“ମୁଁ ଏଥିରେ ସୁନେଲି ବର୍ଡର ଆଉ କିଛି ପ୍ଲିଟ୍ ଲଗାଇ ଦେବି। ଆମେ ଏହାର ହାତରେ କିଛି କଟ୍-ଆଉଟ୍ ବି ଲଗାଇ ପାରିବା, ହେଲେ ସେଥିପାଇଁ ଆଉ ୩୦ ଟଙ୍କା ଲାଗିବ।”
ଏ ସବୁ ହେଲା ଗ୍ରାହକମାନଙ୍କ ସହିତ ଶାରଦା ମକୱାନାଙ୍କ ନିତିଦିନିଆ କଥାବାର୍ତ୍ତାର କେତେକ ଅଂଶ । ସେ କହନ୍ତି ଯେ, କେତେକ ଗ୍ରାହକ, ବ୍ଲାଉଜ୍ରେ ହାତର ଲମ୍ବା କେତେ ରହିବ, ଏଥିରେ କି ପ୍ରକାରର ଲେସ୍ ବା ଫିତା ଲାଗିବ ଏବଂ ପିଠି ପଟ ଖୋଲା ରଖି ଶାଢ଼ି ସହିତ ପିନ୍ଧାଯାଉଥିବା ବ୍ଲାଉଜ୍ର ଫିତାରେ କେତେ ଓଜନର ଟାସେଲ୍ ବା ଗୁଚ୍ଛ ଲାଗିବ ପ୍ରଭୃତି ବିଷୟରେ ଖୁବ୍ ସଚେତନ । “ମୁଁ କପଡ଼ାରେ ଫୁଲ ତିଆରି କରିପାରେ ଏବଂ ସୁନ୍ଦର ଦେଖାଯିବା ପାଇଁ ବ୍ଲାଉଜରେ ଲଗାଇ ପାରେ,” ନିଜ ଦକ୍ଷତାକୁ ନେଇ ଗର୍ବର ସହ ସେ କହନ୍ତି ଏବଂ ଠିକ୍ କେମିତି ଏହା କରିବାକୁ ହୁଏ ତାହା ଆମକୁ କରି ଦେଖାଇ ଦିଅନ୍ତି।
କୁଶଲଗଡ଼ର ମହିଳାମାନଙ୍କର ମନପସନ୍ଦର ଫେସନ୍ ପରାମର୍ଶଦାତା କହିଲେ ଶାରଦା ଓ ତାଙ୍କ ଭଳି ଏଠାକାର ଅନ୍ୟ ଶାଢ଼ି-ବ୍ଲାଉଜ୍ କାରିଗରମାନଙ୍କୁ ବୁଝାଏ । କାହିଁକି ନା, ଶାଢ଼ି ପିନ୍ଧୁଥିବା ଏଠାକାର ପ୍ରାୟ ସବୁ ଝିଅ ଓ ମହିଳା, ୮୦ ସେଣ୍ଟିମିଟରର ସେହି କପଡ଼ା ଖଣ୍ଡଟିକୁ ସିଲେଇ କରିବା ଲାଗି ଦରଜି ଦରକାର କରନ୍ତି।
ଅନ୍ୟଥା ପୁରୁଷ ପ୍ରଧାନ ଏକ ସମାଜରେ, ଯେଉଁଠି ମହିଳାମାନଙ୍କୁ ସର୍ବସାଧାରଣ ବୈଠକରେ ସ୍ୱର ଉଠାଇବାର ସୁଯୋଗ ମିଳେନି, ଏବଂ ଯେଉଁଠି ଜନ୍ମକାଳୀନ ହିସାବ ଭିତ୍ତିରେ ପ୍ରତି ୧,୦୦୦ ପୁରୁଷ ପିଛା ମହିଳାଙ୍କ ସଂଖ୍ୟା ୮୭୯ ଭଳି ପୁରୁଷ ତୁଳନାରେ ମହିଳାଙ୍କ ହାର ଉଦ୍ବେଗଜନକ (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ, ଏନ୍ଏଫଏଚ୍ଏସ୍- ୫), ମହିଳାଙ୍କ ପୋଷାକ ପରିଧାନ ଉପରେ ସେମାନଙ୍କର ହିଁ କର୍ତ୍ତୃତ୍ୱ ରହିବା କିଛିଟା ଉତ୍ସାହଜନକ ମନେ ହୁଏ।
ରାଜସ୍ଥାନର ବାଂଶୱାଡ଼ା ଜିଲ୍ଲା ଅନ୍ତର୍ଗତ ଏହି ଛୋଟିଆ ସହର ସାରା ଦରଜି ଦୋକାନ । ପୁରୁଷଙ୍କ ପୋଷାକ ସିଲେଇ କରୁଥିବା ଦରଜିମାନେ ମୁଖ୍ୟତଃ ଦୁଇ ପ୍ରକାରର । ଶାର୍ଟ ଓ ପ୍ୟାଣ୍ଟ ସିଲେଇ କରୁଥିବା ଦରଜି ଏବଂ କୁର୍ତ୍ତା ଭଳି ବିବାହକାଳୀନ ପରିଧାନ, ଏମିତି କି ଶୀତ ଦିନେ ବରପାତ୍ର ପାଇଁ କୋଟ୍ ସିଲେଇ କରୁଥିବା ଦରଜି । ଉଭୟଙ୍କ କାମ ପ୍ରାୟତଃ ଧରାବନ୍ଧା ରୀତିର, କେବେ କେମିତି ହାଲୁକା ଗୋଲାପି କିମ୍ବା ଲାଲ ରଙ୍ଗ ବ୍ୟତୀତ ସବୁବେଳେ ସେମିତି ସେଇ ଗୋଟିଏ ରଙ୍ଗର କପଡ଼ାରେ କାମ।










