“ମୁଁ ନିଜକୁ ଜଣେ ଚିତ୍ରଶିଳ୍ପୀ ବୋଲି ଭାବେ ନାହିଁ । ମୋ ପାଖରେ ଜଣେ ଚିତ୍ରଶିଳ୍ପୀଙ୍କର ଗୁଣାବଳୀ ନାହିଁ । ହେଲେ, ମୋ ପାଖରେ କାହାଣୀ ଅଛି । ମୁଁ ମୋ ତୂଳିରେ କାହାଣୀ ଲେଖିବାକୁ ଚେଷ୍ଟା କରେ । ମୋର ସବୁ ଅଙ୍କନ ନିଖୁଣ ବୋଲି ମୁଁ ଦାବି କରେ ନାହିଁ । ମାତ୍ର ଗତ ଦୁଇ ତିନି ବର୍ଷ ହେଲା ମୁଁ ଅନେକ ଚିତ୍ରଶିଳ୍ପୀଙ୍କ କାର୍ଯ୍ୟ ଅନୁଧ୍ୟାନ ଓ ଅନୁଶୀଳନ ଲାଗି ଉଦ୍ୟମ କରିଆସୁଛି । ଅନ୍ୟଥା, ମୋର ସେ ଜ୍ଞାନ ନାହିଁ । କାହାଣୀଟିଏ ଶୁଣାଇବାକୁ ଯାଇ ମୁଁ ଚିତ୍ର ଆଙ୍କିଲି । କାହାଣୀର ପରିପ୍ରକାଶ କରାଇ ପାରିଲେ ମୁଁ ଖୁସି ହୁଏ । ସତେ ଯେମିତି କିଛି ବର୍ଣ୍ଣନା କରି ଲେଖିବା ଭଳି ମୁଁ ଚିତ୍ର କରେ ।”
ପଶ୍ଚିମବଙ୍ଗ ନଦିୟା ଜିଲ୍ଲାର ନିହାତି ଗ୍ରାମାଞ୍ଚଳରେ ଅବସ୍ଥିତ ଧୁବୁଲିଆ ଗାଁର ଲାବନି ଜଣେ ଶିଳ୍ପୀ, ଜଣେ ଚିତ୍ରକର । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଏହି ଗାଁରେ ଗୋଟିଏ ସେନା ଶିବିର ସହିତ ଗୋଟିଏ ବିମାନ ଅବତରଣ କ୍ଷେତ୍ର ସ୍ଥାପିତ ହୋଇଥିଲା । ବ୍ରିଟିଶ ସରକାର ସେହି ସେନା ଶିବିର ସ୍ଥାପନ କରିବା ବେଳେ ମୁସଲମାନ ବହୁଳ ଏହି ଗାଁ ଅନେକ ଚାଷଜମି ହରାଇଥିଲା । ପରେ, ଯେତେବେଳେ ଦେଶ ବିଭାଜନ ଘଟିଲା, ଏହି ଗାଁର ଅନେକ ଲୋକ ସୀମା ଆରପଟକୁ ପଳାଇ ଗଲେ । “କିନ୍ତୁ ଆମେ ଗଲୁ ନାହିଁ,” ଲାବନି କହନ୍ତି, “କାରଣ ଆମର ବୟୋଜ୍ୟେଷ୍ଠମାନେ ଚାହିଁଲେ ନାହିଁ । ଆମ ପୂର୍ବପୁରୁଷଙ୍କୁ ଏହି ମାଟିରେ କବର ଦିଆଯାଇଥିଲା । ଏହା ସେହି ସ୍ଥାନ, ଯେଉଁଠି ଆମେ ବଞ୍ଚିବାକୁ ଏବଂ ମରିବାକୁ ଚାହୁଁ ।” ପିଲାଟି ଦିନରୁ ହିଁ ଏହି ଚିତ୍ରଶିଳ୍ପୀଙ୍କର ସମ୍ବେଦନଶୀଳତାକୁ ନିର୍ଦ୍ଦିଷ୍ଟ ରୂପରେଖ ଦେଇଆସିଥିଲା ଜନ୍ମଭୂମି ସହିତ ରହିଥିବା ସେହି ସଂପର୍କ, ଏବଂ ତା’ରି ନାଁରେ ସଂଘଟିତ ଘଟଣାବଳୀ ।
ଚିତ୍ରକଳା ପ୍ରତି ତାଙ୍କର ଉତ୍ସାହ ପଛରେ ଥିଲେ ତାଙ୍କ ବାପା, ଯେ କି ପିଲାଦିନେ କିଛି ବର୍ଷ ପାଇଁ ତାଙ୍କୁ ଜଣେ ଘରୋଇ ଶିକ୍ଷକଙ୍କ ପାଖକୁ ନେଇଯାଇଥିଲେ । ପରିବାରରେ ତାଙ୍କ ବାପା ଥିଲେ ପ୍ରଥମ ପିଢ଼ିର ଜଣେ ଶିକ୍ଷାର୍ଥୀ, ୧୦ ଭାଉଭଉଣୀଙ୍କ ମଧ୍ୟରେ ଏକମାତ୍ର । ସମାଜର ତୃଣମୂଳ ସ୍ତରରେ କାର୍ଯ୍ୟରତ ଜଣେ ଆଇନଜୀବୀ ଭାବରେ ସେ କୃଷକ ଓ ଶ୍ରମିକମାନଙ୍କ ପାଇଁ ସମବାୟ ସମିତି ଆରମ୍ଭ କରିଥିଲେ, କିନ୍ତୁ ସେତେ ବେଶୀ ଅର୍ଥ ଉପାର୍ଜନ କରି ନଥିଲେ । “ସେ ଯେତେ ପଇସା ପାଆନ୍ତୁ ନା କାହିଁକି, ମୋ ପାଇଁ ବହିଟିଏ କିଣି ଦେଉଥିଲେ,” ଲାବନି କହନ୍ତି । “ସେ ସମୟରେ, ମସ୍କୋ ପ୍ରେସ୍, ରାଦୁଗା ପବ୍ଲିଶର୍ସଙ୍କ ଦ୍ୱାରା ପ୍ରକାଶିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ବହି ବଙ୍ଗଳା ଅନୁବାଦ ଜରିଆରେ ଆମ ଘରେ ପହଞ୍ଚି ଯାଉଥିଲା । ଏ ସବୁ ବହିରେ ଥିବା ଚିତ୍ରଗୁଡ଼ିକ ମୋତେ ଭଲ ଲାଗୁଥିଲା । ସେହିଠାରୁ ହିଁ ଚିତ୍ରାଙ୍କନ ପ୍ରତି ମୋତେ ସର୍ବପ୍ରଥମ ପ୍ରେରଣା ମିଳିଥିଲା ।”
ତାଙ୍କ ବାପାଙ୍କ ମାଧ୍ୟମରେ ମିଳିଥିବା ପିଲାଦିନର ସେହି ଚିତ୍ରାଙ୍କନ ତାଲିମ ବେଶି ଦିନ ରହିଲା ନାହିଁ । ହେଲେ, ୨୦୧୬ରେ, ଚିତ୍ରାଙ୍କନ ପ୍ରତି ତାଙ୍କ ମନରେ ରହିଥିବା ସେହି ଅନୁରକ୍ତି ପୁଣି ସେତେବେଳେ ଫେରିଥିଲା, ଯେତେବେଳେ ଭାଷା ତାଙ୍କୁ ପରିତ୍ୟାଗ କରିବା ଆରମ୍ଭ କଲା । ସରକାରୀ ଉଦାସୀନତା ସାଙ୍ଗକୁ ସଂଖ୍ୟାଲଘୁଙ୍କ ଉପରେ ଉଦ୍ଦେଶ୍ୟମୂଳକ ଅତ୍ୟାଚାର ଯୋଗୁଁ ଲୋକଭିଡ଼ର ସଂଘବଦ୍ଧ ଆକ୍ରମଣ କାରଣରୁ ପ୍ରାଣହାନି ଘଟଣା ସାରା ଦେଶରେ ବଢ଼ିବାରେ ଲାଗିଥିଲା ଏବଂ ଏଭଳି ଘୃଣାଭିତ୍ତିକ ଅପରାଧକୁ ସଂଖ୍ୟାଗରିଷ୍ଠବାଦୀମାନେ ଅସ୍ୱୀକାର କରି ଚାଲିଥିଲେ । ସେତେବେଳେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ନିଜର ଏମ୍.ଫିଲ୍ ପଢ଼ା ଶେଷ କରିସାରିଥିବା ଲାବନିଙ୍କୁ ଏ ଦେଶର ବାସ୍ତବତା ଗଭୀର ଭାବରେ ବିଚଳିତ କରିଥିଲା ସତ, ହେଲେ ସେ ଏ ସଂପର୍କରେ ଲେଖିପାରୁ ନଥିଲେ ।
“ସେତେବେଳେ ମୁଁ ତୀବ୍ର ଅସ୍ୱସ୍ତି ଅନୁଭବ କରୁଥିଲି,” ସେ କହନ୍ତି । “ସେହି ସମୟ ଯାଏଁ ମୁଁ ଲେଖାଲେଖି କରିବାକୁ ଭଲ ପାଉଥିଲି ଏବଂ ବଙ୍ଗଳାରେ ଅଳ୍ପ କେତେକ ଲେଖା ଲେଖିଥିଲି ଏବଂ ପ୍ରକାଶ କରିଥିଲି । କିନ୍ତୁ ହଠାତ୍, ମନେ ହେଲା ଯେ, ମୋର ଭାଷା ସଂପୂର୍ଣ୍ଣ ଅପର୍ଯ୍ୟାପ୍ତ ହୋଇପଡ଼ିଛି । ସେତେବେଳେ ମୁଁ ସବୁ ଛାଡ଼ି ପଳାଇ ଯିବାକୁ ମନ କଲି । ଠିକ୍ ସେହି ସମୟରେ ମୁଁ ଚିତ୍ର ଆଙ୍କିବା ଆରମ୍ଭ କଲି । ମୁଁ ସମୁଦ୍ରର ସବୁ ଭାବକୁ ରଙ୍ଗ ଦେବାରେ ଲାଗିଲି, ହାତ ପାଆନ୍ତାରେ ମିଳିଯାଉଥିବା ଯେତେସବୁ ଛୋଟ ଛୋଟ କାଗଜ ଖଣ୍ଡରେ, ୱାଟର କଲର ଦେଇ ଆଙ୍କିଲି । ଗୋଟିଏ ପରେ ଆଉ ଗୋଟିଏ, ସେ ସମୟରେ (୨୦୧୬-୧୭) ମୁଁ ସମୁଦ୍ରର ଅନେକ ଚିତ୍ର ଆଙ୍କିଲି । ଅନ୍ୟଥା ଅଶାନ୍ତ ଏକ ଦୁନିଆରେ ମୋ ପାଇଁ ଶାନ୍ତି ପାଇବାର ଏକମାତ୍ର ଉପାୟ ଥିଲା ଚିତ୍ର ଆଙ୍କିବା ।”
ଆଜି ଯାଏଁ ଜଣେ ଆତ୍ମଶିକ୍ଷିତ ଚିତ୍ରଶିଳ୍ପୀ ହୋଇ ରହିଛନ୍ତି ଲାବନି ।




























