‘‘ ହମେ ପତା ହି ନହିଁ ହମାରା ବେଟା ଏକଦମ୍‌ କୈସେ ମରା , କମ୍ପାନୀ ନେ ହମେ ବତାୟା ଭି ନହିଁ (ଆମ ପୁଅର ମୃତ୍ୟୁ କେମିତି ହେଲା ତାହା ଆମେ ଠିକ୍‌ ଭାବେ ଜାଣିନାହୁଁ। କମ୍ପାନୀ ଆମକୁ ଏକ ବିଷୟରେ କିଛି କହିନଥିଲା),’’ ନୀଲମ ଯାଦବ କୁହନ୍ତି।

ସୋନିପତର ରାଇ ସହରରେ ଥିବା ସେମାନଙ୍କ ଘରେ ଛିଡ଼ା ହୋଇଥିବା ୩୩ ବର୍ଷ ବୟସ୍କା ନୀଲମ କଥା ହେବା ସମୟରେ ଆଖିରେ ଆଖି ମିଶାଇ ପାରୁନାହାନ୍ତି। ପାଖାପାଖି ଛଅ ମାସ ପୂର୍ବରୁ ତାଙ୍କ ଦେଢ଼ଶୂରଙ୍କ ପୁଅ ରାମ କମଲ (୨୭)ଙ୍କର ସ୍ଥାନୀୟ ଏକ ଖୁଚୁରା ଖାଦ୍ୟ କାରଖାନାରେ ମୃତ୍ୟୁ ଘଟିଥିଲା। ସେଠାରେ ସେ ଏସି ମରାମତି ୟୁନିଟ୍‌ରେ କାମ କରୁଥିଲେ। ୨୦୦୭ରେ ନିଜ ବାହାଘର ପରେ ନୀଲମ୍‌ ତାଙ୍କୁ ପାଖରେ ରଖି ଲାଳନପାଳନ କରୁଥିଲେ।

ଏହା ୨୯ ଜୁନ୍‌ ୨୦୨୩ର ଘଟଣା ଥିଲା। ନୀଲମ୍‌ ସେଦିନ କଥା ମନେ ମକାଇ କୁହନ୍ତି, ତାହା ଏକ ମାନ୍ଦା ଓ ଉତ୍ତପ୍ତ ଦିନ ଥିଲା। ତାଙ୍କର ତିନି ଜଣ ଛୋଟ ପିଲା - ଦୁଇ ଝିଅ ଓ ଗୋଟିଏ ପୁଅ, ଏବଂ ଶ୍ୱଶୁର ଶୋଭନାଥ ତାଙ୍କ ଦ୍ୱାରା ପ୍ରସ୍ତୁତ ଡାଲ୍‌ ଭାତ୍‌ (ଡାଲି ଓ ଭାତ) ଖାଇ ସଙ୍ଗେ ସଙ୍ଗେ ଉଠିଥିଲେ। ଏହାପରେ ସେ ରୋଷେଇ ଘର ସଫା କରିବାରେ ଲାଗିପଡ଼ିଥିଲେ ଏବଂ ଶୋଭନାଥ ଅପରାହ୍ଣ ବିଶ୍ରାମ ପାଇଁ ଯୋଜନା କରୁଥିଲେ।

ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଡୋର୍‌ ବେଲ୍‌ ବାଜିଲା। ସେ ହାତ ଧୋଇବା ପରେ ମୁଣ୍ଡରେ ଦୁପଟ୍ଟା (ଓଢ଼ଣୀ) ପକାଇ କବାଟ ଖୋଲିବାକୁ ଗଲେ। ଘର ଦ୍ୱାରରେ ନୀଳ ବର୍ଦ୍ଦି ପିନ୍ଧିଥିବା ଦୁଇ ଜଣ ଲୋକ ଛିଡ଼ା ହୋଇଥିଲେ ଯେଉଁମାନେ ଆଙ୍ଗୁଠିରେ ଫସିଥିବା ନିଜ ବାଇକ୍‌ ଚାବିରେ ଖେଳୁଥିଲେ। ନୀଲମ୍‌ ସେମାନଙ୍କୁ ଚିହ୍ନି ପାରିଲେ। ସେମାନେ ରାମକମଲ କାମ କରୁଥିବା କମ୍ପାନୀରେ କାମ କରୁଥିଲେ। ତାଙ୍କର ମନେ ଅଛି ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଥିଲେ, ‘‘ରାମଙ୍କୁ ବିଦ୍ୟୁତ ଆଘାତ ଲାଗିଛି। ଆପଣ ତୁରନ୍ତ ସିଭିଲ୍‌ ହସ୍ପିଟାଲ୍‌କୁ ଆସନ୍ତୁ।’’

‘‘ମୁଁ ସେମାନଙ୍କୁ ପଚାରି ଚାଲିଥିଲି ଯେ ସେ କେମିତି ଅଛି, ତା’ର କିଛି ହୋଇନାହିଁ ତ’, ତା’ର ଚେତା ଅଛି କି ନାହିଁ ? ସେମାନେ କେବଳ ଏହା କହିଲେ ଯେ ତା’ର ଚେତା ନାହିଁ,’’ ଏକଥା କହିବା ସମୟରେ ନୀଲମଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ। ସେ ଓ ଶୋଭନାଥ ଗାଡ଼ି ଅପେକ୍ଷାରେ ଅଧିକ ସମୟ ବିତାଇବା ପରିବର୍ତ୍ତେ ତୁରନ୍ତ ସେମାନଙ୍କୁ ବାଇକରେ ନେଇଯିବା ପାଇଁ ସେ ଦୁଇ ଜଣଙ୍କୁ ଅନୁରୋଧ କଲେ। ଡାକ୍ତରଖାନାରେ ପହଞ୍ଚିବା ଲାଗି ସେମାନଙ୍କୁ ପ୍ରାୟ ୨୦ ମିନିଟ୍‌ ଲାଗିଗଲା।

Left: Six months ago, 27-year-old Ram Kamal lost his life at work in a food retail factory. He worked as a technician in an AC repair unit.
PHOTO • Navya Asopa
Right: Ram's uncle Motilal standing outside their house in Sonipat, Haryana
PHOTO • Navya Asopa

ବାମ : ଛଅ ମାସ ପୂର୍ବରୁ ଏକ ଖାଦ୍ୟ ଖୁଚୁରା କାରଖାନାରେ କାମ କରୁଥିବା ସମୟରେ ୨୭ ବର୍ଷ ବୟସ୍କ ରାମ କମଳଙ୍କ ମୃତ୍ୟୁ ଘଟିଥିଲା। ସେ ଏକ ଏସି ମରାମତି ୟୁନିଟ୍‌ରେ ଜଣେ କାରୀଗର ଭାବେ କାମ କରୁଥିଲେ। ଡାହାଣ : ରାମଙ୍କ କକା ମୋତିଲାଲ ହରିୟାଣାର ସୋନିପତରେ ଥିବା ସେମାନଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି

Left: The cupboard dedicated for the safekeeping of Ram Kamal’s documents and evidence of the case.
PHOTO • Ashish Kothari
Right: Ram lived with his uncle and aunt at their house in Sonipat since 2003
PHOTO • Navya Asopa

ବାମ : ଏହି ଆଲମାରୀରେ ରାମ କମଲଙ୍କ ସମସ୍ତ କାଗଜପତ୍ର ଓ ମାମଲା ସହ ଜଡ଼ିତ ସମସ୍ତ ପ୍ରମାଣ ସୁରକ୍ଷିତ ରଖାଯାଇଛି । ଡାହାଣ : ରାମ ନିଜର କକା ଓ ଖୁଡ଼ିଙ୍କ ସହିତ ସୋନିପତ ଘରେ ୨୦୦୩ରୁ ରହି ଆସୁଥିଲେ

ନୀଲମଙ୍କ ସ୍ୱାମୀ ଓ ରାମଙ୍କ କକା ମୋତିଲାଲ ନିଜ କାମରେ ଥିବା ସମୟରେ ତାଙ୍କୁ ପତ୍ନୀଙ୍କ କଲ୍‌ ଆସିଥିଲା। ସେ ରୋହତକ ସମଚାନାରେ ଏକ ନିର୍ମାଣ ସ୍ଥଳୀରେ କାମ କରୁଥିଲେ। ଖବର ମିଳିବା ପରେ, ସେ ସ୍କୁଟର ନେଇ ଅଧଘଣ୍ଟା ଭିତରେ ୨୦ କିଲୋମିଟର ଦୂର ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଥିଲେ।

‘‘ସେମାନେ ତା’କୁ ପୋଷ୍ଟମର୍ଟମ୍‌ ୟୁନିଟ୍‌ରେ ରଖିଥିଲେ,’’ ରାମଙ୍କ ୭୫ ବର୍ଷୀୟ ଜେଜେବାପା ଶୋଭନାଥ କୁହନ୍ତି। ତାଙ୍କ ଖୁଡ଼ି ନୀଲମ କାନ୍ଦ କାନ୍ଦ ହୋଇ କୁହନ୍ତି, ‘‘ମୁଁ ତା’କୁ ଦେଖିପାରୁନଥିଲି। ସେମାନେ ତା’କୁ କଳା କପଡ଼ା ଘୋଡ଼ାଇ ଦେଇଥିଲେ। ମୁଁ ତା’ ନାଁ ଧରି ଡାକୁଥିଲି।’’

*****

ଏବେ ପରଲୋକ ଗମନ କରିସାରିଥିବା ଏହି ଯୁବକଙ୍କ ବାପା-ମା’, ଗୁଲାବ୍‌ ଓ ଶୀଲା ଯାଦବ ତାଙ୍କ କକା-ଖୁଡ଼ିଙ୍କ ପାଖରେ ରହିବା ପାଇଁ ପୁଅକୁ ପଠାଇଥିଲେ। ରାମ କମଲଙ୍କୁ ମାତ୍ର ୭ ବର୍ଷ ହୋଇଥିବା ବେଳେ ମୋତିଲାଲ ତାଙ୍କୁ ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲାର ନିଜାମାବାଦ ତହସିଲରୁ ନେଇ ଆସିଥିଲେ। ‘‘ଆମେ ହିଁ ତା’ର ଲାଳନ-ପାଳନ କରିଥିଲୁ,’’ ମୋତିଲାଲ କୁହନ୍ତି।

ରାମକମଲ ଜାନୁଆରୀ ୨୦୨୩ ଠାରୁ ଏହି କାରଖାନାରେ କାମ କରୁଥିଲେ ଏବଂ ମାସିକ ୨୨,୦୦୦ ଟଙ୍କା ରୋଜଗାର କରୁଥିଲେ। ଅଧା ଦରମା ସେ ନିଜ ଘରକୁ ପଠାଇ ଦେଉଥିଲେ ଯେଉଁଠି ତାଙ୍କର ଚାରି ସଦସ୍ୟ ପରିବାରରେ - ମା’-ବାପା, ପତ୍ନୀ ଓ ଆଠ ମାସର ଗୋଟିଏ ଝିଅ ଥିଲେ।

‘‘ନିଜର ଛୋଟ ଝିଅକୁ ସେ ବହୁତ ଭଲ ପାଉଥିଲା। ଏବେ ତା’ର କ’ଣ ହେବ? କମ୍ପାନୀ ଲୋକମାନେ ତା’ ବିଷୟରେ ଗୋଟିଏ ଶବ୍ଦ ସୁଦ୍ଧା ପଚାରିନଥିଲେ,’’ ଶୋଭନାଥ କୁହନ୍ତି। କମ୍ପାନୀର ମାଲିକ ଥରେ ସୁଦ୍ଧା ତାଙ୍କ ପରିବାର ଲୋକଙ୍କ ବିଷୟରେ ବୁଝିବାକୁ ଆସିଲେ ନାହିଁ।

'If this tragedy took place at their home [the employers], what would they have done?' asks Shobhnath, Ram's grandfather.
PHOTO • Navya Asopa
Right: It was two co-workers who informed Neelam about Ram's status
PHOTO • Navya Asopa

‘ଯଦି ସେମାନଙ୍କ (ମାଲିକ)ଙ୍କ ଘରେ ଏଭଳି ଦୁଃଖଦ ଘଟଣା ଘଟିଥା’ନ୍ତା, ତା’ହେଲେ ସେମାନେ କ’ଣ କରିଥା’ନ୍ତେ? ରାମଙ୍କ ଜେଜେବାପା ଶୋଭନାଥ ପଚାରନ୍ତି। ଡାହାଣ : ଦୁଇଜଣ ସହକର୍ମୀ ହିଁ ରାମଙ୍କ ସ୍ଥିତି ସମ୍ପର୍କରେ ନୀଲମଙ୍କୁ ସୂଚନା ଦେଇଥିଲେ

ମୃତ୍ୟୁ ପୂର୍ବ ଦିନ ରାତିରେ ରାମ ଘରକୁ ଫେରିନଥିଲେ ବୋଲି ସୂଚନା ଦେଇ ନୀଲମ କୁହନ୍ତି : ‘‘ସେ କାମରେ ବ୍ୟସ୍ତ ଥିଲା କହିଥିଲା। ଦୀର୍ଘ ୨୪ ଘଣ୍ଟା ଧରି ରାମ ସାଇଟ୍‌ରେ ରହିଥିଲା।’’ ପରିବାର ଲୋକମାନେ ତାଙ୍କ କାମ ସମୟର ଠିକ୍‌ ସୂଚନା ନଥିଲା। ଅନେକ ଥର ସେ ଠିକ୍‌ ଭାବେ ଖାଦ୍ୟ ଖାଇପାରୁନଥିଲେ। ଆଉ କେବେ କେବେ କାରଖାନରେ ଥିବା କମ୍ପାନୀର ଅସ୍ଥାୟୀ ଛାଉଣୀରେ ରାତି ବିତାଇ ଦେଉଥିଲେ। ‘‘ଆମ ପୁଅ ବହୁତ ପରିଶ୍ରମୀ ଥିଲା,’’ ମୋତିଲାଲ ସ୍ମିତ ହସି କୁହନ୍ତି। ଫୁରସତ ସମୟରେ ସେ ନିଜ ଝିଅ କାବ୍ୟାକୁ ଭିଡ଼ିଓ କଲ୍‌ କରିବାକୁ ପସନ୍ଦ କରୁଥିଲେ।

କାରଖାନାର ଅନ୍ୟ କର୍ମଚାରୀଙ୍କଠାରୁ ରାମଙ୍କ ପରିବାର ଲୋକଙ୍କୁ ସୂଚନା ମିଳିଥିଲା ଯେ ସେଦିନ ସେ ଏକ କୁଲିଂ ପାଇପଲାଇନ ମରାମତି କରୁଥିଲେ। ଏହା ଏପରି ଏକ କାମ ଥିଲା ଯାହାପାଇଁ ରାମଙ୍କୁ କୌଣସି ସୁରକ୍ଷା ଉପକରଣ ଦିଆଯାଇନଥିଲା କିମ୍ବା ସତର୍କ କରାଯାଇନଥିଲା। ‘‘ଯେତେବେଳେ ସେ ସେହି ସ୍ଥାନକୁ ନିଜର ଏସି-ପାଇପ୍‌ ସ୍ପ୍ରେ ଏବଂ ପ୍ଲାୟର ଧରି ପହଞ୍ଚିଲେ, ସେ ସ୍ଲିପର୍‌ ପିନ୍ଧିନଥିଲେ ଏବଂ ତାଙ୍କ ହାତ ମଧ୍ୟ ଓଦା ଥିଲା। ଯଦି କମ୍ପାନୀର ମ୍ୟାନେଜର ତାଙ୍କୁ ସତର୍କ କରି ଦେଇଥା’ନ୍ତେ ତା’ହେଲେ ଆମେ ଆମ ପୁଅକୁ ହରାଇନଥା’ନ୍ତୁ’’, ତାଙ୍କ କକା ମୋତିଲାଲ କୁହନ୍ତି।

ନିଜ ପୁଅର ମୃତ୍ୟୁ ଖବର ମିଳିବା ପରଦିନ ରାମଙ୍କ ବାପା ଗୁଲାବ ଯାଦବ ପୁଅର ଅନ୍ତିମ ସତ୍କାର ପାଇଁ ସୋନିପତରେ ପହଞ୍ଚିଲେ। ପରଦିନ ସେ ରାଇ ପୁଲିସ ଥାନାକୁ ଗଲେ ଏବଂ ବେପରୁଆ ବ୍ୟବହାର ପାଇଁ କମ୍ପାନୀ ବିରୋଧରେ ଅଭିଯୋଗ ଦାଖଲ କଲେ। ରାମଙ୍କ ପରିବାର ଲୋକମାନେ କୁହନ୍ତି ଯେ, ତଦନ୍ତ ଅଧିକାରୀ ସୁମିତ କୁମାରଙ୍କୁ ମାମଲାର ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ସେ ମାମଲାର ଯାଞ୍ଚ କରିବା ପରିବର୍ତ୍ତେ ରଫାଦଫା କରିବା ଲାଗି ରାମଙ୍କ ପରିବାର ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।

‘‘ପୁଲିସ ଏକ ଲକ୍ଷ (ଟଙ୍କା) ନେଇ ମାମଲା ରଫାଦଫା କରିବା ଲାଗି ଆମକୁ କହିଲା। କିନ୍ତୁ ଏଥିରେ ଆମେ ରାଜି ନୋହୁଁ। ଏବେ କେବଳ ଅଦାଲତ ମାମଲା ସମ୍ପର୍କରେ ନିଷ୍ପତ୍ତି ନେବ,’’ ମୋତିଲାଲ କୁହନ୍ତି।

The police at the station in Rai, Sonipat, asked Ram's family to settle
PHOTO • Navya Asopa

ରାଇ, ସୋନିପତର ପୁଲିସ ଷ୍ଟେସନ, ଯେଉଁଠି ରାମଙ୍କ ପରିବାରକୁ ରଫାଦଫା କରିବାକୁ କୁହାଯାଇଥିଲା

ସୋନିପତ କାରଖାନାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣା ନୂଆ ନୁହେଁ। ବିଗତ ଦୁଇ ଦଶନ୍ଧି ଧରି ସୋନିପତରେ ଏକ ବଡ଼ ଶିଳ୍ପ କେନ୍ଦ୍ର ଭାବେ ଉଭା ହୋଇଛି। ଏଠାରେ ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀରୁ ଆସିଥିବା ପ୍ରବାସୀ ଶ୍ରମିକମାନେ କାମ କରନ୍ତି

ପୁଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଜାଣିବା ପରେ ମୋତିଲାଲ ଏହି ଘଟଣାର ଗୋଟିଏ ମାସ ପରେ ଅଦାଲତରେ ମାମଲା ଦାୟର କରିବା ଲାଗି ନିଷ୍ପତ୍ତି ନେଲେ। ରାଇର ଶ୍ରମ ନ୍ୟାୟାଳୟରେ ରାମଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ କେବଳ କାଗଜପତ୍ର କାମ କରିବା ପାଇଁ ତାଙ୍କ ଠାରୁ ୧୦,୦୦୦ ଟଙ୍କା ଅସୁଲ କରିଥିଲେ। ଗୋଟିଏ ମାସରେ ପାଖାପାଖି ୩୫,୦୦୦ ଟଙ୍କା ରୋଜଗାର କରୁଥିବା ଏହି ପରିବାର ପାଇଁ ଏହା ଏକ ମୋଟା ଅଙ୍କର ଅର୍ଥ ଥିଲା। ‘‘ଆମ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା, କିନ୍ତୁ ମୋତେ କେତେଥର କୋର୍ଟକୁ ଦୌଡ଼ିବାକୁ ପଡ଼ିବ ତାହା ମୁଁ ଜାଣିନଥିଲି,’’ ମୋତିଲାଲ କୁହନ୍ତି। ଏବେ ପରିବାରରେ ସେ ହିଁ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ।

ପୁଲିସ ଅଧିକାରୀ ରାମଙ୍କ ସ୍କୁଟି ଉଧାର କରିବାରେ ମଧ୍ୟ ଗୁଲାବ୍‌ ଓ ମୋତିଲାଲଙ୍କୁ କୌଣସି ସହାୟତା କଲେ ନାହିଁ, ଯେଉଁ ସ୍କୁଟିରେ ସେ ନିଜ ଘରୁ ୧୦ କିଲୋମିଟର ଦୂରରେ ଥିବା କାରଖାନାକୁ ଯିବାଆସିବା କରୁଥିଲେ। କମ୍ପାନୀରେ ସ୍କୁଟି ବିଷୟରେ ପଚାରିବାକୁ ଯିବା ପୂର୍ବରୁ ମୋତିଲାଲ ପୁଲିସ ଷ୍ଟେସନକୁ ଫୋନ୍‌ ମଧ୍ୟ କରିଥିଲେ। ଜଣେ ଅଧିକାରୀ ତାଙ୍କୁ ପରାମର୍ଶ ଦେଲେ ଯେ ସେ ସାଇଟ୍‌ ସୁପରଭାଇଜରଙ୍କ ସହିତ ସିଧାସଳଖ କଥା ହେବା ଉଚିତ୍‌। କିନ୍ତୁ ସୁପରଭାଇଜର୍‌ ମୋତିଲାଲଙ୍କ ଅନୁରୋଧକୁ ଖାରଜ କରିଦେଲେ : ‘‘ମୁଁ ଯେତେବେଳେ ବାଇକ୍‌ ନେବାକୁ ଗଲି, ସୁପରଭାଇଜର୍‌ ପଚାରିଲା ଆମେ କାହିଁକି ସାଲିସ୍‌ କଲୁ ନାହିଁ? ଆମେ ମାମଲା କାହିଁକି ରୁଜୁ କଲୁ?’’

ରାମଙ୍କ କର୍ମଚାରୀ ପରିଚୟପତ୍ର କେଉଁଠି ଅଛି ତାହା ମଧ୍ୟ ମୋତିଲାଲ ଜାଣନ୍ତି ନାହିଁ । ‘‘ଏଫଆଇଆରରେ ତାଙ୍କୁ ଠିକାରେ କାମ କରୁଥିବା ଜଣେ କର୍ମଚାରୀ ଭାବେ ଉଲ୍ଲେଖ କରାଯାଇଛି। କିନ୍ତୁ ମୁଖ୍ୟ କମ୍ପାନୀ ମାର୍ଫତରେ ତାଙ୍କୁ ଦରମା ମିଳୁଥିଲା। କର୍ମଚାରୀ ଭାବେ ତାଙ୍କୁ ପରିଚୟପତ୍ର ଦିଆଯାଇଥିଲା। ହେଲେ ସେହି କାର୍ଡ ବର୍ତ୍ତମାନ ସୁଦ୍ଧା ଆମକୁ ମିଳିନାହିଁ।’’ ସେ ଆହୁରି ମଧ୍ୟ କୁହନ୍ତି ଯେ କମ୍ପାନୀ ସେମାନଙ୍କୁ ସିସିଟିଭି ଫୁଟେଜ୍‌ ମଧ୍ୟ ଦେଇନାହିଁ ।

ସୁପରଭାଇଜର୍‌ ଦାବି କରନ୍ତି ଯେ, ‘‘ସେ ପିଲାର ଅବହେଳା କାରଣରୁ ଏପରି ଘଟଣା ଘଟିଥିଲା। ସେ ପୂର୍ବରୁ ଗୋଟିଏ ଏସି ସର୍ଭିସିଂ କରିସାରିଥିଲା... ତା’ର ହାତ-ପାଦ ଓଦା ଥିଲା। ଏହି କାରଣରୁ ତା’କୁ ବିଦ୍ୟୁତ ଆଘାତ ଲାଗିଲା।’’ ତାଙ୍କ ପକ୍ଷରୁ ଦାୟିତ୍ୱରେ ଅବହେଳା କରାଯିବାକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରନ୍ତି।

Left: Ram Kamal’s postmortem report states the entry wound was found on his left finger, but the family are skeptical about the findings.
PHOTO • Navya Asopa
Right: Article about Ram's death in Amar Ujala newpaper
PHOTO • Navya Asopa

ବାମ : ରାମଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥାଏ ଯେ ପ୍ରାରମ୍ଭିକ ଆଘାତ ଦାଗ ତାଙ୍କର ବାମ ହାତ କାଣି ଆଙ୍ଗୁଠିରେ ମିଳିଥାଏ, କିନ୍ତୁ ତାଙ୍କ ପରିବାର ଲୋକମାନେ ଏହି ନିଷ୍କର୍ଷକୁ ନେଇ ସନ୍ଦେହରେ ଅଛନ୍ତି। ଡାହାଣ : ଅମର ଉଜାଲା ଖବରକାଗଜରେ ରାମଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଛି

ପୋଷ୍ଟମର୍ଟମ୍‌ ରିପୋର୍ଟରେ ଦର୍ଶାଯାଇଛି ରାମ କମଲଙ୍କ ‘‘ବାମ ହାତ କାଣି ଆଙ୍ଗୁଠି ପଛ ଭାଗରେ ବିଦ୍ୟୁତ ଆଘାତ ଚିହ୍ନ ରହିଛି।’’ କିନ୍ତୁ ପରିବାର ଲୋକମାନେ ଏହି ରିପୋର୍ଟକୁ ମନଗଢ଼ା ବୋଲି କୁହନ୍ତି। ବିଶେଷ କରି ଏଥିପାଇଁ ଯେ, ରାମ ଡାହାଣ ହାତରେ କାମ କରିବାରେ ଅଭ୍ୟସ୍ତ ଥିଲେ। ନୀଲମ କୁହନ୍ତି, ‘‘ବିଦ୍ୟୁତ ଆଘାତ ଲାଗିବା ପରେ ଶରୀରରେ ପୋଡ଼ା ଦାଗ ରହିଯାଇଥାଏ ଏବଂ ମୁହଁ କଳା ପଡ଼ିଯାଏ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଥିଲା।’’

ସୋନିପତର କାରଖାନାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା ନୂଆ ନୁହେଁ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ସୋନିପତ ଏକ ଶିଳ୍ପ କେନ୍ଦ୍ର ରୂପରେ ଉଭା ହୋଇଛି। ଏଠାରେ କାମ କରୁଥିବା ଅଧିକାଂଶ ଶ୍ରମିକ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଏହାପରେ ବିହାର ଏବଂ ଦିଲ୍ଲୀ (ଜନଗଣନା ୨୦୧୧)ରୁ ଆସିଥିବା ପ୍ରବାସୀ ଶ୍ରମିକ ଅଛନ୍ତି। ପୁଲିସ୍‌ ମଧ୍ୟ ସୂଚନା ଦେଇଥାଏ ଯେ ଆଖପାଖ କାରଖାନାରେ କାମ କରୁଥିବା ଶ୍ରମିକମାନେ ଆହତ ହେବାର ଅତିକମରେ ପାଞ୍ଚଟି ମାମଲା ପ୍ରତିମାସରେ ସେମାନଙ୍କ ପାଖକୁ ଆସିଥାଏ। ‘‘ଶ୍ରମିକମାନେ ଆହତ ହେବାର ଅଧିକାଂଶ ମାମଲା ପୁଲିସ ଷ୍ଟେସନରେ ସୁଦ୍ଧା ପହଞ୍ଚି ପାରିନଥାଏ। ପୂର୍ବରୁ ମାମଲାକୁ ରଫାଦଫା କରି ଦିଆଯାଇଥାଏ,’’ ସେ କୁହନ୍ତି।

ରାମଙ୍କ ମାମଲା ଏବେ ନ୍ୟାୟାଳୟରେ ପହଞ୍ଚିଛି, ସେଥିପାଇଁ ଉପଯୁକ୍ତ କ୍ଷତିପୂରଣ ସହିତ ମାମଲାର ସମାଧାନ ହୋଇପାରିବ ବୋଲି ଦହିୟା ଆଶା ପ୍ରକାଶ କରିଥାନ୍ତି। ‘‘ଏତେ ଅଧିକ ଲୋକ ମରୁଛନ୍ତି, ସେମାନଙ୍କ ଖୋଜ-ଖବର ନେବ କିଏ? ଏହା ଆଇପିସି ଧାରା ୩୦୪ର ମାମଲା ଅଟେ ଏବଂ ମୁଁ ଏହାକୁ ସେ ଛୋଟ ଝିଅର ଭବିଷ୍ୟତ ପାଇଁ ଲଢ଼ିବାକୁ ଚାହୁଁଛି,’’ ସେ କୁହନ୍ତି। ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୦୪ ଅଧୀନରେ ‘‘ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲା ରୁଜୁ ହୋଇଥାଏ, ଏବଂ ଏହାକୁ ହତ୍ୟା ଭଳି ସଙ୍ଗୀନ ଅପରାଧ ଭାବେ ବିବେଚନା କରାଯାଏ ନାହିଁ।’’

ଆର୍ଥିକ ଓ ଭାବନାତ୍ମକ ସମସ୍ୟା ସତ୍ତ୍ୱେ ରାମଙ୍କ ପରିବାର ନ୍ୟାୟ ପାଇଁ ସଂଘର୍ଷ କରିବା ଲାଗି ସଂକଳ୍ପବଦ୍ଧ ରହିଛି। ଶୋଭନାଥ କୁହନ୍ତି, ‘‘ଯଦି ଏହି ଦୁର୍ଘଟଣା ସେମାନଙ୍କ (ମାଲିକ)ଙ୍କ ଘରେ ହୋଇଥା’ନ୍ତା, ତା’ହେଲେ ସେମାନେ କ’ଣ କରିଥା’ନ୍ତେ?’’ ସେ ଆହୁରି କୁହନ୍ତି, ‘‘ ଜୋ ଗୟା ୱ ତୋ ୱାପିସ୍‌ ନା ଆୟୋଗା। ପର୍‌ ପୈସା ଚାହେ କମ୍‌ ଦେ, ହମେ ନ୍ୟାୟ ମିଲନା ଚାହିୟେ (ଯିଏ ଚାଲିଯାଇଛି ସେ ଆଉ ଫେରିବ ନାହିଁ। ସେମାନେ କମ୍‌ କ୍ଷତିପୂରଣ ଦିଅନ୍ତୁ ପଛେ ଆମକୁ ନ୍ୟାୟ ଦରକାର)।’’

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Navya Asopa

ନବ୍ୟା ଅସୋପା ସୋନିପତ୍‌ ସ୍ଥିତ ଅଶୋକା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ଗଣମାଧ୍ୟମ ଅଧ୍ୟୟନ ବିଷୟରେ ତୃତୀୟବର୍ଷ ସ୍ନାତକ ଛାତ୍ରୀ ଅଟନ୍ତି। ସେ ସାମ୍ବାଦିକ ହେବାକୁ ଚାହାନ୍ତି ଏବଂ ଭାରତରେ ବିକାଶ, ପ୍ରବାସ ଓ ରାଜନୀତି ପ୍ରସଙ୍ଗରେ ଅନ୍ୱେଷଣ କରିବାକୁ ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Navya Asopa
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE