଆଗରୁ ଜଙ୍ଗଲକୁ ମଇଁଷି ଚରାଇବାକୁ ଯାଉଥିବା ବେଳେ, ଅନେକ ସମୟରେ ମୁଁ ସାପମାନଙ୍କୁ ଧରୁଥିଲି । ସେହି ସମୟରୁ ହିଁ ବନ୍ୟଜୀବନ ପ୍ରତି ମୋର ମମତା ଜାଗି ଉଠିଲା । ତେଣୁ, ୨୦୧୨ରେ ଯେତେବେଳେ ବନରକ୍ଷୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ହେଲା, ମୁଁ ଆବେଦନ କଲି ଏବଂ ଚାକିରି ପାଇଲି,” ବିଜୟପୁର ଗାଁର ଏହି ବାସିନ୍ଦା ଜଣକ କହନ୍ତି । ଏଠାରେ ସେ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ରହନ୍ତି ।

“ସମଗ୍ର ସଂରକ୍ଷିତ ଅଞ୍ଚଳର ମାନଚିତ୍ର ଆମ ଆଖିରେ ରହିଛି । ଆପଣ ଆମ ଆଖିରେ ପଟି ବାନ୍ଧି ଜଙ୍ଗଲରେ ଛାଡ଼ି ଦିଅନ୍ତୁ, ଏବଂ ଗୋଟିଏ କାର୍‌ରେ ବସି ବାହାରନ୍ତୁ, ଆମେ ଆପଣଙ୍କ ଆଗରୁ ଜଙ୍ଗଲରୁ ବାହାରି ଆସିବୁ,” ଏହି ପୂର୍ବତନ ବନରକ୍ଷୀ ଜଣକ କହନ୍ତି ।

ପରବର୍ତ୍ତୀ ଆଠ ବର୍ଷ ପାଇଁ ସେ ବନରକ୍ଷୀ ଭାବରେ କାମ କଲେ, ପ୍ରାୟ ବର୍ଷେ ପର୍ଯ୍ୟନ୍ତ ମାସିକ ଦରମା ମିଳିବାରେ ନିୟମିତ ଭାବରେ ବିଳମ୍ବ ହେଉଥିଲେ ହେଁ ସେ ଚାକିରି କରି ଚାଲିଲେ । “ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ମୋ ଭିତରେ ଏକ ଆବେଗ ସୃଷ୍ଟି କରିଥିଲା,” ‘ପରୀ’କୁ ସେ କହନ୍ତି ।

PHOTO • Umesh Kumar Ray
PHOTO • Umesh Kumar Ray

ବାମ : ୨୦୨୦ରେ, ଲିଖିତ ପରୀକ୍ଷା ଜରିଆରେ ବନରକ୍ଷୀ ନିଯୁକ୍ତି ଏବଂ ପୂର୍ବତନ ବନରକ୍ଷୀମାନଙ୍କୁ ଅନ୍ୟ କାମ ଦେବା ଲାଗି ପ୍ରଶାସନ ସ୍ଥିର କଲା । ମୁନ୍ଦ୍ରିକା ଏବେ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଭିଟିଆର୍‌)ର ଗାଡ଼ି ଚଳାଉଛନ୍ତି । ଡାହାଣ : ଜଙ୍ଗଲର ଅତି ନିକଟବର୍ତ୍ତୀ ଅଞ୍ଚଳରେ ମୁନ୍ଦ୍ରିକା ବଢ଼ିଛନ୍ତି ଏବଂ  ସବୁବେଳେ ବନ୍ୟପ୍ରାଣୀଙ୍କ ପ୍ରତି ତାଙ୍କର ମମତା ରହିଆସିଛି

୨୦୨୦ରେ ମୁକ୍ତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିହାର ସରକାର ନୂଆ ବନରକ୍ଷୀମାନଙ୍କୁ ନିଯୁକ୍ତି ଦେଲେ । ଯାଦବଙ୍କ ଭଳି ପୂର୍ବରୁ ରହିଥିବା ବନରକ୍ଷୀମାନଙ୍କୁ ଅନ୍ୟ କାମ ଦିଆଗଲା- ଏବେ ସେ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଭିଟିଆର୍‌)ର ଗାଡ଼ି ଚଳାଉଛନ୍ତି । “ଆମକୁ ଅଣଦେଖା କରାଯାଇଛି,” ସେ କହନ୍ତି । ତାଙ୍କର ନୂଆ ଚାକିରିକୁ ନେଇ ସେ ଆଦୌ ଖୁସି ନୁହଁନ୍ତି ।  ତାଙ୍କ ବୟସ ଓ ଶିକ୍ଷାଗତ ଯୋଗ୍ୟତା କାରଣରୁ ମୁନ୍ଦ୍ରିକା ନୂତନ ନିଯୁକ୍ତି ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେଲେ ନାହିଁ । ସେ ମ୍ୟାଟ୍ରିକ୍‌ ପାସ୍ କରିଛନ୍ତି- ଯାହା କି ବନରକ୍ଷୀ ପଦବୀ ପାଇଁ ଯଥେଷ୍ଟ ନୁହେଁ ।

ଯେତେବେଳେ ପରିସ୍ଥିତି ବିପଜ୍ଜନକ ଏବଂ ଗୁରୁତର ହୋଇଯାଏ, ନୂତନ ବନରକ୍ଷୀମାନେ ମୁନ୍ଦ୍ରିକାଙ୍କ ପାଖରେ ପହଞ୍ଚନ୍ତି । “ପରୀକ୍ଷା ଜରିଆରେ ନିଯୁକ୍ତି ପାଇଥିବା ବନରକ୍ଷୀମାନଙ୍କ ପାଖରେ ଡିଗ୍ରୀ ଥାଇପାରେ, କିନ୍ତୁ ସେମାନଙ୍କ ପାଖରେ ବ୍ୟାବହାରିକ ଜ୍ଞାନ ନାହିଁ,” ସେ କହନ୍ତି । “ଆମେ ଜଙ୍ଗଲରେ ଜନ୍ମ ନେଇଛୁ ଏବଂ ବନ୍ୟଜୀବମାନଙ୍କୁ କେମିତି ଉଦ୍ଧାର କରିବାକୁ ହେବ, ସେ କଥା ସେମାନଙ୍କ ସହିତ ରହି ଶିଖିଛୁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

ଉମେଶ କୁମାର ରାଏ ହେଉଛନ୍ତି ଜଣେ ‘ପରୀ’ ଫେଲୋ (୨୦୨୨)। ସେ ବିହାରେ ରହୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଯେ କି ସମାଜର ଅବହେଳିତ ବର୍ଗଙ୍କ ଉପରେ ଲେଖାଲେଖି କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Umesh Kumar Ray
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE