‘‘ମୋବାଇଲ, ଟିଭି, ଭିଡିଓ ଗେମ୍ସ ଆସିଯାଇଛି ଏବଂ କଣ୍ଢେଇ ନାଚ ଓ କାହାଣୀ କହିବାର ଐତିହାସିକ ପରମ୍ପରା ବିଲୁପ୍ତ ହୋଇଯାଉଛି।’’ ରାଜସ୍ଥାନ ସୀକାର ଅନ୍ତର୍ଗତ ଦନ୍ତା ରାମଗଡ଼ର ଜଣେ କଣ୍ଢେଇ ନାଚ କଳାକାର ହେଉଛନ୍ତି ପୂରନ୍ ଭାଟ୍। ଏହି ୩୦ ବର୍ଷୀୟ କଳାକାର କୁହନ୍ତି, ପୂର୍ବରୁ ସେମାନେ ନିଜେ କଣ୍ଢେଇ ତିଆରି କରୁଥିଲେ ଏବଂ ପିଲାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବାହାଘର ଓ ସରକାରୀ କାର୍ଯ୍ୟାଳୟରେ ନାଟକ ପରିବେଷଣ କରୁଥିଲେ।
‘‘ଆଜିର ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ଚାହୁଁଛନ୍ତି। ପୂର୍ବରୁ, ମହିଳାମାନେ ଢୋଲକ ବାଦ୍ୟ ତାଳରେ ଗୀତ ଗାଉଥିଲେ କିନ୍ତୁ ଏବେ ଲୋକମାନେ ହାର୍ମୋନିୟମରେ ଚଳଚ୍ଚିତ୍ର ସଙ୍ଗୀତ ଚାହୁଁଛନ୍ତି। ଯଦି ଆମକୁ ପ୍ରୋତ୍ସାହନ ମିଳିବ, ତା’ହେଲେ ଆମ ପୂର୍ବଜମାନେ ଶିଖାଇଥିବା କଳାକୁ ଆମେ ଆଗେଇ ନେବୁ,’’ ସେ କୁହନ୍ତି।
ଚଳିତ ବର୍ଷ (୨୦୨୩) ଅଗଷ୍ଟ ମାସରେ ତିନି ଦଶନ୍ଧି ପୁରୁଣା ବହୁମୁଖି କଳା କେନ୍ଦ୍ର ଜୟପୁର ଜବାହର କଳା କେନ୍ଦ୍ରଠାରେ ଭାଟ୍ ଉପସ୍ଥିତ ଥିଲେ। ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମହୋତ୍ସବରେ ରାଜସ୍ଥାନର ବିଭିନ୍ନ ସ୍ଥାନରୁ ବହୁ ଲୋକ କଳାକାରମାନେ ଏକାଠି ହୋଇଥିଲେ। ନିଜର କଳା ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଥିବା ପ୍ରଦର୍ଶନକାରୀ କଳାକାରଙ୍କ ପାଇଁ ସରକାର ଏକ ନୂଆ ଯୋଜନା ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ ଲୋକ କଳାକାର ପ୍ରୋତ୍ସାହନ ଯୋଜନା ନାମକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଲୋକ କଳାକାର ପରିବାରକୁ ସେମାନଙ୍କ ଘର ପାଖରେ ଦିନକୁ ୫୦୦ ଟଙ୍କା ମଜୁରିରେ ବାର୍ଷିକ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଗ୍ରାମୀଣ ପରିବାର ପାଇଁ ୧୦୦ ଦିନର ରୋଜଗାର ସୁନିଶ୍ଚିତ କରିଥିବା ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଆଇନ ୨୦୦୫ ଏହି ଯୋଜନା ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିଛି।
କାରୀଗର ଓ ଶିଳ୍ପୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୩ରେ ବିଶ୍ୱକର୍ମା ଯୋଜନା ଘୋଷଣା କରାଯାଇଥିଲା, କିନ୍ତୁ ପ୍ରଥମ ଥର ପାଇଁ କଲବେଲିୟା, ତେରା ତାଲି, ବେହରୂପିଆ ଓ ଅନ୍ୟାନ୍ୟ ଭଳି ପ୍ରଦର୍ଶନକାରୀ କଳାକାରଙ୍କ ଲାଗି ଏହି ଯୋଜନା - କଳାକାର ଯୋଜନା - ଆରମ୍ଭ କରାଯାଇଛି। ସାମାଜିକ କର୍ମୀଙ୍କ ପୂର୍ବାନୁମାନ ଅନୁଯାୟୀ, ରାଜସ୍ଥାନରେ ପ୍ରାୟ ୧-୨ ଲକ୍ଷ ଲୋକ କଳାକାର ଥିବେ ଏବଂ ବର୍ତ୍ତମାନ ସୁଦ୍ଧା କେହି ସମ୍ପୂର୍ଣ୍ଣ ସଂଖ୍ୟା ଗଣତି କରିନାହାନ୍ତି। ଏହି ଯୋଜନା ଗିଗ୍ ଶ୍ରମିକ (ପରିବହନ ଓ ବିତରଣ) ଏବଂ ସଡ଼କ ବିକ୍ରେତାଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ପରିଧିକୁ ଆଣିଥାଏ।










