କୁନୋ’ର ଚିତା ସଂପର୍କିତ ସୂଚନା ବର୍ତ୍ତମାନ ଜାତୀୟ ନିରାପତ୍ତା ପ୍ରସଙ୍ଗ, ଯାହାର ଉଲ୍ଲଂଘନ ଅନ୍ୟ ଦେଶ ସହ ଭାରତର ସଂପର୍କ ଉପରେ ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇପାରେ ।
କିମ୍ବା, ଅନ୍ତତଃ ପକ୍ଷେ ଏହି କାରଣ ଦର୍ଶାଇ ଚିତା ପରିଚାଳନାକୁ ନେଇ ଜୁଲାଇ ୨୦୨୪ରେ ମଗା ଯାଇଥିବା ଏକ ସୂଚନା ଅଧିକାର (ଆରଟିଆଇ) ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ଆରଟିଆଇରେ ଆବେଦନ କରିଥିବା ଭୋପାଳସ୍ଥିତ ସୂଚନା ଅଧିକାର କର୍ମୀ ଅଜୟ ଦୁବେ କହିଛନ୍ତି, “ବାଘ ସଂପର୍କରେ ଯଦି ସମସ୍ତ ତଥ୍ୟ ସ୍ୱଚ୍ଛ, ତେବେ ଚିତା ସଂପର୍କରେ କାହିଁକି ନୁହେଁ? ବନ୍ୟଜନ୍ତୁ ପରିଚାଳନାରେ ସ୍ୱଚ୍ଛତା ହେଉଛି ଆଦର୍ଶ ।”
କୁନୋ ପାର୍କ ନିକଟବର୍ତ୍ତୀ ଅଗରା ଗାଁରେ ରହୁଥିବା ରାମ ଗୋପାଳଙ୍କୁ ବିଲକୁଲ ଏକଥା ଜଣାନାହିଁ ଯେ ତାଙ୍କର ଜୀବିକା ଆମର ଜାତୀୟ ସୁରକ୍ଷା ଓ କୁଟନୈତିକ ସଂପର୍କ ପ୍ରତି ବିପଦ ସୃଷ୍ଟି କରୁଛି । ତାଙ୍କର ଓ ତାଙ୍କ ଭଳି ହଜାର ହଜାର ଆଦିବାସୀଙ୍କୁ ଅନ୍ୟ ଚିନ୍ତା ଅଧିକ ଘାରିଛି ।
ନିକଟରେ ସେ ଟ୍ରାକ୍ଟର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଏହା ନୁହେଁ ଯେ, ହଠାତ ବଳଦ ଜାଗାରେ ତାଙ୍କୁ ମେସିନ ମିଳିଗଲା । ଘଟଣା ପୂରା ଅଲଗା ।
“ମୋଦିଜୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଆମ ବଳଦକୁ ଆମେ ଛାଡ଼ିବା ଉଚିତ ନୁହେଁ । ତେବେ ଚରିବା ପାଇଁ କେବଳ କୁନୋ ଜଙ୍ଗଲ ରହିଛି । ଆମେ ଯଦି ଜଙ୍ଗଲ ଭିତରକୁ ଯିବୁ, ବନ ଅଧିକାରୀ ଆମକୁ ଧରି ଜେଲରେ ପୂରାଇ ଦେବେ । ତେଣୁ ଟ୍ରାକ୍ଟର ଭଡ଼ାରେ ଆଣିବା ପାଇଁ ଆମେ ଭାବିଲୁ ।”
ଏହା ଏକ ଏପରି ଖର୍ଚ୍ଚ, ଯାହାକୁ ରାମ ଗୋପାଳ ଓ ତାଙ୍କ ପରିବାର ତୁଲାଇବା କଷ୍ଟକର । ସେମାନଙ୍କ ଘରର ଆୟ, ସେମାନଙ୍କୁ ଦାରିଦ୍ର ସୀମା ରେଖା ତଳେ ରଖିଛି । କୁନୋ ଜାତୀୟ ଉଦ୍ୟାନ ଚିତାବାଘର ଘର ହୋଇଯିବା ପରେ, ସେମାନଙ୍କ ଜଙ୍ଗଲ ଭିତ୍ତିକ ଜୀବିକା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।






















