ଦିନେ ତାଙ୍କ ପରିବାର ଲୋକେ ସେମାନଙ୍କ ଚାଷଜମିରେ ଯେଉଁ ଘର ତୋଳିଥିଲେ, ଆଜି ସେହି ଘରର ଭଗ୍ନାବଶେଷ ଦେଇ ଆଗେଇ ଚାଲିଲେ ୭୦ ବର୍ଷୀୟା ବଲଦେବ କୌର । ଏବେ ବି ମାଟି ଉପରେ ମୁଣ୍ଡ ଟେକି ଠିଆ ହୋଇଥିବା କେତେକ କୋଠରିର କାନ୍ଥରେ ସୃଷ୍ଟ ବଡ଼ ବଡ଼ ଫାଟ ଦିଶୁଥିଲା ।
ମୁଣ୍ଡରେ ପାଚିଲା କେଶ ଏବଂ ଦେହରେ ସୂତାର ଶାଲୱାର କମିଜ୍, ଦୁପଟ୍ଟାରେ ମୁଣ୍ଡ ଢାଙ୍କିଥିବା ବଲଦେବ କହିଲେ, “ଯେଉଁଦିନ ବର୍ଷା ଆଉ କୁଆପଥର ଆମ ଛାତ ଉପରେ ପିଟିହେଉଥିଲା, ସେହି ରାତିକୁ ଆମେ ସମସ୍ତେ ପୂରା ଅନିଦ୍ରାରେ କାଟିଲୁ । କ’ଣ ସବୁ ଘଟିଯାଉଛି ବୋଲି ଆମେ ଠିକ୍ ଭାବରେ ଜାଣିପାରୁ ନଥିଲୁ । ସକାଳେ, ଯେତେବେଳେ ଛାତରୁ ପାଣି ଗଳିଲା, ଆମେ ସମସ୍ତେ ବାହାରକୁ ଦୌଡ଼ିଲୁ ।”
ବଲଦେବଙ୍କ ସାନବୋହୂ, ୨୬ ବର୍ଷୀୟା ଅମନଦୀପ କୌର କହିଲେ, ସକାଳେ ସିନ୍ଦୂରା ଫାଟିବା ବେଳକୁ, ଘର ଭୁଶୁଡ଼ିବା ଆରମ୍ଭ ହେଲା । ବଲଦେବଙ୍କ ବଡ଼ପୁଅ, ୩୫ ବର୍ଷୀୟ ବଲଜିନ୍ଦର ସିଂହ କହିଲେ, “ସାଡ଼ା ପାସେ ଘର ହି ପଟ୍ଟ ଗୟା (ଘର ଭାଙ୍ଗି ଆମ ଚାରିପାଖେ ଖଣ୍ଡ ଖଣ୍ଡ ହୋଇ ପଡ଼ିଲା) ।”
ବଲଦେବ କୌର ଏବଂ ତାଙ୍କର ତିନି ସନ୍ତାନଙ୍କ ସମେତ ସାତ ଜଣିଆ ପରିବାରର କେହି ହେଲେ ଆଗରୁ ଏଭଳି ଧ୍ୱଂସଲୀଳା ଦେଖି ନଥିଲେ । ୨୦୨୩ ମାର୍ଚ୍ଚରେ ଅଦିନିଆ ବର୍ଷା ସହିତ କୁଆପଥର ମାଡ଼ ଯୋଗୁଁ ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ଅନ୍ତର୍ଗତ ଗିଦ୍ଦଡ଼ବାହା ବ୍ଲକ୍ସ୍ଥିତ ସେମାନଙ୍କ ଗାଁ ଭଲାଇଆଣାରେ ବ୍ୟାପକ ଫସଲ ଓ ଘରଦ୍ୱାର ନଷ୍ଟ ହୋଇଗଲା । ଦକ୍ଷିଣ-ପଶ୍ଚିମ ପଞ୍ଜାବର ଏହି ଅଞ୍ଚଳ, ଦକ୍ଷିଣରେ ରାଜସ୍ଥାନ ଏବଂ ପୂର୍ବରେ ହରିଆଣାର ସୀମାକୁ ଲାଗି ରହିଛି ।
ତିନି ଦିନ ଧରି ବର୍ଷା ଓ କୁଆପଥର ମାଡ଼ ଲାଗି ରହିବାରୁ ବଲଜିନ୍ଦର ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କ ପରିବାରର ୫ ଏକର ଜମି ସହିତ ଅନ୍ୟ ୧୦ ଏକର ଜମିରେ ଚାଷକାମ କରିବା ଲାଗି ସେ ଜଣେ ଅର୍ଥିଆ (କୃଷିଜାତ ସାମଗ୍ରୀ ବିକାକିଣା କରୁଥିବା ମଧ୍ୟସ୍ଥ) ପାଖରୁ ୬ ଲକ୍ଷ ୫୦ ହଜାର ଟଙ୍କା ଧାର ଆଣିଥିଲେ । ଗହମ ଫସଲ ବିନା ସେମାନଙ୍କ ପାଖରେ ନା ପରିବାର ଭରଣପୋଷଣର, ନା ଋଣ ପରିଶୋଧ କରିବାର କୌଣସି ଉପାୟ ଥିଲା ।
ବଲଜିନ୍ଦର କହିଲେ, “ପ୍ରଥମେ ଗହମ ପାଚିବା ଆରମ୍ଭ ହେଉଥିବା ବେଳେ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଗଲା । ତା’ପରେ ବର୍ଷା ଯୋଗୁଁ ବହୁ ଦିନ ଧରି ସମଗ୍ର କ୍ଷେତରେ ପାଣି ଜମି ରହିଲା । କ୍ଷେତରୁ ପାଣି ବାହାରିବାର ବାଟ ନଥିଲା ଏବଂ ତେଣୁ ଫସଲ ପଚିଯିବାରେ ଲାଗିଲା ।” ଏପ୍ରିଲ ମଧ୍ୟ ଭାଗରେ ବଲଜିନ୍ଦର ଆମକୁ କହିଲେ, “ଏବେ ବି ୧୫ ଏକର ଜମିରେ ଫସଲ ତଳେ ଲୋଟି ପଡ଼ିଛି ।”


















