ସବୁଦିନ ସକାଳେ ଆକିଫ୍ ଏସ.କେ ହେଷ୍ଟିଙ୍ଗସ୍ର ଏକ ପୋଲ ତଳେ ଥିବା ନିଜର ଅସ୍ଥାୟୀ ଝୁପଡ଼ି (କୁଡ଼ିଆ ଘର) ରୁ ବାହାରନ୍ତି ଏବଂ କୋଲକାତାର ଲୋକପ୍ରିୟ ପର୍ଯ୍ୟଟକ ଆକର୍ଷଣ ଭିକ୍ଟୋରିୟା ମେମୋରିଆଲ୍କୁ ଯାଆନ୍ତି । ରାସ୍ତାରେ ସେ ନିଜର ରାନୀ ଓ ବିଜଲିଙ୍କୁ ସାଙ୍ଗରେ ନିଅନ୍ତି
ଦୁଇଟି ଧଳା ଘୋଡ଼ାଙ୍କର ସେ ନାମକରଣ କରିଛନ୍ତି ଏବଂ ଏ ଦୁଇଟି ତାଙ୍କୁ ଋତୁକାଳୀନ ଜୀବିକା ସାଧନ ଦେଇଥା’ନ୍ତି। ‘‘ଆମୀ ଗାଡ଼ି ଚାଲାଇ (ମୁଁ ଗାଡ଼ି ଚଳାଏ),’’ ଆକିଫ୍ କୁହନ୍ତି। ସେ ନିଜ ଘୋଡ଼ାମାନଙ୍କୁ ହେଷ୍ଟିଙ୍ଗସ୍ ପାଖରେ ରଖନ୍ତି, ସକାଳ ପ୍ରାୟ ୧୦ଟା ବେଳେ ସେମାନଙ୍କୁ ଉଠାନ୍ତି ଏବଂ ଭିକ୍ଟୋରିଆ ନେଇ ଯାଆନ୍ତି । ଧଳା ମାର୍ବଲରେ ନିର୍ମିତ ସ୍ମାରକୀ ଅଟ୍ଟାଳିକା ଏବଂ ପାଖରେ ଥିବା ଖୋଲା ପଡ଼ିଆକୁ ନେଇ ଅଞ୍ଚଳକୁ ସ୍ଥାନୀୟ ଲୋକମାନେ ଭିକ୍ଟୋରିଆ ବୋଲି କୁହନ୍ତି। ବ୍ରିଟିଶ୍ ସାମ୍ରାଜ୍ଞୀ ମହାରାଣୀ ଭିକ୍ଟୋରିଆଙ୍କ ସ୍ମୃତିରେ ଏହି ସ୍ମାରକୀକୁ ୧୯୨୧ରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।
ଭିକ୍ଟୋରିଆ ମେମୋରିଆଲ୍ ନିକଟରେ ଥିବା କୁଇନ୍ସ ୱେ ନାମରେ ପରିଚିତ ରାସ୍ତା ପାର୍ଶ୍ୱରେ ଆକିଫ୍ଙ୍କ ଗାଡ଼ି ଛିଡ଼ା ହୋଇଥାଏ ଏବଂ ଏହାକୁ ସେ ଭଡ଼ାରେ ନେଇଥା’ନ୍ତି। ଧାଡ଼ି ହୋଇ ଛିଡ଼ା ହୋଇଥିବା ୧୦ଟି ଗାଡ଼ି ମଧ୍ୟରେ ନିଜ ଗାଡ଼ି ଆଡ଼କୁ ଇସାରା କରି ସେ କୁହନ୍ତି, ‘‘ମୋ ଗାଡ଼ି ସୁନେଲି ରଙ୍ଗର।’’ ତେବେ ଏହା ଭିନ୍ନ କଥା ଯେ ଏଠାକାର ଅଧିକାଂଶ ଗାଡ଼ିରେ ଗୋଟିଏ ପ୍ରକାର ରଙ୍ଗ, ବିସ୍ତୃତ ଫୁଲ ପ୍ୟାଟର୍ଣ୍ଣ ଏବଂ ପକ୍ଷୀଙ୍କ ରୂପାଙ୍କନ ରହିଥାଏ। ଏସବୁ ଗାଡ଼ି ରାଜକୀୟ ରଥ ଭଳି ପ୍ରତୀୟମାନ ହୁଏ। କିନ୍ତୁ ଆକିଫ୍ଙ୍କ ଚମକୁଥିବା ଗାଡ଼ି ଭିନ୍ନ ଦେଖାଯାଏ - ଯେଉଁମାନେ ବ୍ରିଟିଶ୍ ରାଜ୍ ସମୟର ଜୀବନ ଅନୁଭୂତି ପାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସେ ପ୍ରତିଦିନ ଏହି ଗାଡ଼ିକୁ ଚମକାଇବା ପାଇଁ ପ୍ରାୟ ଦୁଇ ଘଣ୍ଟା ବିତାଇଥା’ନ୍ତି।
ରାସ୍ତାର ଅପରପାର୍ଶ୍ୱରେ ଭିକ୍ଟୋରିଆ ମେମୋରିଆଲ୍ ଗେଟ୍ ପାଖରେ ଅଳ୍ପ କିଛି ଲୋକଙ୍କ ଭିଡ଼ ଜମି ସାରିଛି । ‘‘ପୂର୍ବରୁ ଏଠାରେ ରାଜାମାନେ ରହୁଥିଲେ ଏବଂ ଗାଡ଼ିରେ ବୁଲୁଥିଲେ। ଏବେ ଭିକ୍ଟୋରିଆକୁ ଆସୁଥିବା ପର୍ଯ୍ୟଟକମାନେ ସେଭଳି ମଜା ନେବାକୁ ଚାହାଁନ୍ତି,’’ ୨୦୧୭ରୁ ଘୋଡ଼ା ଗାଡ଼ି ଚଳାଇବା ଆରମ୍ଭ କରିଥିବା ଆକିଫ୍ କୁହନ୍ତି। ସେ ଆହୁରି କୁହନ୍ତି, ‘‘ଯେପର୍ଯ୍ୟନ୍ତ ଭିକ୍ଟୋରିଆ (ମେମୋରିଆଲ) ଅଛି, ସେ ପର୍ଯ୍ୟନ୍ତ ଏଠାରେ ଘୋଡ଼ା ଗାଡ଼ି ରହିବେ।’’ ତାଙ୍କ ଭଳି ଗାଡ଼ି ଚାଳକଙ୍କ ପାଇଁ କାମ ମଧ୍ୟ ରହିଥିବ। ଏହି ଅଞ୍ଚଳରେ ବର୍ତ୍ତମାନ ପ୍ରାୟ ୫୦ଟି ଗାଡ଼ି ଚାଲୁଛି ।
ଶୀତ ଋତୁ ଆସିଯାଇଛି ଏବଂ ବାହାରେ ଦିନ ବିତାଇବା ପାଇଁ କୋଲକାତା ପ୍ରସ୍ତୁତ ହେଉଥିବା ବେଳେ ଆକିଫ୍ ବ୍ୟସ୍ତ ହୋଇପଡ଼ନ୍ତି, ବିଶେଷ କରି ସନ୍ଧ୍ୟା ସମୟରେ। ସେ କୁହନ୍ତି, ଏହି ଋତୁ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ରହିଥାଏ ଏହାପରେ ବହୁତ ଗରମ ପଡ଼େ ଏବଂ ଅଳ୍ପ ଲୋକ ବୁଲିବାକୁ ଆସନ୍ତି ।











