‘‘ପ୍ରତିଥର ଭଟ୍ଟି (ଭାଟି) ଜଳିଲେ, ମୁଁ ଆହତ ହୁଏ।’’
ସଲମା ଲୋହାର୍ ଙ୍କ ଆଙ୍ଗୁଠିର ମୂଳ ଭାଗରେ ଆଘାତ ଲାଗିଛି ଏବଂ ତାଙ୍କ ବାମ ହାତର ଦୁଇଟି ଆଙ୍ଗୁଠି ଖୋଲିଯାଇଛି। ସେ ଭାଟିରୁ କିଛି ମୁଠା ପାଉଁଶ ହାତରେ ଉଠାନ୍ତି ଏବଂ ଘା’ର ଶୀଘ୍ର ଉପଶମ ପାଇଁ ସେଥିରେ ମଳି ଦିଅନ୍ତି ।
ଏହି ୪୧ ବର୍ଷୀୟା ମହିଳାଙ୍କ ପରିବାର ସେହି ଛଅଟି ଲୋହାର୍ (କମାର) ପରିବାର ମଧ୍ୟରୁ ଅନ୍ୟତମ ଯେଉଁମାନେ ସୋନିପତ୍ର ବହାଲଗଡ଼ ବଜାରରେ ଧାଡ଼ି ଧାଡ଼ି ହୋଇ ରହିଥିବା ଗୋଟିଏଜୁଗ୍ଗି (ବସ୍ତି ଘର)କୁ ନିଜ ବାସସ୍ଥାନ ଭାବେ ଆପଣେଇ ନେଇଛନ୍ତି। ଗୋଟିଏ ପଟେ ବଜାରର ବ୍ୟସ୍ତବହୁଳ ସଡ଼କ ଏବଂ ଅନ୍ୟପଟେ ନଗର ନିଗମର ଅଳିଆ ଗଦା ରହିଛି। ନିକଟରେ ଏକ ସରକାରୀ ଶୌଚାଳୟ ଓ ପାଣି ଟ୍ୟାଙ୍କର ରହିଛି ଏବଂ ସଲମା ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଏସବୁ ସୁବିଧା ଉପରେ ନିର୍ଭର କରିଥା’ନ୍ତି।
ଜୁଗ୍ଗିରେ ବିଦ୍ୟୁତ ସଂଯୋଗ ନାହିଁ ଏବଂ ୪-୬ ଘଣ୍ଟା ଧରି ଲଗାତାର ବର୍ଷା ହେଲେ ସମ୍ପୂର୍ଣ୍ଣ ବସ୍ତିରେ ପାଣି ଭର୍ତ୍ତି ହୋଇଯାଏ- ଗତ ଅକ୍ଟୋବର (୨୦୨୩ରେ) ଠିକ୍ ଏପରି ହୋଇଥିଲା। ଏଭଳି ପରିସ୍ଥିତିରେ ସେମାନେ ଗୋଡ଼ ଉପରକୁ ଉଠାଇ ନିଜ ଖଟ ଉପରେ ବସିପଡ଼ନ୍ତି ଏବଂ ପାଣି ଛାଡ଼ିବାକୁ ଅପେକ୍ଷା କରି ରୁହନ୍ତି ଯାହା ୨-୩ ଦିନ ଲାଗିଥାଏ। ‘‘ସେହି ସମୟରେ ଖୁବ୍ ଉତ୍କଟ ଦୁର୍ଗନ୍ଧ ହୋଇଥାଏ,’’ ସଲ୍ମାଙ୍କ ପୁଅ ଦିଲଶାଦ୍ କୁହନ୍ତି।
‘‘କିନ୍ତୁ ଆମେ ଆଉ କୁଆଡ଼େ ଯିବୁ?’’ ସଲମା ପଚାରନ୍ତି । ‘‘ଆମେ ଜାଣିଛୁ ଯେ ଏଠାରେ ଅଳିଆ ଗଦା ପାଖରେ ରହି ଆମେ ବାରମ୍ବାର ରୋଗରେ ପଡ଼ୁଛୁ। ଏଠାରେ ବସୁଥିବା ମାଛି ଆମ ଖାଦ୍ୟରେ ମଧ୍ୟ ବସୁଛି । କିନ୍ତୁ ଆମେ ଆଉ କେଉଁ ଆଡ଼େ ଯିବୁ?’’
ଗଡ଼ିଆ, ଗଡ଼ିୟା ବା ଗଡ଼ୁଲିୟା ଲୋହାର୍ ମାନଙ୍କୁ ରାଜସ୍ଥାନରେ ଯାଯାବର ଜନଜାତି (ଏନଟି) ସହିତ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ କରାଯାଇଛି । ଏହି ସମ୍ପ୍ରଦାୟର ଲୋକମାନେ ଦିଲ୍ଲୀ ଓ ହରିୟାଣାରେ ମଧ୍ୟ ରୁହନ୍ତି । କିନ୍ତୁ ଗୋଟିଏ ପଟେ ଯେଉଁଠି ଦିଲ୍ଲୀରେ ସେମାନଙ୍କୁ ଯାଯାବର ଜନଜାତି ମାନ୍ୟତା ମିଳିଛି ଅନ୍ୟପଟେ ହରିୟାଣାରେ ସେମାନେ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ହୋଇଛନ୍ତି ।
ବଜାରର ଯେଉଁ ଭାଗରେ ସେମାନେ ରହୁଛନ୍ତି ତାହା ରାଜ୍ୟ ରାଜପଥ ୧୧ ପାର୍ଶ୍ୱରେ ରହିଛି ଏବଂ ସେଠାରେ ବହୁ ସଂଖ୍ୟାରେ ସତେଜ ପନିପରିବା, ମିଠା, ତେଜରାତି, ବିଦ୍ୟୁତ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ଖୁଚୁରା ବିକ୍ରେତାଙ୍କ ଦୋକାନ ରହିଛି। ଷ୍ଟଲ୍ କରି ଦୋକାନ ପକାଇଥିବା ମାଲିକମାନେ ବଜାର ବନ୍ଦ ହେବା ପରେ ଏହି ସ୍ଥାନରୁ ଚାଲି ଯାଆନ୍ତି ।




















