“ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃସର୍ତ୍ତ ସ୍ନେହ ଏବଂ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ଆଦରି ନେବା । ଜଣେ ଶିକ୍ଷୟିତ୍ରୀ ଭାବରେ ମୁଁ ତାହା ହିଁ ଶିଖିଛି।”
ବିନମ୍ର ଅଥଚ ଦୃଢ଼ କଣ୍ଠରେ ନିଜ ମତ ଦିଅନ୍ତି ମେଧା ଟେଙ୍ଗସେ । ସେ ଜଣେ ସ୍ୱତନ୍ତ୍ର ଶିକ୍ଷୟିତ୍ରୀ ଏବଂ ‘ସାଧନା ଭିଲେଜ୍’ ନାମକ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟା । ଏହି ଅନୁଷ୍ଠାନରେ ବିଭିନ୍ନ ବୟସ ବର୍ଗର ଏବଂ ଭିନ୍ନ ଭିନ୍ନ ବୌଦ୍ଧିକ ଦକ୍ଷତା ସ୍ତରର, ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଜୀବନଯାପନର ମୌଳିକ କୌଶଳ ସହିତ କିଛି କଳା, ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦିଆଯାଏ ।
ପୁଣେ ଜିଲ୍ଲାର ମୁଲଶି ବ୍ଲକ୍ରେ ‘ସାଧନା ଭିଲେଜ୍’ ଅବସ୍ଥିତ । ବୌଦ୍ଧିକ ଅକ୍ଷମତାଗ୍ରସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହା ଏଭଳି ଏକ ଆବାସିକ ଶିକ୍ଷାନୁଷ୍ଠାନ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ‘ବିଶେଷ ବନ୍ଧୁ’ ଭାବରେ ଅଭିହିତ କରାଯାଏ ଏବଂ ମେଧା ତାଇ, ଯେ କି ନିଜେ ଜଣେ ପ୍ରଶିକ୍ଷିତ ସାମ୍ବାଦିକ, ସେ ଏଠାକାର ୧୦ ଜଣ ଅନ୍ତେବାସୀଙ୍କ ପାଇଁ ନିଜ ଭୂମିକାକୁ ଗୃହ ମାତା (ଘରର ମା’) ଭାବରେ ପରିଭାଷିତ କରନ୍ତି । ସେମାନଙ୍କ ପାଇଁ ସେ “ଜଣେ ମାଆ, ଏବଂ ଜଣେ ଶିକ୍ଷକ ମଧ୍ୟ” ।
ତାଙ୍କର ଏହି ଭାବଧାରା ସହିତ ଏକମତ ହୁଅନ୍ତି ସତ୍ୟଭାମା ଅଲ୍ହଟ । ସେ ବଧିରମାନଙ୍କ ପାଇଁ ପୁଣେରେ ଅବସ୍ଥିତ ଧାୟରୀ ସ୍କୁଲ୍ର ଜଣେ ସ୍ୱତନ୍ତ୍ର ଶିକ୍ଷୟିତ୍ରୀ । ‘ପରୀ’କୁ ସେ କହନ୍ତି, “ଆମ ସ୍କୁଲ ଭଳି ଏକ ଆବାସିକ ସ୍କୁଲରେ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ, ବାପାମାଆଙ୍କ ସଦୃଶ ଏବଂ ଆମ ପିଲାମାନେ ଘରକୁ ଝୁରି ହୁଅନ୍ତୁ ବୋଲି ଆମେ ଚାହୁଁନାହିଁ ।” ଏହା କହିବା ସହିତ ସେଦିନ ନାଗ ପଞ୍ଚମୀ ହୋଇଥିବାରୁ ସେଠାକାର ଝିଅମାନଙ୍କୁ ପାରମ୍ପରିକ ଫୁଗାଡ଼ି ଖେଳ ଶିଖାଇବାକୁ ବୁଲି ପଡ଼ନ୍ତି ସେ । ଶ୍ରାବଣର ପଞ୍ଚମ ଦିବସରେ ନାଗ ପଞ୍ଚମୀ ପାଳିତ ହୁଏ ଏବଂ ସେଦିନ ଝିଅମାନେ ଏହି ପାରମ୍ପରିକ ଖେଳ ଖେଳନ୍ତି । ଧାୟରୀ ଏକ ପ୍ରାଥମିକ ସ୍କୁଲ୍ ଏବଂ ଏଠାରେ, ମହାରାଷ୍ଟ୍ରର ବିଭିନ୍ନ ଭାଗ ସହିତ କର୍ଣ୍ଣାଟକ, ଦିଲ୍ଲୀ, ପଶ୍ଚିମ ବଙ୍ଗ ଏବଂ ରାଜସ୍ଥାନ ଭଳି ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ୪୦ ଜଣ ଆବାସିକ ଛାତ୍ରଛାତ୍ରୀ ଏବଂ ୧୨ ଜଣ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଶିକ୍ଷାଲାଭ କରନ୍ତି ।
































