କାରଦଗା ଗାଁରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକମାନେ ପ୍ରଥମେ ସୋମକ୍କା ପୂଜାରୀଙ୍କୁ ସୂଚନା ଦିଅନ୍ତି। ପ୍ରାୟ ୯,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଥିବା ହାତଗଣତି କେତେଜଣ କାରୀଗରଙ୍କ ମଧ୍ୟରେ ସେ ଅନ୍ୟତମ ଯିଏକି ବର୍ତ୍ତମାନ ସୁଦ୍ଧା ମେଣ୍ଢା ଲୋମରୁ ଚୁଡ଼ି ତିଆରି କରିପାରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଆଭୂଷଣକୁ କଣ୍ଡା କୁହନ୍ତି ଏବଂ ସମସ୍ତେ ଏହାକୁ ଶୁଭ ବୋଲି ବିବେଚନା କରିଥା’ନ୍ତି। ନବଜାତ ଶିଶୁର କଚଟିରେ ଏହାକୁ ପିନ୍ଧାଇ ଦିଆଯାଏ।
‘‘ମେଣ୍ଢାମାନେ ପ୍ରାୟତଃ ଚାରଣ ଭୂମି ସନ୍ଧାନରେ ଗାଁକୁ ଗାଁ ଘୂରି ବୁଲନ୍ତି, ଖରାପ ପାଗର ସାମ୍ନା କରନ୍ତି ଓ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟନ୍ତି,’’ ୫୦ ବର୍ଷରୁ ଅଧିକ ବୟସ୍କା ସୋମକ୍କା କୁହନ୍ତି । ମେଣ୍ଢାମାନଙ୍କୁ ଧୈର୍ଯ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ ଏବଂ ଏହାର ଲୋମରୁ ପ୍ରସ୍ତୁତ କଣ୍ଡା ଅଶୁଭ ଦୃଷ୍ଟିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।
ଧନଗର୍ ସମ୍ପ୍ରଦାୟର ମହିଳାମାନେ ପାରମ୍ପରିକ ଭାବେ ଏସବୁ ଚୁଡ଼ି ତିଆରି କରନ୍ତି। ବର୍ତ୍ତମାନ କାରଦଗାରେ ମାତ୍ର ଆଠଟି ଧନଗର ପରିବାର ଏହାକୁ ତିଆରି କରୁଛନ୍ତି । ‘‘ନିମ୍ମଗୱାଲା ଘାତଲ ଆହେ (ମୁଁ ଏହି ଗାଁର ଅଧା ପିଲାଙ୍କୁ ଏଭଳି ଚୁଡ଼ି ପିନ୍ଧାଇ ଦେଇଛି,’’ ସୋମକ୍କା ମରାଠୀରେ କୁହନ୍ତି । ମହାରାଷ୍ଟ୍ର ସୀମାବର୍ତ୍ତୀ କର୍ଣ୍ଣାଟକର ବେଲଗାଭୀ ଜିଲ୍ଲା ଅଧୀନରେ କାରଦଗା ଗାଁ ରହିଛି, ତେଣୁ ସୋମକ୍କାଙ୍କ ଭଳି ଏଠାକାର ଅନେକ ବାସିନ୍ଦା ଉଭୟ କନ୍ନଡ଼ ଓ ମରାଠୀରେ କଥା ହୁଅନ୍ତି ।
‘‘ପ୍ରତ୍ୟେକ ଜାତି ଓ ଧର୍ମର ଲୋକମାନେ ଆମ ପାଖକୁ କଣ୍ଡା ନେବା ପାଇଁ ଆସନ୍ତି,’’ ସୋମକ୍କା କୁହନ୍ତି।
ପିଲାଦିନେ ସୋମକ୍କା ନିଜ ମା’ ସ୍ୱର୍ଗୀୟା କିସନା ବାଈ ବନ୍କରଙ୍କୁ କାରଦଗାରେ ଉତ୍କୃଷ୍ଟ କଣ୍ଡା ତିଆରି କରିଥିବା ଦେଖୁଥିଲେ। ସେ କୁହନ୍ତି, ‘‘କଣ୍ଡା ତିଆରି କରିବା ପୂର୍ବରୁ ମେଣ୍ଢାଙ୍କ ଲୋମ (ଯାହାକୁ ଲୋକର ମଧ୍ୟ କୁହାଯାଏ)କୁ ଅତି ସତର୍କତାର ସହିତ ମା’ କେମିତି ବାଛୁଥିଲେ ତାହା ଜାଣିବା ଲାଗି ମୋର ବିଶେଷ ଆଗ୍ରହ ଥିଲା।’’ ତାଙ୍କ ମା’ ସବୁଠୁ ଚିକ୍କଣ ଲୋମଗୁଡ଼ିକୁ ବାଛୁଥିଲେ କାରଣ ସେଗୁଡ଼ିକୁ ଆକାର ଦେବା ସହଜ ଥିଲା। ପ୍ରଥମ ଥର କଟାଯାଉଥିବା ମେଣ୍ଢାଙ୍କ ଲୋମକୁ ବ୍ୟବହାର କରାଯାଏ କାରଣ ସେଗୁଡ଼ିକର ଆକାର ଖଦଡ଼ା ହୋଇଥାଏ। ‘‘ଶହେ ମେଣ୍ଢାଙ୍କ ମଧ୍ୟରୁ ମାତ୍ର ଗୋଟିଏ ମେଣ୍ଢାଠାରୁ ସଠିକ କିସମର କେଶ ମିଳିଥାଏ।’’
ସୋମକ୍କା ତାଙ୍କ ବାପା ସ୍ୱର୍ଗତ ଅପ୍ପାଜୀ ବନ୍କରଙ୍କଠାରୁ କଣ୍ଡା ତିଆରି ଶିଖିଥିଲେ। ସେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା ଏବଂ ଏହାକୁ ଶିଖିବା ଲାଗି ତାଙ୍କୁ ଦୁଇ ମାସ ଲାଗିଥିଲା। ଚାରି ଦଶନ୍ଧି ପରେ, ସୋମକ୍କା ଏହି କାରୀଗରିକୁ ଜାରି ରଖିଛନ୍ତି । ତେବେ ଏହାର ଲୋକପ୍ରିୟତାକୁ ନେଇ ସେ ଚିନ୍ତା ପ୍ରକଟ କରି କୁହନ୍ତି : ‘‘ବର୍ତ୍ତମାନ ସମୟରେ ଯୁବ ମେଷପାଳକମାନେ ମେଣ୍ଢା ଚରାଉନାହାନ୍ତି। ମେଣ୍ଢା ଲୋମରେ ତିଆରି ହେଉଥିବା ଏହି ହସ୍ତଶିଳ୍ପ ବିଷୟରେ ସେମାନେ ଜାଣିବେ କେମିତି?’’














