ପ୍ରଥମେ ଅଭାବୀ ବର୍ଷା ଏବଂ ପରେ ଅଦିନିଆ ବର୍ଷା ଚତ୍ରା ଦେବୀଙ୍କ ଫସଲ ନଷ୍ଟ କରିଦେଲା । ରାଜସ୍ଥାନ କରୌଲୀ ଜିଲ୍ଲାର ଖିରଖିରୀ ଗାଁର ୪୫ ବର୍ଷୀୟ ଚାଷୀ କୁହନ୍ତି, “ଆମେ ବାଜରା [ପର୍ଲ ମିଲେଟ] ଚାଷ କରିଥିଲୁ ଏବଂ ଏହା ଭଲ ଭାବରେ ବଢୁଥିଲା। କିନ୍ତୁ ଯେତେବେଳେ ଆମ ଚାଷ ଜମିକୁ ପାଣି ଆବଶ୍ୟକ ପଡୁଥିଲା, ବର୍ଷା ହୋଇନଥିଲା । ତା’ପରେ ଅମଳ ସମୟରେ ବର୍ଷା ହୋଇ ଫସଲ ନଷ୍ଟ କରିଦେଲା ।’’
କରୌଲୀର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏବଂ ଅଧିକାଂଶ ବାସିନ୍ଦା କୃଷକ କିମ୍ବା କୃଷି ଶ୍ରମିକ (ଜନଗଣନା ୨୦୧୧) ଅନୁଯାୟୀ । ଐତିହାସିକ ଭାବେ ରାଜ୍ୟରେ ଜଳାଭାବ ରହିଆସିଛି ଏବଂ କୃଷି ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରେ।
ମୀନା ସମୁଦାୟର ଜଣେ ସଦସ୍ୟ (ରାଜ୍ୟରେ ଓବିସି ତାଲିକାଭୁକ୍ତ) ଚତ୍ରା ଦେବୀ କହିଛନ୍ତି ଯେ ଗତ ୧୦ ବର୍ଷରେ ସେ ବୃଷ୍ଟିପାତର ପରିବର୍ତ୍ତନକୁ ଲକ୍ଷ୍ୟ କରିଛନ୍ତି । ରାଜସ୍ଥାନ ହେଉଛି ଭାରତର ବୃହତ୍ତମ ରାଜ୍ୟ (କ୍ଷେତ୍ରଫଳ ଅନୁଯାୟୀ) ଏବଂ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରନ୍ତି ।


