ମଧ୍ୟ ଭାରତର ଖରଗୋନ ସହରରେ ଏପ୍ରିଲ ମାସର ଏକ ଉତ୍ତପ୍ତ ଦିବସ। ବଡ଼ି ଭୋରରୁ ମଧ୍ୟ ପ୍ରଦେଶର ଏହି ଛୋଟ ସହରର ବ୍ୟସ୍ତବହୁଳ ଚାନ୍ଦନି ଚୌକ ଅଞ୍ଚଳରେ ଲୋକଙ୍କ ନିତିଦିନିଆ କାର୍ଯ୍ୟଧାରାକୁ ବ୍ୟାହତ କରି କେତେକ ବୁଲଡୋଜର ମାଡ଼ି ଆସିବାର କର୍କଶ ଶବ୍ଦ ଶୁଭିଲା। ଭୟଭୀତ ଲୋକେ ନିଜ ନିଜର ଛୋଟ ଛୋଟ ଦୋକାନରୁ ଏବଂ ଘରୁ ବାହାରକୁ ବାହାରି ଆସିଲେ।
ଭୀତତ୍ରସ୍ତ ୩୫ ବର୍ଷୀୟ ୱାସିମ ଅହମଦଙ୍କ ଆଖି ଆଗରେ, ବୁଲଡୋଜରର ଓଜନିଆ ଷ୍ଟିଲ ବ୍ଲେଡ୍ ଧକ୍କାରେ, ମାତ୍ର କେଇ ମିନିଟ ମଧ୍ୟରେ ତାଙ୍କ ଦୋକାନ ଓ ତା ଭିତରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଗଲା। ସେ କହନ୍ତି, “ମୁଁ ଯେତେ ଟଙ୍କା ଯୋଗାଡ଼ କରିପାରିଥିଲି, ସବୁ ଏହି ଦୋକାନ ଖୋଲିବାରେ ଲଗାଇ ଦେଇଥିଲି।”
୨୦୨୨ ମସିହା ଏପ୍ରିଲ ୧୧ ତାରିଖ ଦିନ ବୁଲଡୋଜର ଲଗାଇ କେବଳ ଯେ ତାଙ୍କର ଛୋଟ ଦୋକାନଟିକୁ ଭାଙ୍ଗି ଦିଆଯାଇଥିଲା, ତା ନୁହେଁ, ବରଂ ଖରଗୋନର ଏହି ମୁସଲମାନ ବହୁଳ ଅଞ୍ଚଳର ଆଉ ପ୍ରାୟ ୫୦ଟି ଦୋକାନ ଓ ଘରକୁ ବି ମାଟିରେ ମିଶାଇ ଦିଆଯାଇଥିଲା। ଏହା ଥିଲା ମଧ୍ୟ ପ୍ରଦେଶ ରାଜ୍ୟ ସରକାରଙ୍କ ପ୍ରତିଶୋଧମୂଳକ ନ୍ୟାୟର ସ୍ୱରୂପ, ଯେଉଁ ପ୍ରକ୍ରିୟାରେ ରାମ ନବମୀ ଉତ୍ସବ ପାଳନ ଅବସରରେ ଟେକାପଥର ମାଡ଼ରେ ଲିପ୍ତ ‘ଦଙ୍ଗାକାରୀ’ମାନଙ୍କ ପ୍ରତି ଶାସ୍ତିବିଧାନ କରାଯାଇଥିଲା।
ହେଲେ, ୱାସିମ ଟେକାପଥର ମାଡ଼ କରିବା କଥାର ପ୍ରାମାଣିକତା ସ୍ଥାପନ କରିବା ନିହାତି କଷ୍ଟକର କାମ – କାରଣ, ପୂର୍ବରୁ ଡାକ୍ତରୀ ଚିକିତ୍ସାରେ ତାଙ୍କର ଦୁଇଟି ଯାକ ହାତ କଟା ହୋଇସାରିଥିଲା, ଟେକାପଥର ଉଠାଇ ଫିଙ୍ଗିବା ତ ଦୂରର କଥା, କାହାରି ସହାୟତା ବିନା ସେ ଚା’ କପେ ପିଇପାରନ୍ତିନି।
“ସେଦିନର ସେହି ଘଟଣା ସହିତ ମୋର କୌଣସି ସଂପର୍କ ନାହିଁ,” ୱାସିମ କହନ୍ତି।
୨୦୦୫ରେ ଏକ ଦୁର୍ଘଟଣାରେ ଦୁଇଟି ଯାକ ହାତ ହରାଇବା ପୂର୍ବରୁ ସେ ଥିଲେ ଜଣେ ରଙ୍ଗମିସ୍ତ୍ରୀ। ସେ କହନ୍ତି, “ଦିନେ ମୁଁ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶିକାର ହେଲି ଏବଂ ଡାକ୍ତରମାନେ ମୋର ଦୁଇ ହାତ କାଟି ବାହାର କରିଦେଲେ। ନିହାତି ପ୍ରତିକୂଳ ପରିସ୍ଥିତିରେ ବି ମୁଁ ଜୀବିକା ନିର୍ବାହର ଏକ ରାସ୍ତା (ତାଙ୍କ ଦୋକାନ) ଖୋଜି ନେଲି।” ନିଜ ଭାଗ୍ୟକୁ ଦୋଷ ଦେବାରେ ସମୟ ନଷ୍ଟ କରି ନଥିବାରୁ ସେ ଗର୍ବ ଅନୁଭବ କରନ୍ତି ବୋଲି ତାଙ୍କ କଥାରୁ ବାରି ହୋଇ ପଡୁଥିଲା।








