ପାର୍ବତୀ ମନରେଗା ଯୋଜନାରେ ବର୍ଷେ ତଳେ ୨୦୨୩ ମେ ମାସରେ କାମ ପାଇଥିଲା। ତାହା ଥିଲା ମାତ୍ର ପାଞ୍ଚ ଦିନ ପାଇଁ।
ପାର୍ବତୀ (ତା’ ନାଁ ଭାବେ ସେ କେବଳ ଏତିକି ବ୍ୟବହାର କରେ) ତାଙ୍କ ଗାଁ ଗୌର ମଧୁକର ଶାହପୁରରେ ରାସ୍ତା ସମତଳ କାମ କରିଥିଲା। ମନରେଗା ଯୋଜନା ଅନୁଯାୟୀ ବର୍ଷକୁ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ଜାତଭ (ହରିଜନ) ଜାତିର ଏହି ୪୫-ବର୍ଷୀୟା ଦିନ ମଜୁରିଆକୁ କେବେ ମିଳିନାହିଁ। “ଆମେ ଅଧା ପେଟ ଖାଇ ଯେମିତି ସେମିତି ବଞ୍ଚି ରହିଛୁ”, ସେ କହେ।
୨୦୨୦ ରେ ସରକାର ପାର୍ବତୀ ଓ ତାଙ୍କ ସ୍ୱାମୀ ଛୋଟେ ଲାଲଙ୍କୁ ପୁଣି ନିରାଶ କଲେ ଯେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସେମାନେ ଦେଇଥିବା ଦରଖାସ୍ତକୁ ଖାରିଜ କରି ଦିଆଗଲା। ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ରଖି ନପାରି ସେମାନେ ସମ୍ପର୍କୀୟଙ୍କଠାରୁ ଦୁଇ ବଖରା ବିଶିଷ୍ଟ ପକ୍କା ଘରଟିଏ ତିଆରି କରିବାକୁ ୯୦,୦୦୦ ଟଙ୍କା ଋଣରେ ଆଣିଲେ।
“ଯଦି କେହି ଆସି ମୋତେ ଭୋଟ ମାଗିବେ, ମୁଁ ତାଙ୍କୁ ପଚାରିବାକୁ ଚାହିଁବି ଯେ ମୋ ନାଁ ଘର ପାଇବା ତାଲିକାରେ ନଥିଲା, କିନ୍ତୁ ଭୋଟର ତାଲିକାରେ କେମିତି ରହିଲା?”, ସେ କହେ, ବିରକ୍ତ ହୋଇ। ପାର୍ବତୀର ସ୍ଵାମୀ ଯେ କି ମନରେଗାରେ କାମ ପାଇଥିଲା, କିନ୍ତୁ ପାଞ୍ଚ ବର୍ଷ ତଳେ ପାରାଲିସିସ ହୋଇଥିବାରୁ ସେ ଆଉ କାମ କରି ପାରୁନାହିଁ। ଆଜିକାଲି ସେ ବାରାଣାସିରେ ଥିବା ଶ୍ରମିକ ବଜାରକୁ ଯାଉଛି, ଯେଉଁଠି ତାକୁ ଦୈନିକ ୪୦୦ ରୁ ୫୦୦ ଟଙ୍କା ମଜୁରି ମିଳୁଛି।
ମନରେଗାରେ ଗ୍ରାମୀଣ ଅଣକୁଶଳୀ ଶ୍ରମିକଙ୍କୁ ୧୦୦ ଦିନ ନିଶ୍ଚିତ କାମ ମିଳିବା ବ୍ୟବସ୍ଥା ରହିଛି। କିନ୍ତୁ ପ୍ରାୟ ସବୁ ଗାଁରୁ ଆସୁଥିବା ଅଭିଯୋଗରୁ ଜଣାପଡେ ଯେ ଏହା ପୂର୍ବରୁ ଥିବା ‘ଦୁଇ ପ୍ରଧାନୀ’ ବା ସରପଞ୍ଚଙ୍କ ସମୟରେ, ଅର୍ଥାତ ପ୍ରାୟ ଦଶ ବର୍ଷ ଭିତରେ ବର୍ଷକୁ ୨୦-୨୫ ଦିନରୁ ଅଧିକ କାମ ମିଳୁନାହିଁ।
ପାର୍ବତୀ ଏବେ ଆଣିଥିବା ଋଣରେ ଘାଣ୍ଟି ହେଉଛି, ମୂଳତଃ ଯୋଉ ଋଣ ସେ ଆଣିବାର କୌଣସି ଆବଶ୍ୟକତା ନଥିଲା। ରାଜ୍ୟ ସରକାରଙ୍କଠାରୁ କୌଣସି ସାହାଯ୍ୟ ନପାଇ ପାର୍ବତୀ ଠାକୁର ସମ୍ପ୍ରଦାୟର ଜମିରେ ଅମଳ ଓ ରୁଆ ସମୟରେ ମଜୁରି ଖଟିବା ବାବଦରେ ୧୫ ଦିନକୁ ୧୦ କି.ଗ୍ରା. ଖାଦ୍ୟସଶ୍ୟ ପାଉଛି।




















