ମହମ୍ମଦ ଅସଲମ ଗରମ ତରଳ ପିତ୍ତଳକୁ ସାଞ୍ଚା (ଛାଞ୍ଚ)ରେ ଢାଳୁଥିବା ସମୟରେ ପବନରେ ଛୋଟ ଛୋଟ କଣିକା ଉପରକୁ ଉଠିଥାଏ। ଏହାଦ୍ୱାରା ପିତ୍ତଳ ଏକ କଠିନ ଚନ୍ଦନ ପିୟାଲି (ପୂଜା ପାଇଁ ବ୍ୟବହୃତ ଗୋଟିଏ ଛୋଟିଆ ପାତ୍ର)ର ଆକାର ନେଇଯିବ।

ପିତ୍ତଳ କାମରେ ଦକ୍ଷ ଧାତବ କାରୀଗର ଅସଲମଙ୍କ ହାତ ଦୃଢ଼ ଏବଂ ସତର୍କତା ପୂର୍ବକ ଚାଲିଥାଏ। ପିତ୍ତଳ ଢାଳିବା ସମୟରେ ସେ ଛାଞ୍ଚ ଉପରେ ଚାପକୁ ମାପିଥା’ନ୍ତି, ଭିତରେ ଥିବା ବାଲି ଯେମିତି ବାହାରେ ଖସି ନପଡ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏହି ବାଲି ହିଁ ଉତ୍ପାଦକୁ ଆକାର ଦେଇଥାଏ।

‘‘ଆପଣ ନିଜ ହାତକୁ ଦୃଢ଼ ରଖିବା ଆବଶ୍ୟକ, ନହେଲେ ସାଞ୍ଚା ଭିତରେ ଥିବା ଢାଞ୍ଚା ନଷ୍ଟ ହୋଇଯିବ। ଆଦତ୍‌ (ତରଳରୁ ଆକାର ନେଇଥିବା ଉତ୍ପାଦ) ଖରାପ ହୋଇଯିବ,’’ ଅସଲମ (୫୫) କୁହନ୍ତି । ତେବେ, ବାଲି ବାହାରକୁ ଖସି ପଡ଼ିବାକୁ ନେଇ ସେ ଯେତିକି ଚିନ୍ତିତ ନୁହନ୍ତି, ତା’ଠାରୁ ଅଧିକ ପବନରେ ଉଡ଼ୁଥିବା କଣିକାକୁ ନେଇ ଚିନ୍ତିତ ଅଟନ୍ତି। ‘‘ଆପଣ ସେଗୁଡ଼ିକୁ ଦେଖିପାରୁଛନ୍ତି କି? ଏଗୁଡ଼ିକ ପିତ୍ତଳ ଏବଂ ଏଗୁଡ଼ିକ ନଷ୍ଟ ହେବାକୁ ଯାଉଛି। ଆମକୁ ଏହାର ମୂଲ୍ୟ ଦେବାକୁ ହେବ,’’ ସେ ଦୁଃଖର ସହିତ କୁହନ୍ତି। ପ୍ରତ୍ୟେକ ଦିନ ସେ ୧୦୦ କିଲୋଗ୍ରାମ ପିତ୍ତଳ ତିଆରି କରିଥାନ୍ତି, ଏଥିମଧ୍ୟରୁ ପ୍ରାୟ ୩ କିଲୋଗ୍ରାମ ପବନରେ ଉଡ଼ିଯାଏ। ଅର୍ଥାତ୍‌ ପ୍ରାୟ ୫୦ ଟଙ୍କା ପବନରେ ନଷ୍ଟ ହୁଏ।

ମୋରାଦାବାଦର ପୀରଜାଦା ଅଞ୍ଚଳ ପିତ୍ତଳ କାମ ପାଇଁ ପ୍ରସିଦ୍ଧ। ଏଠାରେ ଥିବା ଅନେକଗୁଡ଼ିଏ ଭଟ୍ଟି (ଭାଟି) ମଧ୍ୟରୁ ଗୋଟିଏରେ କାମ କରୁଥିବା ହାତଗଣତି କାରୀଗରଙ୍କ ମଧ୍ୟରୁ ଅସଲମ୍‌ ଅନ୍ୟତମ। ସ୍ଥାନୀୟ ଅଞ୍ଚଳରେ ଏହି କାମକୁ ଢଲାଇ କା କାମ୍‌ ବା ଢଳେଇ ନାମରେ ସମସ୍ତେ ଜାଣନ୍ତି । ଏଥିରେ କାରୀଗରମାନେ ପିତ୍ତଳ ସିଲ୍ଲି (ଧାତୁ ଖଣ୍ଡ)କୁ ତରଳାଇ ସେଗୁଡ଼ିକୁ ବିଭିନ୍ନ ଆକାରରେ ପ୍ରସ୍ତୁତ କରିଥା’ନ୍ତି।

ଅସଲମ ଓ ତାଙ୍କର ସହଯୋଗୀ ରଇସ୍‌ ଜାନ୍‌ ଯେଉଁ କାରଖାନାରେ ଦୈନିକ ୧୨ ଘଣ୍ଟା ବିତାଇଥା’ନ୍ତି, ସେଠାରେ କାମରେ ଲାଗୁଥିବା ସାମଗ୍ରୀ- କୋଇଲା, ବାଲି, ଭିନ୍ନ ଆକାରର କାଠ ପଟା, ଲୁହା ଛଡ଼, ଚିମୁଟା, ପ୍ଲାସ୍‌ ଆଦି ସେମାନଙ୍କ ଚାରି ପାଖରେ ବିଛାଡ଼ି ହୋଇ ରହିଥାଏ। ବିଭିନ୍ନ ସାମଗ୍ରୀରେ ଭର୍ତ୍ତି ହୋଇ ରହିଥିବା ଏହି ସ୍ଥାନ ପାଇଁ ଅସଲମ ମାସିକ ୧,୫୦୦ ଟଙ୍କା ଭଡ଼ା ଦିଅନ୍ତି ।

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ମୋରାଦାବାଦର ପୀରଜାଦା ଅଞ୍ଚଳରେ ଥିବା ଭାଟିଗୁଡ଼ିକ ମଧ୍ୟରୁ ଗୋଟିଏ ଭାଟିରେ ମହମ୍ମଦ ଅସଲମ (ଡାହାଣ) ଏବଂ ରଇସ୍‌ ଜାନ୍‌ (ବାମ) ଚନ୍ଦନପିୟାଲି (ପୂଜାରେ ବ୍ୟବହାର କରାଯାଉଥିବା ଛୋଟିଆ ପାତ୍ର) ତିଆରି କରୁଛନ୍ତି । ଡାହାଣ : ଅସଲମ ସାଞ୍ଚା (ଛାଞ୍ଚ) ତିଆରି କରନ୍ତି ଏବଂ ଏହା ଭିତରେ ଉତ୍ପାଦ ତିଆରି କରିବା ଲାଗି ଗରମ ପିତ୍ତଳକୁ ଢାଳନ୍ତି

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ବାମ : ଅସଲମ ତରଳ ପିତ୍ତଳ ପାଇଁ ଫମ୍ପା ଗହ୍ୱର ତିଆରି କରିବା ଲାଗି ଢାଞ୍ଚା କଣ୍ଟେନର୍‌ ଭିତରେ ବାଲି ଭରନ୍ତି । ଡାହାଣ : ଏହାପରେ ସେ ତରଳ ପିତ୍ତଳ ଢାଳନ୍ତି, ତେବେ କଣ୍ଟେନର ଭିତରେ ଥିବା ବାଲି ଯେମିତି ବାହାରକୁ ବାହାରି ନଯିବ ସେଥିପ୍ରତି ଧ୍ୟାନ ଦେଇଥା’ନ୍ତି। ‘ଆପଣଙ୍କୁ ନିଜର ହାତ ଦୃଢ଼ କରିବାକୁ ହେବ ନହେଲେ ସାଞ୍ଚା ଭିତରେ ଥିବା ଢାଞ୍ଚା ନଷ୍ଟ ହୋଇଯିବ,’ ସେ କୁହନ୍ତି

ଉତ୍ତର ପ୍ରଦେଶର ଏହି ସହର ପିତ୍ତଳ ନଗରୀ ନାମରେ ଲୋକପ୍ରିୟ। ଏହି ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଶ୍ରମବଳଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ୍‌ ସମ୍ପ୍ରଦାୟରୁ ଆସିଥାନ୍ତି। ଅସଲମଙ୍କ ଅନୁମାନ ମୁତାବକ, ପ୍ରାୟ ୯୦ ପ୍ରତିଶତ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୀରଜାଦା କିମ୍ବା ଆଖପାଖ ଅଞ୍ଚଳରେ ରୁହନ୍ତି। ମୋରାଦାବାଦରେ ମୁସଲମାନଙ୍କ ସଂଖ୍ୟା ସହରର ମୋଟ ଜନସଂଖ୍ୟାର ପ୍ରାୟ ୪୭.୧୨ ପ୍ରତିଶତ ହେବ।

ଅସଲମ ଓ ଜାନ୍‌ ଗତ ପାଞ୍ଚ ବର୍ଷ ହେବ ଏକାଠି କାମ କରି ଆସୁଛନ୍ତି । ସେମାନେ ଭୋର୍‌ ସାଢ଼େ ୫ଟାରେ ଭଟ୍ଟି ରେ ପହଞ୍ଚି କାମ ଆରମ୍ଭ କରିଦିଅନ୍ତି । ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଆନ୍ତି । ଉଭୟଙ୍କ ଘର ଭଟ୍ଟି ଠାରୁ ଅଳ୍ପ ଦୂରରେ । ସନ୍ଧ୍ୟାରେ ପରିବାରର କେହି ଜଣେ ସଦସ୍ୟ ଚା’ ନେଇ କାରଖାନାକୁ ଆସନ୍ତି।

‘‘ଆମେ କଠିନ ପରିଶ୍ରମ କରିଥାଉ କିନ୍ତୁ କେବେ ଖାଇବା ବନ୍ଦ କରିନଥାଉ। କାହିଁକି ନା ଆମେ କେବଳ ସେଥିପାଇଁ କାମ କରୁଛୁ,’’ ଅସଲମ କୁହନ୍ତି।

ଅସଲମଙ୍କ ସହାୟକ ଜାନଙ୍କୁ ଦୈନିକ ୪୦୦ ଟଙ୍କା ମଜୁରି ମିଳିଥାଏ। ଉଭୟ ମିଶି ପିତ୍ତଳ ତରଳାଇଥା’ନ୍ତି, ଧାତୁକୁ ଥଣ୍ଡା କରିଥାନ୍ତି ଏବଂ ନିଜ ଚାରି ପାଖରେ ଥିବା ବାଲିକୁ ପୁନଃବ୍ୟବହାର ପାଇଁ ତୋଳି ରଖିଥା’ନ୍ତି।

ଜାନ୍‌ ମୁଖ୍ୟତଃ ଭାଟି ପରିଚାଳନା କରନ୍ତି, ସେଥିରେ କୋଇଲା ଭରିବା ପାଇଁ ଛିଡ଼ା ହେବାକୁ ପଡ଼ିଥାଏ। ‘‘ଜଣେ ଲୋକ ଏ କାମ କରିପାରିବ ନାହିଁ। ଅତିକମ୍‌ରେ ଦୁଇ ଜଣ ଦରକାର। ତେଣୁ, ଅସଲମ୍‌ ଭାଇ ଛୁଟିରେ ଗଲେ, ମୁଁ ମଧ୍ୟ ମୋ ମଜୁରି ହରାଏ,’’ ୬୦ ବର୍ଷ ବୟସ୍କ ଜାନ୍‌ କୁହନ୍ତି। ‘‘ରଇସ୍‌ ଭାଇ ଆସନ୍ତାକାଲି ତାଙ୍କ ସସୁରାଲ୍‌ (ଶ୍ୱଶୁର ଘର)କୁ ଯାଉଛନ୍ତି, ଆଉ ମୁଁ ମୋର ୫୦୦ ଟଙ୍କା ହରାଇବି, ଅସଲମ ସ୍ମିତ ହସି କୁହନ୍ତି।

‘‘କୋଇଲା ହିଁ ଜଣେ ଢଲଇୟା (ପିତ୍ତଳ ଢଳେଇ କାରୀଗର) ର ଅଣ୍ଟା ଭାଙ୍ଗି ଦେଇଥାଏ,’’ ଅସଲମ ଆମକୁ କୁହନ୍ତି, ‘‘ଯଦି ଆମେ ଅଧା ଦରରେ କୋଇଲା ପାଇଯାଆନ୍ତି, ଏହା ଆମ ପାଇଁ ବଡ଼ ଆଶ୍ୱସ୍ତି ହୁଅନ୍ତା।’’ ଅସଲମ୍‌ ଦୈନିକ ଭିତ୍ତିରେ ପିତ୍ତଳ କାମ ପାଇଁ ଠେକା (ଠିକା) ନିଅନ୍ତି ।

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ବାମ : ଅସଲମଙ୍କ ସହାୟକ ରଇସ୍‌ ଜାନ୍‌ ଅଧିକାଂଶ ସମୟରେ ଭାଟି ପରିଚାଳନା କରନ୍ତି। ସେମାନେ ପାଞ୍ଚ ବର୍ଷ ହେବ ଏକାଠି କାମ କରି ଆସୁଛନ୍ତି। ଡାହାଣ : କୋଇଲାରେ ଭାଟି ଚାଲିଥାଏ ଏବଂ ଗୋଟିଏ କିଲୋ ପିତ୍ତଳ ତରଳାଇବାକୁ ହେଲେ ୩୦୦ ଗ୍ରାମ କୋଇଲା ଲାଗିଥାଏ। କୋଇଲା ଦର (କିଲୋ ପ୍ରତି ୫୫ ଟଙ୍କା) ବହୁତ ଅଧିକ ବୋଲି ଅସଲମଙ୍କ ଭଳି ପିତ୍ତଳ କାରୀଗର କୁହନ୍ତି

ସେମାନେ ସ୍ଥାନୀୟ ଫାର୍ମରୁ କିଲୋ ପ୍ରତି ୫୦୦ ଟଙ୍କା ଦେଇ ପିତ୍ତଳ ଧାତୁ ଖଣ୍ଡ କିଣନ୍ତି ଏବଂ ତରଳାଇ ବିଭିନ୍ନ ସାମଗ୍ରୀ ତିଆରି କରିବା ପରେ ସେମାନଙ୍କୁ ଫେରାଇ ଦେଇଥାନ୍ତି। ଗୋଟିଏ ସାଧାରଣ ପିତ୍ତଳ ପଟ୍ଟିର ଓଜନ ସାଧାରଣତଃ ସାତରୁ ଆଠ କିଲୋଗ୍ରାମ ମଧ୍ୟରେ ହୋଇଥାଏ।

‘‘କାମର ଉପଲବ୍ଧତାକୁ ଆଧାର କରି ଆମେ ଗୋଟିଏ ଦିନରେ ଅତିକମ୍‌ରେ ୪୨ କିଲୋଗ୍ରାମ ପିତ୍ତଳ ତରଳେଇ ସାମଗ୍ରୀ ତିଆରି କରୁ। କୋଇଲା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ଗୋଟିଏ କିଲୋଗ୍ରାମ ପିତ୍ତଳ ପିଛା ଆମେ ୪୦ ଟଙ୍କା ରୋଜଗାର କରିଥାଉ,’’ ଅସଲମ କୁହନ୍ତି।

ଗୋଟିଏ କିଲୋ କୋଇଲା ଦାମ୍‌ ୫୫ ଟଙ୍କା ଏବଂ ଅସଲମ୍‌ କହିଥାନ୍ତି ଯେ ଗୋଟିଏ କିଲୋ ପିତ୍ତଳ ତରଳେଇବାକୁ ଅତିକମ୍‌ରେ ୩୦୦ ଗ୍ରାମ କୋଇଲା ଆବଶ୍ୟକ ହୋଇଥାଏ। ‘‘ଯଦି ଆପଣ ସବୁ ଖର୍ଚ୍ଚ ବାଦ୍‌ ଦେବେ, ଆମର ଶ୍ରମ ଆମକୁ ଧାତୁ ତରଳେଇ ଜିନିଷ ତିଆରି କରିବାରୁ କିଲୋଗ୍ରାମ ପିଛା ୬ରୁ ୭ କିଲୋଗ୍ରାମ ଟଙ୍କା ଲାଭ ଦେଇଥାଏ,’’ ସେ କୁହନ୍ତି।

ରଇସ୍‌ ଜାନ୍‌ ୧୦ ବର୍ଷ ବୟସରୁ କାମ କରିବା ଆରମ୍ଭ କରି ଦେଇଥିଲେ ଏବଂ ଏହି କାରିଗରୀକୁ ଶିଖିବା ପାଇଁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିଥିଲା। ସେ କୁହନ୍ତି, ‘‘ଏହି କାମ ସହଜ ଲାଗିପାରେ, କିନ୍ତୁ ସେତେଟା ସହଜ ନୁହେଁ। ପିତ୍ତଳ ତରଳିବା ପରେ କିଭଳି ବ୍ୟବହାର କରିଥାଏ ତାହା ଜାଣିବା ସବୁଠାରୁ କଷ୍ଟକର କାମ।’’

ପିତ୍ତଳ ଢଳେଇ କରୁଥିବା ସମୟରେ, ଜାନ୍‌ କୁହନ୍ତି, ଆପଣଙ୍କୁ ସିଧା ବସି ହାତକୁ ଦୃଢ଼ କରିବାକୁ ହେବ। ‘‘କଣ୍ଟେନରକୁ ଭରିବାରେ ଅସଲ କୌଶଳ ରହିଛି। ପିତ୍ତଳ ଭରିଥିବା କଣ୍ଟେନରକୁ କେତେ ଥର ପିଟିବାକୁ ହେବ ତାହା ଜଣେ ନୌସିଖିୟା (ନୂଆ କାମ ଶିଖୁଥିବା) ଜାଣିପାରିବ ନାହିଁ। ଯଦି ଏହା ଠିକ ଭାବେ କରାଯିବ ନାହିଁ, ତା’ହେଲେ ଆଦତ୍‌ (ଶେଷ ଢଳେଇ ହୋଇଥିବା ଖଣ୍ଡ) ଭାଙ୍ଗିଯିବ। ସେହିପରି, ଯଦି ଆମେ ଏକାଥରକେ କଣ୍ଟେନରକୁ ଉଠାଇ ଆଣିବା ତା’ହେଲେ ମଧ୍ୟ ଏହା ଭାଙ୍ଗିଯିବ,’’ ଜାନ୍‌ କୁହନ୍ତି। ‘‘ଏଭଳି ପରିସ୍ଥିତିରେ ଜଣେ ଦକ୍ଷ କାରୀଗରର ହାତ ସ୍ୱାଭାବିକ ରୂପେ ଚାଲିଥାଏ।’’

ଜାନ୍‌ ପୈତୃକ ବେଉସା ରୂପେ ପିତ୍ତଳ କାରୀଗର ଭାବେ କାମ କରି ଆସୁଛନ୍ତି। ‘‘ଏହାର ମୋର ପୈତୃକ ବେଉସା,’’ ସେ କୁହନ୍ତି, ‘‘ପ୍ରାୟ ୨୦୦ ବର୍ଷ ଧରି ଆମେ ଏହାକୁ କରି ଆସୁଛୁ।’’ କିନ୍ତୁ ଏହି ବେଉସାକୁ ଗ୍ରହଣ କରିବା ଲାଗି ନିଜ ନିଷ୍ପତ୍ତି ଉପରେ ଜାନ୍‌ ପ୍ରାୟତଃ ପୁନର୍ବିଚାର କରିଥା’ନ୍ତି। ସେ ଦୁଃଖର ସହ କୁହନ୍ତି, ‘‘ମୋ ପିତାଙ୍କର ନିଜସ୍ୱ ଢଳେଇ କାରବାର ଥିଲା, କିନ୍ତୁ ମୁଁ କେବଳ ଦିନ ମଜୁରିଆ ହୋଇ ରହିଗଲି।’’

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ବାମ : ପିତ୍ତଳ ଢଳେଇ କାମରେ ବ୍ୟବହୃତ ହେଉଥିବା କେତେକ ଉପକରଣରେ ସାଞ୍ଚା, ବାଲି ସମତଳ କରିବା ଲାଗି ଦୁଇଟି କାଠ ପଟା (ଫନ୍ତି ଓ ପତଲା), କଣ୍ଟେନର ଭିତରେ ବାଲି ଭର୍ତ୍ତି କରିବା ଲାଗି ସରିୟା ବା ଲୁହା ଛଡ଼, ଉତ୍ପାଦରେ ଲାଗିଥିବା ବଳକା ପିତ୍ତଳ ଭାଙ୍ଗିବା କିମ୍ବା ତା’କୁ ଧରିବା ଲାଗି ସନ୍ଦସୀ ବା ସଣ୍ଢୁଆସି ଏବଂ ସରୌତା ଓ ସାଞ୍ଚାକୁ ଆକାର ଦେବା ପାଇଁ ମୁସଲୀ ବା ଲୁହାର ମୁଷଳ ଆଦି ସାମିଲ ରହିଛି । ଡାହାଣ : ଚନ୍ଦନପିୟାଲି ଉପରେ ଲାଗିଥିବା ଅତିରିକ୍ତ ପିତ୍ତଳକୁ କାରୀଗରମାନେ ପୁନଃବ୍ୟବହାର କରନ୍ତି

ଅସଲମ୍‌ ୪୦ ବର୍ଷ ପୂର୍ବରୁ ପିତ୍ତଳ କାମ ଆରମ୍ଭ କରିଥିଲେ। ପ୍ରଥମେ, ତାଙ୍କ ବାପା ଏକ ଫଳ ଓ ପନିପରିବା ଠେଲା କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ପରିବାରକୁ ସହଯୋଗ କରିବା ଲାଗି ସେ ଏହି କାମକୁ ଗ୍ରହଣ କରିଥିଲେ। ଏହି ପିତ୍ତଳ କାରୀଗର ଜଣଙ୍କ କୁହନ୍ତି, ‘‘ଏଠି ସବୁଦିନ ଏକା ଭଳି ହୋଇଥାଏ; କିଛି ବି ବଦଳେ ନାହିଁ। ଆଜି ଆମେ ଯେଉଁଠି ୫୦୦ ଟଙ୍କା ରୋଜଗାର କରୁଛୁ, ୧୦ ବର୍ଷ ପୂର୍ବରୁ ୨୫୦ ଟଙ୍କା ରୋଜଗାର କରୁଥିଲୁ। ସେ ଦରବୃଦ୍ଧି ସମସ୍ୟା ବିଷୟରେ କୁହନ୍ତି।

ଅସଲମଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କର ଝିଅମାନେ ବାହା ହୋଇ ଯାଇଛନ୍ତି। ‘‘ମୋ ପୁଅର ବାହାଘର କରିବା ଏବଂ ପରିବାରରେ ଆଉ ଜଣେ ସଦସ୍ୟଙ୍କୁ ଆଣିବା ଲାଗି ଘରେ ଯଥେଷ୍ଟ ସ୍ଥାନ ନାହିଁ,’’ ସେ କୁହନ୍ତି।

*****

ପୀରଜାଦାରେ କାମ କରୁଥିବା କାରୀଗରଙ୍କ ପାଇଁ ଶୁକ୍ରବାର ଦିନ ସାପ୍ତାହିକ ଛୁଟି ହୋଇଥାଏ। ଜୁମ୍ମାବାର୍‌ ରେ ସବୁ ଭଟ୍ଟିଗୁଡ଼ିକ ବନ୍ଦ ରହିଥାଏ ଏବଂ ହାତୁଡ଼ି ଓ ସଣ୍ଢୁଆସୀ ଶବ୍ଦରେ କୋଳାହଳପୂର୍ଣ୍ଣ ହୋଇପଡ଼ୁଥିବା ସ୍ଥାନୀୟ ପରିବେଶ ସେଦିନ ଶାନ୍ତ ପଡ଼ିଯାଏ।

ଛୁଟିଦିନରେ ମହମ୍ମଦ ନଇମ ନାତିନାତୁଣୀଙ୍କ ସହ ଗୁଡ଼ି ଉଡାଇବା ପାଇଁ ତାଙ୍କ ଘରର ଛାତ ଉପରକୁ ଚଢ଼ିଯାଆନ୍ତି। ସେ କୁହନ୍ତି, “ଏହା ମୋତେ ଚାପ ମୁକ୍ତ କରିବାରେ ସାହାଯ୍ୟ କରେ।’’

ସପ୍ତାହର ବାକି ଦିନ ସେ ଏକ ସଂକୀର୍ଣ୍ଣ ଗଳିରେ ଥିବା ନିଜ କାରଖାନାରେ ବିତାଇଥା’ନ୍ତି। ଅସଲମ ଓ ଜାନଙ୍କ ଭଟ୍ଟିଠାରୁ ପାଦରେ ଚାଲି ଚାଲି ଗଲେ ଏହି ସ୍ଥାନକୁ ପ୍ରାୟ ପାଞ୍ଚ ମିନିଟ ଲାଗିଥାଏ। ୩୬ ବର୍ଷ ଧରି ସେ ଏହି କାମ କରିଆସୁଛନ୍ତି। ‘‘ଲୋକମାନେ ଏହି ପିତ୍ତଳ ଉତ୍ପାଦକୁ କାହିଁକି ପସନ୍ଦ କରୁଛନ୍ତି ତାହା ମୁଁ କେବେ ବୁଝିପାରିବି ନାହିଁ। ମୋ ନିଜ ପାଇଁ ମୁଁ କେବେହେଲେ ଗୋଟିଏ ଜିନିଷ ତିଆରି କରି ନାହିଁ,’’ ସେ କୁହନ୍ତି। ଅସଲମ ଓ ଜାନଙ୍କ ବିପରୀତ ତାଙ୍କୁ କାମକୁ ଯିବା ପାଇଁ ୨୦ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ ଏବଂ ଅନ୍ଧାର ଆସିବା ପୂର୍ବରୁ ଫେରି ଆସନ୍ତି। ସେ ଦୈନିକ ଯିବା ଆସିବା ପାଇଁ ପ୍ରାୟ ୮୦ ଟଙ୍କା ଖର୍ଚ୍ଚ କରନ୍ତି।

PHOTO • Aishwarya Diwakar
PHOTO • Aishwarya Diwakar

ମହମ୍ମଦ ନଇମ ଯେଉଁ ଭଟ୍ଟିରେ କାମ କରନ୍ତି, ସେଠାରେ ନିଆଁ ଲଗାଉଛନ୍ତି (ବାମ) ଏବଂ ଖାଲି ହାତରେ ଭାଟିରୁ ଛାଞ୍ଚ ବାହାର କରୁଛନ୍ତି

ଏହି ୫୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଅଧିକାଂଶ ସମୟରେ ଭାଟି ସମ୍ଭାଳିଥା’ନ୍ତି, ଅନ୍ୟପଟେ ତାଙ୍କର ତିନି ଜଣ ସହକର୍ମୀ ଢଳେଇ ଓ ମିଶ୍ରଣ କାମ କରନ୍ତି।

ସେମାନେ ପୂଜା କା ସାମାନ୍‌ (ପୂଜା ସାମଗ୍ରୀ) ତିଆରି କରୁଛନ୍ତି, ଯେଉଁଥିରେ ଦୀୟା (ଦୀପ), ଓମ୍‌ ଆକୃତିର ପ୍ରତୀକ ଏବଂ ଦୀପର ଆଧାର ଆଦି ସାମିଲ ରହିଛି। ଏସବୁ ମନ୍ଦିରରେ ବ୍ୟବହାର କରାଯାଏ, ନଇମ କୁହନ୍ତି।

‘‘ଆମେ ଦେଶର ସବୁ ମନ୍ଦିର ପାଇଁ ପିତ୍ତଳ ସାମଗ୍ରୀ ତିଆରି କରୁ ବୋଲି କହିଲେ ଉଚିତ୍‌ ହେବ,’’ ସେ ଆଙ୍ଗୁଠିରେ ବିଭିନ୍ନ ସ୍ଥାନର ନାମ ଗଣି ଗଣି କୁହନ୍ତି, ‘‘କେରଳ, ବନାରସ, ଗୁଜରାଟ ଏବଂ ଆହୁରି ବିଭିନ୍ନ ସ୍ଥାନ ପାଇଁ।’’

ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ସେଲସିୟସ୍ ଛୁଇଁଛି, କିନ୍ତୁ ଗରମ ସତ୍ତ୍ୱେ ନଇମ୍ ସମସ୍ତଙ୍କ ପାଇଁ କିଛି ଚା’ ତିଆରି କରିବାକୁ ଜିଦ୍ ଧରିଛନ୍ତି। ‘‘ମୁଁ ସବୁଠୁ ଭଲ ଚା’ ତିଆରି କରେ,’’ ଆଖିରେ ଚମକ ନେଇ ସେ କୁହନ୍ତି। ‘‘ଆପଣ କେବେ ଭଟ୍ଟିୱାଲି ଚାଏ ପିଇଛନ୍ତି କି?’’ ସେ ପରୀ ସାମ୍ବାଦିକମାନଙ୍କୁ ପଚାରନ୍ତି। ତାଙ୍କ ଚା’ର ବିଶେଷତ୍ୱ କ’ଣ, ସେ କୁହନ୍ତି, ଭଟ୍ଟି ର ଉତ୍ତାପରେ କ୍ଷୀର ଓ ଚା’ ଭଲ ଭାବେ ଫୁଟିଥାଏ।

ନଇମ ତାଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ପଦାଙ୍କ ଅନୁସରଣ କରି ଏଠାରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ତାଙ୍କ ପରିବାରର ପାରମ୍ପରିକ ବୃତ୍ତି ଥିଲା ପୋଷାକ ବିକ୍ରି। ‘‘ ୱ ନିକଲଗୟେ, ପର୍‌ ମେଁ ୟହିଁ ରେହ ଗୟା (ସେମାନେ ଏହି କାମ ଛାଡ଼ିଦେଲେ, କିନ୍ତୁ ମୁଁ ପଛରେ ପଡ଼ିଗଲି),’’ ସେ କୁହନ୍ତି ।

ନଇମ୍‌ ମଧ୍ୟ ଭାବନ୍ତି ଯେ ଦୈନିକ ୪୫୦-୫୦୦ ଟଙ୍କା ଯଥେଷ୍ଟ ନୁହେଁ ଏବଂ ପ୍ରାୟତଃ କାମ ଛାଡ଼ିଦେବାକୁ ବିଚାର କରନ୍ତି। ‘‘ଯଦି ମୋ ପାଖରେ ଟଙ୍କା ଥାଆନ୍ତା, ମୁଁ ପୋଷାକ ବିକ୍ରି କରିବାକୁ ଫେରି ଯାଇଥା’ନ୍ତି। ମୁଁ ସେହି କାମକୁ ଭଲ ପାଉଥିଲି। ଆପଣଙ୍କୁ କେବଳ ଦିନ ସାରା ଏକ ଆରାମଦାୟକ ଚେୟାରରେ ବସି ପୋଷାକ ବିକ୍ରି କରିବାକୁ ପଡ଼ିବ,’’ ସେ କୁହନ୍ତି।

PHOTO • Aishwarya Diwakar
PHOTO • Aishwarya Diwakar

ବାମ : ନଇମ  ଓ ତାଙ୍କର ସାଥୀ କାରୀଗରମାନେ ଦୀପ ଏବଂ ଓମ୍‌ ପ୍ରତୀକ ତିଆରି କରନ୍ତି ଯାହା ସାରା ଭାରତରେ ଥିବା ମନ୍ଦିରକୁ ଯାଏ। ଡାହାଣ : ଗୋଟିଏ ଓମ୍‌ ପ୍ରତୀକ ଛାଞ୍ଚ ଭିତରୁ ବାହାର କରାଯାଉଛି

PHOTO • Aishwarya Diwakar
PHOTO • Aishwarya Diwakar

ବାମ : ନିଜେ ଆକାର ଦେଇଥିବା ଗୋଟିଏ ଓମ୍‌କୁ ଧରିଛନ୍ତି ନଇମ୍‌। ଡାହାଣ : ନଇମ୍‌ ସଦ୍ୟ ତିଆରି କରିଥିବା ଚନ୍ଦନପିୟାଲି ଯାହା ପଲିସ୍‌ ହୋଇନାହିଁ

*****

ଏଠାକାର ଲୋକପ୍ରିୟ ପିତ୍ତଳ ଉଦ୍ୟୋଗକୁ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ ଏକ ଜିଲ୍ଲା ଏକ ଉତ୍ପାଦ’ ଯୋଜନାରେ ସାମିଲ କରାଯାଇଛି ଏବଂ ମୋରାଦାବାଦର ଧାତବ ହସ୍ତଶିଳ୍ପକୁ ୨୦୧୪ରେ ଭୌଗଳିକ ସଂକେତ (ଜିଆଇ) ଟ୍ୟାଗ ମିଳିଛି। କିନ୍ତୁ କାରୀଗରଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ।

ପିତ୍ତଳ ସାମଗ୍ରୀ ତିଆରି କରିବାରେ ଢଳେଇ କାମକୁ ସବୁଠାରୁ ପରିଶ୍ରମ ସାପେକ୍ଷ କାମ ବୋଲି ବିବେଚନା କରାଯାଏ। ଶ୍ରମିକମାନେ ଦୀର୍ଘ ସମୟ ଧରି ଚଟାଣରେ ବସି ରୁହନ୍ତି, କ୍ରମାଗତ ଭାବେ ଓଜନିଆ କଣ୍ଟେନର ଉଠାଇବା, ବାଲିକୁ ସମାନ ଭାବେ ଭରିବା ଏବଂ ନିଆଁ ପ୍ରତି ସତର୍କ ରହି ଚୁଲିରେ କୋଇଲା ଭର୍ତ୍ତି କରିବା ହାତ ଚଲେଇଥା’ନ୍ତି।

ଅଳ୍ପ ଆର୍ଥିକ ଲାଭ ସହିତ କଠିନ ପରିଶ୍ରମ କାରଣରୁ ଯୁବପିଢ଼ି ପିତ୍ତଳ ଢଳେଇ ଉଦ୍ୟୋଗଠାରୁ ଦୂରେଇ ଯାଉଛନ୍ତି।

ଯୁବକମାନେ ମୁଖ୍ୟତଃ ମୀନା କା କାମ୍‌ ବା ଧାତବ ପୃଷ୍ଠକୁ ରଙ୍ଗ କରିବା କାମରେ ନିୟୋଜିତ ହୋଇଥାନ୍ତି। ସେମାନେ କୁହନ୍ତି, ଏହା ଅଧିକ ସମ୍ମାନଜନକ କାମ, ଯେଉଁଠି ଆପଣଙ୍କୁ ନିଜ ପୋଷାକ ମଇଳା କରିବାକୁ ପଡ଼ିବ ନାହିଁ । ପ୍ୟାକିଂ, ସିଲେଇ, ଉତ୍ପାଦଗୁଡ଼ିକୁ ବାକ୍ସରେ ଭର୍ତ୍ତି କରିବା ଭଳି ନିଯୁକ୍ତିର ଅନ୍ୟାନ୍ୟ ସୁଯୋଗ ମଧ୍ୟ ରହିଛି ।

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ବାମ : ମୋରାଦାବାଦର ଅନେକ ଯୁବକ ଏହି କାମ କରିବାକୁ ଅନିଚ୍ଛୁକ ଥିବା ବେଳେ ମହମ୍ମଦ୍‌ ସୁଭାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କୋଭିଡ-୧୯ ଲକଡାଉନ୍‌ ସମୟରେ ସେ ନିଜ ସଞ୍ଚୟ ହରେଇ ଥିଲେ ଏବଂ ଅର୍ଥର ଅଭାବ ଦେଖା ଦେଇଥିଲା। ବିବାହ ଋତୁରେ ସେ ଜଣେ ବିଦ୍ୟୁତ ଶ୍ରମିକ ଭାବେ ମଧ୍ୟ କାମ କରିଥିଲେ। ଡାହାଣ : ସୁଭାନଙ୍କ ଦ୍ୱାରା ତିଆରି ହୋଇଥିବା ଦୀୟା (ଦୀପ) ସଦ୍ୟ ଭାଟିରୁ ବାହାରିଛି

PHOTO • Mohd Shehwaaz Khan
PHOTO • Mohd Shehwaaz Khan

ବାମ : ‘ମୁଁ ପରିବାରରେ ଆଠ ଜଣ ପିଲାଙ୍କ ମଧ୍ୟରେ ଦ୍ୱିତୀୟ ବଡ଼ ପୁଅ ଏବଂ ମୋତେ ମୋ ପରିବାର କଥା ବୁଝିବାକୁ ହେବ,’ ସୁଭାନ୍‌ କୁହନ୍ତି। ଡାହାଣ : ଭଟ୍ଟିରେ କାମ କରିବା ସମୟରେ ତାଙ୍କର ପାଦ ପୋଡ଼ି ଯାଇଥିଲା କିନ୍ତୁ ଗୋଟିଏ ଦିନ ପରେ ସେ କାମକୁ ଫେରିଥିଲେ

୨୪ ବର୍ଷ ବୟସ୍କ ପିତ୍ତଳ କାରୀଗର ମହମ୍ମଦ ସୁଭାନ୍‌ ତାଙ୍କ ପରିବାର ଚଳେଇବା ପାଇଁ ଦୁଇଟି କାମ କରନ୍ତି। ଦିନ ବେଳା ସେ ପିତ୍ତଳ କାମ କରି ୩୦୦ ଟଙ୍କା ରୋଜଗାର କରନ୍ତି। ଆଉ ଯେତେବେଳେ ବାହାଘର ଋତୁ ଆରମ୍ଭ ହୋଇଥାଏ ସେ ଜଣେ ବିଦ୍ୟୁତ ଶ୍ରମିକ ଭାବେ କାମ କରି ପ୍ରତ୍ୟେକ ବାହାଘରରେ ଆଲୋକସଜ୍ଜା ପାଇଁ ୨୦୦ ଟଙ୍କା ଲେଖାଏଁ ରୋଜଗାର କରନ୍ତି। ‘‘ଅର୍ଥାଭାବ ସମୟରେ ଏହି କାମ (ପିତ୍ତଳ ଢଳେଇ) ଛାଡ଼ିଦେବା କୌଣସି ବିକଳ୍ପ ନୁହେଁ,’’ ସେ କୁହନ୍ତି ।

ଜଣେ ରିକ୍ସା ଚାଳକଙ୍କ ପୁଅ ହୋଇଥିବାରୁ ମାତ୍ର ୧୨ ବର୍ଷ ବୟସରେ ସେ କାମ କରିବା ଆରମ୍ଭ କରି ଦେଇଥିଲେ। ‘‘ଆଠ ଜଣ ପିଲାଙ୍କ ମଧ୍ୟରେ ମୁଁ ଦ୍ୱିତୀୟ ବଡ଼ ପୁଅ ଏବଂ ମୋତେ ପରିବାର ଚଳେଇବାକୁ ପଡ଼ିବ,’’ ସୁଭାନ୍‌ କୁହନ୍ତି । ‘‘କୋଭିଡ-୧୯ ଲକଡାଉନ ସମୟରେ ମୁଁ ମୋର ସମସ୍ତ ସଞ୍ଚିତ ଅର୍ଥ ହରେଇ ଥିଲି ଏବେ ଏ କାମ ଛାଡ଼ିବା କଷ୍ଟକର ହୋଇଯାଇଛି।’’

ସୁଭାନ୍‌ ଜାଣନ୍ତି ଯେ ସେ ଏକାକୀ ନୁହନ୍ତି। ‘‘ଏଠାରେ ମୋ ଭଳି ଅନେକ ଯୁବକ ରହିଛନ୍ତି ଯେଉଁମାନେ ଦୁଇଟି କାମ କରୁଛନ୍ତି । ଅଗର ପରେସାନି ଆତି ହୈ, ତୋ କୁଛ ତୋ କରନା ପଡ଼େଗା (ଯଦି ସମସ୍ୟା ଆସେ, କିଛି ତ’ କରିବାକୁ ହେବ),’’ ସେ କୁହନ୍ତି।

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ଠାରୁ ମିଳିଥିବା ଏକ ଫେଲୋସିପ୍‌ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Mohd Shehwaaz Khan

ମହମ୍ମଦ ଶାହୱାଜ ଖାନ ଦିଲ୍ଲୀରେ ରହୁଥିବା ଜଣେ ସାମ୍ବାଦିକ। ଫିଚର ଲେଖିବା ପାଇଁ ସେ ଲାଡଲି ମିଡିଆ ପୁରସ୍କାର ୨୦୨୩ ଜିତିଥିଲେ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ ଅଟନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Mohd Shehwaaz Khan
Shivangi Pandey

ଶିବାଙ୍ଗୀ ପାଣ୍ଡେ ନୂଆଦିଲ୍ଲୀରେ ରହୁଥିବା ଜଣେ ସାମ୍ବାଦିକ ଏବଂ ଅନୁବାଦକ। ଭାଷାର କ୍ଷୟ ଜନସାଧାରଣଙ୍କ ସ୍ମୃତି ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ସେ ଆଗ୍ରହୀ | ଶିବାଙ୍ଗୀ ୨୦୨୩ର ପରୀ-ଏମଏମଏଫ ଫେଲୋ ଅଟନ୍ତି। ସେ ଅନୁବାଦ କ୍ଷେତ୍ରରେ ଦକ୍ଷିଣ ଏସିଆ ସାହିତ୍ୟ ପାଇଁ ଆର୍ମୋରୀ ସ୍କୋୟାର ଭେଞ୍ଚର୍ସ ପୁରସ୍କାର ୨୦୨୪ ପାଇଁ ଚୟନ ହୋଇଥିଲେ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shivangi Pandey
Photographer : Aishwarya Diwakar

ଐଶ୍ୱର୍ଯ୍ୟା ଦିୱାକର ହେଉଛନ୍ତି ଉତ୍ତରପ୍ରଦେଶର ରାମପୁରରେ ବାସ କରୁଥିବା ଜଣେ ଲେଖିକା ଏବଂ ଅନୁବାଦକ। ସେ ରୋହିଲଖଣ୍ଡର ମୌଖିକ ଏବଂ ସାଂସ୍କୃତିକ ଇତିହାସ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ସମ୍ପ୍ରତି ଆଇଆଇଟି ମାଡ୍ରାସରେ ଏକ ଊର୍ଦ୍ଦୁ ଭାଷାର ଏଆଇ ପ୍ରୋଗ୍ରାମରେ କାର୍ଯ୍ୟ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Aishwarya Diwakar
Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE