ଶଶି ରୂପେଜା ପୂରାପୂରି ନିଶ୍ଚିତ ନୁହଁନ୍ତି, ଅଥଚ ସେ ଭାବନ୍ତି ଯେ, ସେତେବେଳେ ହିଁ ସେ ତାଙ୍କ (ବର୍ତ୍ତମାନ) ସ୍ୱାମୀଙ୍କୁ ଚକିତ କରାଇ ଦେଲେ, ଯେତେବେଳେ ତାଙ୍କ ନଜର ଶଶିଙ୍କ ଛୁଞ୍ଚିବୁଣା କାମ ଉପରେ ପଡ଼ିଥିଲା । “ସେ ମୋତେ ଫୁଲକାରୀ ସୂତାକାମ କରୁଥିବାର ଦେଖିଥିବେ ଏବଂ ମୁଁ ଯେ କଠିନ ପରିଶ୍ରମ କରୁଛି ବୋଲି ନିଶ୍ଚିତ ଭାବିଥିବେ,” ବିଗତ ଦିନର ସୁଖଦ ସ୍ମୃତିକୁ ମନେ ପକାଇ ହସିହସି କହନ୍ତି ଶଶି, ତାଙ୍କ ହାତରେ ଥାଏ ଅଧା କାମ ସରିଥିବା ଏକ ଫୁଲକାରୀ ।
ପଞ୍ଜାବରେ ଶୀତଋତୁର ଏକ ଶୀତଳ ଦିବସ ଏବଂ ଶଶି ଓ ତାଙ୍କ ବାନ୍ଧବୀ ବିମଲା, ତାଙ୍କ ଘର ବାହାରେ ବସି ଶୀତଦିନିଆ କୋମଳ ଖରାକୁ ଉପଭୋଗ କରୁଥିଲେ । ନିତିଦିନିଆ ଜୀବନ ଜଞ୍ଜାଳ ସଂପର୍କରେ ଗପ ସପ ଚାଲିଥିବା ବେଳେ ବି ସେମାନଙ୍କ ହାତ କାମରେ ବ୍ୟସ୍ତ ରହିଥିଲା । କିନ୍ତୁ, କେତେବେଳେ ବି ହାତରେ ଧରିଥିବା ମୁନିଆଁ ଛୁଞ୍ଚି ଉପରୁ ସେମାନଙ୍କ ନଜର ହଟୁ ନଥିଲା । ରଙ୍ଗୀନ ସୂତା ଲାଗିଥିବା ଛୁଞ୍ଚି ଦେଇ ସେମାନେ କପଡ଼ା ଉପରେ ବୁଣି ଚାଲିଥିଲେ ଫୁଲକାରୀର କାରୁକାର୍ଯ୍ୟପୂର୍ଣ୍ଣ ଆକୃତି ।
“ଦିନ ଥିଲା, ଏଠାକାର ସବୁ ପରିବାରର ମହିଳାମାନେ ଫୁଲକାରୀ ଏମ୍ବ୍ରୋଡରି କାମ କରୁଥିଲେ,” ଲାଲ ରଙ୍ଗର ଏକ ଦୁପଟ୍ଟା ଉପରେ ସେ କରିଥିବା ଫୁଲ ଉପରେ ଅତି ଯତ୍ନରେ ଆଉ ଥରେ ସିଲେଇ କରୁ କରୁ କହନ୍ତି ପାଟିଆଲା ସହରର ଏହି ୫୬ ବର୍ଷୀୟା ବାସିନ୍ଦା ଜଣକ ।
ଫୁଲକାରୀ ହେଉଛି କପଡ଼ା ଉପରେ ଫୁଲର ଆକାର ସଜେଇବାର ଏମ୍ବ୍ରୋଡରି ବା ଛୁଞ୍ଚିରେ ବୁଣିବାର ଏକ କଳା ଯାହାକୁ ସାଧାରଣତଃ ଦୁପଟ୍ଟା, ସାଲୱାର କମିଜ୍ ଏବଂ ଶାଢ଼ି ଭଳି ପୋଷାକପତ୍ର ଉପରେ ବୁଣାଯାଇଥାଏ । ଖୋଦେଇ କରାଯାଇଥିବା କାଠର ବ୍ଲକ୍ ବା ଢାଞ୍ଚା ସହାୟତାରେ ପ୍ରଥମେ ଏହି ଫୁଲର ଡିଜାଇନକୁ କାଳିରେ ଚିହ୍ନିତ କରାଯାଏ । ତା’ପରେ କାରିଗରମାନେ ଏହି ଚିହ୍ନ ଭିତରେ ଓ ଚାରିପଟେ ରଙ୍ଗିନ ରେଶମ ଓ କପାସୂତାରେ ଏମ୍ବ୍ରୋଡରି କରନ୍ତି । ରଙ୍ଗିନ ସୂତାଗୁଡ଼ିକ ପାଟିଆଲା ସହରରୁ ଅଣାଯାଇଥାଏ ।










