କୁଦରେମୁଖ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ଘେରା ପାହାଡ଼ିଆ ଅଞ୍ଚଳରେ ଐତିହାସିକ ଭାବେ ବନବାସୀ ରୂପେ ରହି ଆସୁଥିବା ସମ୍ପ୍ରଦାୟଗୁଡ଼ିକ ଅତ୍ୟାବଶ୍ୟକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଏମାନଙ୍କ ମଧ୍ୟରେ କୁତଲୁରୁ ଗାଁରେ ରହୁଥିବା ମାଲେକୁଡ଼ିୟା ସମ୍ପ୍ରଦାୟ ମଧ୍ୟ ସାମିଲ ରହିଛି, ଯେଉଁମାନଙ୍କର ୩୦ଟି ଘରକୁ ଆଜି ସୁଦ୍ଧା ବିଦ୍ୟୁତ ସଂଯୋଗ କିମ୍ବା ଜଳଯୋଗାଣ ହୋଇପାରିନାହିଁ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ଅନ୍ତର୍ଗତ ବେଲତାଙ୍ଗଡ଼ି ତାଲୁକାର ଅଧୀନରେ ଆସୁଥିବା କୁତଲୁରୁର ଚାଷୀ ଶ୍ରୀଧର ମାଲେକୁଡ଼ିୟା କୁହନ୍ତି, ‘‘ସ୍ଥାନୀୟ ଲୋକଙ୍କ ପାଇଁ ଖୁବ ଅଧିକ ବିଦ୍ୟୁତ ଚାହିଦା ରହିଛି।’’

ଆଠ ବର୍ଷ ପୂର୍ବରୁ, ଶ୍ରୀଧର ତାଙ୍କ ଘରକୁ ଆଲୋକିତ କରିବା ଲାଗି ଗୋଟିଏ ପିକୋ ହାଇଡ୍ରୋ ଜେନେରେଟର୍‌ କିଣିଥିଲେ।  ତାଙ୍କ ଭଳି ଗାଁର ଅନ୍ୟ ୧୧ଟି ପରିବାର ସେମାନଙ୍କର ନିଜସ୍ୱ ବିଦ୍ୟୁତ ଉତ୍ପାଦନ ଲାଗି ଜେନେରେଟର୍‌ କିଣିଛନ୍ତି। ‘‘ଅନ୍ୟ ଘରଗୁଡ଼ିକରେ କିଛି ନାହିଁ - ବିଦ୍ୟୁତ, ଜଳବିଦ୍ୟୁତ, କିମ୍ବା ଜଳ ଯୋଗାଣ ଆଦୌ ନାହିଁ।’’ ବର୍ତ୍ତମାନ ଗାଁର ୧୫ଟି ଘରେ ପିକୋ ହାଇଡ୍ରୋ ମେସିନରୁ ଜଳ ବିଦ୍ୟୁତ ଉତ୍ପାଦନ ହେଉଛି । କ୍ଷୁଦ୍ର ଜଳ ଟର୍ବାଇନରୁ ୧ କିଲୋୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥାଏ ଯାହାକି ଗୋଟିଏ ଘରେ କେତୋଟି ବଲ୍‌ବ୍‌ ଜଳିବା ପାଇଁ ଯଥେଷ୍ଟ ।

ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ ହେବାର ୧୮ ବର୍ଷ ପୂରି ଯାଇଥିଲେ ସୁଦ୍ଧା କୁଦରେମୁଖ ଜାତୀୟ ଉଦ୍ୟାନରେ ରହୁଥିବା ଲୋକମାନଙ୍କ ପାଇଁ ଏହି ଆଇନ ଅଧୀନରେ ଅନୁମୋଦନ କରାଯାଇଥିବା ଜଳଯୋଗାଣ, ସଡ଼କ, ବିଦ୍ୟାଳୟ ଓ ଡାକ୍ତରଖାନା ଭଳି ମୌଳିକ ସୁବିଧା ମିଳି ପାରିନାହିଁ । ସେଥିମଧ୍ୟରୁ ବିଦ୍ୟୁତ ଏପରି ଏକ ସୁବିଧା, ଯାହା ପାଇଁ ଅନୁସୂଚିତ ଜନଜାତିର ମାଲେକୁଡ଼ିୟା ସମ୍ପ୍ରଦାୟ ଲୋକମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି।

ଭିଡ଼ିଓ ଦେଖନ୍ତୁ :  ‘ବିଦ୍ୟୁତ ସଂଯୋଗ ନଥିଲେ ଲୋକଙ୍କ ଚଳିବା କଷ୍ଟକର’

ଉପସଂହାର : ୨୦୧୭ରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା। କୁତଲୁରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରହିଛି ।

ଅନୁବାଦ : ଓଡ଼ିଶାଲାଇଭ୍‍

Vittala Malekudiya

ଭିଟ୍ଟଲ ମାଲେକୁଡ଼ିୟା ଜଣେ ସାମ୍ବାଦିକ ଏବଂ ୨୦୧୭ର ପରୀ ସଦସ୍ୟ । ସେ ଦକ୍ଷିଣ କନ୍ନଡ଼ ଜିଲ୍ଲାର ବେଲତାଙ୍ଗଡ଼ି ତାଲୁକରେ ଥିବା କୁଦ୍ରେମୁଖ ଜାତୀୟ ଉଦ୍ୟାନ ଅନ୍ତର୍ଗତ କୁତଲୁରୁ ଗ୍ରାମର ବାସିନ୍ଦା ଏବଂ ବନବାସୀ ଜନଜାତି ମାଲେକୁଡ଼ିୟା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି । ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ସେ ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ଏବେ କନ୍ନଡ଼ ଦୈନିକ, ‘ପ୍ରଜାବାଣୀ’ର ବେଙ୍ଗାଲୁରୁ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Vittala Malekudiya
Editor : Vinutha Mallya

ବିନୁତା ମାଲ୍ୟା ଜଣେ ସାମ୍ବାଦିକା ଓ ସମ୍ପାଦିକା। ପୂର୍ବରୁ ସେ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆର ସମ୍ପାଦକୀୟ ମୁଖ୍ୟ ଥିଲେ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Vinutha Mallya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE