“କାଗଜ ହିଁ ଠିକ୍ ଥିଲା। ମେସିନ୍ରେ ଆପଣ ଜାଣନ୍ତିନି ଯେ କେଉଁ ସୁଇଚ ଟିପା ହେଉଛି ଏବଂ କିଏ ଭୋଟ ପାଉଛି!”
କଲମୁଦିନ ଆନସାରୀଙ୍କ କହିବା ଅନୁସାରେ, ଇଭିଏମ୍ (ଇଲେକ୍ଚ୍ରୋନିକ ଭୋଟିଂ ମେସିନ୍) ତୁଳନାରେ ସେ କାଗଜ ଭୋଟକୁ ନିଶ୍ଚିତ ଭାବରେ ପସନ୍ଦ କରନ୍ତି। ଝାଡ଼ଖଣ୍ଡରେ ଏପ୍ରିଲ ମାସର ପ୍ରଚଣ୍ଡ ତାତିରୁ ତ୍ରାହି ପାଇବା ଲାଗି ମୁଣ୍ଡରେ ଧଳା ଗାମଛା (ଗାମୁଛା) ଗୁଡ଼ାଇ ଥିବା ପାଲାମୁ ଅନ୍ତର୍ଗତ କୁମନି ଗାଁର ଏହି ୫୨ ବର୍ଷ ବୟସ୍କ ବାସିନ୍ଦା ଜଣକ ଥିଲେ ସେଠାକାର ମୱେଶି (ଗାଈଗୋରୁ) ହାଟରେ। ଗାମୁଛା ଯାହାକୁ ପାରମ୍ପରିକ ଭାବେ ତଉଲିଆ, ସ୍କାର୍ଫ କିମ୍ବା ପଗଡ଼ି ଭାବେ ବ୍ୟବହାର କରାଯାଇଥାଏ। ଗାମଚା ବା ଗାମୁଛାକୁ ଅନୁକୂଳ ଗୁଣ ଥିବା ଏକ ବସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତାଙ୍କ ବଳଦ ବିକିବା ପାଇଁ ୧୩ କିଲୋମିଟର ବାଟ ପାଦରେ ଚାଲି ଚାଲି ସେ ଏହି ସାପ୍ତାହିକ ହାଟକୁ ଆସିଥିଲେ। “ଆମର ପଇସା ଦରକାର,” ସେ କହନ୍ତି।
ଗତ ବର୍ଷ (୨୦୨୩) ତାଙ୍କ ଧାନ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ରବି ଋତୁରେ ସେ ସୋରିଷ ବୁଣିଥିଲେ, ହେଲେ ତିନି ଭାଗରୁ ଭାଗେ ପୋକ ଲାଗି ନଷ୍ଟ ହୋଇଯାଇଥିଲା। କଲମୁଦିନ କହନ୍ତି, “ଆମେ ପ୍ରାୟ ୨.୫ କୁଇଣ୍ଟାଲ ଅମଳ କରିଥିଲୁ। ସବୁତକ ଋଣ ଶୁଝିବାରେ ଲାଗିଗଲା।”
କଲମୁଦିନ ଜଣେ ଚାଷୀ ଏବଂ ଚାରି ବିଘା (ପାଖାପାଖି ତିନି ଏକର) ଜମି ଚାଷ କରନ୍ତି। ଏବେ ସେ ବିଭିନ୍ନ ସମଯରେ ସେଠାକାର ସାହୁକାରମାନଙ୍କ ପାଖରୁ ନେଇଥିବା ଋଣ ବୋଝ ତଳେ ଦବି ରହିଛନ୍ତି। “ବହୁତ ପୈସା ଲେ ଲେୱା ଲେ (ସେମାନେ ବହୁତ ପଇସା ନେଇଗଲେଣି), ସେ କହନ୍ତି।” ସେ ଆହୁରି କହନ୍ତି ଯେ, ପ୍ରତି ଶହେ ଟଙ୍କା ଲାଗି ସେ ମାସିକ ପାଞ୍ଚ ଟଙ୍କା ସୁଧ ଦେଉଛନ୍ତି ଏବଂ ଏଥିରେ ତାଙ୍କ ଅଣ୍ଟା ଭାଙ୍ଗି ଗଲାଣି। “ମୁଁ ୧୬,୦୦୦ ଟଙ୍କା ଋଣ କରିଥିଲି, ଏବେ ତାହା ୨୦,୦୦୦ ହେଲାଣି, କିନ୍ତୁ ମୁଁ ସେଥିରୁ ମାତ୍ର ୫,୦୦୦ ଟଙ୍କା ଶୁଝି ପାରିଛି।”
ତାଙ୍କ ପାଖରେ ଏବେ ତାଙ୍କ ବଳଦ ବିକିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। “ଇସିଲିୟେ କିଷାନ୍ ଚୁରମରା ଜାତା ହୈ। ଖେତି କିୟେ କି ବୈଲ ବେଚା ଗୟା (ଏଥିପାଇଁ ଚାଷୀ ଦୁଃଖକଷ୍ଟ ଭୋଗୁଛି। ମୁଁ ଚାଷ କରିବାକୁ ଯାଇ ଶେଷରେ ବଳଦ ବିକିଲି),” କଲମୁଦିନ କହନ୍ତି। ୨୦୨୩ରେ ବର୍ଷା ହେବ ବୋଲି ସେ ଆଶା କରିଥିଲେ।












