ବିରାଟ୍ କୋହଲିଙ୍କ ପ୍ରଶଂସକ ଥିଲେ ନୁରୁଲ୍ ହସନ୍ ଏବଂ ଆୟେଶା ବାବର ଆଜମ୍ଙ୍କୁ ପସନ୍ଦ କରୁଥିଲେ। ବିରାଟ ଶତକ ମାରିଲେ ନୁରୁଲ ଖୁସି ହେଉଥିଲେ, ଆଉ ଯେତେବେଳେ ବାବରଙ୍କ ପ୍ରଦର୍ଶନ ଭଲ ରହୁଥିଲା ସେତେବେଳେ ଆୟେଶା ତାଙ୍କୁ ଚିଡ଼ାଉଥିଲେ। କ୍ରିକେଟ୍କୁ ନେଇ ହେଉଥିବା ଥଟ୍ଟାମଜା ଉଭୟଙ୍କ ପ୍ରେମର ଭାଷା ଥିଲା। ଏହି ନିଶା ଏତେ ମାତ୍ରାରେ ଚଢ଼ିଯାଇଥିଲା ଯେ ଉଭୟଙ୍କର ଆରେଞ୍ଜ୍ ମ୍ୟାରେଜ୍ (ଘର ଲୋକ ଠିକ୍ କରିଥିବା ବାହାଘର) ହୋଇଛି ବୋଲି ଶୁଣି ସେମାନଙ୍କ ଆଖପାଖର ଲୋକ ଚକିତ ହେଉଥଲେ।
ଜୁନ୍ ୨୦୨୨ରେ ଯେତେବେଳେ କ୍ରିକେଟ୍ ବିଶ୍ୱକପ୍ କାର୍ଯ୍ୟସୂଚୀ ପ୍ରକାଶ ପାଇଲା, ଆୟେଶା ଖୁସି ହୋଇଯାଇଥିଲେ। ଭାରତ ବନାମ ପାକିସ୍ତାନ ମୁକାବିଲା ୧୪ ଅକ୍ଟୋବରରରେ ଗୁଜରାଟର ଅହମ୍ମଦାବାଦରେ ହେବାର ଥିଲା। ମହାରାଷ୍ଟ୍ରରେ ନିଜ ବାପଘର ଗାଁ ରାଜାଚେ କୁର୍ଲେରେ ଥାଇ ଆୟେଶା (୩୦) ସ୍ମରଣ କରି କୁହନ୍ତି, ‘‘ମୁଁ ନୁରୁଲଙ୍କୁ କହିଲି ଯେ ଆମେ ଏହି ମ୍ୟାଚ୍ ଷ୍ଟାଡିୟମରେ ଦେଖିବା ଉଚିତ୍। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ମ୍ୟାଚ୍ ସବୁବେଳେ ହେଉନାହିଁ। ଆମ ଉଭୟଙ୍କ ପ୍ରିୟ ଖେଳାଳୀଙ୍କୁ ଦେଖିବା ଲାଗି ଏହା ଏକ ବିରଳ ସୁଯୋଗ ଆଣିଛି।’’
ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିବା ନୁରୁଲ (୩୦) କିଛି ଫୋନ କଲ୍ କଲେ ଏବଂ ଦୁଇଟି ଟିକେଟ୍ ବ୍ୟବସ୍ଥା କରିବାରେ ସଫଳ ହେଲେ, ଯାହାକି ଉଭୟଙ୍କ ପାଇଁ ବହୁତ ଖୁସିର ବିଷୟ ଥିଲା। ଆୟେଶା ସେତେବେଳେ ନିଜ ଗର୍ଭାବସ୍ଥାର ଛଅ ମାସରେ ଥିଲେ, ସେଥିପାଇଁ ସେ ସତର୍କତାପୂର୍ବକ ସତାରା ଜିଲ୍ଲାରେ ଥିବା ନିଜ ଗାଁ ପୁସେସାବଳୀ ଠାରୁ ୭୫୦ କିଲୋମିଟର ଦୂର ଯାତ୍ରା କରିବାକୁ ଯୋଜନା କଲେ। ଟ୍ରେନ୍ ଟିକେଟ୍ ବୁକ୍ ହୋଇଗଲା ଏବଂ ରହିବାର ବ୍ୟବସ୍ଥା ମଧ୍ୟ ହୋଇଗଲା। ଶେଷରେ ସେହି ଦିନ ଆସି ପହଞ୍ଚିଲା, କିନ୍ତୁ ସେ ଦୁହେଁ ସେଠାରେ ପହଞ୍ଚି ପାରିଲେ ନାହିଁ।
୧୪ ଅକ୍ଟୋବର ୨୦୨୩ରେ ସୂର୍ଯ୍ୟ ଉଦୟ ହେବା ବେଳକୁ ନୁରୁଲଙ୍କ ମୃତ୍ୟୁକୁ ଗୋଟିଏ ମାସ ପୂରିଯାଇଥିଲା ଏବଂ ଆୟେଶାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବରବାଦ୍ ହୋଇଯାଇଥିଲା।








