ଜଣେ ଯୁବକ ପରଦା ପଛପଟେ ଦୌଡ଼ୁଛି ଏବଂ ଦୀପ ଯେମିତି ଲିଭିନଯିବ ତାହା ଠିକ୍ ସମୟରେ ସୁନିଶ୍ଚିତ କରୁଛି । ତାଙ୍କୁ ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ପରିବେଷଣ ସମୟରେ ଅନେକ ବାର ଏମିତି କରିବାକୁ ପଡ଼ୁଛି, ଏହି ସମୟରେ କୌଣସି ଉପକରଣ ଓ ସାଥୀ କଳାକାରଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ତାହା ମଧ୍ୟ ସେ ସୁନିଶ୍ଚିତ କରୁଛନ୍ତି।
ସେମାନେ ସମସ୍ତେ ହେଉଛନ୍ତି ଦର୍ଶକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି କଳା ପରିବେଷଣ କରୁଥିବା ତୋଲପାୱକୁତୁ କଣ୍ଢେଇ ନାଚ କଳାକାର।
ହାତରେ ଚମଡ଼ା କଣ୍ଢେଇ ଧରି କଣ୍ଢେଇନାଚ କଳାକାରମାନେ ନିରନ୍ତର ଭାବେ ଏହି ଧଳା କପଡ଼ା ପରଦା ପଛପଟେ ରହି କଳା ପରିବେଷଣ କରି ଚାଲୁଛନ୍ତି। ସେମାନଙ୍କ ଗୋଡ଼ ପାଖରେ ପ୍ରାୟ ୫୦-୬୦ ଅନ୍ୟ କଣ୍ଢେଇ ପଡ଼ିଛି, ଯାହାକୁ ପର୍ଯ୍ୟାୟକ୍ରମେ ବ୍ୟବହାର କରାଯିବ। ସ୍ପିକରରେ କାହାଣୀ ବ୍ୟାଖ୍ୟା କରାଯାଉଛି ଏବଂ ଛାଇ ମାଧ୍ୟମରେ ପରଦାରେ ପ୍ରଦର୍ଶିତ ହେଉଛି।
ଏହି କଳାର ପ୍ରକୃତି ଏଭଳି ଯେ ପ୍ରକୃତ ପ୍ରଦର୍ଶନ ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ତେଣୁ ଯେତେବେଳେ କଣ୍ଢେଇ ନାଚ କଳାକାର ରାମଚନ୍ଦ୍ର ପୁଲାୱରଙ୍କୁ ୨୦୨୧ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ -ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା, ତାହା ଏହି କଳାକାରଙ୍କ ପାଇଁ ଖୁସିର ବିଷୟ ଓ ସ୍ୱୀକୃତିର ସମୟ ଥିଲା। ନିଜ ଭାଷଣରେ ଏହି ତୋଲପାୱକୁତୁ କଳାକାର କହିଥିଲେ, ‘‘ଏହି ସମ୍ମାନ… ବହୁ ବର୍ଷ ଧରି ଏ କଣ୍ଢେଇ ନାଚ ମଞ୍ଚ ନାଟକର ଅସ୍ତିତ୍ୱକୁ ବଞ୍ଚାଇ ରଖିବା ଲାଗି ସମ୍ପୂର୍ଣ୍ଣ ମଣ୍ଡଳୀ ଦ୍ୱାରା କରାଯାଉଥିବା ସାମୂହିକ ପ୍ରୟାସର ପରିଣାମ।’’
ତେବେ ପୁଲାୱର ଓ ତାଙ୍କ ମଣ୍ଡଳୀକୁ ଏହି ସଫଳତା ପାଇଁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏହି କଳାକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରି ଦେଇଥିବା ଉଭୟ ସମାଲୋଚକ ଓ ପ୍ରଶଂସକମାନେ ଅଭିଯୋଗ କରିଥାନ୍ତି। ରାମଚନ୍ଦ୍ର କିନ୍ତୁ ଏହି ସମଲୋଚନାକୁ ନେଇ ସେତେଟା ବିବ୍ରତ ନୁହନ୍ତି । ‘‘ଖାଇବା ଓ ବଞ୍ଚିବା ପାଇଁ ଆମେ ଏହାକୁ ବ୍ୟବସାୟରେ ପରିଣତ କରିବାକୁ ବାଧ୍ୟ ହୋଇଛୁ,’’ ସେ କୁହନ୍ତି। ‘‘ଯଦି ଅଭିନେତା ଓ ନୃତ୍ୟଶିଳ୍ପୀମାନେ ସେମାନଙ୍କ କଳା ପରିବେଷଣ ପାଇଁ ଟଙ୍କା ଦାବି କରୁଛନ୍ତି ତା’ହେଲେ କଣ୍ଢେଇ ନାଚ କଳାକାରମାନେ ସେମିତି କରିବାରେ ଅସୁବିଧା କେଉଁଠି?’’




