ବିରାଟ୍‌ କୋହଲିଙ୍କ ପ୍ରଶଂସକ ଥିଲେ ନୁରୁଲ୍‌ ହସନ୍‌ ଏବଂ ଆୟେଶା ବାବର ଆଜମ୍‌ଙ୍କୁ ପସନ୍ଦ କରୁଥିଲେ। ବିରାଟ ଶତକ ମାରିଲେ ନୁରୁଲ ଖୁସି ହେଉଥିଲେ, ଆଉ ଯେତେବେଳେ ବାବରଙ୍କ ପ୍ରଦର୍ଶନ ଭଲ ରହୁଥିଲା ସେତେବେଳେ ଆୟେଶା ତାଙ୍କୁ ଚିଡ଼ାଉଥିଲେ। କ୍ରିକେଟ୍‌କୁ ନେଇ ହେଉଥିବା ଥଟ୍ଟାମଜା ଉଭୟଙ୍କ ପ୍ରେମର ଭାଷା ଥିଲା। ଏହି ନିଶା ଏତେ ମାତ୍ରାରେ ଚଢ଼ିଯାଇଥିଲା ଯେ ଉଭୟଙ୍କର ଆରେଞ୍ଜ୍‌ ମ୍ୟାରେଜ୍‌ (ଘର ଲୋକ ଠିକ୍‌ କରିଥିବା ବାହାଘର) ହୋଇଛି ବୋଲି ଶୁଣି ସେମାନଙ୍କ ଆଖପାଖର ଲୋକ ଚକିତ ହେଉଥଲେ।

ଜୁନ୍‌ ୨୦୨୨ରେ ଯେତେବେଳେ କ୍ରିକେଟ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀ ପ୍ରକାଶ ପାଇଲା, ଆୟେଶା ଖୁସି ହୋଇଯାଇଥିଲେ। ଭାରତ ବନାମ ପାକିସ୍ତାନ ମୁକାବିଲା ୧୪ ଅକ୍ଟୋବରରରେ ଗୁଜରାଟର ଅହମ୍ମଦାବାଦରେ ହେବାର ଥିଲା। ମହାରାଷ୍ଟ୍ରରେ ନିଜ ବାପଘର ଗାଁ ରାଜାଚେ କୁର୍ଲେରେ ଥାଇ ଆୟେଶା (୩୦) ସ୍ମରଣ କରି କୁହନ୍ତି, ‘‘ମୁଁ ନୁରୁଲଙ୍କୁ କହିଲି ଯେ ଆମେ ଏହି ମ୍ୟାଚ୍‌ ଷ୍ଟାଡିୟମରେ ଦେଖିବା ଉଚିତ୍‌। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ମ୍ୟାଚ୍‌ ସବୁବେଳେ ହେଉନାହିଁ। ଆମ ଉଭୟଙ୍କ ପ୍ରିୟ ଖେଳାଳୀଙ୍କୁ ଦେଖିବା ଲାଗି ଏହା ଏକ ବିରଳ ସୁଯୋଗ ଆଣିଛି।’’

ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିବା ନୁରୁଲ (୩୦) କିଛି ଫୋନ କଲ୍‌ କଲେ ଏବଂ ଦୁଇଟି ଟିକେଟ୍‌ ବ୍ୟବସ୍ଥା କରିବାରେ ସଫଳ ହେଲେ, ଯାହାକି ଉଭୟଙ୍କ ପାଇଁ ବହୁତ ଖୁସିର ବିଷୟ ଥିଲା। ଆୟେଶା ସେତେବେଳେ ନିଜ ଗର୍ଭାବସ୍ଥାର ଛଅ ମାସରେ ଥିଲେ, ସେଥିପାଇଁ ସେ ସତର୍କତାପୂର୍ବକ ସତାରା ଜିଲ୍ଲାରେ ଥିବା ନିଜ ଗାଁ ପୁସେସାବଳୀ ଠାରୁ ୭୫୦ କିଲୋମିଟର ଦୂର ଯାତ୍ରା କରିବାକୁ ଯୋଜନା କଲେ। ଟ୍ରେନ୍‌ ଟିକେଟ୍‌ ବୁକ୍‌ ହୋଇଗଲା ଏବଂ ରହିବାର ବ୍ୟବସ୍ଥା ମଧ୍ୟ ହୋଇଗଲା। ଶେଷରେ ସେହି ଦିନ ଆସି ପହଞ୍ଚିଲା, କିନ୍ତୁ ସେ ଦୁହେଁ ସେଠାରେ ପହଞ୍ଚି ପାରିଲେ ନାହିଁ।

୧୪ ଅକ୍ଟୋବର ୨୦୨୩ରେ ସୂର୍ଯ୍ୟ ଉଦୟ ହେବା ବେଳକୁ ନୁରୁଲଙ୍କ ମୃତ୍ୟୁକୁ ଗୋଟିଏ ମାସ ପୂରିଯାଇଥିଲା ଏବଂ ଆୟେଶାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବରବାଦ୍‌ ହୋଇଯାଇଥିଲା।

*****

୧୮ ଅଗଷ୍ଟ ୨୦୨୩ରେ ମହାରାଷ୍ଟ୍ରର ସତାରା ସହରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ପୁସେସାବଳୀ ଗାଁରେ ଗୋଟିଏ ସ୍କ୍ରିନ୍‌ସଟ୍‌ ଭାଇରାଲ୍‌ ହୋଇଥିଲା। ଗାଁର ୨୫ ବର୍ଷୀୟ ମୁସଲିମ ଯୁବକ ଆଦିଲ ବାଗୱାନ୍‌ ଇନଷ୍ଟାଗ୍ରାମର ଏକ କମେଣ୍ଟରେ ହିନ୍ଦୁ ଦେବଦେବୀଙ୍କୁ ଗାଳି ଦେଇଥିବା ଦେଖିବାକୁ ମିଳିଥିଲା। ଆଦିଲ ଆଜି ବି ଏହା କୁହନ୍ତି ଯେ ସେହି ସ୍କ୍ରିନ୍‌ ସଟ୍‌ ନକଲି ଏବଂ ଫଟୋସପ୍‌ରେ ବିକୃତ କରାଯାଇଥିଲା। ଏପରିକି ଇନଷ୍ଟାଗ୍ରାମରେ ତାଙ୍କ ସାଙ୍ଗମାନେ ମଧ୍ୟ ପ୍ରକୃତ କମେଣ୍ଟ୍‌ ଦେଖିନଥିଲେ।

ତେବେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ପୁସେସାବଳୀ ମୁସଲିମ୍‌ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନେ ତାଙ୍କୁ ପୁଲିସ ପାଖକୁ ନେଇଗଲେ ଏବଂ ସ୍କ୍ରିନ୍‌ ସଟ୍‌ ଯାଞ୍ଚ କରିବା ଲାଗି ଅନୁରୋଧ କଲେ। ପୁସେସାବଳୀ ଗାଁରେ ଗ୍ୟାରେଜ୍‌ ଚଳାଉଥିବା ସିରାଜ୍‌ ବାଗୱାନ୍‌ (୪୭) କୁହନ୍ତି, ‘‘ଆମେ ଏହା ମଧ୍ୟ କହିଲୁ ଯେ ଆଦିଲ୍‌ ଯଦି ଦୋଷୀ ସାବ୍ୟସ୍ତ ହେଉଛି ତା’କୁ ଦଣ୍ଡ ମିଳୁ। ଆମେ ଏହାର ନିନ୍ଦା କରିବୁ। ପୁଲିସ ଆଦିଲର ଫୋନ୍‌ ଜବତ କରି ନେଲା ଏବଂ ତା’ ବିରୋଧରେ ଦୁଇ ଧର୍ମ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କଲା।’’

'We also said that if Adil is found guilty, he should be punished and we will condemn it,' says Siraj Bagwan, 47, who runs a garage in Pusesavali village
PHOTO • Parth M.N.

ପୁସେସାବଳୀ ଗାଁରେ ଗ୍ୟାରେଜ୍‌ ଚଳାଉଥିବା ୪୭ ବର୍ଷ ବୟସ୍କ ସିରାଜ ବାଗୱାନ୍‌ କୁହନ୍ତି, ‘ଆମେ ଏହା ମଧ୍ୟ କହିଲୁ ଯେ ଆଦିଲ ଯଦି ଦୋଷୀ ତା’କୁ ଦଣ୍ଡ ମିଳୁ ଏବଂ ଆମେ ଏହି କାର୍ଯ୍ୟକୁ ନିନ୍ଦା କରିବୁ’

ଏହା ସତ୍ତ୍ୱେ ସତାରାରେ କଠୋର ହିନ୍ଦୁତ୍ୱବାଦୀ ଗୋଷ୍ଠୀର ସଦସ୍ୟମାନେ ପରଦିନ ପୁସେସାବଳୀରେ ଏକ ଶୋଭାଯାତ୍ରା ବାହାର କଲେ, ଯେଉଁଥିରେ ମୁସଲମାନଙ୍କ ବିରୋଧରେ ବଡ଼ଧରଣର ହିଂସା ପାଇଁ ଆହ୍ୱାନ କରାଗଲା। ସେମାନେ ଆଇନ ଶୃଙ୍ଖଳା ହାତକୁ ନେବା ପାଇଁ ଧମକ ଦେଲେ।

ସ୍କ୍ରିନସଟର ନିରପେକ୍ଷ ତଦନ୍ତ କରିବା ଲାଗି ସିରାଜ୍‌ ଓ ମୁସଲିମ ସମ୍ପ୍ରଦାୟର ଅନ୍ୟ ବରିଷ୍ଠ ସଦସ୍ୟ ତୁରନ୍ତ ସ୍ଥାନୀୟ ପୁଲିସ ଷ୍ଟେସନକୁ ଅନୁରୋଧ କଲେ। ସେମାନେ ପୁସେସାବଳୀରେ ଅନ୍ୟ ମୁସଲିମ ନିବାସୀଙ୍କ ସୁରକ୍ଷା ପାଇଁ ମଧ୍ୟ ନିବେଦନ କଲେ, ଯେଉଁମାନଙ୍କର ଏହି ଘଟଣା ସହିତ କୌଣସି ସମ୍ପର୍କ ନଥିଲା। ସିରାଜ୍‌ କୁହନ୍ତି, ‘‘ଆମେ ପୁଲିସକୁ କହିଲୁ ଯେ ଦଙ୍ଗା ଆଶଙ୍କା ରହିଛି। ଆମେ ସୁରକ୍ଷା ବନ୍ଦୋବସ୍ତ କରିବା ଲାଗି ହାତ ଯୋଡ଼ି ଅନୁରୋଧ କଲୁ।’’

ତେବେ ସିରାଜ୍‌ କୁହନ୍ତି, ଔନ୍ଧ ଥାନା (ଯାହା ଅଧୀନରେ ପୁସେସାବଳୀ ଆସିଥାଏ) ର ସହାୟକ ପୁଲିସ ନିରୀକ୍ଷକ ଗଙ୍ଗାପ୍ରସାଦ କେନ୍ଦ୍ରେ ସେମାନଙ୍କର ଉପହାସ କରିଥିଲେ। ‘‘ସେ ଆମକୁ ପଚାରିଲେ ଯେ ଆମେ ପୈଗମ୍ବର ମହମ୍ମଦଙ୍କୁ କାହିଁକି ଅନୁସରଣ କରିଥାଉ, ସେ ତ’ ଜଣେ ସାଧାରଣ ମଣିଷ ଥିଲେ। ବର୍ଦ୍ଦି ପିନ୍ଧିଥିବା ଜଣେ ବ୍ୟକ୍ତି ଏଭଳି କଥା କହିବ ବୋଲି ମୋର ବିଶ୍ୱାସ ହେଉନଥିଲା।’’

ପରବର୍ତ୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୁଇଟି କଠୋର ହିନ୍ଦୁତ୍ୱବାଦୀ ସଂଗଠନ - ହିନ୍ଦୁ ଏକତା ଓ ଶିବପ୍ରତିଷ୍ଠାନ ହିନ୍ଦୁସ୍ତାନର ସଦସ୍ୟମାନେ ପୁସେସାବଳୀରେ ଯେ କେହି ମୁସଲିମଙ୍କୁ ଅଟକାଇ ତା’ଙ୍କୁ ‘ଜୟ ଶ୍ରୀରାମ’ ନାରା ଦେବାକୁ ବାଧ୍ୟ କରୁଥିଲେ ଏବଂ ତାଙ୍କ ଘରକୁ ଜଳାଇ ଦେବାକୁ ଧମକ ଦେଉଥିଲେ। ଗାଁ ପ୍ରତି ବିପଦ ରହିଥିଲା ଏବଂ ଗାଁ ଲୋକଙ୍କ ମଧ୍ୟ ବ୍ୟଗ୍ରତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା।

୮ ସେପ୍ଟେମ୍ବରରେ ସେହିପରି ଆଉ ଦୁଇଟି ସ୍କ୍ରିନସଟ୍‌ ୨୩ ବର୍ଷୀୟ ମୁଜାମ୍ମିଲ ବାଗୱାନ୍‌ ଏବଂ ୨୩ ବର୍ଷୀୟ ଅଲ୍‌ତମଶ ବାଗୱାନ୍‌ ଙ୍କ ନାଁରେ ଭାଇରାଲ ହେଲା। ଉଭୟ ପୁସେସାବଳୀରେ ରହୁଥିଲେ ଏବଂ ଆଦିଲଙ୍କ ଭଳି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଦେଖାଯାଇଥିଲା। ଆଦିଲଙ୍କ ଭଳି ଏ ଦୁଇ ଯୁବକ ମଧ୍ୟ ଉକ୍ତ ସ୍କ୍ରିନସଟକୁ ନକଲି ଏବଂ ଫଟୋସପ୍‌ରେ ବିକୃତ କରାଯାଇଥିଲା ବୋଲି କୁହନ୍ତି। ହିନ୍ଦୁଙ୍କ ବିରୋଧରେ ମୁସଲିମ୍‌ ପୁରୁଷଙ୍କ ଦ୍ୱାରା ଅପଶବ୍ଦ ପ୍ରୟୋଗ ସମ୍ପର୍କରେ ଗୁଜବ ସୃଷ୍ଟି କରିବା ଲାଗି ମଧ୍ୟ ଏହି ପୋଷ୍ଟ କରାଯାଇଥିଲା।

କଠୋର ହିନ୍ଦୁତ୍ୱବାଦୀ ସଂଗଠନ ଏହି ପୋଷ୍ଟ କରିଥିଲେ ବୋଲି ଅଭିଯୋଗ ରହିଛି।

ଏହି ଘଟଣାକୁ ପାଞ୍ଚ ମାସ ବିତି ସାରିଲାଣି ଏବଂ ପୁଲିସ ବର୍ତ୍ତମାନ ସୁଦ୍ଧା ସେହି ତିନିଟି ସ୍କ୍ରିନସଟ୍‌ର ଯାଞ୍ଚ କରୁଛି।

କିନ୍ତୁ ଯେଉଁ କ୍ଷତି ହେବାର ଥିଲା ହୋଇସାରିଛି - ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରବଣ ଥିବା ଗାଁ ହିଂସାର ଶିକାର ହୋଇସାରିଛି । ପୁସେସାବଳୀରେ ସେପ୍ଟେମ୍ବର ୯ ତାରିଖରେ ସ୍ଥାନୀୟ ମୁସଲମାନଙ୍କ ଦ୍ୱାରା ସୁରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାର ପ୍ରୟାସ ନିଷ୍ଫଳ ହୋଇଥିଲା।

ସେପ୍ଟେମ୍ବର ୧୦ ତାରିଖ ସୂର୍ଯ୍ୟାସ୍ତ ପରେ ଶତାଧିକ କଠୋର ହିନ୍ଦୁତ୍ୱବାଦୀ ଲୋକଙ୍କ ଭିଡ଼ ଗାଁରେ ପ୍ରବେଶ କରି ମୁସଲମାନଙ୍କ ଦୋକାନ, ସେମାନଙ୍କ ଗାଡ଼ି ଓ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଭଙ୍ଗାରୁଜା କରିଥିଲେ। ମୁସଲିମ ସମ୍ପ୍ରଦାୟର ସଦସ୍ୟମାନଙ୍କ ଆକଳନ ଅନୁଯାୟୀ, ୨୯ଟି ପରିବାର ଏହାର ଶିକାର ହୋଇଥିଲେ ଏବଂ ସେମାନଙ୍କର ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। କିଛି ମିନିଟ୍‌ ମଧ୍ୟରେ ସାରା ଜୀବନର ରୋଜଗାର ନଷ୍ଟଭ୍ରଷ୍ଟ ହୋଇଯାଇଥିଲା।

Vehicles parked across the mosque on that fateful day in September were burnt. They continue to remain there
PHOTO • Parth M.N.

ସେପ୍ଟେମ୍ବରର ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନରେ ମସଜିଦ୍‌ ପାଖରେ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଜାଳି ଦିଆଯାଇଥିଲା। ସେଗୁଡ଼ିକ ବର୍ତ୍ତମାନସୁଦ୍ଧା ସେଠାରେ ପଡ଼ି ରହିଛି

ପୁସେସାବଳୀରେ ଗୋଟିଏ ଇ-ସେବା କେନ୍ଦ୍ର (ସାଧାରଣ ଅଭିଯୋଗକାରୀଙ୍କ ସମସ୍ତ ଅଦାଲତୀ ଆବଶ୍ୟକତା ପାଇଁ ଗଠନ କରାଯାଇଥିବା ଏକ କେନ୍ଦ୍ର) ଚଳାଉଥିବା ଅଶଫାକ୍‌ ବାଗୱାନ (୪୩) ନିଜ ଫୋନ୍‌ ବାହାର କରନ୍ତି ଏବଂ ଏହି ରିପୋର୍ଟରଙ୍କୁ ଚଟାଣରେ ବସିଥିବା ଜଣେ ଦୁର୍ବଳ, ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଦେଖାଇଥା’ନ୍ତି, ଯାହାଙ୍କ ମୁଣ୍ଡ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ରହିଥିଲା। ସେ ସ୍ମରଣ କରି କୁହନ୍ତି, ‘‘ସେମାନେ ମୋ ଝରକା ଉପରକୁ ପଥର ମାଡ଼ କରିବାରୁ କାଚ ଭାଙ୍ଗିଗଲା ଏବଂ ମୋ ବାପାଙ୍କ ମୁଣ୍ଡରେ ବାଜିଲା। ଏହା ଏକ ଦୁଃସ୍ୱପ୍ନ ଭଳି ଥିଲା। ଘା’ ଏତେ ଗଭୀର ଥିଲା ଯେ ଘରେ ଚିକିତ୍ସା କରିବା ସମ୍ଭବ ନଥିଲା।’’

ଉତ୍ତ୍ୟକ୍ତ ଭିଡ଼ ଥିବା କାରଣରୁ ଅଶଫାକ୍‌ ବାହାରକୁ ବାହାରି ପାରିଲେ ନାହିଁ। ଯଦି ଅଶଫାକ୍‌ ସେପରି କରିଥା’ନ୍ତେ ତା’ହେଲେ ତାଙ୍କ ସହିତ ସେପରି ହୋଇଥା’ନ୍ତା ଯାହା ଯୁବ ସ୍ୱାମୀ ଏବଂ କ୍ରିକେଟ୍‌ ପ୍ରେମୀ ନୁରୁଲ ହସନଙ୍କ ସହିତ ଘଟିଥିଲା।

*****

ସେଦିନ ସନ୍ଧ୍ୟାରେ ନୁରୁଲ୍‌ ଯେତେବେଳେ କାମରୁ ଘରକୁ ଫେରିଲେ, ପୁସେସାବଳୀରେ ହିଂସା ଆରମ୍ଭ ହୋଇନଥିଲା। ସେହିଦିନ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଡ଼ ସମ୍ପର୍କରେ ଜାଣିନଥିବାରୁ ନୁରୁଲ ଧୂଆଧୋଇ ହୋଇ ସନ୍ଧ୍ୟାର ନମାଜ୍‌ ପାଇଁ ଗାଁର ମସଜିଦକୁ ଯିବା ପାଇଁ ନିଷ୍ପତ୍ତି ନେଲେ। ଆୟେଶା ସ୍ମରଣ କରି କୁହନ୍ତି, ‘‘ଘରେ ନମାଜ୍‌ ପଢ଼ିବା ପାଇଁ ମୁଁ ତାଙ୍କୁ କହିଲି, କାରଣ ଘରକୁ ଅତିଥି ଆସିବାର ଥିଲା। କିନ୍ତୁ ଶୀଘ୍ର ଫେରି ଆସିବେ ବୋଲି ସେ କହିଥିଲେ।’’

ଗୋଟିଏ ଘଣ୍ଟା ପରେ ନୁରୁଲ ମସଜିଦ୍‌ ରୁ ଆୟେଶାଙ୍କୁ ଫୋନ୍‌ କଲେ ଏବଂ କୌଣସି ପରିସ୍ଥିତିରେ ଘରୁ ନବାହାରିବା ପାଇଁ ତାଙ୍କୁ ଅନୁରୋଧ କଲେ। ନୁରୁଲଙ୍କୁ ନେଇ ଆୟେଶା ଡରି ଯାଇଥିଲେ, କିନ୍ତୁ ସେ ମସଜିଦ୍‌ ଭିତରେ ଥିବା ଜାଣି ଆଶ୍ୱସ୍ତ ହୋଇଥିଲେ। ସେ କୁହନ୍ତି, ‘‘ପୂଜାସ୍ଥଳୀ ଉପରେ ଭିଡ଼ ଆକ୍ରମଣ କରିବ ବୋଲି ମୋର ବିଶ୍ୱାସ ନଥିଲା। ମାମଲା ଏତେ ବିଗଡ଼ିଯିବ ବୋଲି ମୁଁ କଳ୍ପନା କରିପାରିନଥିଲି। ମସଜିଦ୍‌ରେ ସେ ସୁରକ୍ଷିତ ରହିବେ ବୋଲି ମୁଁ ଆଶା କରୁଥିଲି।’’

ତାଙ୍କ ଅନୁମାନ ଭୁଲ ପ୍ରମାଣିତ ହେଲା।

ମୁସଲମାନଙ୍କ ମାଲିକାନାରେ ଥିବା ସମ୍ପତ୍ତିକୁ ଭଙ୍ଗାରୁଜା ଓ ନିଆଁ ଲଗାଇବା ପରେ ଭିଡ଼ ମସଜିଦ୍ ଉପରେ ଆକ୍ରମଣ କରିଥିଲା। ସେତେବେଳେ ମସଜିଦ୍‌କୁ ଭିତର ପଟୁ ବନ୍ଦ କରି ଦିଆଯାଇଥିଲା। କିଛି ଲୋକ ବାହାରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲେ, ଅନ୍ୟମାନେ ଭିତରକୁ ପ୍ରବେଶ କରିବା ଲାଗି ଚେଷ୍ଟା କଲେ। ମସଜିଦ୍‌ କବାଟକୁ ବାରମ୍ବାର ଧକ୍କା ମାରିବା ଯୋଗୁଁ ଭିତର ପଟୁ କିଳିଣି ଢିଲା ହୋଇଯାଇଥିଲା। ଶେଷରେ କିଳିଣି ଜବାବ ଦେଲା ଏବଂ କବାଟ ଖୋଲିଗଲା।

ଲାଠି, ଇଟା ଓ ଚଟାଣରେ ପଡ଼ିଥିବା ଟାଇଲରେ ଉତ୍ତ୍ୟକ୍ତ ଭିଡ଼ କଠୋରତାପୂର୍ବକ ସେହି ମୁସଲମାନଙ୍କ ଉପରେ ଆକ୍ରମଣ କଲେ ଯେଉଁମାନେ କିଛି ସମୟ ପୂର୍ବରୁ ସନ୍ଧ୍ୟାର ନମାଜ୍‌ ପଢ଼ୁଥିଲେ। ଭିଡ଼ ଭିତରୁ କେହି ଜଣେ ଗୋଟିଏ ଟାଇଲ୍‌ ଉଠାଇ ନୁରୁଲଙ୍କ ମୁଣ୍ଡରେ ପିଟି ଦେଲା। ଏହାପରେ ତାଙ୍କୁ ପିଟିପିଟି ମାରି ଦିଆଗଲା। ଆକ୍ରମଣରେ ଆହୁରି ୧୧ ଜଣ ଗୁରୁତର ଆହତ ହୋଇଥିଲେ। ‘‘ତାଙ୍କର ମୃତଦେହ ନଦେଖିବା ପର୍ଯ୍ୟନ୍ତ ମୋର ବିଶ୍ୱାସ ହୋଇନଥିଲା,’’ ଆୟେଶା କୁହନ୍ତି।

The mosque in Pusesavali where Nurul Hasan was lynched
PHOTO • Parth M.N.

ପୁସେସାବଳୀ ର ସେହି ମସଜିଦ୍‌ ଯେଉଁଠି ନୁରୁଲ ହସନଙ୍କୁ ହତ୍ୟା କରାଯାଇଥିଲା

ଦୁଃଖି ପତ୍ନୀ ଆହୁରି କୁହନ୍ତି, ‘‘ନୁରୁଲଙ୍କ ହତ୍ୟା ଅଭିଯୁକ୍ତ ଲୋକମାନଙ୍କୁ ମୁଁ ଜାଣିଛି। ସେମାନେ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ। ତାଙ୍କୁ ପିଟିପିଟି ମାରି ଦେବା ସମୟରେ ଏହି କଥା ସେମାନଙ୍କର କିଭଳି ମନେ ପଡ଼ିଲା ନାହିଁ ସେ କଥା ଭାବି ମୁଁ ଚକିତ।’’

ପୁସେସାବଳୀର ମୁସଲମାନମାନେ ଅନେକ ଦିନ ଧରି ପୁଲିସକୁ ଏପରି ଆକ୍ରମଣ ବିରୋଧରେ ସୁରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅନୁରୋଧ କରିଥିଲେ। ଏପରି କିଛି ଘଟିବ ବୋଲି ସେମାନେ ଅନେକ ଦିନ ପୂର୍ବରୁ ଆଶଙ୍କା କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ବୋଧହୁଏ କେବଳ ସତାରା ପୁଲିସ ହିଁ ଏପରି ଘଟଣାର ଆକଳନ କରିପାରୁନଥିଲା।

*****

ମସଜିଦ୍‌ ଉପରେ ଭୟାବହ ଆକ୍ରମଣକୁ ପାଞ୍ଚ ମାସ ବିତି ସାରିଲାଣି, କିନ୍ତୁ ପୁସେସାବଳୀରେ ବର୍ତ୍ତମାନ ସୁଦ୍ଧା ବିଭାଜନର ସ୍ଥିତି ଦେଖିବାକୁ ମିଳୁଛି। ହିନ୍ଦୁ ଓ ମୁସଲିମମାନେ ପରସ୍ପର ସହ ମିଶିବା ବନ୍ଦ କରି ଦେଇଛନ୍ତି ଏବଂ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଯେଉଁମାନେ ଏକଦା ପରସ୍ପରର ଘରେ ବସି ଏକାଠି ଖାଉଥିଲେ ଏବଂ କେବଳ ନିରୁତ୍ସାହିତ, କାରବାର ଆଧାରିତ ବିନିମୟରେ ସମ୍ପର୍କ ରଖିଛନ୍ତି । ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଅପମାନଜନକ କମେଣ୍ଟ କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ପୁସେସାବଳୀର ତିନି ଜଣ ଯୁବକ ଏବେ ପ୍ରାଣ ଭୟରେ ଗାଁ ଛାଡ଼ି ବାହାରକୁ ଚାଲି ଯାଇଛନ୍ତି। ସେମାନେ ନିଜ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ ରହୁଛନ୍ତି।

ମୁଜାମ୍ମିଲ ବାଗୱାନ (୨୩) ନିଜ ଠିକଣାକୁ ଗୋପନୀୟ ରଖିବା ସର୍ତ୍ତରେ ଏହି ରିପୋର୍ଟରଙ୍କ ସହିତ କଥା ହୋଇଥିଲେ। ସେ କୁହନ୍ତି, ‘‘ଭାରତରେ, ଆପଣ ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ହୋଇଥା’ନ୍ତି ନା। କିନ୍ତୁ ଯଦି ଆପଣ ମୁସଲିମ୍‌ ତା’ହେଲେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଦୋଷୀ ହୋଇଥା’ନ୍ତି।’’

ମୁଜାମ୍ମିଲ ୧୦ ସେପ୍ଟେମ୍ବର ରାତିରେ ଗୋଟିଏ ପାରିବାରିକ ସମାରୋହରେ ସାମିଲ ହେବା ପରେ ପୁସେସାବଳୀ ଫେରି ଯାଉଥିଲେ। ଗାଁ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ସେ ଯେତେବେଳେ ଖାଇବା ପାଇଁ ଅଟକିଲେ, ଖାଦ୍ୟ ଆସିବାର ଅପେକ୍ଷା କରିବା ସମୟରେ ସେ ନିଜ ଫୋନରେ ହ୍ୱାଟ୍ସଆପ୍‌ ଖୋଲି ଦେଖିଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କର କେତେଜଣ ହିନ୍ଦୁ ସାଙ୍ଗ ନିଜର ଷ୍ଟାଟସ୍‌ ଅପଡେଟ୍‌ କରିଛନ୍ତି।

ମୁଜାମ୍ମିଲ ଯେତେବେଳେ ଅପଡେଟ୍ ଦେଖିବା ଲାଗି କ୍ଲିକ୍‌ କଲେ; ସେ ସ୍ତବ୍ଧ ହୋଇଯାଇଥିଲେ ଏବଂ ସେ ବାନ୍ତି କରିବା ପରି ଅନୁଭବ କଲେ। ସମସ୍ତେ ସେହି ସ୍କ୍ରିନସଟକୁ ଅପଲୋଡ୍‌ କରିଥିଲେ, ଯେଉଁଥିରେ ମୁଜାମ୍ମିଲଙ୍କୁ ନିନ୍ଦା କରାଯାଇଥିଲା ଏବଂ ତାଙ୍କ ସେହି ଅପମାନଜନକ ଟିପ୍ପଣୀର ଫଟୋ ରହିଥିଲା। ସେ ପଚାରନ୍ତି, ‘‘ଏପରି କିଛି ପୋଷ୍ଟ କରି ମୁଁ କାହିଁକି ସମସ୍ୟାରେ ପଡ଼ିବି? ଏହା ଫଟୋସପରେ ବିକୃତ କରାଯାଇଥିବା ନକଲି ଫଟୋ ଥିଲା ଯାହାର ଉଦ୍ଦେଶ୍ୟ କେବଳ ହିଂସା ସୃଷ୍ଟି କରିବା ଥିଲା।’’

ମୁଜାମ୍ମିଲ ତୁରନ୍ତ ସ୍ଥାନୀୟ ଥାନା ସହ ଯୋଗାଯୋଗ କଲେ ଏବଂ ନିଜ ଫୋନ୍‌ ସରେଣ୍ଡର କଲେ। ସେ ଆହୁରି କହିଥିଲେ, ‘‘ଏହାକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରିବା ଲାଗି ଅନୁରୋଧ କଲେ।’’

ପୁଲିସ୍‌ ସେହି କମେଣ୍ଟର ସତ୍ୟତାକୁ ନେଇ କିଛି ପ୍ରମାଣିତ କରିପାରିଲା ନାହିଁ, କାରଣ ସେମାନେ ଇନଷ୍ଟାଗ୍ରାମର ମାଲିକାନା କମ୍ପାନୀ ମେଟାଠାରୁ ଉତ୍ତର ପାଇବା ଅପେକ୍ଷାରେ ଥିଲେ। ସତାରା ପୁଲିସର ସୂଚନା ଅନୁଯାୟୀ, ଆବଶ୍ୟକ ବିବରଣୀ କମ୍ପାନୀକୁ ପଠାଇ ଦିଆଯାଇଥିଲା। କମ୍ପାନୀ ନିଜ ସର୍ଭରରେ ଦେଖି ଏହାର ଜବାବ ଦେବାର ଥିଲା।

ଡିଜିଟାଲ ଏମ୍ପାୱାର୍‌ମେଣ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଓସାମା ମଞ୍ଜର କୁହନ୍ତି, ‘‘ମେଟା ଜବାବ ଦେବା ପାଇଁ ଏତେ ସମୟ ନେବାରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନାହିଁ। ଏହା ସେମାନଙ୍କର ପ୍ରାଥମିକତା ନୁହେଁ ଏବଂ ପୁଲିସ ଏହାର ସମାଧାନ ପାଇଁ ଉତ୍ସୁକ ନୁହେଁ। ଏହି ପ୍ରକ୍ରିୟା ହିଁ ଦଣ୍ଡରେ ପରିଣତ ହୋଇଥାଏ।’’

ମୁଜାମ୍ମିଲ କୁହନ୍ତି, ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ସେ ଗାଁକୁ ଫେରିବେ ନାହିଁ । ସେ ବର୍ତ୍ତମାନ ପଶ୍ଚିମ ମହାରାଷ୍ଟ୍ରରେ ମାସିକ ୨,୫୦୦ ଟଙ୍କା ଭଡ଼ାରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । ପ୍ରତି ୧୫ ଦିନରେ ଥରେ ସେ ତାଙ୍କ ବାପା ମା’ଙ୍କୁ ଭେଟୁଛନ୍ତି, କିନ୍ତୁ କଥାବାର୍ତ୍ତା ସେତେ ହୋଇପାରୁନାହିଁ। ମୁଜାମ୍ମିଲ କୁହନ୍ତି, ‘‘ଆମର ଭେଟ ହେବା ସମୟରେ ବାପା ମା’ କାନ୍ଦନ୍ତି। ସେମାନଙ୍କ ପାଇଁ ମୋତେ ସାହସୀ ହେବାକୁ ପଡ଼ିଥାଏ।’’

'In India, you are supposed to be innocent until proven guilty,' says Muzammil Bagwan, 23, at an undisclosed location. Bagwan, who is from Pusesavali, was accused of abusing Hindu gods under an Instagram post
PHOTO • Parth M.N.

ଗୋଟିଏ ଅଜ୍ଞାତ ସ୍ଥାନରୁ କଥା ହୋଇ ମୁଜାମ୍ମିଲ କୁହନ୍ତି, ‘ଭାରତରେ ଆପଣ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ନିର୍ଦ୍ଦୋଷ ହୋଇଥା’ନ୍ତି ନା’। ପୁସେସାବଳୀ ରେ ରହୁଥିବା ମୁଜାମ୍ମିଲଙ୍କ ଉପରେ ହିନ୍ଦୁ ଦେବଦେବୀଙ୍କୁ ଗାଳି ଦେବାର ଅଭିଯୋଗ ରହିଥିଲା

ମୁଜାମ୍ମିଲ ଏକ ତେଜରାତି ଦୋକାନରେ ଚାକିରି କରୁଛନ୍ତି, ଯେଉଁଠି ସେ ୮,୦୦୦ ଟଙ୍କା ଦରମା ପାଉଛନ୍ତି। ଏଥିରେ ସେ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଉଛନ୍ତି। ତେବେ ପୁସେସାବଳୀରେ ତାଙ୍କର ଗୋଟିଏ ଆଇସକ୍ରିମ୍‌ ପାର୍ଲର ଥିଲା, ଯାହା ଭଲ ଚାଲୁଥିଲା। ମୁଜାମ୍ମିଲ କୁହନ୍ତି, ‘‘ତାହା ଏକ ଭଡ଼ା ଦୋକାନ ଥିଲା। ମାଲିକ ହିନ୍ଦୁ ଥିଲେ। ଏହି ଘଟଣା ଘଟିବା ପରେ ସେ ମୋତେ ବାହାର କରିଦେଲେ ଏବଂ କହିଲେ, ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେଲେ ଯାଇ ଦୋକାନ ଫେରସ୍ତ ମିଳିବ। ଏବେ ମୋ ବାପାମା’ ଚଳିବା ପାଇଁ ପନିପରିବା ବିକ୍ରି କରୁଛନ୍ତି। କିନ୍ତୁ ଗାଁର ହିନ୍ଦୁମାନେ ତାଙ୍କ ଠାରୁ ପରିବା କିଣିବାକୁ ମନା କରିଦେଉଛନ୍ତି।’’

ଛୋଟ ପିଲାମାନେ ମଧ୍ୟ ଧ୍ରୁବୀକରଣଠାରୁ ଅସ୍ପୃଶ୍ୟ ହୋଇ ରହିନାହାନ୍ତି।

ଦିନେ ସନ୍ଧ୍ୟାରେ ଅଶଫାକଙ୍କ ୯ ବର୍ଷର ପୁଅ ଉଜ୍ଜେର ସ୍କୁଲରୁ ଦୁଃଖି ହୋଇ ଫେରିଲା, କାରଣ ଅନ୍ୟ ପିଲାମାନେ ତା’ ସହିତ ଖେଳୁନାହାନ୍ତି । ଅଶଫାକ କୁହନ୍ତି, ‘‘ତା’ ଶ୍ରେଣୀର ହିନ୍ଦୁ ପିଲାମାନେ ସାଥୀ ହୋଇ ଖେଳିବାକୁ ମନା କରିଦେଲେ, କାରଣ ସେ ଜଣେ ‘ଲାଣ୍ଡ୍ୟା’, ମୁସଲିମ ଲୋକଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ଏକ ଅପମାନଜନକ ଶବ୍ଦ ଯାହାର ଅର୍ଥ ଖତ୍‌ନାକୁ ବୁଝାଏ। ମୁଁ ପିଲାମାନଙ୍କୁ ଦୋଷ ଦେଇ ପାରିବି ନାହିଁ। ସେମାନେ ଘରୁ ଯାହା ଶୁଣନ୍ତି ତାହା ଦୋହରାଇଥା’ନ୍ତି। ଦୁଃଖର ବିଷୟ, ଆମ ଗାଁରେ କେବେ ଏପରି ପରିବେଶ ନଥିଲା।’’

ପ୍ରତି ତିନି ବର୍ଷରେ ଥରେ ପୁସେସାବଳୀରେ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ କରାଯାଏ, ଯେଉଁଥିରେ ୮ଦିନ ପର୍ଯ୍ୟନ୍ତ ହିନ୍ଦୁମାନେ ଧର୍ମଗ୍ରନ୍ଥ ପାଠ କରନ୍ତି ଓ ମନ୍ତ୍ରୋଚ୍ଚାରଣ କରିଥା’ନ୍ତି। ଗାଁରେ ହିଂସା ହେବାର ଗୋଟିଏ ମାସ ପୂର୍ବରୁ ନିକଟରେ ୮ ଅଗଷ୍ଟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବ ଦିନ ସ୍ଥାନୀୟ ମୁସଲମାନମାନେ ଗାଁରେ ଭୋଜି ଆୟୋଜନ କରିଥିଲେ। ପ୍ରାୟ ୧,୨୦୦ ହିନ୍ଦୁଙ୍କ ପାଇଁ ୧୫୦ ଲିଟର ଶୀର୍‌ କୁର୍ମା (ସିମେଇରେ ପ୍ରସ୍ତୁତ ମିଠା) ପ୍ରସ୍ତୁତ କରିଥିଲେ।

ସିରାଜ୍‌ କୁହନ୍ତି, ‘‘ଆମେ ସେହି ଭୋଜିରେ ୮୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲୁ। ସମ୍ପ୍ରଦାୟରେ ସମସ୍ତେ ଏଥିରେ ଭାଗ ନେଇଥିଲେ, କାରଣ ଏହା ହିଁ ଆମ ସଂସ୍କୃତି। କିନ୍ତୁ ଯଦି ଆମେ ଏହି ଟଙ୍କାକୁ ମସଜିଦରେ ଲୁହା କବାଟ ଲଗାଇବାରେ ଉପଯୋଗ କରିଥା’ନ୍ତୁ ତା’ହେଲେ ଆମର ଜଣେ ବ୍ୟକ୍ତି ଆଜି ବଞ୍ଚିଥା’ନ୍ତୋ।’’

*****

ମାମଲାର ଯାଞ୍ଚ କରୁଥିବା ପୁଲିସ ନିରୀକ୍ଷକ ଦେବକର ସୂଚନା ମୁତାବକ, ୧୦ ସେପ୍ଟେମ୍ବରରେ ଘଟିଥିବା ହିଂସା ପାଇଁ ୬୩ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଆହୁରି ୩୪ ଜଣ ଫେରାର୍‌ ଥିବା ବେଳେ ୫୯ ଜଣଙ୍କୁ ଜାମିନ ମିଳିସାରିଛି ।

ସେ କହିଥିଲେ, ‘‘ରାହୁଲ କଦମ ଓ ନିତିନ ବୀର୍‌ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ସେମାନେ ହିନ୍ଦୁ ଏକତା ସଂଗଠନରେ କାମ କରନ୍ତି।’’

ପଶ୍ଚିମ ମହାରାଷ୍ଟ୍ରରେ ସକ୍ରିୟ ଥିବା କଠୋର ହିନ୍ଦୁତ୍ୱବାଦୀ ସଂଗଠନ ହିନ୍ଦୁ ଏକତାର ଶୀର୍ଷ ନେତା ବିକ୍ରମ ପାୱସକର ମଧ୍ୟ ରାଜ୍ୟ ବିଜେପିର ଉପାଧ୍ୟକ୍ଷ ଅଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଫଟୋ ରହିଛି ଏବଂ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନବୀସଙ୍କ ସେ ନିକଟତର ବୋଲି କୁହାଯାଏ।

ବରିଷ୍ଠ ହିନ୍ଦୁତ୍ୱବାଦୀ ନେତା ବିନାୟକ ପାୱସକରଙ୍କ ପୁଅ ବିକ୍ରମଙ୍କ ବିରୋଧରେ ହିଂସାପୂର୍ଣ୍ଣ ଭାଷଣ ଦେବା ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବାର ଅଭିଯୋଗ ରହିଛି। ଏପ୍ରିଲ ୨୦୨୩ରେ ସତାରାରେ ‘ବେଆଇନ ଭାବେ ନିର୍ମିତ ଏକ ମସଜିଦ୍‌’କୁ ଧ୍ୱଂସ କରିଥିବା ଏକ ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ।

Saffron flags in the village
PHOTO • Parth M.N.

ଗାଁରେ ଗେରୁଆ ପତାକା

ଜୁନ୍‌ ୨୦୨୩ରେ ଇସଲାମପୁରର ଏକ ଶୋଭାଯାତ୍ରାରେ ପାୱସକର ‘ଲଭ୍‌ ଜିହାଦ୍‌’ ବିରୋଧରେ ଲଢ଼ିବା ପାଇଁ ‘‘ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ’’ ଆହ୍ୱାନ କରିଥିଲେ। ହିନ୍ଦୁ ଦକ୍ଷିଣପନ୍ଥୀଙ୍କ ଦ୍ୱାରା ପ୍ରଚାରିତ ଏହି ଷଡ଼ଯନ୍ତ୍ର ସିଦ୍ଧାନ୍ତ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇପାରିନାହିଁ। ଏଥିରେ ଦାବି କରାଯାଏ ଯେ ମୁସଲିମ ପୁରୁଷମାନେ ହିନ୍ଦୁ ମହିଳାଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ବିବାହ କରନ୍ତି ଓ ଏହାପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରିଥା’ନ୍ତି ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କ ଜନସାଂଖ୍ୟିକ ବିକାଶ  ଓ ଶେଷରେ ମାଲିକାନା ସୁନିଶ୍ଚିତ କରିବ। ପାୱସକର କହିଥିଲେ, ‘‘ଆମ ଝିଅ, ଭଉଣୀମାନଙ୍କୁ ଅପହରଣ କରି ନିଆଯାଉଛି ଏବଂ ସେମାନଙ୍କୁ ‘ଲଭ୍‌-ଜିହାଦ’ର ଶିକାର କରାଯାଉଛି। ଜିହାଦୀମାନେ ହିନ୍ଦୁ ଧର୍ମରେ ମହିଳା ଓ ସମ୍ପତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଆମ ସମସ୍ତେ ସେମାନଙ୍କୁ ଜବାବ ଦେବା ଉଚିତ।’’ ସେ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଏବଂ ମୁସଲମାନଙ୍କ ଆର୍ଥିକ ବହିଷ୍କାରକୁ ମଧ୍ୟ ସମର୍ଥନ କରିଥିଲେ।

ହିଂସାର ଜଣେ ପ୍ରତ୍ୟକ୍ଷଦର୍ଶୀ କୁହନ୍ତି, ଆକ୍ରମଣର କିଛି ଦିନ ପୂର୍ବରୁ ପାୱସକର ପୁସେସାବଳୀରେ ଜଣେ ଅଭିଯୁକ୍ତଙ୍କ ଘରେ ବସି ବୈଠକ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ପୁଲିସକୁ କହିଥିଲେ ଯେ ଶତାଧିକ ଅଜ୍ଞାତ ବ୍ୟକ୍ତି ଗାଁ ଉପରେ ଆକ୍ରମଣ କରିଥିବା ହିନ୍ଦୁତ୍ୱାବାଦୀ ଭିଡ଼ରେ ସାମିଲ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୨୭ ଜଣ ଏହି ଗାଁର ବାସିନ୍ଦା ଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ପାୱସକରଙ୍କ ଦ୍ୱାରା ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ। ଭିଡ଼ ଯେତେବେଳେ ଗାଁରେ ପ୍ରବେଶ କଲା ସେଥିମଧ୍ୟରୁ ଜଣେ କହିଲା, ‘‘ଆଜି ରାତିରେ ଜଣେ ହେଲେ ଲାଣ୍ଡ୍ୟା ଜୀବିତ ରହିବା ଉଚିତ୍‌ ନୁହେଁ। ଆମ ମୁଣ୍ଡ ଉପରେ ବିକ୍ରମ ପାୱସକରଙ୍କ ହାତ ରହିଛି। କାହାରିକୁ ଦୟା ଦେଖାଇବା ଦରକାର ନାହିଁ ।’’

ତଥାପି ପୁଲିସ ତାଙ୍କୁ ଗିରଫ କରି ନାହିଁ। ସତାରା ପୁଲିସ ଅଧୀକ୍ଷକ ସମୀର ଶେଖ୍‌ ଏହି ଲେଖାକୁ ନେଇ ରିପୋର୍ଟରଙ୍କ ସହିତ କଥା ହେବାକୁ ମନା କରି ଦେଇଥିଲେ। ‘‘ଆବଶ୍ୟକ ବିବରଣୀ ସାର୍ବଜନୀନ ଭାବେ ମହଜୁଦ ରହିଛି,’’ ସେ କହିଥିଲେ ଏବଂ ଯାଞ୍ଚକୁ ନେଇ କିମ୍ବା ହିଂସାରେ ପାୱସକରଙ୍କ ଭୂମିକା ସମ୍ପର୍କରେ ପ୍ରଶ୍ନର ଜବାବ ଦେବାକୁ ସେ ଏଡ଼ାଇ ଯାଇଥିଲେ ।

ପାୱସକରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଜାନୁଆରୀ ୨୦୨୪ର ଶେଷ ସପ୍ତାହରେ ବମ୍ବେ ହାଇକୋର୍ଟ ସତାରା ପୁଲିସକୁ ଭର୍ତ୍ସନା କରିଥିଲେ।

*****

ସତାରା ପୁଲିସର ଟାଳଟୁଳ ନୀତିକୁ ଦେଖି ଆୟେଶା କେବେ ନ୍ୟାୟ ପାଇବେ କି ନାହିଁ, ନୁରୁଲଙ୍କ ହତ୍ୟାର ଦୋଷୀମାନଙ୍କୁ ଦଣ୍ଡ ମିଳିବ ନାହିଁ ଏବଂ ହିଂସାର ଷଡ଼ଯନ୍ତ୍ର କରିଥିବା ଲୋକଙ୍କୁ କେବେ ଗିରଫ କରାଯିବ କି ନାହିଁ ତା’କୁ ନେଇ ସନ୍ଦେହରେ ପଡ଼ିଛନ୍ତି। ନିଜେ ଜଣେ ଓକିଲ ହୋଇଥିବାରୁ ଏହି ଦୁଃଖି ପତ୍ନୀ ଜଣଙ୍କ ମାମଲାକୁ ରଫାଦଫା କରିବା ଲାଗି ହେଉଥିବା ଉଦ୍ୟମ ବିଷୟରେ ଜାଣିପାରିଛନ୍ତି।

ସେ କୁହନ୍ତି, ‘‘ଅଧିକାଂଶ ଅଭିଯୁକ୍ତ ଜାମିନରେ ବାହାରି ସାରିଛନ୍ତି ଏବଂ ଗାଁରେ ବେପରୁଆ ହୋଇ ବୁଲୁଛନ୍ତି। ଲାଗୁଛି ଯେମିତି ଆମ ସହ କୌଣସି କ୍ରୁର ଉପହାସ କରାଯାଉଛି।’’

ସେ ପୁସେସାବଳୀରେ ଅସୁରକ୍ଷିତ ଅନୁଭବ କରୁଛନ୍ତି ଏବଂ ନିଜ ସ୍ୱାମୀଙ୍କୁ ଆହୁରି ଅଧିକ ମନେ ପକାଉଛନ୍ତି, ସେଥିପାଇଁ ସେ ରାଜାଚେ କୁର୍ଲେରେ ନିଜ ବାପା-ମା’ଙ୍କ ସହିତ ଅଧିକ ସମୟ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆୟେଶା କୁହନ୍ତି, ‘‘ଦୁଇ ଗାଁ କେବଳ ଚାରି କିଲୋମିଟର ଦୂରରେ ରହିଛି, ସେଥିପାଇଁ ମୁଁ ଦୁଇ ଗାଁ ଭିତରେ ଯିବାଆସିବା କରିପାରୁଛି। କିନ୍ତୁ ଜୀବନ ଯାତ୍ରାରେ ଆଗକୁ ବଢ଼ିବା ଏବେ ମୋର ପ୍ରାଥମିକତା।’’

Ayesha Hasan, Nurul's wife, in Rajache Kurle village at her parents’ home
PHOTO • Parth M.N.

ନୁରୁଲଙ୍କ ପତ୍ନୀ ଆୟେଶା ହସନ ତାଙ୍କ ବାପଘର ରାଜାଚେ କୁର୍ଲେ ଗାଁରେ

ସେ ନିଜ ଓକିଲାତି ପୁଣିଥରେ ଆରମ୍ଭ କରିବା ଲାଗି ଚିନ୍ତା କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ଏପରି କରୁନାହାନ୍ତି କାରଣ ଗାଁରେ ରହି ଏହି ବେଉସାରେ କୌଣସି ଭବିଷ୍ୟତ ନାହିଁ। ଆୟେଶା କୁହନ୍ତି, ‘‘ଯଦି ମୁଁ ସତାରା ସହର କିମ୍ବା ପୁଣେ ଚାଲି ଯାଇଥା’ନ୍ତି, ତା’ହେଲେ କଥା ଅଲଗା ହୋଇଥାନ୍ତା, କିନ୍ତୁ ମୁଁ ନିଜ ମାତା-ପିତାଙ୍କଠାରୁ ଦୂରରେ ରହିବାକୁ ଚାହୁଁ ନାହିଁ। ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି ଏବଂ ସେମାନଙ୍କୁ ଛାଡ଼ି ମୁଁ ଯିବାକୁ ଚାହୁଁନାହିଁ।’’

ଆୟେଶାଙ୍କ ମା’ ଶମା (୫୦) ଙ୍କ ଉଚ୍ଚ ରକ୍ତଚାପ ଅଛି ଏବଂ ବାପା ହନିଫ (୭୦) ଙ୍କୁ ଡିସେମ୍ବର ୨୦୨୩ରେ ହୃଦଘାତ ହୋଇଥିଲା। ଝିଅର ପରିସ୍ଥିତିକୁ ନେଇ ଚିନ୍ତିତ ରହିବା ଯୋଗୁଁ ତାଙ୍କ ଅବସ୍ଥା ଏପରି ହୋଇଥିଲା। ଆୟେଶା କୁହନ୍ତି, ‘‘ମୋର କେହି ଭାଇ-ଭଉଣୀ ନାହାନ୍ତି, କିନ୍ତୁ ନୁରୁଲ ପୁଅର ଅଭାବ ପୂରଣ କରି ଦେଇଥିଲେ ଯାହା ବାପା ପ୍ରାୟତଃ ଅନୁଭବ କରୁଥିଲେ। ହେଲେ ନୁରୁଲଙ୍କ ମୃତ୍ୟୁ ପରେ ବାପାଙ୍କ ଅବସ୍ଥା ଆଉ ପୂର୍ବ ପରି ନାହିଁ।’’

ଆୟେଶା ନିଜ ବାପା-ମା’ଙ୍କ ସହ ରହିବା ଏବଂ ସେମାନଙ୍କ ଯତ୍ନ ନେବାର ବିକଳ୍ପ ଚୟନ କରିବା ସତ୍ତ୍ୱେ ସେ ଆହୁରି କିଛି କରିବା ପାଇଁ ଚାହୁଁଛନ୍ତି । ଏପରି କିଛି ଯାହା ତାଙ୍କ ଜୀବନକୁ ଅର୍ଥ ଓ ଉଦ୍ଦେଶ୍ୟ ଦେବ। ସେ ନିଜ ଦିବଙ୍ଗତ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି।

ଏହି ଘଟଣା ଘଟିବାର ପାଞ୍ଚ ମାସ ପୂର୍ବରୁ ନୁରୁଲ ଏବଂ ଆୟେଶା ସେମାନଙ୍କର ନିଜସ୍ୱ ନିର୍ମାଣ କମ୍ପାନୀ - ଅଶନୁର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଗଠନ କରିଥିଲେ। ନୁରୁଲ କାମ ଆଣିଥା’ନ୍ତେ ଏବଂ ଆୟେଶା ଆଇନଗତ ବ୍ୟାପାର ବୁଝିଥା’ନ୍ତେ।

ଏବେ ସ୍ୱାମୀ ଆରପାରିକୁ ଚାଲି ଯାଇଥିବାରୁ ସେ ଏହାକୁ ବନ୍ଦ କରିବାକୁ ଚାହୁଁନାହାନ୍ତି। ‘‘ନିର୍ମାଣ ବିଷୟରେ ମୁଁ ଅଧିକ କିଛି ଜାଣେ ନାହିଁ, କିନ୍ତୁ ମୁଁ ଶିଖିବି ଓ କମ୍ପାନୀକୁ ଆଗକୁ ବଢ଼ାଇବି। ମୁଁ ଏବେ ଆର୍ଥିକ ଭାବେ ସଂଘର୍ଷ କରୁଛି, କିନ୍ତୁ ମୁଁ ଅର୍ଥ ସଂଗ୍ରହ କରିବି ଓ ଏହାକୁ ସଫଳ କରିବି ।

ତାଙ୍କର ଆଉ ଏକ ଇଚ୍ଛା ସାମାନ୍ୟ କମ୍‌ ଜଟିଳ।

ନୁରୁଲ ନିଜ ପିଲାକୁ କ୍ରିକେଟ୍‌ ଶିଖାଇବାକୁ ଚାହୁଁଛନ୍ତି । ଅନ୍ୟ କୌଣସି ଏକାଡେମୀରେ ନୁହେଁ, ବରଂ ଯେଉଁଠି ବିରାଟ କୋହଲୀ ତାଲିମ୍‌ ନେଇଥିଲେ। ନୁରୁଲଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଆୟେଶା ସେହି ରାସ୍ତାରେ ଆଗକୁ ବଢ଼ୁଛନ୍ତି। ‘‘ମୁଁ ଏହା ନିଶ୍ଚିତ ଭାବେ କରିବି,’’ ସେ ଦୃଢ଼ତାର ସହିତ କହିଥାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Editor : Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE