ଭାରତୀ କାସ୍ତେ (୨୩) ଙ୍କ ପାଇଁ ତାଙ୍କ ପରିବାର ଜରୁରି ଥିଲା। ସେ ଦଶମ ଶ୍ରେଣୀରେ ପାଠପଢ଼ା ଛାଡ଼ି ଚାକିରି କରିଥିଲେ ଯାହାଫଳରେ ତାଙ୍କର ସାନ ଭଉଣୀମାନେ ପାଠପଢ଼ା ଜାରି ରଖିପାରିବେ। ସେ ଗୋଟିଏ କମ୍ପାନୀରେ ସହାୟିକା ଭାବେ କାମ କରୁଥିଲେ। ଦିନ ରାତି କଠିନ ପରିଶ୍ରମ କରି କାମ କରି ଘର ଚଳାଉଥିବା ନିଜ ବାପା ଓ ବଡ଼ ଭାଇଙ୍କୁ କିଛି ସହଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ସେ କେବଳ ନିଜ ପରିବାର ପାଇଁ ଚିନ୍ତା କରୁଥିଲେ। ମେ ୨୦୨୧ ପର୍ଯ୍ୟନ୍ତ ଏପରି ଚାଲିଥିଲା।

ତା’ପରେ ଚିନ୍ତା କରିବା ପାଇଁ ଆଉ ପରିବାର ନଥିଲା।

ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାର ନେମାୱର ଗାଁରେ ଥିବା ଭାରତୀଙ୍କ ପରିବାର ସଦସ୍ୟମାନେ ମେ ୧୩ ତାରିଖ ୨୦୨୧ରେ ରାତାରାତି ନିଖୋଜ ହୋଇଯାଇଥିଲେ। ତାଙ୍କର ଦୁଇ ସାନ ଭଉଣୀ ରୂପାଲୀ (୧୭) ଓ ଦିବ୍ୟା (୧୨), ତାଙ୍କ ମା’ ମମତା (୪୫) ଏବଂ ତାଙ୍କର ସମ୍ପର୍କୀୟା ଭଉଣୀ ପୂଜା (୧୬), ଭାଇ ପବନ (୧୪) କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ‘‘ମୁଁ ସେମାନଙ୍କ ମଧ୍ୟରୁ କାହାରି ସନ୍ଧାନ ପାଇଲି ନାହିଁ,’’ ସେ କୁହନ୍ତି। ‘‘ଗୋଟିଏ ଦିନ ପରେ ସେମାନେ ନଫେରିବାରୁ ଆମେ ଚିନ୍ତାରେ ପଡ଼ିଗଲୁ।’’

ଭାରତୀ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କଲେ। ସେମାନଙ୍କ ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କଲା।

ଦିନେ, ଦୁଇ ଦିନ ଓ ତିନି ଦିନ ବିତି ଗଲା। ପରିବାର ଲୋକମାନେ ଫେରିଲେ ନାହିଁ। ପ୍ରତ୍ୟେକ ଦିନ ବିତିବା ସହିତ ସେମାନଙ୍କ ଅନୁପସ୍ଥିତିର ଭୟ ଆହୁରି ବଢ଼ି ଚାଲିଥିଲା। ଭାରତୀ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲେ। ତାଙ୍କ ଘରେ ନିରବତା ଆହୁରି ଘନେଇ ଚାଲିଥିଲା।

ତାଙ୍କର ଭୟ ଆହୁରି ଗମ୍ଭୀର ହୋଇଚାଲିଲା।

Five of Bharti's family went missing on the night of May 13, 2021 from their village, Nemawar in Madhya Pradesh’s Dewas district.
PHOTO • Parth M.N.

ଭାରତୀଙ୍କ ପରିବାରର ୫ ଜଣ ସଦସ୍ୟ ୧୩ ମେ ୨୦୨୧ ରାତିରେ ସେମାନଙ୍କ ଗାଁ ମଧ୍ୟପ୍ରଦେଶ ଦେୱାସ ଜିଲ୍ଲାର ନେମାୱରରୁ ନିଖୋଜ ହୋଇଯାଇଥିଲେ

୨୯ ଜୁନ ୨୦୨୧ରେ, ପାଞ୍ଚ ଜଣ ନିଖୋଜ ହେବାକୁ ୪୯ ଦିନ ବିତିସାରିଥିଲା, ପୁଲିସର ସନ୍ଧାନ ପରେ ଏକ ଦୁଃଖଦ ଖବର ମିଳିଥିଲା। ଗାଁରେ ଆଧିପତ୍ୟ ବିସ୍ତାର କରିଥିବା ରାଜପୁତ ସମାଜର ଜଣେ ପ୍ରଭାବଶାଳୀ ସଦସ୍ୟ ସୁରେନ୍ଦ୍ର ଚୌହାନର ଚାଷ ଜମିରୁ ପାଞ୍ଚଟି ମୃତଦେହ ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଗଲା। ଚୌହାନର ଦକ୍ଷିଣପନ୍ଥୀ ହିନ୍ଦୁ ସଂଗଠନ ସହ ସମ୍ପର୍କ ଥିଲା ଏବଂ ସେ ସ୍ଥାନୀୟ ବିଜେପି ବିଧାୟକ ଆଶୀଷ ଶର୍ମାଙ୍କ ନିକଟତର ଥିଲା।

‘‘ଯଦିଓ ଏଭଳି ଏକ ଘଟଣା ଘଟିବ ବୋଲି ଆମ ମନରେ ଆଶଙ୍କା ଥିଲା, ତଥାପି ଏଥିରେ ଆମେ ସ୍ତମ୍ଭୀଭୂତ ହୋଇଯାଇଥିଲୁ,’’ ଭାରତୀ କୁହନ୍ତି। ତାଙ୍କ ପରିବାର ଗୋଣ୍ଡ ଜନଜାତିକୁ ପ୍ରତିନିଧିତ୍ୱ କରିଥାନ୍ତି। ‘‘ଗୋଟିଏ ରାତିରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହରାଇବାର ଦୁଃଖକୁ ମୁଁ ବର୍ଣ୍ଣନା କରିପାରିବି ନାହିଁ । ଆମେ ସମସ୍ତେ ଏକ ଚମତ୍କାର ଘଟିବା ନେଇ ଆଶା କରୁଥିଲୁ।’’

ଗୋଟିଏ ରାତିରେ, ନେମାୱରର ଏକ ଆଦିବାସୀ ପରିବାର ପାଞ୍ଚ ଜଣ ସଦସ୍ୟଙ୍କୁ ହରାଇଥିଲା।

ଏହି ଗଣହତ୍ୟା ପାଇଁ ପୁଲିସ ସୁରେନ୍ଦ୍ର ଏବଂ ତାର ଅନ୍ୟ ଛଅ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା।

*****

ମଧ୍ୟପ୍ରଦେଶରେ ୨୧ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜନଜାତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଣ୍ଡ, ଭୀଲ ଏବଂ ସାହାରିୟାଙ୍କ ଭଳି ଜନଜାତି ସମୁଦାୟ ରହିଛନ୍ତି । ଯଥେଷ୍ଟ ସଂଖ୍ୟାରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି । ୨୦୧୯-୨୦୨୧ ମଧ୍ୟରେ ରାଜ୍ୟରେ ଅନୁସୂଚିତ ଜନଜାତି ଲୋକଙ୍କ ମଧ୍ୟରେ ସବୁଠୁ ଅଧିକ ନିର୍ଯାତନା ଘଟଣା ଘଟିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ଭାରତରେ ଅପରାଧ ୨୦୨୧ ରିପୋର୍ଟରୁ ସୂଚନା ମିଳିଥାଏ।

୨୦୧୯ରେ, ରାଜ୍ୟରେ ଅନୁସୂଚିତ ଜନଜାତି ଲୋକଙ୍କ ବିରୋଧରେ ୧,୯୨୨ଟି ନିର୍ଯାତନା ମାମଲା ଘଟିଥିବା ବେଳେ ଦୁଇ ବର୍ଷ ପରେ ଏହା ୨,୬୨୭କୁ ବୃଦ୍ଧି ପାଇଥିଲା। ନିର୍ଯାତନା ମାମଲାରେ ୩୬ ପ୍ରତିଶତ ବୃଦ୍ଧି ଘଟିବା ସହିତ ଏହା ଜାତୀୟ ହାରାହାରୀ ୧୬ ପ୍ରତିଶତଠାରୁ ଦୁଇ ଗୁଣରୁ ଅଧିକ ଥିଲା।

୨୦୨୧ରେ, ଭାରତରେ ଅନୁସୂଚିତ ଜନଜାତି ଲୋକଙ୍କ ବିରୋଧରେ ୮,୮୦୨ଟି ନିର୍ଯାତନା ମାମଲା ରେକର୍ଡ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ଏହାର ୩୦ ପ୍ରତିଶତ ଅର୍ଥାତ୍‌ ୨,୬୨୭ଟି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଦୈନିକ ହାରାହାରୀ ପ୍ରାୟ ୭ଟି ମାମଲା ଘଟୁଥିଲା। ସବୁଠୁ ଘୃଣ୍ୟ ଅପରାଧଗୁଡ଼ିକ ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟୁଥିବା ବେଳେ ଦୈନନ୍ଦିନ ଜୀବନରେ ହେଉଥିବା ଛୋଟମୋଟ ନିର୍ଯାତନା ଓ ଶୋଷଣ ମାମଲାର କୌଣସି ରିପୋର୍ଟ ପ୍ରକାଶ ପାଇନଥାଏ।

'I can’t describe what it's like to lose five members of the family in one night,' says Bharti from a park in Indore.
PHOTO • Parth M.N.

‘ଗୋଟିଏ ରାତିରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହରାଇବାର ଦୁଃଖ ମୁଁ ବର୍ଣ୍ଣନା କରିପାରିବି ନାହିଁ,’ ଇନ୍ଦୋରର ଏକ ପାର୍କରେ ବସିଥିବା ଭାରତୀ କୁହନ୍ତି

ଜାଗୃତ ଆଦିବାସୀ ଦଳିତ ସଂଗଠନ (ଜେଏଡିଏସ)ର ନେତ୍ରୀ ମାଧୁରୀ କ୍ରିଷ୍ଣାସ୍ୱାମୀ କୁହନ୍ତି, ମଧ୍ୟପ୍ରଦେଶରେ ଜନଜାତି ସମୁଦାୟ ପ୍ରତି ହେଉଥିବା ବ୍ୟାପକ ସଂଖ୍ୟାରେ ଅପରାଧର ହିସାବ ରଖିବା ଜଣେ ସାମାଜିକ କର୍ମୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ‘‘ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠୁ ଭୟାବହ ମାମଲା ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟୀ ନେତାଙ୍କ ରାଜନୈତିକ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଥାଏ,’’ ସେ କୁହନ୍ତି ।

ଚଳିତ ବର୍ଷ ଜୁଲାଇ ମାସରେ, ରାଜ୍ୟର ସିଦ୍ଧି ଜିଲ୍ଲାରେ ଏକ ଉଦବେଗ ସୃଷ୍ଟିକାରୀ ଭିଡିଓ ଭାଇରାଲ୍‌ ହୋଇଥିଲା। ଜଣେ ନିଶାସକ୍ତ ବ୍ୟକ୍ତି ପରଭେଶ ଶୁକ୍ଳା ରାସ୍ତାକଡ଼ରେ ବସିଥିବା ଜଣେ ଆଦିବାସୀ ଲୋକ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଭିଡିଓ ସାମ୍ନାକୁ ଅସିବା ପରେ ଉକ୍ତ ବିଜେପି କାର୍ଯ୍ୟକର୍ତ୍ତା ଶୁକ୍ଳାକୁ ତୁରନ୍ତ ଗିରଫ କରି ନିଆଯାଇଥିଲା।

ତେବେ, ସର୍ବସାଧାରଣରେ ଅସନ୍ତୋଷ ସୃଷ୍ଟି କରିବା ଭଳି କୌଣସି ଭିଡ଼ିଓ ସାମ୍ନାକୁ ନଆସିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ସେତେ ଶୀଘ୍ର ହୋଇନଥାଏ। ସେ କୁହନ୍ତି, ‘‘ଆଦିବାସୀ ସମୁଦାୟ ପ୍ରାୟତଃ ବିସ୍ଥାପିତ ହୋଇଥାନ୍ତି କିମ୍ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଚାଲି ଯାଇଥାନ୍ତି। ଏହା ସେମାନଙ୍କୁ ଅସୁରକ୍ଷିତ କରି ଦେଇଥାଏ। ଏହାବ୍ୟତୀତ ଆଇନ ଶକ୍ତିଶାଳୀ ଏବଂ କ୍ଷମତାଶାଳୀ ସମାଜକୁ ଅମାନବୀୟ କରିବା ଏବଂ ଆଦିବାସୀଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇଥାଏ।

ଭଉଣୀ ରୂପାଲୀଙ୍କ ସହ ପ୍ରେମ ସମ୍ପର୍କ ଅଭିଯୋଗକୁ ନେଇ ସୁରେନ୍ଦ୍ର ନେମାୱରରେ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଗଣହତ୍ୟା କରିଥିଲେ।

ଉଭୟ କିଛି ଦିନ ହେବ ପରସ୍ପର ସହ ମିଶୁଥିଲେ, କିନ୍ତୁ ସୁରେନ୍ଦ୍ର ଅନ୍ୟ ଜଣେ ମହିଳାଙ୍କ ସହ ନିର୍ବନ୍ଧ କରିବାକୁ ଘୋଷଣା କରିବା ପରେ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହା ରୂପାଲୀଙ୍କୁ ଚକିତ କରି ଦେଇଥିଲା। ‘‘ରୂପାଲୀକୁ ୧୮ ବର୍ଷ ହେବା ପରେ ସେ ତା’କୁ ବାହା ହେବ ବୋଲି କହିଥିଲା,’’ ଭାରତୀ କୁହନ୍ତି। ‘‘କିନ୍ତୁ ବାସ୍ତବରେ, ସେ କେବଳ ତା’ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା। ସୁରେନ୍ଦ୍ର କେବଳ ତା’କୁ ବ୍ୟବହାର କରିଥିଲା ଏବଂ ଅନ୍ୟ ଜଣଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲା।

ରୂପାଲୀ ଏଥିରେ ରାଗି ଯାଇ ସୁରେନ୍ଦ୍ରକୁ ସାମାଜିକ ଗଣମାଧ୍ୟମରେ ନିନ୍ଦିତ କରିବାକୁ ଧମକ ଦେଇଥିଲା। ସୁରେନ୍ଦ୍ର ତା’କୁ ସନ୍ଧ୍ୟାରେ ମାମଲାର ଆପୋଷ ସମାଧାନ ପାଇଁ ନିଜ ଚାଷଜମିକୁ ଡାକିଥିଲା। ରୂପାଲୀ ସହିତ ପବନ ଯାଇଥିଲା କିନ୍ତୁ ସୁରେନ୍ଦ୍ରର ବନ୍ଧୁ ତା’କୁ କିଛି ଦୂରରେ ଅଟକାଇ ଦେଇଥିଲା। ସୁରେନ୍ଦ୍ର ଏକ ଲୁହା ରଡ୍‌ ଧରି ଜମିର ଏକ ଖାଲି ସ୍ଥାନରେ ଅପେକ୍ଷା କରିଥିବା ବେଳେ ରୂପାଲୀ ତା’କୁ ଭେଟିଥିଲା। ସେଠାରେ ରୂପାଲୀ ପହଞ୍ଚିବା ପରେ ସୁରେନ୍ଦ୍ର ରଡରେ ତା’ର ମୁଣ୍ଡକୁ ପିଟି ପିଟି ମାରି ଦେଇଥିଲା।

ସୁରେନ୍ଦ୍ର ଏହାପରେ ପବନକୁ ଖବର ଦେଇ କହିଥିଲା ଯେ ରୂପାଲୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ଏବଂ ତା’କୁ ତୁରନ୍ତ ଡାକ୍ତରଖାନାକୁ ନେଇଯିବାର ଆବଶ୍ୟକତା ରହିଛି । ରୂପାଲିର ମା’ ଓ ଭଉଣୀକୁ ଘରୁ ଡାକି ଆଣିବା ପାଇଁ ସେ ପବନକୁ କହିଥିଲା। ପ୍ରକୃତରେ ପବନ ପରିବାରର ସବୁ ଲୋକଙ୍କୁ ମାରିବାକୁ ଚାହୁଁଥିଲା। କାରଣ ସେ ରୂପାଲୀକୁ ଡାକିଛି ବୋଲି ସେମାନେ ସମସ୍ତେ ଜାଣିଥିଲେ। ଏହାପରେ ସୁରେନ୍ଦ୍ର ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିଥିଲା ଏବଂ ସେମାନଙ୍କୁ ନିଜ ଜମିରେ ପୋତି ଦେଇଥିଲା। ‘‘ଏହା କ’ଣ ସାରା ପରିବାରକୁ ମାରି ଦେବାର କାରଣ?’’ ଭାରତୀ ପ୍ରଶ୍ନ କରିଥାନ୍ତି।

From 2019 to 2021, there was a 36 per cent increase in atrocities against STs in Madhya Pradesh.
PHOTO • Parth M.N.

୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରେ ଅନୁସୂଚିତ ଜାତିର ଲୋକଙ୍କ ବିରୋଧରେ ନିର୍ଯାତନା ମାମଲା ୩୬ ପ୍ରତିଶତ ବୃଦ୍ଧି ପାଇଛି

ମାଟି ତଳୁ ମୃତଦେହ ବାହାର କରିବା ପରେ, ରୂପାଲୀ ଓ ପୂଜାଙ୍କ ଶରୀରରେ ପୋଷାକ ନଥିବା ଦେଖିବାକୁ ମିଳିଥିଲା। ‘‘ମାରିବା ପୂର୍ବରୁ ସେମାନଙ୍କୁ ସୁରେନ୍ଦ୍ର ବଳାତ୍କାର କରିଥିବା ଆମେ ସନ୍ଦେହ କରୁଛୁ,’’ ଭାରତୀ କୁହନ୍ତି। ‘‘ଏହା ଆମ ଜୀବନକୁ ନଷ୍ଟ କରିଦେଇଛି।’’

ସଦ୍ୟତମ ଏନସିଆରବି ତଥ୍ୟ ଅନୁଯାୟୀ, ମଧ୍ୟପ୍ରଦେଶରେ ୨୦୨୧ରେ ୩୭୬ଟି ବଳାତ୍କାର ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ମଧ୍ୟରେ ୧୫୪ ଜଣ ନାବାଳିକା ରହିଛନ୍ତି । ରାଜ୍ୟରେ ଦିନକୁ ହାରାହାରି ଗୋଟିଏ ବଳାତ୍କାର ଘଟଣା ଘଟିଛି ।

‘‘ପୂର୍ବରୁ ଆମେ ସେମିତି ଭଲ ଜୀବନ ବଞ୍ଚୁନଥିଲୁ କିନ୍ତୁ ଆମେ ସମସ୍ତେ ଏକାଠି ଥିଲୁ,’’ ଭାରତୀ କୁହନ୍ତି। ‘‘ଆମେ ପରସ୍ପର ପାଇଁ କଠିନ ପରିଶ୍ରମ କରୁଥିଲୁ।’’

*****

ବିଭିନ୍ନ କାରଣରୁ କ୍ଷମତାଶାଳୀ ସମାଜର ଲୋକମାନେ ଆଦିବାସୀଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ଆଦିବାସୀ ସମାଜ ଉପରେ ଆକ୍ରମଣ କରିବାର ସବୁଠୁ ବଡ଼ ବାହାନା ହେଉଛି ଜମିଜମା ବିବାଦ। ସରକାର ଆଦିବାସୀ ଲୋକମାନଙ୍କୁ ଜମି ଦେଲେ ସେମାନେ ଆଉ ଜୀବିକା ପାଇଁ ଜମିଦାରଙ୍କ ଉପରେ ନିର୍ଭର କରିନଥାନ୍ତି, ଫଳରେ ଗାଁରେ ସେମାନଙ୍କର ପ୍ରଭାବ ହ୍ରାସ ପାଇଥାଏ।

୨୦୦୨ରେ ଦିଗବିଜୟ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାୟ ୩.୫ ଲକ୍ଷ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ସଶକ୍ତ କରିବା ଲାଗି ଜମି ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଜରୁରି କାଗଜପତ୍ର କାମ ଶେଷ ହୋଇଛି । କିନ୍ତୁ ଉଚ୍ଚ ଜାତିର ଜମିଦାରମାନେ ଅଧିକାଂଶ ଜମିକୁ ଦଖଲ କରି ରଖିଛନ୍ତି ।

ବଞ୍ଚିତ ସମାଜର ଲୋକମାନେ ଯେତେବେଳେ ସେମାନଙ୍କ ଅଧିକାର ମାଗିଛନ୍ତି, ସେମାନଙ୍କୁ ଏହାର ମୂଲ୍ୟ ସ୍ୱରୂପ ନିଜ ଜୀବନ ଦେବାକୁ ପଡ଼ିଛି ।

ଜୁନ୍‌ ୨୦୨୨ରେ, ଗୁନା ଜିଲ୍ଲାରେ ଥିବା ଧନୋରିୟା ଗାଁରେ ରାମପ୍ୟାରୀ ସାହରିୟାଙ୍କ ଜମି ଚିହ୍ନଟ କରିବା ଲାଗି ପ୍ରଶାସନ ପହଞ୍ଚିଥିଲା। ପ୍ରଶାସନ ଯେତେବେଳେ ତାଙ୍କ ପାଇଁ ଅନ୍ତିମ ସୀମା ନିର୍ଦ୍ଧାରଣ କରିଥିଲା ଏହା ତାଙ୍କ ପାଇଁ ସ୍ୱପ୍ନ ପୂରଣ ହେବା ଭଳି ଲାଗିଥିଲା ଏବଂ ଜମି ମାଲିକାନା ପାଇବା ଲାଗି ସାହରିୟା ଆଦିବାସୀ ପରିବାରର ଦୁଇ ଦଶନ୍ଧି ଲମ୍ବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମୟ ଆସିଥିଲା।

କିନ୍ତୁ କ୍ଷମତାଶାଳୀ ଧାକଡ଼ ଓ ବ୍ରାହ୍ମଣ ସମାଜର ଦୁଇଟି ପରିବାର ସେହି ଜମିକୁ ଦଖଲ କରି ରଖିଥିଲେ।

Jamnalal's family belongs to the Sahariya Adivasi tribe. He is seen here chopping soyabean in Dhanoriya.
PHOTO • Parth M.N.

ଯମନାଲାଲଙ୍କ ପରିବାର ସାହରିୟା ଆଦିବାସୀ ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି । ସେ ଧନୋରିୟାରେ ସୋୟାବିନ ଫସଲ କାଟିବା ସମୟର ଦୃଶ୍ୟ

୨ ଜୁଲାଇ ୨୦୨୨ରେ, ରାମପ୍ୟାରୀ ନିଜର ୩ ଏକର ଜମିକୁ ନିରୀକ୍ଷଣ କରିବା ଲାଗି ଆସୁଥିବା ସମୟରେ ଗର୍ବରେ ତାଙ୍କର ଛାତି ଫୁଲି ଉଠୁଥିଲା, ସେ ଏବେ ଜମି ମାଲିକ ହୋଇସାରିଥିଲେ। କିନ୍ତୁ ସେ ଯେତେବେଳେ ନିଜର ଚାଷ ଜମି ପାଖରେ ପହଞ୍ଚିଲେ, ଦୁଇଟି ଉଚ୍ଚ ଜାତିର ପରିବାର ସେହି ଜମିରେ ଟ୍ରାକ୍ଟର ଚଳାଇ ହଳ କରୁଥିଲେ। ରାମପ୍ୟାରୀ ଏଥିରେ ହସ୍ତକ୍ଷେପ କରିବା ସହିତ ଜମି ଖାଲି କରିବାକୁ ସେମାନଙ୍କୁ କହିଲେ। ଫଳରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଶେଷରେ ସେମାନେ ରାମପ୍ୟାରୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ନିଆଁ ଲଗାଇ ପୋଡ଼ି ଦେଇଥିଲେ।

‘‘ଘଟଣା ସମ୍ପର୍କରେ ଖବର ପାଇବା ପରେ ତାଙ୍କ ସ୍ୱାମୀ ଅର୍ଜ୍ଜୁନ ଚାଷ ଜମିକୁ ଗଲେ ଏବଂ ସେଠାରେ ନିଜ ପତ୍ନୀଙ୍କୁ ପୋଡ଼ିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ,’’ ଅର୍ଜ୍ଜୁନଙ୍କ କକା ଯମନାଲାଲ (୭୦) କୁହନ୍ତି। ‘‘ଆମେ ତାଙ୍କୁ ତୁରନ୍ତ ଗୁନାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲୁ, ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଭୋପାଳ ପଠାଇ ଦିଆଯାଇଥିଲା।’’

ଛଅ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ପରିବାରରେ ତାଙ୍କର ସ୍ୱାମୀ ଓ ଚାରି ପିଲା ଥିଲେ, ସେମାନଙ୍କ ମଧ୍ୟରୁ ସମସ୍ତେ ବାହା ହୋଇସାରିଛନ୍ତି ।

ଏହି ପରିବାର ସାହରିୟା ଜନଜାତିର ପ୍ରତିନିଧିତ୍ୱ କରୁଥିବା ବେଳେ ଜୀବିକା ପାଇଁ ସେମାନେ ମଜୁରି କାମ ଉପରେ ନିର୍ଭର କରିଥାନ୍ତି । ‘‘ଆମ ପାଖରେ ଆୟର ଆଉ କୌଣସି ଉତ୍ସ ନାହିଁ,’’ ଧନୋରିୟାରେ ଏକ ଚାଷ ଜମିରେ ସୋୟାବିନ କାଟୁଥିବା ସମୟରେ ଯମନାଲାଲ କୁହନ୍ତି । ‘‘ଆମକୁ ଯେତେବେଳେ ଜମି ମାଲିକାନା ମିଳିଥିଲା, ଅତି କମ୍‌ରେ ନିଜ ଖାଇବା ପାଇଁ କିଛି ଚାଷ କରିବୁ ବୋଲି ଆମେ ଭାବିଥିଲୁ।’’

‘‘ଏହି ଘଟଣା ଘଟିବା ପରେ, ରାମପ୍ୟାରୀଙ୍କ ପରିବାର ଭୟରେ ସେମାନଙ୍କ ଗାଁ ଧନୋରିୟା ଛାଡ଼ି ଦେଇଥିଲା। ଯମନାଲାଲ ଏବେ ଗାଁରେ ଅଛନ୍ତି, କିନ୍ତୁ ସେମାନେ କେଉଁଠି ରହୁଛନ୍ତି ସେ ବିଷୟରେ ସେ କିଛି କୁହନ୍ତି ନାହିଁ। ‘‘ଆମେ ସମସ୍ତେ ଏହି ଗାଁରେ ଜନ୍ମ ନେଇଛୁ, ବଡ଼ ହୋଇଛୁ,’’ ସେ କୁହନ୍ତି। ‘‘କିନ୍ତୁ ମୁଁ ଏକାକୀ ଏଠି ମରିବି। ଅର୍ଜ୍ଜୁନ ଓ ତା’ର ବାପା କେବେ ଫେରିବେ ବୋଲି ମୋତେ ଆଉ ଲାଗୁନି।’’

ରାମପ୍ୟାରୀଙ୍କ ହତ୍ୟା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରି ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପୁଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅପରାଧୀଙ୍କୁ ଗିରଫ କରିଥିଲା।

Jamnalal continues to live and work there but Rampyari's family has left Dhanoriya. 'I don’t think Arjun [her husband] and his father will return,' he says
PHOTO • Parth M.N.
Jamnalal continues to live and work there but Rampyari's family has left Dhanoriya. 'I don’t think Arjun [her husband] and his father will return,' he says
PHOTO • Parth M.N.

ଯମନାଲାଲ ଏଠାରେ ରହି କାମ କରୁଛନ୍ତି କିନ୍ତୁ ରାମପ୍ୟାରୀଙ୍କ ପରିବାର ଧନୋରିୟା ଛାଡ଼ି ଦେଇଛି । ଅର୍ଜ୍ଜୁନ (ତାଙ୍କ ସ୍ୱାମୀ) ଓ ତା’ର ବାପା କେବେ ଫେରିବେ ବୋଲି ମୋତେ ଆଉ ଲାଗୁନି'

*****

ଲୋକମାନେ ଅପରାଧ କଲେ, ପୀଡ଼ିତମାନେ ସରକାରୀ କଳ ପାଖକୁ ନ୍ୟାୟ ପାଇଁ ଯାଆନ୍ତି । କିନ୍ତୁ ଚୈନ ସିଂହଙ୍କ ମାମଲାରେ, ସରକାରୀ କଳ ହିଁ ତାଙ୍କୁ ମାରି ଦେଇଥିଲା।

ଅଗଷ୍ଟ ୨୦୨୨ରେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଥିବା ରାୟପୁରା ଗ୍ରାମର ବାସିନ୍ଦା ଚୈନ ସିଂହ ଓ ତାଙ୍କ ଭାଇ ମହେନ୍ଦ୍ର ସିଂହ ଏକ ବାଇକ ଯୋଗେ ଜଙ୍ଗଲରୁ ସେମାନଙ୍କ ଗାଁ କୁ ଫେରୁଥିଲେ। ‘‘ଘର କାମ ପାଇଁ ଆମର କିଛି କାଠ ଦରକାର ଥିଲା,’’ ମହେନ୍ଦ୍ର (୨୦) କୁହନ୍ତି। ‘‘ମୋ ଭାଇ ବାଇକ ଚଲାଉଥିଲେ। ଆମେ ସଂଗ୍ରହ କରିଥିବା କାଠ ଧରି ମୁଁ ପଛରେ ବସିଥିଲି।’’

ବିଦିଶାର ଘଞ୍ଚ ଜଙ୍ଗଲ ଇଲାକା ପାଖରେ ରାୟପୁରା ଅବସ୍ଥିତ, ଏହାର ଅର୍ଥ ହେଉଛି ସୂର୍ଯ୍ୟାସ୍ତ ପରେ ଏହି କ୍ଷେତ୍ରରେ ଅନ୍ଧକାର ଛାଇ ଯାଇଥାଏ। ରାସ୍ତାପାର୍ଶ୍ୱ ଆଲୋକ ବ୍ୟବସ୍ଥା ନାହିଁ । ଅସମତଳ ଅଞ୍ଚଳରେ ଯାତ୍ରା କରିବା ଲାଗି ଦୁଇ ଭାଇ କେବଳ ନିଜ ବାଇକର ହେଡଲାଇଟ୍‌ ଉପରେ ଭରସା କରି ଆସୁଥିଲେ ।

ଆବଡ଼ାଖାବଡ଼ା ରାସ୍ତା ପାର୍‌ ହୋଇ ବନାଞ୍ଚଳ ଅତିକ୍ରମ କରିବା ପରେ, ଭୀଲ୍‌ ଜନଜାତିର ଚୈନ ସିଂ ଓ ମହେନ୍ଦ୍ର ମୁଖ୍ୟରାସ୍ତାରେ ପହଞ୍ଚିବା ପରେ ସେମାନଙ୍କ ସାମ୍ନାରେ ଦୁଇଟି ଜିପ୍‌ରେ ଭର୍ତ୍ତି ହୋଇ ରହିଥିବା ବନ ସୁରକ୍ଷା ଅଧିକାରୀମାନେ ଥିଲେ। ବାଇକର ହେଡଲାଇଟ୍‌ ସିଧାସଳଖ ଜିପ୍‌ ଉପରେ ପଡ଼ିଥିଲା।

‘‘ମୋ ଭାଇ ତୁରନ୍ତ ବାଇକ୍‌ ଅଟକାଇ ଦେଇଥିଲା,’’ ମହେନ୍ଦ୍ର କୁହନ୍ତି। ‘‘କିନ୍ତୁ ଜଣେ ବନ ଅଧିକାରୀ ଆମ ଆଡ଼କୁ ଗୁଳି ଚଳାଇଲେ। ଆମ ପଟୁ କୌଣସି ଆକ୍ରମଣାତ୍ମକ ସଙ୍କେତ ନଥିଲା। ଆମେ କେବଳ କାଠ ବୋହି ନେଇ ଯାଉଥିଲୁ।’’

‘‘ଘଟଣାସ୍ଥଳରେ ଚୈନ ସିଂହ (୩୦) ପ୍ରାଣ ହରାଇଥିଲେ। ସେ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ଟଳିପଡ଼ିଥିଲେ। ପଛ ସିଟରେ ବସିଥିବା ମହେନ୍ଦ୍ରଙ୍କୁ ମଧ୍ୟ ଆଘାତ ଲାଗିଥିଲା। ସେମାନେ ସଂଗ୍ରହ କରିଥିବା କାଠ ତାଙ୍କ ହାତ ଉପରେ ପଡ଼ିଥିଲା ଏବଂ ଓହ୍ଲାଇବା ପୂର୍ବରୁ ବାଇକ ସହ ସେ ତଳକୁ ଖସି ପଡ଼ିଥିଲେ। ‘‘ମୋର ମଧ୍ୟ ଜୀବନ ଚାଲିଯିବା ଭଳି ଲାଗିଲା,’’ ମହେନ୍ଦ୍ର କୁହନ୍ତି। ‘‘ଲାଗିଲା ମୁଁ ଯେମିତି ସ୍ୱର୍ଗରେ ଝୁଲୁଛି।’’ ପରଦିନ ସକାଳେ ଡାକ୍ତରଖାନାରେ ତାଙ୍କର ଚେତା ଫେରିଥିଲା ବୋଲି ସେ ମନେ ପକାଇ କହିଥାନ୍ତି।

Mahendra's (in the photo) brother Chain Singh was shot dead by a forest guard near their village Raipura of Vidisha district
PHOTO • Parth M.N.

ମହେନ୍ଦ୍ର (ଫଟୋରେ)ଙ୍କ ଭାଇ ଚୈନ ସିଂହଙ୍କୁ ବିଦିଶା ଜିଲ୍ଲାର ରାୟପୁରା ଗାଁ ନିକଟ ଜଙ୍ଗଲରେ ବନ ସୁରକ୍ଷାକର୍ମୀମାନେ ଗୁଳି କରି ହତ୍ୟା କରିଥିଲେ

ଏହି ଘଟଣାକୁ ନେଇ ନ୍ୟାୟିକ ତଦନ୍ତ ଜାରି ରହିଥିବା ବିଦିଶା ଜିଲ୍ଲା ବନ ଅଧିକାରୀ ଓମକାର ମାସକୋଲେ କୁହନ୍ତି। ‘‘ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇଥିଲା, କିନ୍ତୁ ଏବେ ସେ ପୁଣିଥରେ ଚାକିରିରେ ଯୋଗ ଦେଇଛନ୍ତି,’’ ସେ କୁହନ୍ତି। ‘‘ନ୍ୟାୟିକ ତଦନ୍ତ ରିପୋର୍ଟ ଦାଖଲ କରାଯିବା ପରେ, ଆମେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’’

ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଥିବା ଫରେଷ୍ଟ ରେଞ୍ଜର ଦୋଷୀ ସାବ୍ୟସ୍ତ ହେବା ନେଇ ମହେନ୍ଦ୍ରଙ୍କ ମନରେ ସନ୍ଦେହ ରହିଛି। ‘‘ସେ ଯାହା କରିଛନ୍ତି ତା’ର ଫଳ ତାଙ୍କୁ ମିଳିବ ବୋଲି ମୁଁ ଆଶା କରୁଛି,’’ ସେ କୁହନ୍ତି। ‘‘ଅନ୍ୟଥା ଆପଣ କେଉଁ ବାର୍ତ୍ତା ଦେଉଛନ୍ତି? ଜଣେ ଆଦିବାସୀ ଲୋକକୁ ମାରିବା ସହଜ କଥା। ଆମ ଜୀବନ କ’ଣ ଏତେ ତୁଚ୍ଛ?’’

ଏହି ଘଟଣା ଚୈନ ସିଂହଙ୍କ ପରିବାରକୁ ବରବାଦ୍‌ କରିଦେଇଛି, କାରଣ ସେ ତାଙ୍କ ପରିବାରର ଦୁଇ ରୋଜଗାରିଆ ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ଅନ୍ୟପଟେ ମହେନ୍ଦ୍ର ଗୋଟିଏ ବର୍ଷ ପରେ ମଧ୍ୟ ଛୋଟେଇ ଛୋଟେଇ ଚାଲୁଛନ୍ତି। ସେ କୁହନ୍ତି, ‘‘ମୋ ଭାଇ ଚାଲିଗଲା ଏବଂ ଆଘାତ କାରଣରୁ ମୁଁ ବେଶୀ ମଜୁରି କାମ କରିପାରୁନାହିଁ। ତା’ର ଚାରି ଛୋଟ ଛୋଟ ପିଲାଙ୍କ କଥା କିଏ ବୁଝିବ? ଆମ ପାଖରେ ଗୋଟିଏ ଏକର ଜମି ଅଛି, ସେଠି ଆମେ ନିଜ ଖାଇବା ପାଇଁ ଚଣା ଚାଷ କରିଥାଉ। କିନ୍ତୁ ଗୋଟିଏ ବର୍ଷ ହେବ ନଗଦ ଟଙ୍କା ରୋଜଗାର ପ୍ରାୟତଃ ଶୂନ୍ୟ ହୋଇଯାଇଛି ।

*****

ସେହି ଘଟଣା ପରଠାରୁ ଭାରତୀ ଆଉ ରୋଜଗାର କରିବାକୁ ସକ୍ଷମ ହୋଇପାରିନାହାନ୍ତି।

ନେମାୱରରେ ତାଙ୍କ ପରିବାର ସଦସ୍ୟଙ୍କ ଗଣହତ୍ୟା ପରେ, ସେ ତାଙ୍କ ବାପା ମୋହନଲାଲ ଓ ବଡ଼ ଭାଇ ସନ୍ତୋଷଙ୍କ ସହ ଗାଁ ଛାଡ଼ି ଦେଇଥିଲେ। ‘‘ସେଠାରେ ଆମର ଚାଷ ଜମି ନଥିଲା,’’ ଭାରତୀ କୁହନ୍ତି। ‘‘କେବଳ ଆମ ପରିବାର ଥିଲା। ଏବେ ଆଉ ପରିବାର ନଥିବାରୁ, ସେଠି ରହିବାର କୌଣସି କାରଣ ନଥିଲା। ସେହି ଘଟଣା ବିଷୟରେ ବାରମ୍ବାର ମନେ ପଡ଼ୁଥିବାରୁ ଆମେ ଆଉ ନିଜକୁ ସୁରକ୍ଷିତ ମଣୁନାହୁଁ।’’

Bharti's father and brother wanted to let go of the case and start afresh. 'Maybe they are scared. But I want to ensure the people who killed my family get punishment. How can I start afresh when there is no closure?' she says.
PHOTO • Parth M.N.

ଭାରତୀଙ୍କ ବାପା ଓ ଭାଇ ଏ ମାମଲାକୁ ଛାଡ଼ି ଦେଇ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ। ‘ବୋଧହୁଏ ସେମାନେ ଡରି ଯାଇଥିବେ। କିନ୍ତୁ ମୋ ପରିବାରକୁ ମାରିଥିବା ଲୋକମାନେ ନିଶ୍ଚିତ ଦଣ୍ଡ ପାଆନ୍ତୁ ବୋଲି ମୁଁ ଚାହୁଁଛି । ଏହି ମାମଲା ନସରିବା ପର୍ଯ୍ୟନ୍ତ ମୁଁ ନୂଆ ଆରମ୍ଭ କରିବି କିପରି?’ ସେ କୁହନ୍ତି

ସେବେଠାରୁ ମୋହନଲାଲ ଓ ସନ୍ତୋଷଙ୍କ ସହିତ ଭାରତୀଙ୍କ ଭଲ ସମ୍ପର୍କ ନାହିଁ। ସେମାନେ ଆଉ ଏକାଠି ରହୁନାହାନ୍ତି। ‘‘ମୁଁ ମୋର ସମ୍ପର୍କୀୟଙ୍କ ସହିତ ଇନ୍ଦୋରରେ ରହୁଛି ଏବଂ ସେମାନେ ପିଠମପୁରରେ ରହୁଛନ୍ତି’’, ସେ କୁହନ୍ତି। ‘‘ମୋ ବାପା ଓ ଭାଇ ଏ ମାମଲାକୁ ଛାଡ଼ି ଦେଇ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ। ବୋଧହୁଏ ସେମାନେ ଡରି ଯାଇଥିବେ। କିନ୍ତୁ ମୋ ପରିବାରକୁ ମାରିଥିବା ଲୋକମାନେ ନିଶ୍ଚିତ ଦଣ୍ଡ ପାଆନ୍ତୁ ବୋଲି ମୁଁ ଚାହୁଁଛି । ଏହି ମାମଲା ନସରିବା ପର୍ଯ୍ୟନ୍ତ ମୁଁ ନୂଆ ଆରମ୍ଭ କରିବି କିପରି?’’

ରୂପାଲୀ ଡାକ୍ତର ହେବାକୁ ଚାହୁଁଥିଲା। ପବନର ସେନାବାହିନୀରେ ଯୋଗ ଦେବାକୁ ଇଚ୍ଛା ଥିଲା। ନିଜ ପରିବାର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ ଭାରତୀକୁ ରାସ୍ତାରେ ଭିକ ମଧ୍ୟ ମାଗିବାକୁ ପଡ଼ିଛି, ଏବେ ସେ ଆଉ କିଛି ନୁହେଁ ବରଂ ନ୍ୟାୟ ଚାହୁଁଛନ୍ତି।

ଜାନୁଆରୀ ୨୦୨୨ରେ, ଭାରତୀ ନେମାୱରରୁ ଭୋପାଳ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ‘ନ୍ୟାୟଯାତ୍ରା’ କରିଥିଲେ। ଗୋଟିଏ ସପ୍ତାହ ଧରି ଚାଲିଥିବା ୧୫୦ କିଲୋମିଟର ଯାତ୍ରାରେ ତାଙ୍କୁ ବିରୋଧୀ କଂଗ୍ରେସ ଦଳର ସମର୍ଥନ ମିଳିଥିଲା। ମୋହନଲାଲ ଓ ସନ୍ତୋଷ ଏଥିରେ ସାମିଲ ହୋଇନଥିଲେ । ‘‘ସେମାନେ ମୋ ସହ ବେଶୀ କଥାବାର୍ତ୍ତା ହୁଅନ୍ତି ନାହିଁ,’’ ସେ ଅନୁଶୋଚନା କରି କୁହନ୍ତି। ‘‘ମୁଁ କେମିତି ଅଛି ବୋଲି ସେମାନେ ମୋତେ କେବେ ପଚାରନ୍ତି ନାହିଁ।’’

ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହି ଅର୍ଥରାଶି ଭାରତୀ, ମୋହନଲାଲ ଓ ସନ୍ତୋଷ ଏବଂ ତାଙ୍କ କକାଙ୍କ ପରିବାର ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ବର୍ତ୍ତମାନ ଭାରତୀ ଏହି ଅର୍ଥରେ ଚଳୁଛନ୍ତି । କାମରେ ଧ୍ୟାନ ଦେଇନପାରିବା କାରଣରୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଛି । ସେ ପୁଣିଥରେ ପାଠ ପଢ଼ିବା ଲାଗି ସ୍କୁଲକୁ ଫେରିବାକୁ ଚାହୁଁଛନ୍ତି ଏବଂ ପରିବାର ପାଇଁ ଅଧାରୁ ଛାଡ଼ିଥିବା ପାଠପଢ଼ାକୁ ସମ୍ପୂର୍ଣ୍ଣ କରିବା ଲାଗି ତାଙ୍କର ଇଚ୍ଛା ରହିଛି । କିନ୍ତୁ ମାମଲା ସରିବା ପରେ ସେ ଯାହା କରିବେ ।

ରାଜନୈତିକ ସମ୍ପର୍କ ଥିବା କାରଣରୁ ସୁରେନ୍ଦ୍ର ବିରୋଧରେ ଥିବା ମାମଲା ଦିଗହରା ହୋଇପାରେ ବୋଲି ଭାରତୀଙ୍କ ମନରେ ଆଶଙ୍କା ରହିଛି । ଏମିତି ନହେଉ ବୋଲି ସେ ସୁଲଭ ମୂଲ୍ୟରେ ଆଇନ ସେବା ଦେଉଥିବା ବିଶ୍ୱସନୀୟ ଆଇନଜୀବୀଙ୍କ ସହାୟତା ନେଉଛନ୍ତି । ବିଗତ ଦୁଇ ବର୍ଷ ମଧ୍ୟରେ ଭାରତୀଙ୍କ ଜୀବନରେ ଗୋଟିଏ କଥାକୁ ଛାଡ଼ି ପ୍ରାୟ ସବୁ କଥା ବଦଳିଛି: ଏବେ ବି ତାଙ୍କର ପରିବାର ଲୋକଙ୍କ କଥା ମନେ ପଡ଼ୁଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE