“ମୁଁ ୧୦୮କୁ (ଆମ୍ବୁଲାନ୍ସ ସେବା ପାଇଁ) ବାରମ୍ବାର ଫୋନ୍‌ କଲି। ଏହି ଲାଇନ ବ୍ୟସ୍ତ ନଚେତ ଅପହଞ୍ଚ ରହୁଥିଲା।’’ ତାଙ୍କ ସ୍ତ୍ରୀ ପରିସ୍ରାନଳୀ ସଂକ୍ରମଣରୁ କଷ୍ଟ ପାଉଥିଲେ ଓ ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥା ସଂକଟାପନ୍ନ ହେଉଥିଲା। ରାତି ହେଇ ଯାଇଥିଲା ଓ ତାଙ୍କ କଷ୍ଟ ବଢୁଥିଲା। ତାଙ୍କ ଚିକିତ୍ସା ପାଇଁ ଗଣେଶ ପାହାଡ଼ିୟା ହତାଶ ହେଉଥିଲେ।

“ଶେଷକୁ ସାହାଯ୍ୟ ପାଇବା ଆଶାରେ ମୁଁ ସ୍ଥାନୀୟ ମନ୍ତ୍ରୀଙ୍କ ସହଯୋଗୀଙ୍କ ନିକଟରେ ପହଁଚିଲି। ନିର୍ବାଚନ ପ୍ରଚାର ବେଳେ ସେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ”, ଗଣେଶ ମନେ ପକାଇଲେ। ସେହି ସହଯୋଗୀ ଜଣକ ମନ୍ତ୍ରୀ ନାହାନ୍ତି କହି ସାହାଯ୍ୟ କରି ପାରିବେନି ବୋଲି କହିଲେ। “ସେ ଆମକୁ ସାହାଯ୍ୟ କରିବା କଥାଟିକୁ ଟାଳି ଦେଲେ”।

ହତାଶ ଗଣେଶ ପୁଣି କହିଲେ, “ଯଦି ଆମ୍ବୁଲାନ୍ସ ମିଳିଥାଆନ୍ତା, ମୁଁ ମୋ ସ୍ତ୍ରୀଙ୍କୁ ବୋକାରୋ କି ରାଞ୍ଚି ଭଳି (ବଡ଼ ସହର)ର ଡାକ୍ତରଖାନାକୁ ନେଇ ପାରିଥାଆନ୍ତି”। ତା’ ପରିବର୍ତ୍ତେ ସେ ତାଙ୍କ ସ୍ତ୍ରୀଙ୍କୁ ନିକଟରେ ଥିବା ଘରୋଇ ଚିକିତ୍ସାଳୟକୁ ନେଲେ, ଓ ସେଥି ପାଇଁ ତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କଠାରୁ ୬୦ ହଜାର ଟଙ୍କା ରଣ କରିବାକୁ ପଡ଼ିଲା।

“ନିର୍ବାଚନ ସମୟରେ ସେମାନେ ବହୁତ ପ୍ରକାରର କଥା କହନ୍ତି – ଏଇଟା କରିଦେବୁ, ସେଇଟା କରିଦେବୁ... ଆମକୁ ଖାଲି ଜିତେଇ ଦିଅ। କିନ୍ତୁ ପରେ, ତୁମେ ଯଦି ସେମାନଙ୍କୁ ଭେଟିବାକୁ ଯିବ, ତୁମ ପାଇଁ ସେମାନଙ୍କର ସମୟ ନଥିବ”, କହନ୍ତି ୪୨ ବର୍ଷ ବୟସ୍କ ଗାଁ ମୁଖିଆ। ସେ କହିବା ମୁତାବକ ତାଙ୍କ ପାହାଡ଼ିୟା ଗୋଷ୍ଠୀର ଲୋକଙ୍କ ପାଇଁ ସର୍ବନିମ୍ନ ସୁବିଧାଗୁଡ଼ିକ ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ ଉପେକ୍ଷା କରାଯାଏ।

ଧାନଘଡ଼ା ହେଉଛି ପାକୁର ଜିଲ୍ଲାର ହିରନପୁର ବ୍ଲକ ଅନ୍ତର୍ଗତ ଗୋଟିଏ ଛୋଟ ଗାଁ। ଏଠାରେ ପାହାଡ଼ିୟା ଜନଜାତିର ୫୦ ପରିବାର ରହନ୍ତି। ରାଜମହଲ ପର୍ବତଶ୍ରେଣୀର ଗୋଟିଏ ପାହାଡ କଡ଼କୁ ନିଛାଟିଆ ହୋଇ ରହିଥିବା ଏହି ଜନବସତିରେ ପହଞ୍ଚିବା ପାଇଁ ଅତି ଖରାପ ଅବସ୍ଥାରେ ଥିବା ୮ କି.ମି. ରାସ୍ତା ଦେଇ ଯିବାକୁ ହୁଏ।

“ଆମ ସରକାରୀ ବିଦ୍ୟାଳୟଟିର ଅବସ୍ଥା ଭାରି ଖରାପ। ଆମେ ଗୋଟିଏ ନୂଆ ବିଦ୍ୟାଳୟ ପାଇଁ କହିଲୁ, କିନ୍ତୁ କାହିଁ?” ଗଣେଶ ପଚାରେ। ଏହି ଜନଜାତି ଗୋଷ୍ଠୀର ଅଧିକାଂଶ ପିଲାଙ୍କ ନାଁ ବିଦ୍ୟାଳୟରେ ଲେଖାଯାଇ ନାହିଁ ଓ ତେଣୁ ରାଜ୍ୟ ପକ୍ଷରୁ ନିଶ୍ଚିତ କରା ଯାଇଥିବା ମଧ୍ୟାହ୍ନ ଭୋଜନ (ମିଡଡେ ମିଲ) ସେମାନେ ପାଇ ପାରୁନାହାନ୍ତି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ଗଣେଶ ପାହାଡ଼ିୟା ହେଉଛନ୍ତି ଧାନଘଡ଼ାର ଗାଁ ମୁଖିଆ। ସେ କହନ୍ତି କି ନେତାମାନେ ଯେତେବେଳେ ଭୋଟ୍‌ ମାଗିବାକୁ ଆସନ୍ତି ସେତେବେଳେ ସେମାନେ ବହୁତ କିଛି ଦେବାର ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ସେମାନେ ତାହା ପୂରଣ କରିବାକୁ ସମର୍ଥ ହୁଅନ୍ତି ନାହିଁ। ଡାହାଣରେ: ୨୦୨୪ ଲୋକସଭା ନିର୍ବାଚନ ବେଳେ ଲୋକମାନଙ୍କୁ ଗୋଟିଏ ରାସ୍ତା ଦେବାକୁ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ମାସ ମାସ ବିତି ଯାଇଥିଲେ ବି ସେଥିପାଇଁ କିଛି କରାଯାଇ ନାହିଁ

ସେମାନଙ୍କ ଗୋଷ୍ଠୀ ପକ୍ଷରୁ ମଧ୍ୟ ତାଙ୍କର ଓ ପାଖ ଗାଁ ମଧ୍ୟରେ ରାସ୍ତାଟିଏ କରିବାକୁ କୁହାଯାଇଥିଲା। “ରାସ୍ତାକୁ ଆପଣ ନିଜେ ଦେଖନ୍ତୁ”, ଛୋଟ ବଡ଼ ପଥରରେ ଭର୍ତ୍ତିହୋଇ ସାମ୍ନାରେ ରହିଥିବା କଚ୍ଚା ରାସ୍ତା ଆଡ଼କୁ ଦେଖାଇ କହିଲେ ଗଣେଶ। ସେ ମଧ୍ୟ ଆହୁରି କହିଲେ ଯେ ପୁରା ଗାଁରେ କେବଳ ଗୋଟିଏ ନଳକୂଅ ଅଛି ଓ ସେଇଠି ଧାଡ଼ି ବାନ୍ଧି ଛିଡ଼ା ହୋଇ ନିଜ ପାଳି ଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। “ଆମ ଦାବିଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ମତଦାନ ହେଲା ପରେ, ସମସ୍ତେ ଭୁଲିଗଲେ!”, କହନ୍ତି ଗଣେଶ।

ଏହି ୪୨-ବର୍ଷୀୟ ବ୍ୟକ୍ତି ହେଉଛନ୍ତି ପ୍ରଧାନ, ହିରଣପୁର ବ୍ଲକ ଅନ୍ତର୍ଗତ ଧାନଘଡ଼ା ଗାଁ ମୁଖିଆ। ସେ କହନ୍ତି କି ନିକଟରେ ହୋଇଥିବା ସାଧାରଣ ନିର୍ବାଚନ ୨୦୨୪ ବେଳେ ନେତାମାନେ ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣା ଅନ୍ତର୍ଗତ ପାକୁର ଜିଲ୍ଲାରେ ପ୍ରଚାର କରିଥିଲେ, କିନ୍ତୁ ସେମାନଙ୍କ ଗୋଷ୍ଠୀର କୌଣସି ପରିବର୍ତ୍ତନ ହୋଇନାହିଁ।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନ ସଭା ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ – ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୩ ରେ ଓ ଦ୍ଵିତୀୟ ପର୍ଯ୍ୟାୟ ନଭେମ୍ବର ୨୦ ରେ ଯେତେବେଳେ ପାକୁରର ଲୋକମାନେ ମତଦାନ କରିବେ। ଏହି ନିର୍ବାଚନୀ ପ୍ରତିଦ୍ଵନ୍ଦିତା ବର୍ତ୍ତମାନ ଶାସନ କରୁଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା-ନେତୃତ୍ଵରେ ଇଣ୍ଡିଆ ମେଣ୍ଟ ଓ ଭାରତୀୟ ଜନତା ପାର୍ଟି ନେତୃତ୍ଵରେ ଏନଡିଏ ମଧ୍ୟରେ ହେବ।

ଏହି ଗାଁଟି ଲିଟିପଡ଼ା ନିର୍ବାଚନ ମଣ୍ଡଳୀର ଅଂଶ। ୨୦୧୯ ରେ ଏଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଦିନେଶ ୱିଲିୟମ ମାରାଣ୍ଡି ୬୬,୬୭୫ ଭୋଟ ପାଇ ଜିତିଥିଲା ବେଳେ ୫୨,୭୭୨ ଭୋଟ ପାଇ ତାଙ୍କ ପଛକୁ ରହିଥିଲେ ବିଜେପିର ଡାନିଏଲ କିସ୍କୁ। ଏଥର ଯେଏମଏମର ପ୍ରାର୍ଥୀ ହେମଲାଲ ମୁର୍ମୁ ହୋଇଥିବା ବେଳେ ବିଜେପିର ପ୍ରାର୍ଥୀ ହେଉଛନ୍ତି ବାବୁଧନ ମୁର୍ମୁ।

ପୂର୍ବରୁ ଦିଆ ଯାଇଥିବା ପ୍ରତିଶ୍ରୁତିର ସଂଖ୍ୟା ଏକାଧିକ। “୨୦୨୨ ରେ ଅନୁଷ୍ଠିତ ଗ୍ରାମ ସଭାରେ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଥିଲେ କି ବାହାଘର ହେଲା ବେଳେ ସେ ରାନ୍ଧିବା ପାଇଁ ବାସନ ଦେବେ”, କହନ୍ତି ସ୍ଥାନୀୟ ବାସିନ୍ଦା ମୀନା ପାହାଡ଼ିନ। ସେବେଠାରୁ ଏହା ହୋଇଛି, କେବଳ ଥରେ।

ସେ କହନ୍ତି କି ଲୋକସଭା ନିର୍ବାଚନ ବେଳେ, “ସେମାନେ ଆମକୁ କେବଳ ହଜାରେ ଟଙ୍କା ଦିଅନ୍ତି ଓ ଉଭାନ ହେଇଯାଆନ୍ତି। ହେମନ୍ତ [ଯେଏମଏମ ଦଳୀୟ କର୍ମୀ] ଆସିଲା, ପ୍ରତ୍ୟେକ ମହିଳା ଓ ପୁରୁଷଙ୍କୁ ୧,୦୦୦ ଟଙ୍କା ଲେଖାଏଁ ଦେଲା, ନିର୍ବାଚନ ଜିତିଲେ, ଓ ଏବେ ସେ ଅଫିସରେ ବସି ମଜା କରୁଛି”।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ମୀନା ପାହାଡ଼ିନ ଜାଳେଣି କାଠ ଓ ଚିରୋତା ସଂଗ୍ରହ କରି ବିକ୍ରି କରିବା ପାଇଁ ପ୍ରତ୍ୟେକ ଦିନ ୧୦ ରୁ ୧୨ କିମି ଚାଲନ୍ତି। ଡାହାଣରେ: ସୌର ଶକ୍ତି ଦ୍ଵାରା ପରିଚାଳିତ ଏକ ମାତ୍ର ନଳକୂପରୁ ମହିଳାମାନେ ପାଣି ଭର୍ତ୍ତି କରୁଛନ୍ତି

ଝାଡ଼ଖଣ୍ଡର ଏହି ସାନ୍ତାଳ ପ୍ରଗଣା ଅଞ୍ଚଳରେ ୩୨ଟି ଜନଜାତି ସମ୍ପ୍ରଦାୟ ରହନ୍ତି, ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଶେଷ ଭାବେ ଦୁର୍ବଳ ଜନଜାତି – ଅସୁର, ବିରହୋର, ବିରଜିରା, କୋରୱା, ମାଲ ପାହାରିଆ, ପାରହାଇଆ, ସଉରିଆ, ପାହାଡ଼ିଆ ଏବଂ ଶବର, ଇତ୍ୟାଦି। ୨୦୧୩ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରେ ରହୁଥିବା ସମୁଦାୟ ପିଭିଟିଜି ବା ବିଶେଷ ଭାବେ ଦୁର୍ବଳ ଜନଜାତିର ଜନସଂଖ୍ୟା ହେଉଛି ଚାରି ଲକ୍ଷରୁ ଅଧିକ।

ଉପାୟାନ୍ତର ବିଚ୍ଛିନ୍ନ ଗାଁ ଗୁଡ଼ିକରେ ଅଳ୍ପ ସଂଖ୍ୟକ ଲୋକ ନିମ୍ନ ସାକ୍ଷରତା, ଆର୍ଥିକ ଦୁଃସ୍ଥିତି ଓ ପୁରୁଣାକାଳିଆ କୃଷି ପ୍ରଣାଳୀ ଉପରେ ନିର୍ଭର କରି ରହୁଛନ୍ତି। ବିଗତ ବହୁ ଦଶନ୍ଧି ଧରି ସେମାନଙ୍କର ବିଶେଷ ପରିବର୍ତ୍ତନ ହୋଇନାହିଁ। ପଢନ୍ତୁ: ଦି ହିଲ୍ସ ଅଫ ହାର୍ଡସିପ ( ଅକ୍ଲାନ୍ତ ପରିଶ୍ରମର ପାହାଡ ), ପି. ସାଇନାଥଙ୍କ ଏଭ୍ରିବଡି ଲଭସ ଏ ଗୁଡ ଡ୍ରଟର ଉଦ୍ଧୃତାଂଶ।

“ଗାଓଁ ମେ ଜାଦାତର ଲୋଗ ମଜଦୂରୀ ହି କର୍ତା ହୈ, ସର୍ଭିସ ମେ ତୋଇ ନହି ହୈ କୋଇ। ଔର ୟହାଁ ଧାନ କା କ୍ଷେତ ଭି ନହି ହୈ। ଖାଲି ପାହାଡ଼ ପାହାଡ଼ ହୈ। [ଗାଁର ଅଧିକାଂଶ ଲୋକ ଶ୍ରମିକ ଭାବେ କାମ କରନ୍ତି; ଏଠାକାର କେହି ବି ଚାକିରି କରେ ନାହିଁ। ଆମର ଧାନ କ୍ଷେତ ବି ନାହିଁ, ଚାରିଆଡେ ଖାଲି ପାହାଡ଼ ହିଁ ପାହାଡ଼।]”, ‘ପରୀ’କୁ କହନ୍ତି ଗଣେଶ। ସ୍ତ୍ରୀ ଲୋକମାନେ ଜଙ୍ଗଲକୁ ଯାଇ କାଠ ଓ ଚିରୋତା (ଚିରେଇତା) ସଂଗ୍ରହ କରନ୍ତି ଓ ବଜାରକୁ ନେଇ ବିକନ୍ତି।

ପାହାଡ଼ିୟାମାନେ ହେଉଛନ୍ତି ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣା ଅଞ୍ଚଳର ସର୍ବ-ପ୍ରଥମ ଅଧିବାସୀ। ସେମାନେ ତିନିଟି ଶାଖାରେ ବିଭକ୍ତ: ସଉରିଆ ପାହାଡ଼ିୟା, ମାଲ ପାହାଡ଼ିୟା ଓ କୁମାରଭାଗ ପାହାଡ଼ିୟା, ଏବଂ ସମସ୍ତ ତିନି ସମ୍ପ୍ରଦାୟ ଶତାବ୍ଦୀ ଶତାବ୍ଦୀ ଧରି ରାଜମହଲ ପର୍ବତମାଳାରେ ରହିଛନ୍ତି।

ଖ୍ରୀଷ୍ଟପୂର୍ବ ୩୦୨ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ଭାରତ ଭ୍ରମଣ କରିଥିବା ଗ୍ରୀକ୍‌ କୂଟନୀତିଜ୍ଞ ଓ ଇତିହାସକାର    ମେଘାସ୍ଥିନିସଙ୍କ ଉଲ୍ଲିଖିତ ଐତିହାସିକ ନଥି ଅନୁଯାୟୀ ସେମାନେ ମାଲି ଆଦିବାସୀ ସମ୍ପ୍ରଦାୟର, ଏକ ପତ୍ରିକା କହିଥାଏ। ଘୋର ଦ୍ଵନ୍ଦ୍ଵ ଯୋଗୁଁ ସାନ୍ତାଳ ଓ ଔପନିବେଶବାଦୀ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ନିଜ ପୂର୍ବ-ପୁରୁଷଙ୍କ ସମତଳ ଭୂମିରୁ ବିତାଡ଼ିତ ହୋଇ ପର୍ବତମାଳାରେ ରହୁଥିବା ସେମାନଙ୍କ ଇତିହାସ ଅତି ସଂଘର୍ଷପୂର୍ଣ୍ଣ। ସେମାନଙ୍କୁ ଦସ୍ୟୁ ଓ ଗାଈଚୋର ଭାବେ ନାମିତ କରାଯାଉଥିଲା।

“ଗୋଟିଏ ଗୋଷ୍ଠୀ ରୂପେ ପାହାଡ଼ିୟାମାନଙ୍କୁ ସଙ୍କୁଚିତ କରି ରଖିଲେ। ସାନ୍ତାଳ ଓ ବ୍ରିଟିଶମାନଙ୍କ ସହ ସଂଘର୍ଷରେ ସେମାନେ ସବୁ କିଛି ହରାଇଥିଲେ ଓ ସେହି ମାଡ଼ରୁ ସେମାନେ ଆଉ ମୁଣ୍ଡ ଟେକି ପାରିଲେନି”, ଡ. କୁମାର ରାକେଶ ଯେ କି ଝାଡ଼ଖଣ୍ଡର ଦୁମକାସ୍ଥିତ ସିଡୋ-କାନୋ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସର, ତାଙ୍କ ରିପୋର୍ଟରେ ଲେଖିଛନ୍ତି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ମୀନାଙ୍କ ଘର ବାହାରେ ଥିବା କାଠଗଦା, ଯେଉଁଥିରୁ ସେ ରୋଷେଇ କରନ୍ତି ଓ ସେଥିରୁ କିଛି ବିକ୍ରି କରନ୍ତି। ଡାହାଣରେ: ଚିରୋତାକୁ ଜଙ୍ଗଲରୁ ସଂଗ୍ରହ କରାଯାଏ, ଶୁଖାଯାଏ ଓ ନିକଟସ୍ଥ ବଜାରରେ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି କରାଯାଏ

*****

ଶୀତଦିନିଆ କୋମଳ ସୂର୍ଯ୍ୟ କିରଣରେ ପିଲାମାନଙ୍କ ଖେଳକୁଦର କଳରବ, ଛେଳିମାନଙ୍କ ବୋବାଳି ଓ ମଝିରେ ମଝିରେ କୁକୁଡ଼ାଙ୍କ କକ କକ ଡାକ ଆଦି ସବୁକିଛି ଧାନଘଡ଼ା ଗାଁରେ ଶୁଣିବାକୁ ମିଳେ।

ମୀନା ପ୍ରଧାନ ତାଙ୍କ ଘର ବାହାରେ ଠିଆ ହୋଇ ଅନ୍ୟ ସ୍ତ୍ରୀ ଲୋକମାନଙ୍କ ସହ ନିଜ ମାଲ୍ଟୋ ଭାଷାରେ କଥା ହେଉଥାନ୍ତି। “ଆମେ ହେଲୁ ଯୁଗବାସିସ। ଏହାର ଅର୍ଥ କଣ ଆପଣ ଜାଣନ୍ତି?”, ସେ ଏହି ଖବରସଂଗ୍ରହକାରୀଙ୍କୁ ପଚାରିଲେ। “ଏହାର ଅର୍ଥ ହେଲା ଯେ ଏହି ପର୍ବତ ଆଉ ଜଙ୍ଗଲ ହେଉଛି ଆମ ଘର”, ସେ ବୁଝାଇଲେ।

ପ୍ରତିଦିନ ସେ ଅନ୍ୟ ସ୍ତ୍ରୀ ଲୋକମାନଙ୍କ ସହ ସକାଳ ଆଠଟା କି ନଅଟା ସୁଦ୍ଧା ଜଙ୍ଗଲକୁ ବାହାରି ଯାଆନ୍ତି ଓ ମଧ୍ୟାହ୍ନ ସୁଦ୍ଧା ଫେରନ୍ତି। “ଜଙ୍ଗଲରେ ଚିରୋତା ମିଳେ, ଆମେ ଦିନଯାକ ସେଗୁଡ଼ିକୁ ସଂଗ୍ରହ କରୁ, ଓ ସେଗୁଡିକୁ ଶୁଖେଇ ବିକ୍ରି କରୁ”, ତାଙ୍କ ମାଟି ଘର ଉପରେ ଶୁଖୁଥିବା ଡାଳଗୁଡ଼ିକୁ ଦେଖାଇ ସେ କହିଲେ।

“ବେଳେବେଳେ ଆମକୁ ଦିନକରେ ୨ କିଲୋ, ଆଉ କେତେବେଳେ ତିନି କିଲୋ, ଯଦି ଭାଗ୍ୟ ଭଲଥାଏ ପାଞ୍ଚ କିଲୋ ବି ମିଳିଯାଏ। ଭାରି କଠିନ କାମ”, ସେ କହିଲେ। କିଲେ ଚିରୋତା ୨୦ ଟଙ୍କାରେ ବିକ୍ରି ହୁଏ। ଚିରୋତାରେ ବହୁ ଔଷଧୀୟ ଗୁଣ ଅଛି ଓ ଲୋକେ ତାକୁ ସିଝେଇକି ସେ ପାଣିକୁ ପିଅନ୍ତି। “ସମସ୍ତେ ୟାକୁ ପିଇ ପାରିବେ – ପିଲା, ବଡଲୋକ ସମସ୍ତେ – ଏହା ପେଟ ପାଇଁ ଉପକାରୀ”, ମୀନା ବୁଝେଇଲେ।

ଚିରୋତା ଛଡ଼ା ମୀନା ପ୍ରତିଦିନ ପ୍ରାୟ ୧୦-୧୨ କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇ ଜାଳେଣି କାଠ ସଂଗ୍ରହ କରନ୍ତି। “କାଠବିଡ଼ାଗୁଡ଼ିକ ବହୁତ ଓଜନିଆ, ପ୍ରାୟ ୧୫-୨୦ କିଲୋ ଓ ପ୍ରତି ବିଡ଼ା ୧୦୦ ଟଙ୍କାରେ ବିକ୍ରି ହୁଏ, କିନ୍ତୁ ଯଦି ଓଦା ଥାଏ ୨୫-୩୦ କିଲୋ ବି ହୋଇଯାଏ”।

ମୀନା ବି ଗଣେଶ ସହ ସହମତ ହୁଏ କି ଯେ ସରକାର ବହୁତ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ କେବେ ପୂରଣ କରନ୍ତିନି। “ଆଗରୁ ଆମ ପାଖକୁ କେହି ଆସୁ ନଥିଲେ, କିନ୍ତୁ ଏବେ କିଛି ବର୍ଷ ହେଲା ଲୋକେ ଆମ ପାଖକୁ ଆସିବା ଆରମ୍ଭ କରିଛନ୍ତି”, ସେ କହିଲେ। “କେତେ କେତେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବଦଳିଲେଣି, କିନ୍ତୁ ଆମ ଅବସ୍ଥା ବଦଳୁ ନାହିଁ। ଆମକୁ ଖାଲି ଯାହା ବିଦ୍ୟୁତ ଓ ରାସନ ମିଳୁଛି”, ସେ ଜଣାଇଲେ।

“ବେଦଖଲ ଓ ବିସ୍ଥାପନ ପ୍ରକ୍ରିୟାର ସାମନା କରୁଥିବା ଝାଡ଼ଖଣ୍ଡର ଆଦିବାସୀମାନଙ୍କ ପାଇଁ ତାହା ଏବେ ବି ବଡ଼ ସମସ୍ୟା ହୋଇ ରହିଛି। ମୁଖ୍ୟସ୍ରୋତ ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଏହି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ସ୍ଵତନ୍ତ୍ରତା ପ୍ରତି ଧ୍ୟାନ ଦେବାରେ ବିଫଳ ହୋଇଛି ଓ ‘ସମସ୍ତଙ୍କ ପାଇଁ ଗୋଟିଏ ନୀତି’ ଆଧାରରେ ଚାଲିଛି”, ଏହା ରାଜ୍ୟର ଆଦିବାସୀ ଜୀବିକା ଉପରେ ୨୦୨୧ରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି।

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମରେ: ପାହାଡ଼ିୟା ଆଦିବାସୀମାନଙ୍କ ସଂଖ୍ୟା ଅତି କମ୍‌ ହୋଇଥିବା ସେମାନଙ୍କ ପ୍ରତି ଉଦାସୀନତାର କାରଣ ହୋଇଛି, ଓ ସେମାନେ ପ୍ରତିଦିନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଗତ ବହୁ ଦଶକ ଧରି ସେମାନଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ। ଡାହାଣରେ: ଧାନଘଡ଼ା ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗାଁ ଲୋକଙ୍କ କହିବା ଅନୁଯାୟୀ ନେତାମାନେ ଗୋଟିଏ ନୂଆ ବିଦ୍ୟାଳୟ କରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଆଦୌ ପୂରଣ ହୋଇନାହିଁ

“କୌଣସି କାମ ନାହିଁ। ଆଦୌ କୌଣସି କାମ ନାହିଁ। ତେଣୁ ଆମକୁ ବାହାରକୁ ଯିବାକୁ ପଡୁଛି”, ଗାଁରୁ ବାହାରକୁ ଯାଇଥିବା ୨୫୦ରୁ ୩୦୦ ଲୋକଙ୍କ ପକ୍ଷରୁ କହନ୍ତି ମୀନା। “ବାହାରକୁ ଯିବା କଷ୍ଟକର, ପହଞ୍ଚିବାକୁ ତିନି ଚାରି ଦିନ ଲାଗେ। ଯଦି ଆଖପାଖରେ କାମଦାମ ଥାଆନ୍ତା, ଜରୁରୀ ପରିସ୍ଥିତିରେ ଆମେ ଶୀଘ୍ର ଫେରି ଆସି ପାରନ୍ତୁ”।

ପାହାଡ଼ିୟା ସମୁଦାୟ ଡାକିୟା ଯୋଜନା ମାଧ୍ୟମରେ ସେମାନଙ୍କ ଘର ପାଖରେ ପ୍ରତି ପରିବାର ପିଛା ୩୫ କେଜି ରାସନ ପାଇବାର ବ୍ୟବସ୍ଥା ରହିଛି। ତେବେ ମୀନାଙ୍କ କହିବା ଅନୁଯାୟୀ ତାହା ସେମାନଙ୍କ ୧୨-ଜଣିଆ ପରିବାର ପାଇଁ ଯଥେଷ୍ଟ ନୁହେଁ। “ଗୋଟିଏ ଛୋଟ ପରିବାର ସେଥିରେ ଚଳିଯାଇ ପାରିବ, କିନ୍ତୁ ଆମ ପାଇଁ ତାହା ୧୦ ଦିନ ବି ଯାଉନାହିଁ”, ସେ ଜଣାନ୍ତି।

ଗାଁର ଅବସ୍ଥା ବାବଦରେ ସେ କହନ୍ତି କି ଯେ ଗରିବଲୋକଙ୍କ ଦୁଃଖ କେହି ବୁଝନ୍ତି ନାହିଁ। “ଆମର ଏଠି ଅଙ୍ଗନବାଡିଟିଏ ବି ନାହିଁ”, ମୀନା ଉଲ୍ଲେଖ କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଛ’ ମାସରୁ ଛ’ ବର୍ଷ ବୟସର ପିଲା ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଅଙ୍ଗନବାଡ଼ିରୁ ଅନୁପୁରକ ପୌଷ୍ଟିକ ଆହାର ମିଳିବା କଥା।

ଦେଖେଇବା ପାଇଁ ନିଜ ଅଣ୍ଟା ପର୍ଯ୍ୟନ୍ତ ହାତ ଉଠେଇ ମୀନା କହିଲେ, “ଅନ୍ୟ ଗାଁଗୁଡ଼ିକରେ ଏତିକି ଉଚ୍ଚର ପିଲାଙ୍କୁ ପୌଷ୍ଟିକ ଖାଦ୍ୟ ମିଳୁଛି – ଛତୁଆ, ଚିକପି, ଭାତ, ଡାଲି... କିନ୍ତୁ ଆମକୁ ସେଭଳି କିଛି ମିଳୁନାହିଁ”। “କେବଳ ପୋଲିଓ ବୁନ୍ଦା ମିଳୁଛି”, ସେ ପୁଣି  କହନ୍ତି। “ଦିଇଟା ଗାଁ ପାଇଁ ଗୋଟିଏ ଅଙ୍ଗନବାଡ଼ି ଅଛି, କିନ୍ତୁ ସେମାନେ ଆମକୁ କିଛି ଦିଅନ୍ତି ନାହିଁ”।

ଏହା ମଧ୍ୟରେ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ଖର୍ଚ୍ଚ ଆସିଛି – ଗଣେଶ ସେଥି ପାଇଁ ୬୦ ହଜାର ଟଙ୍କା ଋଣ କରିଛନ୍ତି ଯେଉଁଥିରେ ଅଧିକ ସୁଧ ମିଶେଇ ତାଙ୍କୁ ଫେରେଇବାକୁ ପଡ଼ିବ। “କା କହେ, କେଇସେ ଦେଙ୍ଗେ, ଅବ କିସି ସେ ଲିଏ ହୈ ତୋ ଦେନା ହୈ... ଥୋଡ଼ା ଥୋଡ଼ା କରକେ ଚୁକାଏଙ୍ଗେ କିସି ତରହ [ମୁଁ ଜାଣିନି କେମିତି ଫେରେଇବି। ମୁଁ ଯେହେତୁ ଋଣ ଆଣିଛି, ମତେ ତ ଫେରେଇବାକୁ ପଡ଼ିବ, କେମିତି ହେଲେ ଫେରେଇବି],” ସେ ଏହି ସାମ୍ବାଦିକକୁ କହିଲେ।

ଏଥର ନିର୍ବାଚନ ବେଳକୁ ମୀନା ଦୃଢ଼ ନିଷ୍ପତ୍ତି ନେଇଛନ୍ତି, “ଆମେ କାହାଠୁ ବି କିଛି ନେବୁ ନାହିଁ। ଆମେ ଯେଉଁମାନଙ୍କୁ ପ୍ରତି ଥର ଭୋଟ ଦେଉଥିଲୁ ସେମାନଙ୍କୁ ଭୋଟ ଦେବୁ ନାହିଁ, ଆମର ଯିଏ ହିତ କରିବ ସେହି ଭଳି କାହାକୁ ଏଥର ଭୋଟ ଦେବୁ”।

ଅନୁବାଦ : ଓଡ଼ିଶାଲାଇଭ୍‍

Ashwini Kumar Shukla

ଅଶ୍ୱିନୀ କୁମାର ଶୁକ୍ଳା ଝାଡ଼ଖଣ୍ଡରେ ରହୁଥିବା ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ସେ ନୂଆଦିଲ୍ଲୀର ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (୨୦୧୮-୧୯)ରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ସେ ୨୦୨୩ର ପରୀ ଏମଏମ୍ଏଫ୍ ଫେଲୋ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ashwini Kumar Shukla
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE