ମହମ୍ମଦ ଶୋଏବଙ୍କ ଦୋକାନ ସବୁଦିନ ୨୪ ଘଣ୍ଟା ଖୋଲା ରହିଥାଏ, କିନ୍ତୁ ଆପଣ ଯଦି ତାଙ୍କ ସ୍ୱତନ୍ତ୍ର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ଚାହୁଁଛନ୍ତି ତା’ହେଲେ ସକାଳୁ ସକାଳୁ ପହଞ୍ଚି ଗଲେ ଭଲ।
ଏହି ୩୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ୧୫ ବର୍ଷ ଧରି ନୱାକଦଲ ଅଞ୍ଚଳରେ ଥିବା ଗ୍ରାଟ ବଲ୍ ରେ ଐତିହ୍ୟସମ୍ପନ୍ନ ହରିସା ଦୋକାନ ଚଳାଉଛନ୍ତି । ଶ୍ରୀନଗର ସହରର କେନ୍ଦ୍ର ସ୍ଥଳୀ ପାଖରେ ଥିବା ଏହି ସ୍ଥାନରେ ଅନେକ ହରିସା ଦୋକାନ ରହିଛି, ଏଥିମଧ୍ୟରୁ କେତେକ ତିନି ଶତାବ୍ଦୀ ପୁରୁଣା। ବ୍ୟଞ୍ଜନର କାହାଣୀ ତା’ଠାରୁ ଅଧିକ ପ୍ରାଚୀନ ।
‘‘ମୁଁ ମୋ ବାପାଙ୍କ ଠାରୁ ଶୁଣିଛି ଯେ ହରିସା ତିଆରି କରିବାର କଳା ଶାହ - ଏ - ହମଦାନ (ଚତୁର୍ଦ୍ଦଶ ଶତାବ୍ଦୀର ଜଣେ ଇରାନୀ ସୁଫି ସନ୍ଥ)ଙ୍କ ଠାରୁ ଆସିଛି, ସେ ଏହି ବ୍ୟଞ୍ଜନକୁ ଉପତ୍ୟାକାର ହରିସା ନିର୍ମାତାଙ୍କ ସହିତ ପରିଚୟ କରାଇଛନ୍ତି,’’ ଚତୁର୍ଥ ପିଢ଼ିର ହରିସା ନିର୍ମାତା ଶୋଏବ୍ କୁହନ୍ତି ।
ମେଣ୍ଢା ଛୁଆ ମାଂସ ଏବଂ ଚାଉଳରେ ପ୍ରସ୍ତୁତ ହୋଇଥିବା ଏହି ଉଚ୍ଚ ପ୍ରୋଟିନ୍ଯୁକ୍ତ ବ୍ୟଞ୍ଜନ ବର୍ଷରେ କେବଳ ଛଅ ମାସ - ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ମିଳିଥାଏ । ମିଠି (ମେଣ୍ଢା ଛୁଆର ପୁଟି) ଏବଂ ଗରମ ତେଲ ଛିଞ୍ଚା ହୋଇଥିବା କବାବ୍ ସହିତ କାନ୍ଦୋର୍ଜୋଟ୍ (ଗହମ ଅଟାରେ ପ୍ରସ୍ତୁତ ସ୍ଥାନୀୟ ବ୍ରେଡ୍) ସାଥୀରେ ଏହାକୁ ଗରମ ଗରମ ପରଷା ଯାଇଥାଏ। ଏହି ବ୍ୟଞ୍ଜନ ପ୍ରସ୍ତୁତ କରିବା ଲାଗି ସବୁଜ ଓ କଳା ଅଳେଇଚ, ଡାଲଚିନି ଏବଂ ଲବଙ୍ଗ ଆଦିକୁ ମସଲା ରୂପେ ବ୍ୟବହାର କରାଯାଏ। ଏହାପରେ ଏହାକୁ ମାଟିରେ ଚାପି ହୋଇ ରହିଥିବା ଏକ ମଠ୍ (ତମ୍ବା କିମ୍ବା ମାଟି ପାତ୍ର)ରେ ରାତି ସାରା ରନ୍ଧା ଯାଏ, ଯାହାର ତଳେ ଜଳୁଥିବା କାଠର ଏକ ପ୍ରକୋଷ୍ଠ ଥାଏ।












