ବେଳେବେଳେ ଦେବଦେବୀ ନିଜ ଭକ୍ତମାନଙ୍କ ସହିତ ଯାତ୍ରା କରିଥାନ୍ତି। କିଛି ନହେଲେ ମା’ ଅଙ୍ଗାରମୋତୀ ତ’ ନିଶ୍ଚିତ ଭାବେ ଯାତ୍ରା କରନ୍ତି।
ପ୍ରାୟ ୪୫ ବର୍ଷ ପୂର୍ବରୁ ଏହି ଆଦିବାସୀ ଦେବୀ ଧ୍ୟାୟ-ଚାଓଁର ଗାଁରେ ରହୁଥିଲେ। ଈଶ୍ୱର ନେତାମ୍ (୫୦)ଜଣେ ଗୋଣ୍ଡ ଆଦିବାସୀ ଏବଂ ସେ ଦେବୀଙ୍କ ମୁଖ୍ୟ ପୂଜାରୀ ବା ବୈଗା ଅଟନ୍ତି। ସେ କୁହନ୍ତି, ‘‘ମା’ ଅଙ୍ଗାରମୋତୀ ମହାନଦୀ ଓ ସୁଖାନଦୀ ମଧ୍ୟବର୍ତ୍ତୀ ଗୋଟିଏ ସ୍ଥାନରେ ରହୁଥିଲେ।
ବିସ୍ଥାପିତ ହେବା ସତ୍ତ୍ୱେ ମା’ ଅଙ୍ଗାରମୋତୀଙ୍କ ଲୋକପ୍ରିୟତା କମି ନାହିଁ । ଗାଁ ଓ ଅନ୍ୟ ସ୍ଥାନରୁ ୫୦୦ରୁ ୧,୦୦୦ ଶ୍ରଦ୍ଧାଳୁ ଏବେ ବି ସବୁଦିନ ତାଙ୍କ ମନ୍ଦିରରେ ପହଞ୍ଚିଥା’ନ୍ତି। ଦେବୀଙ୍କ ନାମରେ ମେଳା ଆୟୋଜନ କରାଯାଏ, କିନ୍ତୁ ଏହା ଗଙ୍ଗ୍ରେଲ ମଡ଼ଇ ନାମରେ ମଧ୍ୟ ପ୍ରସିଦ୍ଧ ଯେଉଁଥିରେ ଗାଁ ଓ ନିକଟବର୍ତ୍ତୀ ବନ୍ଧର ଉଲ୍ଲେଖ ମିଳିଥାଏ। ଦେବୀ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଭୁଲି ନାହାନ୍ତି । ପ୍ରତିବର୍ଷ ଦୀପାବଳି ପରବର୍ତ୍ତୀ ପ୍ରଥମ ଶୁକ୍ରବାର ଦିନ ମା’ ଅଙ୍ଗାରମୋତୀ ବାର୍ଷିକ ଉତ୍ସବ ପାଇଁ ଆଖପାଖ ଗାଁର ଦେବଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଥା’ନ୍ତି ।
ଗୋଣ୍ଡ ଆଦିବାସୀ ନେତା ଏବଂ ପ୍ରତିବର୍ଷ ଏହି ସମୟରେ ଗଙ୍ଗ୍ରେଲରେ ମେଳା ଆୟୋଜନ କରୁଥିବା ଦଳର ସଦସ୍ୟ ବିଷ୍ଣୁ ନେତାମ୍ କୁହନ୍ତି, ‘‘ଆମେ ଆମ ପୂର୍ବପୁରୁଷ ଅମଳରୁ ପ୍ରାୟ ପ୍ରତ୍ୟେକ ଆଦିବାସୀ ଗାଁରେ ଏହି ମଡ଼ଇ (ମେଳା) ଆୟୋଜନ କରି ଆସୁଛୁ।’’
‘‘ମଡ଼ଇ ଆମ ପାରମ୍ପରିକ ଆଦିବାସୀ ସଂସ୍କୃତିର ଅଂଶବିଶେଷ,’’ ସେ ଆହୁରି କହିଥାନ୍ତି। ସ୍ଥାନୀୟ ଲୋକଙ୍କ ବ୍ୟତୀତ ଗାଁ ବାହାରୁ ମଧ୍ୟ ଲୋକମାନେ ମେଳା ବୁଲିବାକୁ ଆସନ୍ତି, ସେମାନେ ଭଲ ଫସଲ ପାଇଁ ଦେବଦେବୀମାନଙ୍କୁ ଫୁଲ ଚଢ଼ାନ୍ତି ଓ ଆସନ୍ତା ବର୍ଷ ପାଇଁ ବରଦାନ ମାଗନ୍ତି। ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୫୦ଟି ମେଳା ଆୟୋଜନ କରାଯାଏ ସେଥିମଧ୍ୟରେ ମଡ଼ଇ ଅନ୍ୟତମ। ଏହା ହେଉଛି ମଧ୍ୟ ଭାରତର ଏହି ଜିଲ୍ଲାରେ ଆୟୋଜିତ ହେଉଥିବା ମଡ଼ଇ ଶୃଙ୍ଖଳାର ପ୍ରଥମ ମେଳା।










