କୃଷ୍ଣାଜୀ ଭରୀତରେ ଗୋଟିଏ ହେଲେ ହାତ ଖାଲି ନଥିଲା।
ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନ ପୂର୍ବରୁ ଏବଂ ଜଲଗାଓଁ ରେଳ ଷ୍ଟେସନରେ ଦୂରଗାମୀ ଟ୍ରେନ୍ ରହଣୀ ପୂର୍ବରୁ, ଏଠାରେ ପ୍ରାୟ ୩୦୦ କିଲୋଗ୍ରାମ ବାଇଗଣ ଭରୀତ ଦୈନିକ ରୋଷେଇ ହୋଇଥାଏ, ପରଷା ଯାଇଥାଏ ଏବଂ ପ୍ୟାକ୍ କରି ପଠାଯାଇଥାଏ। ଏହା ହେଉଛି ଜଲଗାଓଁ ସହରର ପୁରୁଣା ବିଜେ ମାର୍କେଟ୍ ଅଞ୍ଚଳରେ ଥିବା ଏକ ଚମତ୍କାର ଭୋଜନାଳୟ। ଏହାର ଗ୍ରାହକଙ୍କ ମଧ୍ୟରେ ବଡ଼ ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ମଜୁରିଆ, ସାଂସଦ ଆଶାୟୀଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀ ସାମିଲ ରହିଛନ୍ତି।
ଗୋଟିଏ ଉଷ୍ଣ କାର୍ଯ୍ୟ ଦିବସର ସନ୍ଧ୍ୟାରେ ରାତ୍ରୀ ଭୋଜନର ଠିକ୍ ପୂର୍ବରୁ କୃଷ୍ଣାଜୀ ଭରୀତର ଆଭ୍ୟନ୍ତରୀଣ ପରିସରରେ ସଫା କରିବା, କାଟିବା, ଦଳିବା, ଚୋପା ଛଡ଼େଇବା, ଭାଜିବା, ଛାଣିବା, ଛାଙ୍କିବା, ପରିବେଷଣ କରିବା ଏବଂ ପ୍ୟାକିଂ କରିବାର କାର୍ଯ୍ୟବ୍ୟସ୍ତତା ଜାରି ରହିଛି । ପୁରୁଣା ସିଙ୍ଗଲ୍ ସ୍କ୍ରିନ୍ ସିନେମା ହଲ୍ର ବକ୍ସ ଅଫିସ ବାହାରେ ଯେମିତି ଧାଡ଼ି ଦେଖିବାକୁ ମିଳିଥାଏ ଠିକ୍ ସେମିତି ପୁରୁଷମାନଙ୍କ ଧାଡ଼ି ରେସ୍ତୋରାଁ ବାହାରେ ରହିଥିବା ତିନୋଟି ଷ୍ଟିଲ୍ ରେଲିଂ ପାର୍ଶ୍ୱରେ ଲାଗି ରହିଛି।
ଏଠାରେ ୧୪ ଜଣ ମହିଳା ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି।









