୨୦୨୩ ଜୁନ୍ ମଧ୍ୟ ଭାଗରେ ଅଜିମ୍ ଶେଖ୍ ପାଞ୍ଚ ଦିନ ଧରି ଔରଙ୍ଗାବାଦ ଉପଖଣ୍ଡ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ଅନାହାର ଅନଶନରେ ବସି ରହିଥିଲେ।
ଅସହ୍ୟ ଗରମ ସତ୍ତ୍ୱେ ୨୬ ବର୍ଷ ବୟସ୍କ ଅଜିମ କେବଳ ପାଣି ବ୍ୟତୀତ ଆଉ କିଛି ଗ୍ରହଣ କରିନଥିଲେ। ଅନଶନ ଶେଷ ପର୍ଯ୍ୟାୟରେ ସେ ଦୁର୍ବଳ ହୋଇଯାଇଥିଲେ। ଥକି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଘୂରାଉଥିଲା। ଏପରିକି ସିଧା ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା।
ତାଙ୍କର ଦାବି କ’ଣ? ସେ କେବଳ ପୁଲିସ ନିକଟରେ ଏକ ଅଭିଯୋଗ ଦାଖଲ କରିବାକୁ ଚାହୁଁଥିଲେ। କିନ୍ତୁ ଔରଙ୍ଗାବାଦଠାରୁ ପ୍ରାୟ ୮୦ କିଲୋମିଟର ଦୂର ଜାଲନା ଜିଲ୍ଲାରେ ଥିବା ତାଙ୍କ ଗାଁ ପାଖ ସ୍ଥାନୀୟ ପୁଲିସ ଷ୍ଟେସନ ଅଭିଯୋଗକୁ ଗ୍ରହଣ କରୁନଥିଲା।
ଗତ ବର୍ଷ ୧୯ ମେ ୨୦୨୩ରେ ମରାଠା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସୋନାୱନେ ପରିବାର ସଦସ୍ୟମାନେ ରାତି ୧୧ଟା ବେଳେ ଅଜିମଙ୍କ ଘରେ ପ୍ରବେଶ କରି ତାଙ୍କ ପରିବାର ଲୋକଙ୍କୁ ଲାଠି ଓ ପଥର ମାଡ଼ କରିଥିଲେ। ଏଥିରେ ତାଙ୍କ ଭାଇ ଓ ବାପା-ମା’ ଆହତ ହୋଇଥିଲେ। ସେ ପରୀକୁ କହିଥିଲେ, ‘‘ମୋ ବୁଢ଼ୀ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏହା ଅତି ବର୍ବର ଆକ୍ରମଣ ଥିଲା। ସେମାନେ ଘର ଭିତରୁ ଅଳଙ୍କାର ଓ ନଗଦ ୧.୫ ଲକ୍ଷ ଟଙ୍କାରୁ ଅଧିକ ଚୋରାଇ ନେଇଥିଲେ।’’
ଆକ୍ରମଣକାରୀଙ୍କ ମଧ୍ୟରେ ସାମିଲ ଥିବା ନୀତିନ ସୋନାୱନେଙ୍କୁ ଯେତେବେଳେ ଏହି ରିପୋର୍ଟର ଯୋଗାଯୋଗ କରିଥିଲେ, ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇ କହିଥିଲେ, ମୁଁ ଏ ଘଟଣା ବିଷୟରେ କିଛି ଜାଣିନାହିଁ।’’
ମଧ୍ୟ ମହାରାଷ୍ଟ୍ରର ଭୋକରଦାନ ତାଲୁକା ଅଧୀନରେ ଅଜିମଙ୍କ ଗାଁ ପଲସଖେଡ଼ା ମୁର୍ତଡ଼ ରହିଛି । ଗାଁର ଜନବସତି ଠାରୁ ଦୁଇ କିଲୋମିଟର ଦୂରରେ ଥିବା ୮ ଏକର ଚାଷ ଜମିରେ ଅଜିମଙ୍କ ଘର ନିର୍ମିତ ହୋଇଛି।
ସେ କୁହନ୍ତି, ‘‘ରାତି ବେଳା ଏଠାରେ ଏକାନ୍ତ ଓ ଶାନ୍ତ ପରିବେଶ ଥାଏ। ଆମେ ସହାୟତା ପାଇଁ କାହାକୁ ଫୋନ୍ ସୁଦ୍ଧା କରିପାରିଲୁ ନାହିଁ।’’
ବ୍ୟବସାୟିକ ଶତ୍ରୁତା କାରଣରୁ ଆକ୍ରମଣ କରାଯାଇଥିବା ଅଜିମ ସନ୍ଦେହ କରୁଛନ୍ତି । ଗାଁରେ ଏ ଦୁଇ ପରିବାର ଜେସିବି ମେସିନ ଚଳାଇଥାନ୍ତି। ଅଜିମ କୁହନ୍ତି, ‘‘ନିକଟରେ ଏକ ବନ୍ଧ (ଜୁଇ) ରହିଛି। ଗାଁର ଚାଷୀମାନେ ଭଲ ଫସଲ ପାଇଁ ଜଳପ୍ଳାବିତ କ୍ଷେତ୍ର (କ୍ୟାଚମେଣ୍ଟ ଅଞ୍ଚଳ)ରୁ ପଟୁ ଆଣି ନିଜ ଜମିରେ ଖେଳାଇଥା’ନ୍ତି। ଆମ କାମ ହେଉଛି ଚାଷୀଙ୍କ ପାଇଁ ପଟୁ ଖୋଳିବା।’’
ଉଭୟ ପରିବାର ପଟୁ ବାହାର କରିବା ଲାଗି ଚାଷୀଙ୍କଠାରୁ ଘଣ୍ଟା ପ୍ରତି ୮୦ ଟଙ୍କା ନେଇଥାନ୍ତି। ଅଜିମ କୁହନ୍ତି, ‘‘ମୁଁ ଦର କମାଇ ଘଣ୍ଟା ପ୍ରତି ୭୦ ଟଙ୍କା କରି ଦେବା ପରେ, ମୋତେ ଅଧିକ କାମ ମିଳିବା ଆରମ୍ଭ ହୋଇଯାଇଥିଲା। ଏହାପରେ ମୋତେ ଧମକ ଦିଆଗଲା। ହେଲେ ମୁଁ ଦର ନବଢ଼ାଇବାରୁ ମୋ ଘର ଉପରେ ଆକ୍ରମଣ ହେଲା। ସେମାନେ ଘର ଆଗରେ ଛିଡ଼ା ହୋଇଥିବା ଜେସିବି ମେସିନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।’’
ପରଦିନ ସକାଳେ ଅଜିମ ଭୋକରଦାନ ପୁଲିସ ଷ୍ଟେସନକୁ ଯାଇଥିଲେ, ଏହି ତାଲୁକାରେ ତାଙ୍କ ଗାଁ ଅବସ୍ଥିତ । ତେବେ ପୁଲିସ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରିବାକୁ ମନା କରି ଦେଇଥିଲା। ସେଦିନ କଥା ମନେ ପକାଇ ସେ କୁହନ୍ତି, ଏହା ପରିବର୍ତ୍ତେ, ‘‘ପୁଲିସ ମୋତେ ଧମକାଇଥିଲା। ସେହି ପରିବାର ବିରୋଧରେ ଅଭିଯୋଗ କଲେ ମୋର ଅସୁବିଧା ହେବ ବୋଲି କହିଥିଲା। କାରଣ ସେମାନଙ୍କର ରାଜନୈତିକ ସମ୍ପର୍କ ରହିଥିଲା।’’
ଅଜିମ କୁହନ୍ତି, ତାଙ୍କ ଅଭିଯୋଗ ବିଧିବଦ୍ଧ ଭାବେ ଗ୍ରହଣ କରାଯାଉ ବୋଲି ଯେତେବେଳେ ସେ ଜୋର ଦେଇ କହିଥିଲେ, ପୁଲିସ ତାଙ୍କୁ ଚେତାବନୀ ଦେଇ କହିଥିଲା ଯେ ଅପରପକ୍ଷ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କଲେ ତାଙ୍କୁ ଗାଁରୁ ବାହାର କରି ଦିଆଯିବ।
‘‘ ହି କସଲି ଲ’ ଏଣ୍ଡ ଅର୍ଡର (ଏହା କିଭଳି ଆଇନ ବ୍ୟବସ୍ଥା)? ଏହା ଯୋଜନାବଦ୍ଧ ଆକ୍ରମଣ ଥିଲା, ଯେଉଁଥିରେ ୨୫-୩୦ ଜଣ ଲୋକ ମୋ ଘର ଭିତରେ ପ୍ରବେଶ କରିଥିଲେ ଏବଂ ସବୁକିଛି ନଷ୍ଟ କରି ଦେଇଥିଲେ। ଏହା ଅତ୍ୟନ୍ତ ଭୟାବହ ଓ ଯନ୍ତ୍ରଣାଦାୟକ ଥିଲା।
ଅଜିମଙ୍କ ପାଇଁ ଏହା ସିଦ୍ଧାନ୍ତର ବିଷୟ ଥିଲା। ତାଙ୍କ ଆତ୍ମସମ୍ମାନ ସହ ଯୋଡ଼ି ହୋଇ ରହିଥିଲା। ମରାଠା ପରିବାର ସହଜରେ ବର୍ତ୍ତିଯିବ ଏହାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ, ସେଥିପାଇଁ ‘‘ମୁଁ ପଛକୁ ହଟିଲି ନାହିଁ। ସେମାନେ ଏଫଆଇଆର ଦାଖଲ କରିବାକୁ ରାଜି ନହେବା ପର୍ଯ୍ୟନ୍ତ ମୁଁ ପୁଲିସ ଷ୍ଟେସନରେ ଅଭିଯୋଗ ଜାରି ରଖିବାକୁ ନିଷ୍ପତ୍ତି ନେଲି।’’
ଶେଷରେ ପୁଲିସ ମାନିଲା, ସେମାନେ ଅଜିମଙ୍କୁ କହିଲେ ଯେ ଏଫଆଇଆରରେ ସବୁ ବିବରଣୀ ରହିବ ନାହିଁ। ତା’କୁ ସାମାନ୍ୟ ହାଲୁକା ରଖାଯିବ। ସେ କୁହନ୍ତି, ‘‘ପୁଲିସ ଅଭିଯୋଗର ସେହି ଭାଗକୁ ସାମିଲ କରିବାକୁ ମନା କରି ଦେଲା ଯେଉଁଥିରେ ଦର୍ଶାଯାଇଥିଲା ଯେ ସେମାନେ ଆମ ନଗଦ ଟଙ୍କା ଓ ଅଳଙ୍କାର ଚୋରାଇ ନେଇଛନ୍ତି । ମୁଁ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି।’’
ତେଣୁ, ସେ ଗ୍ରାମ ପଞ୍ଚାୟତକୁ ଗଲେ ଏବଂ ଗାଁର ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କ ସାମ୍ନାରେ ନିଜ ମାମଲା ଉପସ୍ଥାପନ କଲେ। ଅଜିମଙ୍କ ପରିବାର ଅନେକ ପି ଢ଼ି ଧରି ଗାଁରେ ରହି ଆସୁଥିଲା। ସେ ଗାଁର ବାକି ଲୋକମାନେ ତାଙ୍କୁ ସମର୍ଥନ ଯୋଗାଇ ଦେବେ ବୋଲି ସେ ଆଶ୍ୱସ୍ତ ଥିଲେ। ସେ କୁହନ୍ତି, ‘‘ଗାଁ ଲୋକଙ୍କ ସହିତ ମୋର ଭଲ ସମ୍ପର୍କ ଥିଲା। ସେମାନେ ମୋତେ ସମର୍ଥନ କରିବେ ବୋଲି ମୋର ବିଶ୍ୱାସ ଥିଲା।’’
ଅଜିମ ସବୁ ବିବରଣୀ ସହିତ ନିଜ ମାମଲା ଛାପିଲେ ଏବଂ ଗାଁ ଲୋକଙ୍କୁ ଏକଜୁଟ୍ ହୋଇ ଏଥିରେ ଦସ୍ତଖତ କରିବା ପାଇଁ ନିବେଦନ କଲେ। ସେ ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲେ ଏବଂ ଏହାକୁ ଔରଙ୍ଗାବାଦ ଉପଖଣ୍ଡ ଆୟୁକ୍ତ (ଡିସି)ଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହୁଁଥିଲେ ଯିଏକି ସମ୍ପୂର୍ଣ୍ଣ ମରାଠାୱାଡ଼ା କ୍ଷେତ୍ରର ଦାୟିତ୍ୱରେ ଥିଲେ।
ମାତ୍ର ୨୦ ଜଣ ଲୋକ ପତ୍ରରେ ଦସ୍ତଖତ କଲେ - ସମସ୍ତେ ମୁସଲମାନ। ‘‘କିଛି ଲୋକ ବ୍ୟକ୍ତିଗତ ଭାବେ ମୋତେ କହିଥିଲେ ଯେ ସେମାନେ ମୋ ସହ ଅଛନ୍ତି କିନ୍ତୁ ଏହାକୁ ଖୋଲାଖୋଲି ପ୍ରକାଶ କରିବାକୁ ଡରୁଛନ୍ତି।’’
ଆଉ ଠିକ୍ ଏହି ସମୟରେ ଗାଁରେ ଥିବା ପାରସ୍ପରିକ ବିଦ୍ୱେଷ ଖୋଲାଖୋଲି ଭାବେ ବାହାରକୁ ଆସିଥିଲା। ଅଜିମ କୁହନ୍ତି, ‘‘ଗାଁ ସାମ୍ପ୍ରଦାୟିକତା ଆଧାରରେ ଏତେ ଭାଗ ଭାଗ ହୋଇ ରହିଛି ବୋଲି ମୁଁ ଭାବି ପାରିନଥିଲି।’’ ଅନେକ ହିନ୍ଦୁ ଏ ମାମଲାରେ ଖୋଲାଖୋଲି ଭାବେ ମତ ରଖିବାକୁ ପ୍ରସ୍ତୁତ ନଥିଲେ, ଆଉ ଯେଉଁମାନେ ପ୍ରସ୍ତୁତ ହେଲେ ନାହିଁ ସେମାନେ ସମର୍ଥନ ନ ଦେବା ପଛରେ ଧାର୍ମିକ ଆଧାର ରହିଥିବା କିମ୍ବା କୌଣସି ପ୍ରକାର ଘୃଣା ରହିଥିବା କଥାକୁ ସ୍ୱୀକାର କରିନଥିଲେ।
ହିନ୍ଦୁ ଚାଷୀମାନେ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଥିଲେ ଯେ ସେମାନେ ପ୍ରତିଶୋଧ ଭୟରେ କୌଣସି ପକ୍ଷକୁ ସମର୍ଥନ କରିପାରିବେ ନାହିଁ। ସେମାନଙ୍କ କହିବା କଥା ଥିଲା, ପରିସ୍ଥିତି ଗମ୍ଭୀର ହୋଇଥିବାରୁ ସେମାନେ କୌଣସି ପରିସ୍ଥିତିରେ ଫସିବାକୁ ଚାହୁଁନାହାନ୍ତି।
ଭଗୱାନ ସୋନାୱନେ (୬୫) ୨୦ ବର୍ଷ ଧରି ଗାଁର ସରପଞ୍ଚ ଅଛନ୍ତି। ସେ କୁହନ୍ତି, ସେତେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ଥିଲା, କିନ୍ତୁ ଏବେ ସବୁ ଠିକ୍ ହୋଇଯାଇଛି। ସେ ଆହୁରି କହିଥା’ନ୍ତି, ‘‘ସ୍ୱାଭାବିକ ଭାବେ ଦୁଇଟି ଭିନ୍ନ ଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଝଗଡ଼ା ହେଲେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଗାଁ ଉପରେ ପଡ଼ିବ।’’
ନିଜେ ଜଣେ ମରାଠା ହୋଇଥିବା ସୋନାୱନେ କୁହନ୍ତି, ‘‘ଏହି ଘଟଣାରେ ଅଜିମଙ୍କର କୌଣସି ଭୁଲ ନଥିଲା। କିନ୍ତୁ ଗାଁ ଲୋକମାନେ ନିଜ ହିସାବରେ ରହିବାକୁ ପସନ୍ଦ କରିଥିଲେ ଏବଂ ଏହି ମାମଲାରେ ପଡ଼ିବାକୁ ଚାହୁଁନଥିଲେ। ଶେଷ ଥର ପାଇଁ ଆମ ଗାଁରେ ହିନ୍ଦୁ-ମୁସଲମାନ ବିବାଦ ୧୫ ବର୍ଷ ତଳେ ହୋଇଥିଲା।’’ ସେ ଆହୁରି କହିଥା’ନ୍ତି, ‘‘ଏହି ଘଟଣା ଘଟିବା ପର୍ଯ୍ୟନ୍ତ ଶାନ୍ତି ବଜାୟ ରହିଥିଲା।’’
ପଲସଖେଡ଼ା ମୁର୍ତ୍ତଡ଼ ଗାଁ ଜାଲନା ଜିଲ୍ଲାର ବାକି ଅଞ୍ଚଳ ଏପରିକି ସାରା ମହାରାଷ୍ଟ୍ରରେ ନିଜର ଶାନ୍ତି ପାଇଁ ପରିଚିତ ଥିଲା, ହେଲେ ଏଠାକାର ସାମ୍ପ୍ରଦାୟିକ ସଦ୍ଭାବନା ଏବେ ନଷ୍ଟ ହୋଇସାରିଛି ।
ଗତ ବର୍ଷ, ୨୬ ମାର୍ଚ୍ଚ ୨୦୨୩ରେ ଧାର୍ମିକ ବିଦ୍ୱାନ ସୟୈଦ ଜାକିର ଖଜାମିୟା ଜାଲନା ଜିଲ୍ଲାରେ ଥିବା ନିଜ ଗାଁ ଅନୱାର ମସଜିଦରେ ଶାନ୍ତ ଭାବେ ବସି କୋରାନ୍ ପଢ଼ୁଥିଲେ। ଜାକିର (୨୬) ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ‘‘ଠିକ୍ ଏହି ସମୟରେ ତିନି ଜଣ ଅପରିଚିତ ମୁଖା ପିନ୍ଧା ଲୋକ ମସଜିଦ୍କୁ ଆସିଥିଲେ ଏବଂ ତାଙ୍କୁ ଜୟଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ। ମୁଁ ସେମାନଙ୍କ କଥା ନମାନିବାରୁ ସେମାନେ ମୋ ଛାତିରେ ଗୋଇଠା ମାରିଥିଲେ, ମୋତେ ମାଡ଼ ମାରିଥିଲେ ଏବଂ ମୋ ଦାଢ଼ିକୁ ମଧ୍ୟ ଟାଣିଥିଲେ।’’
ତାଙ୍କ ବୟାନ ମୁତାବକ ମୁହଁରେ କଳା କପଡ଼ା ପିନ୍ଧିଥିବା ସେହି ଲୋକମାନେ ତାଙ୍କୁ ଲଗାତର ପିଟି ଚାଲିଥିଲେ। ଏଥିରେ ସେ ଅଚେତ ହୋଇଯାଇଥିଲେ। ଏହାପରେ ସେମାନେ ତାଙ୍କ ଦାଢ଼ି କାଟି ଦେଇଥିଲେ। ବର୍ତ୍ତମାନ ଏଠାରୁ ୧୦୦ କିଲୋମିଟର ଦୂର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି।
ତାଙ୍କର ଅନୁଭୂତି ଅସ୍ୱାଭାବିକ ନଥିଲା। ପଡ଼ୋଶୀ ଗାଁର ମୁଖିଆ ଅବଦୁଲ ସତ୍ତାର କୁହନ୍ତି, ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି । ‘‘ମୁସଲମାନ ସମ୍ପ୍ରଦାୟକୁ ଆଶ୍ୱସ୍ତ କରିବା ଲାଗି ପୁଲିସ କିଛି କରିନଥିଲା। ଏପରି ଘଟଣା ସମ୍ପର୍କରେ ସେତେଟା ରିପୋର୍ଟ ହୋଇନଥାଏ, କିନ୍ତୁ ବର୍ତ୍ତମାନ ଏହା ଆମ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଯାଇଛି।’’
ସପ୍ତଦଶ ଶତାବ୍ଦୀର ମୋଗଲ ଶାସକ ଔରଙ୍ଗଜେବର ଫଟୋ ଅପଲୋଡ୍ କରିବା ଦ୍ୱାରା ‘‘ମନ୍ଦ ଉଦ୍ଦେଶ୍ୟ ରଖି ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା’’ ନେଇ ଜାଲନା ପୁଲିସ ୧୯ ଜୁନ୍ ୨୦୨୩ରେ ଜଣେ କ୍ଷୁଦ୍ର ଚାଷୀଙ୍କ ପୁଅ ୧୮ ବର୍ଷ ବୟସ୍କ ତୌଫିକ୍ ବାଗବାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ତାଙ୍କ ବଡ଼ ଭାଇ ୨୬ ବର୍ଷ ବୟସ୍କ ଶଫିକ୍ କୁହନ୍ତି ଯେ ତାଙ୍କ ଗାଁ ହସନାବାଦରେ ଦକ୍ଷିଣପନ୍ଥୀ ଗୋଷ୍ଠୀମାନେ ତୌଫିକଙ୍କ ଷ୍ଟୋରୀର ସ୍କ୍ରିନ୍ସଟ୍ ନେଇଥିଲେ ଏବଂ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ‘‘ଫଟୋ କିଏ ଅପଲୋଡ୍ କରିଛି ତାହା ଯାଞ୍ଚ କରିବ କହି ପୁଲିସ ତୌଫିକଙ୍କ ଫୋନ୍ ଛଡ଼ାଇ ନେଇଥିଲା। ମୋ ଭାଇର ବୟସ ଏବେ ୧୮ ବର୍ଷ। ସେ ଭୟଭୀତ ଓ ଚିନ୍ତିତ ହୋଇପଡ଼ିଛି।’’
ହସନାବାଦ ମଧ୍ୟ ସମାନ ତାଲୁକା ଭୋକରଦାନରେ ରହିଛି, ଯେଉଁଠି ଅଜିମଙ୍କ ଗାଁ ଅବସ୍ଥିତ। ସାମାଜିକ ଗଣମାଧ୍ୟମ ପୋଷ୍ଟ ବିରୋଧରେ ଏଫଆଇଆର ରୁଜୁ କ୍ଷେତ୍ରରେ ପୁଲିସର ସହଯୋଗ ଓ ସକ୍ରିୟତା ସେହି ଭୟାନକ ଆକ୍ରମଣ ମାମଲାଠାରୁ ସମ୍ପୂର୍ଣ୍ଣ ବିପରୀତ ଥିଲା, ଯାହାକୁ ଅଜିମ୍ ସହିଥିଲେ।
କୋହଳ ଏଫଆଇଆର ରୁଜୁ କରିବ ବୋଲି ପୁଲିସ ଯେତେବେଳେ ଅଜିମଙ୍କୁ କହିଥିଲା, ସେ ୨୦ ଜଣ ମୁସଲିମ ଗାଁ ଲୋକଙ୍କ ଦସ୍ତଖତ ଥିବା ଏକ ପତ୍ର ନେଇ ଔରଙ୍ଗାବାଦ ଡିସିଙ୍କ ଆଗରେ ଉପସ୍ଥାପନ କରିଥିଲେ। ଗାଁର କିଛି ମୁସଲମାନ ଚାଷୀ ତାଙ୍କ ସହିତ ଅନାହାର ଅନଶନରେ ଯୋଗ ଦେଇଥିଲେ। ସେ କୁହନ୍ତି, ‘‘ଲାଗୁଛି ଆମର କିଛି ଗୁରୁତ୍ୱ ନାହିଁ। ପ୍ରଶାସନ ଆମ ପ୍ରତି ଆଖି ବୁଜି ଦେଇଛି ।
ପାଞ୍ଚ ଦିନ ପରେ, ଡିସି ଅଜିମ ଓ ଅନ୍ୟ ପ୍ରଦର୍ଶନକାରୀଙ୍କୁ ଭେଟିଥିଲେ ଏବଂ ତାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ ଜାଲନା ପୁଲିସ ଅଧିକ୍ଷକଙ୍କୁ ଭେଟିବା ପାଇଁ ପରାମର୍ଶ ଦେଲେ।
ଔରଙ୍ଗବାଦରେ ଆନ୍ଦୋଳନ ପରେ, ଅଜିମ ଜାଲନା ସହରରେ ପୁଲିସ ଅଧିକ୍ଷକ (ଏସପି)ଙ୍କୁ ଭେଟିଥିଲେ ଏବଂ ଆକ୍ରମଣ ଅଭିଯୋଗ ଥିବା ସମାନ ପତ୍ର ତାଙ୍କୁ ଦେଇଥିଲେ। ଏସପି ଭୋକରଦାନ ପୁଲିସ ଷ୍ଟେସନକୁ କଲ୍ କରିଥିଲେ ଏବଂ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।
ଶେଷରେ ଜୁଲାଇ ୧୪ ତାରିଖରେ, ଘଟଣାର ପ୍ରାୟ ୨ ମାସ ପରେ ଭୋକରଦାନ ପୁଲିସ ଅଭିଯୋଗ ଦାୟର କରିଥିଲା, ଏଥିରେ ନୀତିନଙ୍କ ସମେତ ୧୯ ଜଣ ଲୋକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଅଭିଯୋଗରେ ବେଆଇନ ଭାବେ ଏକାଠି ହେବା, ଦଙ୍ଗା କରିବା, ବିପଜ୍ଜନକ ଅସ୍ତ୍ରରେ ଆକ୍ରମଣ କରିବା, ୫୦ କିମ୍ବା ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବା ଏବଂ ଅପରାଧିକ ଧମକ ସାମିଲ ରହିଥିଲା।
ତେବେ, ଘରୁ ଅଳଙ୍କାର ଓ ଟଙ୍କା ଚୋରି କଥାକୁ ଏବେ ବି ଏଫଆଇଆରରେ ଉଲ୍ଲେଖ କରାଯାଇନଥିଲା।
ଅଜିମ କୁହନ୍ତି, ‘‘ନିୟମ ଅନୁଯାୟୀ, ମୋ ଅଭିଯୋଗକୁ ଠିକ୍ ଭାବେ ଦାୟର କରିନଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ଥିଲା। କିନ୍ତୁ ଏତେ ବଡ଼ ଆଶା କରିବା ଅଧିକ ହୋଇଯିବ। ଯଦି ଏଭଳି ଅପରାଧର ଅଭିଯୁକ୍ତ କେହି ମୁସଲମାନ ହୋଇଥା’ନ୍ତେ ତା’ହେଲେ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥା’ନ୍ତା।’’
ଏହି ରିପୋର୍ଟର ଭୋକରଦାନ ପୁଲିସ ଷ୍ଟେସନର ପୁଲିସ ଇନ୍ସପେକ୍ଟରଙ୍କୁ ବାରମ୍ବାର କଲ୍ କରି ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ଉତ୍ତର ମିଳନଥିଲା।
ଅନୁବାଦ: ଓଡ଼ିଶାଲାଇଭ୍