ଜାଗୃତ ଆଦିବାସୀ ଦଳିତ ସଂଗଠନ (ଜେଏଡିଏସ)ର ନେତ୍ରୀ ମାଧୁରୀ କ୍ରିଷ୍ଣାସ୍ୱାମୀ କୁହନ୍ତି, ମଧ୍ୟପ୍ରଦେଶରେ ଜନଜାତି ସମୁଦାୟ ପ୍ରତି ହେଉଥିବା ବ୍ୟାପକ ସଂଖ୍ୟାରେ ଅପରାଧର ହିସାବ ରଖିବା ଜଣେ ସାମାଜିକ କର୍ମୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ‘‘ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠୁ ଭୟାବହ ମାମଲା ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟୀ ନେତାଙ୍କ ରାଜନୈତିକ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଥାଏ,’’ ସେ କୁହନ୍ତି ।
ଚଳିତ ବର୍ଷ ଜୁଲାଇ ମାସରେ, ରାଜ୍ୟର ସିଦ୍ଧି ଜିଲ୍ଲାରେ ଏକ ଉଦବେଗ ସୃଷ୍ଟିକାରୀ ଭିଡିଓ ଭାଇରାଲ୍ ହୋଇଥିଲା। ଜଣେ ନିଶାସକ୍ତ ବ୍ୟକ୍ତି ପରଭେଶ ଶୁକ୍ଳା ରାସ୍ତାକଡ଼ରେ ବସିଥିବା ଜଣେ ଆଦିବାସୀ ଲୋକ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଭିଡିଓ ସାମ୍ନାକୁ ଅସିବା ପରେ ଉକ୍ତ ବିଜେପି କାର୍ଯ୍ୟକର୍ତ୍ତା ଶୁକ୍ଳାକୁ ତୁରନ୍ତ ଗିରଫ କରି ନିଆଯାଇଥିଲା।
ତେବେ, ସର୍ବସାଧାରଣରେ ଅସନ୍ତୋଷ ସୃଷ୍ଟି କରିବା ଭଳି କୌଣସି ଭିଡ଼ିଓ ସାମ୍ନାକୁ ନଆସିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ସେତେ ଶୀଘ୍ର ହୋଇନଥାଏ। ସେ କୁହନ୍ତି, ‘‘ଆଦିବାସୀ ସମୁଦାୟ ପ୍ରାୟତଃ ବିସ୍ଥାପିତ ହୋଇଥାନ୍ତି କିମ୍ବା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଚାଲି ଯାଇଥାନ୍ତି। ଏହା ସେମାନଙ୍କୁ ଅସୁରକ୍ଷିତ କରି ଦେଇଥାଏ। ଏହାବ୍ୟତୀତ ଆଇନ ଶକ୍ତିଶାଳୀ ଏବଂ କ୍ଷମତାଶାଳୀ ସମାଜକୁ ଅମାନବୀୟ କରିବା ଏବଂ ଆଦିବାସୀଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇଥାଏ।
ଭଉଣୀ ରୂପାଲୀଙ୍କ ସହ ପ୍ରେମ ସମ୍ପର୍କ ଅଭିଯୋଗକୁ ନେଇ ସୁରେନ୍ଦ୍ର ନେମାୱରରେ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଗଣହତ୍ୟା କରିଥିଲେ।
ଉଭୟ କିଛି ଦିନ ହେବ ପରସ୍ପର ସହ ମିଶୁଥିଲେ, କିନ୍ତୁ ସୁରେନ୍ଦ୍ର ଅନ୍ୟ ଜଣେ ମହିଳାଙ୍କ ସହ ନିର୍ବନ୍ଧ କରିବାକୁ ଘୋଷଣା କରିବା ପରେ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହା ରୂପାଲୀଙ୍କୁ ଚକିତ କରି ଦେଇଥିଲା। ‘‘ରୂପାଲୀକୁ ୧୮ ବର୍ଷ ହେବା ପରେ ସେ ତା’କୁ ବାହା ହେବ ବୋଲି କହିଥିଲା,’’ ଭାରତୀ କୁହନ୍ତି। ‘‘କିନ୍ତୁ ବାସ୍ତବରେ, ସେ କେବଳ ତା’ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲା। ସୁରେନ୍ଦ୍ର କେବଳ ତା’କୁ ବ୍ୟବହାର କରିଥିଲା ଏବଂ ଅନ୍ୟ ଜଣଙ୍କୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲା।
ରୂପାଲୀ ଏଥିରେ ରାଗି ଯାଇ ସୁରେନ୍ଦ୍ରକୁ ସାମାଜିକ ଗଣମାଧ୍ୟମରେ ନିନ୍ଦିତ କରିବାକୁ ଧମକ ଦେଇଥିଲା। ସୁରେନ୍ଦ୍ର ତା’କୁ ସନ୍ଧ୍ୟାରେ ମାମଲାର ଆପୋଷ ସମାଧାନ ପାଇଁ ନିଜ ଚାଷଜମିକୁ ଡାକିଥିଲା। ରୂପାଲୀ ସହିତ ପବନ ଯାଇଥିଲା କିନ୍ତୁ ସୁରେନ୍ଦ୍ରର ବନ୍ଧୁ ତା’କୁ କିଛି ଦୂରରେ ଅଟକାଇ ଦେଇଥିଲା। ସୁରେନ୍ଦ୍ର ଏକ ଲୁହା ରଡ୍ ଧରି ଜମିର ଏକ ଖାଲି ସ୍ଥାନରେ ଅପେକ୍ଷା କରିଥିବା ବେଳେ ରୂପାଲୀ ତା’କୁ ଭେଟିଥିଲା। ସେଠାରେ ରୂପାଲୀ ପହଞ୍ଚିବା ପରେ ସୁରେନ୍ଦ୍ର ରଡରେ ତା’ର ମୁଣ୍ଡକୁ ପିଟି ପିଟି ମାରି ଦେଇଥିଲା।
ସୁରେନ୍ଦ୍ର ଏହାପରେ ପବନକୁ ଖବର ଦେଇ କହିଥିଲା ଯେ ରୂପାଲୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ଏବଂ ତା’କୁ ତୁରନ୍ତ ଡାକ୍ତରଖାନାକୁ ନେଇଯିବାର ଆବଶ୍ୟକତା ରହିଛି । ରୂପାଲିର ମା’ ଓ ଭଉଣୀକୁ ଘରୁ ଡାକି ଆଣିବା ପାଇଁ ସେ ପବନକୁ କହିଥିଲା। ପ୍ରକୃତରେ ପବନ ପରିବାରର ସବୁ ଲୋକଙ୍କୁ ମାରିବାକୁ ଚାହୁଁଥିଲା। କାରଣ ସେ ରୂପାଲୀକୁ ଡାକିଛି ବୋଲି ସେମାନେ ସମସ୍ତେ ଜାଣିଥିଲେ। ଏହାପରେ ସୁରେନ୍ଦ୍ର ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିଥିଲା ଏବଂ ସେମାନଙ୍କୁ ନିଜ ଜମିରେ ପୋତି ଦେଇଥିଲା। ‘‘ଏହା କ’ଣ ସାରା ପରିବାରକୁ ମାରି ଦେବାର କାରଣ?’’ ଭାରତୀ ପ୍ରଶ୍ନ କରିଥାନ୍ତି।