ମାୟା ଥାମୀ ପିଠିରେ ୩୦ କିଲୋଗ୍ରାମ ଓଜନର ଗୋଟିଏ ଗ୍ୟାସ ସିଲିଣ୍ଡର ଉଠାଇ ତିନି କିଲୋମିଟର ବାଟ ଅତିକ୍ରମ କରିଛନ୍ତି । ଏହି ଭାରୀ ସାମଗ୍ରୀ ବୋହି ସେ ୨୦୦ ଶିଢ଼ି ଚଢ଼ିବା ପରେ ଦିନର ପ୍ରଥମ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚାଇଛନ୍ତି ।
୩୨ ବର୍ଷ ବୟସ୍କା ଥାମୀ ଧଇଁସଇଁ ହୋଇ କୁହନ୍ତି, ‘‘ଏବେ ମୁଁ ସେଠାରେ ଥିବା ପାହାଡ଼ ଉପରେ ଆଉ ଗୋଟିଏ ସିଲିଣ୍ଡର୍ ଦେବାକୁ ଯିବି,’’ କିଛି ଦୂରରେ ଥିବା ଗୋଟିଏ ସ୍ଥାନକୁ ସେ ଇସାରା କରନ୍ତି। ଏହି କାମ ପାଇଁ ୮୦ ଟଙ୍କାର ପାରିଶ୍ରମିକ ଗ୍ରହଣ କରିବା ପରେ, ସେ ତୁରନ୍ତ ନିଜର ପରବର୍ତ୍ତୀ ଡେଲିଭରୀ ପାଇଁ ବାହାରି ଯାଆନ୍ତି। ପରବର୍ତ୍ତୀ ଛଅ ଘଣ୍ଟା ପର୍ଯ୍ୟନ୍ତ, ସେ ଏମିତି ତରବର ହୋଇ ଏଲପିଜି (ଲିକ୍ୟୁଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍) ସିଲିଣ୍ଡର୍ ବୋହିବେ ।
‘‘ସାମଗ୍ରୀ ଅଧିକ ଓଜନ ହୋଇଥିଲେ ପୁରୁଷ କୁଲିଙ୍କୁ ପ୍ରାଥମିକତା ଦିଆଯାଏ ଏବଂ ଆମେ ପୁରୁଷ ହୋଇନଥିବାରୁ ଲୋକମାନେ ଆମ ସହିତ ମୂଲଚାଲ କରିଥା’ନ୍ତି,’’ ମାୟା କୁହନ୍ତି। ସମାନ ଦୂରତା ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବା ଲାଗି ମହିଳାମାନଙ୍କୁ ୮୦ ଟଙ୍କା ମିଳୁଥିବା ବେଳେ ପୁରୁଷଙ୍କୁ ସମାନ ଦୂରତା ପାଇଁ ୧୦୦ ଟଙ୍କା ମିଳିଥାଏ।
ପଶ୍ଚିମବଙ୍ଗର ଏହି ବ୍ୟସ୍ତବହୁଳ ସହର ଦାର୍ଜିଲିଂ ପୂର୍ବ ହିମାଳୟରେ ୨,୦୪୨ ମିଟର ଉଚ୍ଚତାରେ ରହିଛି। ପାହାଡ଼ିଆ ଅଞ୍ଚଳ ହୋଇଥିବା କାରଣରୁ ସଡ଼କ ମାର୍ଗରେ ଯାତାୟାତ କରିବାରେ ସମସ୍ୟା ଦେଖାଦେଇଥାଏ, ଏହି କାରଣରୁ ଲୋକମାନେ ପନିପରିବା, ପାଣି, ସିଲିଣ୍ଡର ଭଳି ଦୈନନ୍ଦିନ ଆବଶ୍ୟକତା ରହିଥିବା ସାମଗ୍ରୀ ଏବଂ ଏପରିକି ଫର୍ଣ୍ଣିଚର୍ (ଯାହାକୁ ଥରେ କିଣାଯାଏ)କୁ ମଧ୍ୟ ନେବା ଆଣିବା ଲାଗି କୁଲିଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ପାହାଡ଼ି ଗଡ଼ାଣିଆ ରାସ୍ତାରେ ଯାନବାହନ ଚାଲିପାରିବ ନାହିଁ, ସେଥିପାଇଁ ଲୋକମାନେ ନିଜଆଡ଼ୁ ସାମଗ୍ରୀ ବୋହି ନିଅନ୍ତି କିମ୍ବା ଗ୍ୟାସ ଏଜେନ୍ସି କିମ୍ବା ଦୋକାନୀ କୁଲିଙ୍କ ଜରିଆରେ ପଠାଇଥା’ନ୍ତି।











